ଷ୍ଟେଥୋ ସହିତ କଲମର କମାଲ

News Story - Posted on 2017-06-27

ବୈଷ୍ଣବ ଜେନା

 

ଗାଁ ଗହଳିରେ ଗୋଟିଏ ଲୋକକଥା ଅଛି ତାହା ହେଉଛି - ଡାକ୍ତର ଓ ଗୁଣିଆଙ୍କ ପାଖରେ ଦିନରାତି, ସକାଳ-ସଂଜ, ମଧ୍ୟାହ୍ନ-ପୂର୍ବାହ୍ନ ତଥା ରାତି ଅଧ ଓ ପାହାନ୍ତ ମଧ୍ୟରେ କିଛି ପ୍ରଭେଦ ନଥାଏ। ସବୁ ସମୟରେ ସେମାନଙ୍କର ପ୍ରୟୋଜନ ଥାଏ। କାରଣ ରୋଗ ଓ ଦୁର୍ଘଟଣା ସମୟ ଦେଖି ଆସେନାହିଁ କିମ୍ୱା ସାପକାମୁଡା ଓ ଭୁତ-ପ୍ରେତ ଗ୍ରାସ ନିର୍ଦ୍ଦିଷ୍ଟ ସମୟରେ ହୁଏନାହିଁ। ଏହି କାରଣରୁ ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ସେମାନେ ମୃତ୍ୟୁ ମୁଖରେ ପଡ଼ିଥିବା ରୋଗୀଙ୍କୁ ପୁନର୍ଜୀବନ ଦେଇଥାଆନ୍ତି। ତେଣୁ ସମାଜରେ ସେମାନଙ୍କ ସ୍ଥାନ ସ୍ୱତନ୍ତ୍ର ଅଟେ। ପୁଅ-ଝିଅଙ୍କୁ ବାପା ମାଆମାନେ ପ୍ରଥମେ ଡାକ୍ତର ହେବାକୁ ଆଶା ରଖିଥାଆନ୍ତି। ଆଧୁନିକ ଯୁଗରେ ଡାକ୍ତରମାନଙ୍କର ଆଉ ଏକ ନାମ ରହିଛି ତାହା ହେଉଛି ଷ୍ଟେଥୋଧାରୀ। କାରଣ ସେମାନଙ୍କ ପାଖରେ ସବୁବେଳେ ଷ୍ଟେଥୋଟିଏ ଥାଏ। ତାହାହିଁ ସେମାନଙ୍କର ପରିଚୟ। ଷ୍ଟେଥୋ କାନ୍ଧରେ ପଡ଼ିଥିବା ଲୋକଙ୍କୁ ନମସ୍କାର ହେବା ପାଇଁ ଶହଶହ ହାତ ଆପେଆପେ ଉଠିଯାଏ। ଏବେ ସେହି ଷ୍ଟେଥୋଧାରୀଙ୍କର ଆଉ ଏକ ପରିଚୟ ସୃଷ୍ଟି ହେଲାଣି। ସେମାନେ କଲମର କମାଲ ଦେଖାଇଲେଣି। ଅର୍ଥାତ‌୍‍ ରାଜ୍ୟର ବହୁ ଡାକ୍ତର ଏବେ ଲେଖାଲେଖିରେ ପରାକାଷ୍ଠା ପ୍ରତିପାଦନ କରୁଛନ୍ତି। ଏହା ମଣିଷ ସମାଜ ବିଶେଷ କରି ସଭ୍ୟ ଶିକ୍ଷିତ ମଣିଷ ସମାଜ ସାହିତ୍ୟିକ ମହଲ ଏବଂ ଓଡ଼ିଶାର ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭଙ୍କର। ଦିନରାତି ରୋଗୀ ଦେଖା ଏବଂ ଡାକ୍ତରୀ ପୁସ୍ତକ ପଠନରେ ବ୍ୟସ୍ତ ରହୁଥିବାରୁ ସାଧାରଣରେ ସେମାନଙ୍କଠାରୁ ଲେଖାଲେଖି କଥା ଆଶା କରାଯାଏନାହିଁ। ମାତ୍ର ବ୍ୟତିକ୍ରମ ସ୍ୱରୂପ ଏବେ ଓଡ଼ିଶାରେ ଷ୍ଟେଥୋ ସହିତ କମାଲ‌୍‍ ଦେଖିବାକୁ ମିଳୁଛି।

