କଳ୍‌ଚର୍‌

News Story - Posted on 2017-06-27

ରବି କାନୁନ୍‌ଗୋ

 

କିଛି ବିଦ୍ୟା ବା ସୂଚନାକୁ ଆମେ ଅତି ସହଜରେ ‘ଜ୍ଞାନ’ ବୋଲି ଭାବିନେଉ। ଏଥିପାଇଁ ସତର୍କ କରିବାଲାଗି ‘ଋଗ‌୍‍ବେଦ’ କହିଛନ୍ତି, ନ ବି ଜାନାମି ଯଦିବେଦମସ୍ମି / ନିଣ୍ୟଃ ସଂନଦ୍ଧୋ ମନସା ଚରାମି। (ମଣ୍ଡଳ-୧: ସୂକ୍ତ-୧୬୪: ମନ୍ତ୍ର-୩୭) ହୁଣ୍ଡାମୂଲରେ ଏଥିରୁ ଯାହା ବୁଝୁ ତାହା ହେଲା : ମୁଁ ଯେ କିପରି ଅଛି ସେକଥା ବି ଠିକଠିକ ଜାଣେନା। ସୁଦୁ ଧାରଣାରେ ସାରା ବିଶ୍ୱ ବିଚରଣ କରୁଥାଏ। ଏତତ‌୍‍ ପରିଚିତ ବା ଅତି ବିଶ୍ୱସ୍ତ ମୋର ସେପରି କଛି ଧାରଣା ହୁଏତ ସ୍ରଷ୍ଟାଙ୍କ ଅନୁଗ୍ରହରୁ ଜ୍ଞାନରେ ରୂପାନ୍ତରିତ ହୋଇପାରେ।

 

ନିଜ ବନ୍ଧୁକୁଟୁମ୍ୱ ପ୍ରୀତିପରିଜନ କି ବାପ-ମାଙ୍କ ବିଷୟରେ ଜାଣିବାକୁ କେୟାର ନକରୁଥିବା ଲୋକ ଯଦି ଫ୍ୟାଣ୍ଟାସି ନଭେଲ ହ୍ୟାରି ପୋର୍ଟର ଚରିତ୍ରର ଜନ୍ମ ଓ ଜୀବନବୃତ୍ତାନ୍ତ ଅନର୍ଗଳ କହିପାରେ ଆମ ତାକୁ ପାଠୁଆ କହିବା ସିନା, ବୁଦ୍ଧିଆରା କହିପାରିବା ନାହିଁ। କାରଣ ସେ ନଜେ କେଉଁଠି ଅଛି ସେକଥା ଠିକ‌୍‍ଠିକ‌୍‍ ଜାଣେନା। ଏହା ସବାଆଗେ ତା’ର ଜାଣିବା ଉଚିତ। ଏଥିରେ ଧର୍ମ କି ଶାସ୍ତ୍ରର ଅନୁଶୀଳନର ଆବଶ୍ୟକତା ନାହିଁ। ହ୍ୟାରି ପୋର୍ଟର ବା ପ୍ରୀତିପରିଜନପରି ସୂଚନାଗୁଡ଼ିକୁ ମାପିଚୁପି କେଉଁଥିରୁ କେତେ ଜାଣିବା ଉଚିତ, ଏହା ଜ୍ଞାନ ନୁହେଁ। କେବଳ କାଣ୍ଡଜ୍ଞାନ ଯାହା ଆମକୁ ସାରା ଜୀବନ ବାଟ ବତୋଉଥାଏ।

 