 

ଡାକ୍ତର ରାମଚନ୍ଦ୍ର ମିଶ୍ରଙ୍କ ଅନ୍ୟ ନାମ ଫତୁରା ନନ୍ଦ। ଓଡ଼ିଆ ସାହିତ୍ୟ ସମ୍ଭାରକୁ ତାଙ୍କର ବହୁମୂଲ୍ୟ ଅବଦାନ  ରହିଛି। ଖାସ‌୍‍କରି ତାଙ୍କର ବ୍ୟଙ୍ଗାତ୍ମକ ଲେଖାର ପଟାନ୍ତର ନାହିଁ। ତାଙ୍କର ବହୁ ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି। ମାତ୍ର ତାଙ୍କ ଲେଖା ତଥା ସାହିତ୍ୟ କୃତିର ଅଭିବୃଦ୍ଧି ଘଟୁଛି। ଚର୍ଚ୍ଚା ଚାଲିଛି - ପୁସ୍ତକର ବହୁଳ ଚାହିଦା ରହିଛି - ପାଠକ ମଧ୍ୟ ଅଛନ୍ତି। ତାଙ୍କ ସର୍ଜନାର ଅବତାରଣା ବିଭିନ୍ନସଭା ସମିତିରେ କରାଯାଉଛି। ସେହିପରି ଭାବେ ଡ. କବି ପ୍ରସାଦ ମିଶ୍ରଙ୍କୁ ଡାକ୍ତର ଭାବରେ ଯେତିକି ଜାଣିଛନ୍ତି, ସେତିକି ଲୋକ ମଧ୍ୟ ତାଙ୍କର ସୃଜନଶୀଳ ଲେଖା ପାଇଁ ଜାଣିଛନ୍ତି। ସେ ଜଣେ ମଧ୍ୟ ଉଚ୍ଚକୋଟୀର ସ୍ତମ୍ଭକାର। ବିଭିନ୍ନ ବିଷୟବସ୍ତୁ ଉପରେ ତାଙ୍କର କଲମ ଚାଲୁଥିଲା। ତେବେ ଧର୍ମ ସଂବନ୍ଧରେ ଏବଂ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ତାଙ୍କ ଲେଖା ବେଶି ଆଦୃତ ହୋଇଥାଏ।

 

ରାଜ୍ୟ ତଥା ଦେଶର ଜଣେ ନାମକରା ସ୍ନାୟୁ ବିଶେଷଜ୍ଞ ହେଉଛନ୍ତି ଡା. ରବୀନ୍ଦ୍ରନାଥ ସାହୁ। ସେ ଜଣେ ଅବସରପ୍ରାପ୍ତ ପ୍ରଫେସର। ଏବେ ତାଙ୍କ ପାଖକୁ ଯେତେ ରୋଗୀ ଆସୁଛନ୍ତି ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ସକାଳୁ ସନ୍ଧ୍ୟାଯାଏ ସେ ରୋଗୀ ସେବା କରିବାରେ ସମୟ ବିତାନ୍ତି। ଏହା ସହିତ ତାଙ୍କର କଲମ ମଧ୍ୟ କ୍ଷୀପ୍ର ଗତିରେ ଚାଲେ। ପ୍ରାୟ ୧୫ଟି ସ୍ୱାସ୍ଥ୍ୟ ଏବଂ ଧର୍ମ ସମ୍ୱନ୍ଧୀୟ ପୁସ୍ତକ ସେ ଲେଖି ସାରିଲେଣି। ରାଜଧାନୀରେ ଆୟୋଜିତ ତିନିଗୋଟି ପୁସ୍ତକ ମେଳା ପକ୍ଷରୁ କ୍ରମାଗତ ଭାବେ ସମ୍ମାନ ପ୍ରଦାନ କରାଗଲାଣି। ଆଗାମୀ ଦିନରେ ମଧ୍ୟ ସେ ବହୁ ସମ୍ମାନ ଓ ପୁରସ୍କାରର ଅଧିକାରୀ ହେବେ, ସେଥିରେ ସନ୍ଦେହ ନାହିଁ। ଅସଲକଥା ହେଉଛି ଯେ, ଓଡ଼ିଆ ଜାତି ଡଃ ସାହୁଙ୍କ ନିକଟରେ ଋଣୀ ହୋଇଯାଇଛି। କାରଣ ଓଡ଼ିଆ ଲୋକଙ୍କ ନାମରେ ଯେଉଁ ଅପବାଦ ରହିଛି, ତାହା ଆପାତତଃ ଦୂର ହୋଇଛି। ସେହି ଅପବାଦଟି ହେଉଛି ଦିନରେ ଶୋଇବା। ଡଃ ସାହୁ ତାଙ୍କର ଏକ ଗବେଷଣାତ୍ମକ ଲେଖାରେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ବାୟୁ, ଜଳ ଓ ବାତାବରଣ ସଂପୂର୍ଣ୍ଣ ଭିନ୍ନ। ସେହି କାରଣରୁ ଓଡ଼ିଶାରେ ଲୋକମାନେ ଟିକେ ଦିନରେ ଶୁଅନ୍ତି। ଏପରି ଟିକେ ଦିନରେ ଶୋଇଲେ ଲୋକ ସ୍ଥିତପ୍ରଜ୍ଞ ହୁଅନ୍ତି - ଦିନରେ ଅଳ୍ପ ଶୋଇବା ସ୍ୱାସ୍ଥ୍ୟପକ୍ଷେ ହିତକର ଅଟେ।  ଅତୀତରେ ଓଡ଼ିଶାର ମୁନିଋଷିମାନେ ଏହାକୁ ସାର୍ବଜନୀନ କରିବା ପାଇଁ ସବୁ ମନ୍ଦିରରେ ଦିନବେଳା ଟିକିଏ ପହଡ ପକାଇ ଦିଅନ୍ତି। ସ୍ୱୟଂ ଜଗନ୍ନାଥ ମଧ୍ୟ ଟିକେ ଦିନରେ ଶୁଅନ୍ତି। ଓଡ଼ିଶା ଛଡା ଅନ୍ୟ ରାଜ୍ୟରେ ଦେବାଦେବୀମାନେ ଶୋଇବାର ସୂଚନା ନାହିଁ। ଏହାଦ୍ୱାରା ଓଡ଼ିଆଙ୍କ ଦିନରେ ଟିକେ ଶୋଇବାକୁ ସେ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ଏହାକୁ କାଟିବାକୁ କାହାର ସାମର୍ଥ୍ୟ ନାହିଁ।

 

ସେହିପରି ଭାବେ ପ୍ରଫେସର ଡ଼. ପ୍ରଫୁଲ୍ଲ କର ଓଡ଼ିଆ ଅନୁବାଦ ସାହିତ୍ୟକୁ ବହୁମୂଲ୍ୟ ଅବଦାନ ଦେଇଛନ୍ତି। ପ୍ରଖ୍ୟାତ‌୍‍ ଶିକାରୀ ଲେଖକ ଜିମ‌୍‍ କର୍ବେଟ‌୍‍ଙ୍କ ପୁସ୍ତକଗୁଡ଼ିକୁ ସେ ଓଡ଼ିଆରେ ଅନୁବାଦ କରି ଓଡ଼ିଆ ପାଠକଙ୍କୁ ଅମୂଲ୍ୟ ଉପହାର ଦେଇଛନ୍ତି। ସେ ଜଣେ ସୃଜନଶୀଳ ଅନୁବାଦକ। କୁମାୟୁଁର ନରଖାଦକ ଏବଂ ରୁଦ୍ରପ୍ରୟାଗର ନର ଖାଦକ ପୁସ୍ତକ ଦ୍ୱୟରେ ତାହା ପ୍ରମାଣିତ ହୋଇଛି।

 