ସେମିତି, ଆମେ ଭାଷା, ସମାଜ ଓ ସଂସ୍କୃତି କଥା ଅତି ଆବେଗପୂର୍ଣ୍ଣଭାବେ ଯତ୍ରତତ୍ର କହିବାକୁ ଓ ଶୁଣିବାକୁ ଭଲ ପାଉ। ଇଏ ବି ଜ୍ଞାନ ନୁହେଁ; କାଣ୍ଡଜ୍ଞାନ। ଗରଜ ଓ ପେଟପାଟଣାର ଦାୟ ତୁଟେଲବା ପରେ ବଳି ପଡ଼ୁଥିବା ସମୟ ଏତଦ୍ଦ୍ୱାରା ଚମତ୍କାର ଭାବେ ବ୍ୟବହୃତ ହେଉଥାଏ ଓ ତାହା ଆମ କାଣ୍ଡଜ୍ଞାନକୁ ସମୃଦ୍ଧ କରୁଥାଏ। ଅତିବଡ଼ି ଜଗନ୍ନାଥ ଦାସଙ୍କ  ‘ଭାଗବତ’ ଶୁଣିଶୁଣି ଓଡ଼ିଆମାନେ ଯେତିକି କାଣ୍ଡଜ୍ଞାନ ହାସଲ କରିଥିଲେ ସେତିକି ସେମାନେ ରକ୍ଷା କରି ପାରିନାହାଁନ୍ତି। ପରିଣତିରେ ନିଜ ପ୍ରତିବିମ୍ୱ ବି ଆମକୁ ଦୈତ୍ୟପ୍ରାୟ ଦେଖାଯାଉଛି।

 

 ‘କଲ‌୍ଚର’ ବା ସଂସ୍କୃତି କ’ଣ? ଏହା ଆଲୋଚନା ପାଇଁ ୧୯୯୮ରେ ଷ୍ଟକ‌୍‍ହୋମ‌୍‍ (ସୁଇଡେନ)ଠାରେ ଏକ ବିଶ୍ୱ ସମ୍ମିଳନୀର ଆୟୋଜନ ହୋଇଥିଲା। ସେଠାରେ ଉପସ୍ଥିତ ବୁଦ୍ଧିମାନମାନଙ୍କ ସର୍ବସମ୍ମତ ମତ ଥିଲା ଯେ ଏହା (ସଂସ୍କୃତି) ବିସ୍ତାରିତ ଅର୍ଥରେ କୌଣସି ସାମାଜିକ ସମଷ୍ଟିର ସ୍ପଷ୍ଟ ସାମଗ୍ରିକ ଭାବାବେଗ, ବସ୍ତୁସତ୍ୟ, ବୌଦ୍ଧିକ ତଥା ସ୍ମୃତିସଂପନ୍ନ ରୂପଗୁଡ଼ିକୁ ସୂଚାଇ ପାରେ। ଏଥିରେ କଳା ବା ସାହିତ୍ୟ ବ୍ୟତୀତ ଜୀବନଚର୍ଯ୍ୟାର ଅନେକ ଚିତ୍ର ବାରି ହେଉଥାଏ। ପରମ୍ପରା, ମୂଲ୍ୟବୋଧ ଓ ବିଶ୍ୱାସର ଏହି ଅଧିକାର ସମସ୍ତଙ୍କ ପାଇଁ ମୌଳିକ।

 

ଏ ମାପ ସହିତ ଓଡ଼ିଆମାନେ କେତେ ଫିଟ‌୍‍? ଆକଳନ କଲେ, ଫକୀରମୋହନଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଶହେ କୋଡିଏ-ତିରିଶ ବର୍ଷ ବ୍ୟବଧାନରେ ଆମେ ଭାଷାର କି ରୂପ ଦେଖୁ? ଭାଷା ବିନା ଓଡ଼ିଆତ୍ୱର ଆଉ ବା କି ପରିଚୟ? ସେତେବେଳେ ଭାଷାର ସମସ୍ୟା ନଥିଲା; ଥିଲା ସାହିତ୍ୟର। ଆଜି, ସାହିତ୍ୟର କିଛି ସମସ୍ୟା ନାହିଁ; ଅଛି ଭାଷାର। ସାହିତ୍ୟ ପାଇଁ ଲମ୍ୱା ଉଚ୍ଚା ଗମ୍ୱୁଜ ଓ ଅଟ୍ଟାଳିକାମାନ ତିଆରି ଚାଲିଛି। ଭାଷା ପାଇଁ ସରକାରୀ ଆଡ଼ମ୍ୱରରେ ମେଦିନୀ ଦୁଲୁକୁଚି। କିନ୍ତୁ, ଘର ଭିତରେ ଭାଇ ଭଉଣୀ ବି ନିଜ ଭାଷାରେ ଗପସପ ହେଉନାହାଁନ୍ତି।