ଏବେ ଖବରକାଗଜ ପୃଷ୍ଠା ଓଲଟାଇଲେ ପ୍ରତ୍ୟହ ଡାକ୍ତରମାନଙ୍କର ସ୍ତମ୍ଭ ନଜରକୁ ଆସୁଛି। ଏ କ୍ଷେତ୍ରରେ ପ୍ରଫେସର ଡଃ ଉମେଶ ପାତ୍ର ସବୁଠାରୁ ଆଗରେ ଅଛନ୍ତି। ଡାକ୍ତର ସୁୁରେନ୍ଦ୍ରନାଥ ଦାଶ (ଉମରକୋଟ‌୍‍) ମଧ୍ୟ ପଛରେ ନାହାନ୍ତି। ଏହି ଦୁଇ ଡାକ୍ତର ନିୟମିତ ଅର୍ଥାତ‌୍‍ ପ୍ରତ୍ୟହ ସ୍ତମ୍ଭ ଲେଖନ୍ତି। କେବଳ ସ୍ୱାସ୍ଥ୍ୟ ସମ୍ପର୍କୀୟ ଲେଖା ନୁହେଁ, ବରଂ ସବୁ ବିଷୟରେ ଅର୍ଥାତ‌୍‍ ଧର୍ମ, ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନୀ, ପର୍ଯ୍ୟଟନ, ସାମାଜିକ ଚଳଣି, ପର୍ବପର୍ବାଣୀ, ବାୟୁମଣ୍ଡଳ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ଏମାନେ ସ୍ତମ୍ଭ ଲେଖୁଛନ୍ତି। ଓଡ଼ିଶାର ଲକ୍ଷ ଲକ୍ଷ ଲୋକ ତାହାକୁ ପାଠ କରୁଛନ୍ତି। ପ୍ରତ୍ୟେକ ଦିନ ଏହି ବ୍ୟସ୍ତ ଜୀବନଧାରୀ ଷ୍ଟେଥୋଧାରୀମାନେ କିପରି ଲେଖନୀ ଚାଳନା କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଛି।

 

ପ୍ରଫେସର ଡାକ୍ତର ସମ୍ରାଟ କରଙ୍କ ମାନସିକ ରୋଗ ସମ୍ପର୍କିତ ନିୟମିତ ଲେଖା ଏବେ ପାଠକ ମହଲରେ ବହୁଳ ମାତ୍ରାରେ ଆଦୃତ ହେଉଛି। ବହୁ ପିତାମାତା ସେମାନଙ୍କର ସନ୍ତାନ ସନ୍ତତିଙ୍କ ଆବ-ଭାବକୁ ନିରୀକ୍ଷଣ କରିବା ସହିତ ସଚେତନ ମଧ୍ୟ ହେଉଛନ୍ତି। ଘଟଣା କର୍ମରେ ବହୁ ପାଠକ ବିଭିନ୍ନ ଚର୍ଚ୍ଚାରେ ଡାକ୍ତରଙ୍କ ପରି ଯୁକ୍ତି ଉପସ୍ଥାପନ କରୁଛନ୍ତି। ସାଧାରଣ ଲୋକଙ୍କୁ ମାନସିକ ରୋଗ ସମ୍ପର୍କରେ ସଚେତନ କରିବାରେ ଡଃ କର ନିଶ୍ଚିତ ଭାବେ ସଫଳ ହୋଇଛନ୍ତି। ଏଥିରେ ସନ୍ଦେହ ନାହିଁ। ତାହାକୁ ପଢି ଚିଡ଼ିଚିଡା ବ୍ୟକ୍ତିମାନଙ୍କ ସ୍ୱଭାବ ପରିବର୍ତ୍ତନ ଘଟିଲାଣି।

 

ଏମାନଙ୍କ ବ୍ୟତୀତ ଡଃ ମହେନ୍ଦ୍ର ତ୍ରିପାଠୀ, ଡଃ ନୀଳମାଧବ ପୃଷ୍ଟି, ଡଃ ଦୟାନିଧି ଦାସ, ଡଃ ନିରଞ୍ଜନ ମହାନ୍ତି, ଡଃ ଦୀନବନ୍ଧୁ ମହାରଣା, ଡଃ ମିନତୀ ମହାରଣା, ଡଃ ତପନ କୁମାର ଦାସ, ଡଃ ଗୋପାଳ ଚନ୍ଦ୍ର ସେଠୀ, ଡଃ ଗୋପାଳ କୃଷ୍ଣ ପଟ୍ଟନାୟକ, ଡଃ ସ୍ଥିତି ଦାସ, ଡଃ ସୁରେନ୍ଦ୍ର ନାଥ ସେନାପତି, ଡଃ ବସନ୍ତ କୁମାର ପତି, ଡଃ ଶ୍ରୀହରି ପଣ୍ଡା, ଡଃ ନିତ୍ୟାନନ୍ଦ ସ୍ୱାଇଁ, ଡଃ ବିନୋଦିନୀ ବେହେରା, ଡଃ ଦେବେନ୍ଦ୍ରନାଥ ମାନସିଂହ, ଡଃ ଶୁଭ୍ରା ପ୍ରିୟଦର୍ଶିନୀ ପୃଷ୍ଟି, ଡଃ ଜ୍ୟୋତିରଂଜନ ଚମ୍ପତିରାୟ, ଡଃ ବିଦ୍ୟୁତ‌୍‍ କୁମାର ଦାସ, ଡଃ ପ୍ରସନ୍ନ କୁମାର ରାଠୋର, ଡଃ ଭବାନୀ ଶଙ୍କର ଦାସ, ଡଃ ଅଶୋକ କୁମାର ପଣ୍ଡା, ଡଃ ଶୁଭଶ୍ରୀ ମିଶ୍ର, ଡଃ ମାୟା ଗନ୍ତାୟତ, ଡଃ ଚତୁର୍ଭୁଜ ଭୂୟାଁ, ଡଃ ସୁଶାନ୍ତ କୁମାର ଦାସ, ଡଃ ମଦନ ମୋହନ ସାହୁ, ଡଃ ପ୍ରଶାନ୍ତ କୁମାର ସାହୁ, ଡଃ ତ୍ରିଲୋଚନ ବରାଳ, ଡଃ ଆଲୋକ କାନୁନ‌୍‍ଗୋ, ଡଃ ପୂର୍ଣ୍ଣଶଶି ଦାସ, ଡଃ ସିଦ୍ଧାନ୍ତ ଶଙ୍କର ଦାସ, ଡଃ ଶୁଭକାନ୍ତ ପଣ୍ଡା, ଡଃ ଅମିତାଭ‌୍‍ ମହାନ୍ତି, ଡଃ ଦୀପକରାଜ, ଡଃ ସୁଶାନ୍ତ ପ୍ରଧାନ, ଡଃ କାନ୍ତି ନାୟକ, ଡଃ ମୁରାରୀ ମୋହନ ଦାସ, ଡଃ ରବି ନାରାୟଣ ସେନାପତିଙ୍କ ସମେତ ଆହୁରି ଅନେକ ଡାକ୍ତର ଉଚ୍ଚକୋଟିରସ୍ତମ୍ଭମାନ ଲେଖୁଛନ୍ତି । ଦନ୍ତରୋଗ, ସ୍ତ୍ରୀରୋଗ ସମ୍ପର୍କିତ ସଚେତନତା ସମ୍ୱନ୍ଧୀୟ ଲେଖା ସମେତ ଗୁପ୍ତ ରୋଗ ସମ୍ପର୍କିତ ଲେଖା ବିଶେଷ ପ୍ରଭାବଶାଳୀ ହେଉଛି।

 

ଷ୍ଟେଥୋ ସହିତ କଲମର କମାଲର ପ୍ରଭାବ ପ୍ରସଙ୍ଗରେ ଏକ ମଜାଦାର କଥା ଆମେ ଉପସ୍ଥାପନ କରୁଛୁ। ଏବେ ପ୍ରାୟ ୧୨ ଜଣ ଡାକ୍ତର ବିଧାୟକ /ମନ୍ତ୍ରୀ ଅଛନ୍ତି। କିଛି ଦିନ ତଳେ ବିଧାନସଭା ଲବିରେ ମଧୁମେହ ରୋଗ ସମ୍ପର୍କରେ କଥାବାର୍ତ୍ତା ଚାଲିଥିଲା। ସେଥିରେ ଜଣେ ଅଣଡାକ୍ତର ବିଧାୟକ ଏହି ସର୍ବବ୍ୟାପୀ ରୋଗ ସମ୍ପର୍କରେ ଯେଉଁ ତଥ୍ୟ ରଖିଲେ ତାହାକୁ ଡାକ୍ତର ବିଧାୟକମାନେ ମାନିବାକୁ ବାଧ୍ୟ ହୋଇଥିଲେ। ଯୁକ୍ତିକରି ସଫଳ ହୋଇଥିବା ବିଧାୟକ ଜଣ କେବଳ ଖବରକାଗଜ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ପତ୍ରିକା ପଢ଼ି ମଧୁମେହ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ବୋଲି କହିଥିଲେ।

 

ସଂପର୍କ- ୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top