    

ପିଲା ଓ ପରିବର୍ତ୍ତନ ନାଁ କହି ଆମେ ସହଜରେ ଖସି ଯାଉ। ନିଜ ବାରିରୁ ନିଜେ ଚୋରି କରି ନିଶାପ କଲାଯାଏ କଥାକୁ ଟାଣି ନେଉ। ଏଥିରେ ଆତ୍ମପ୍ରବଞ୍ଚନା କେତେ ବା ବସ୍ତୁସତ୍ୟକୁ ମୁକାବିଲା ନକରିବା କାତରତା କେତେ ଗୋଟିଏ ମାତ୍ର ଉଦାହରଣରୁ ତାହା ଭାବି ପାରିବା।

 

ଏଠି କେବଳ ଚିତ୍ରଟିଏ କହୁଚୁ। ଏ ଅଭିଯୋଗ ଯଦି ଭୁଲ ହୋଇଥାଏ ଆମେ ସବୁଠୁଁ ଅଧିକ ଖୁସି ହେବୁ। କିନ୍ତୁ ତାହା ନୁହେଁ।

 

ସକ୍ଷ ଓ ସୁବିଧା ଅନୁଯାୟୀ ସବୁ ଘରେ ବିବାହ, ବ୍ରତ, ଏକୋଇଶିଆ, ଅନ୍ନପ୍ରାଶନ ଇତ୍ୟାଦି ନ୍ୟାୟନିମିତ୍ତ ହେଉଥାଏ। ସେଥିପାଇଁ ନିମନ୍ତ୍ରଣପତ୍ରଟିଏ ଦରକାର ହୁଏ। ମାତ୍ର କେତେ ଲୋକ ତାହା ଓଡ଼ିଆରେ କରନ୍ତି? ବା ଯଦି ନକରନ୍ତି, କାହିଁକି? ଅଜାଣତରେ ହେଉ ପଛେ, ଏଥିରେ ନିଜ ଭାଷାକୁ ହେୟଜ୍ଞାନ କରିବା ପ୍ରବୃତ୍ତି ବାରି ହୋଇପଡେ଼। ପତ୍ରରେ ବ୍ୟାକରଣ ଓ ବନାନ ଭୁଲ ସତ୍ତ୍ୱେ, ଧରି ନେବା ଯେ କର୍ତ୍ତାଜଣକ ଇଂଲିଶ ଭାଷାରେ ବେଶ‌୍‍ ପଣ୍ଡିତ। ହେଲେ, ନିମନ୍ତ୍ରିତମାନଙ୍କୁ ସମାନ ଭାବିବା ତାଙ୍କ ବେଠିକ‌୍‍ କାଣ୍ଡଜ୍ଞାନର ପରିଚୟ।

 

ଓଡ଼ିଶାରେ ଅଧ୍ୟାପନା ବୃତ୍ତି କରୁଥିବା ଜଣେ ବଙ୍ଗୀୟ ମହିଳା ଥରେ ପଚାରିଲେ, ଏଥିପାଇଁ ଓଡ଼ିଆମାନଙ୍କୁ କ’ଣ ଲାଜ ମାଡେ଼ନି? ମାଡେ଼ କି ନାଁ, ଏ ପ୍ରଶ୍ନ ଆମେ ପାଠକଙ୍କ ପାଖରେ ଥୋଇଲୁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top