ନିଲାମ ହେବ ନିୟମଗିରି!

News Story - Posted on 2017-06-27

ଦୁଇ ଦୁଇ ଥର ସୁପ୍ରିମ କୋର୍ଟରୁ ଛାଟ ଖାଇଲା ପରେ ବି ନିୟମଗିରି ଲୋଭ ଛାଡ଼ୁ ନାହାନ୍ତି ଓଡ଼ିଶା ସରକାର। ନିୟମଗିରି ଆଦିବାସୀଙ୍କଠାରୁ ବେଦାନ୍ତ କମ୍ପାନୀ ପାଇଁ ସରକାରଙ୍କର ପ୍ରୀତି କେତେ ଅଧିକ ତାହା ଏହାର ନିଲାମ ଉଦ୍ୟମରୁ ସ୍ପଷ୍ଟ ବାରି ହୋଇଯାଇଛି। ନିୟମଗିରି ଅଂଚଳର ଗ୍ରାମବାସୀମାନେ ଗ୍ରାମସଭାରେ ଖଣି ପ୍ରକଳ୍ପକୁ ବିରୋଧ କରିବାରୁ ସୁପ୍ରିମ କୋର୍ଟ ଏହାକୁ ଖାରଜ କରିଥିଲେ। କିନ୍ତୁ ତା’ ସତ୍ତ୍ବେ ଓଡ଼ିଶା ସରକାର ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ ଏହି ପାହାଡ଼କୁ ଧ୍ୱଂସ କରିବା ଉଦ୍ୟମ ଅବ୍ୟାହତ ରଖିଛନ୍ତି।

 

ନିୟମଗିରି ପାହାଡ଼ ତଳେ ଥିବା ଲାଞ୍ଜିଗଡ଼ ଜଙ୍ଗଲ ଭିତରେ କେହି କିଛି ଜାଣିବା ପୂର୍ବରୁ ଅତ୍ୟନ୍ତ ଗୋପନରେ ଲଣ୍ଡନର ବେଦାନ୍ତ କମ୍ପାନୀ ତିଆରି କରିଥିଲା ବେଦାନ୍ତ ଆଲୁମିନା କାରଖାନା। ରାଜ୍ୟ ସରକାରଙ୍କ ସହିତ ଭିତିରି ବୁଝାମଣା କ୍ରମେ ତତ୍କାଳୀନ ଜିଲ୍ଲାପାଳଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିଲା। ସେହି କାରଖାନାର ବକ୍ସାଇଟ‌୍‍ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ନିୟମଗିରି ପାହାଡ଼କୁ ଓଡ଼ିଶା ଖଣି ନିଗମକୁ ଲିଜ‌୍‍ ଦେଇଥିଲେ। ଆଉ ଓଡ଼ିଶା ଖଣି ନିଗମ ବେଦାନ୍ତର ସହଯୋଗୀ କମ୍ପାନୀ ଷ୍ଟେର୍ଲାଇଟ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରିଥିଲା। କିନ୍ତୁ ଏହି ଖଣି ପ୍ରକଳ୍ପକୁ ନିୟମଗିରିର ଆଦିମ ଅଧିବାସୀମାନେ ତୀବ୍ର ବିରୋଧ କରିଥିଲେ। ସେମାନଙ୍କ ଖଣି ବିରୋଧୀ ଆନ୍ଦୋଳକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପରିବେଶବିତମାନେ ସମର୍ଥନ କରିଥିଲେ।

 

ଏହା ପରେ ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା। ଖଣି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ପେସା ଆଇନ ଅନୁସାରେ ସ୍ଥାନୀୟ ଆଦିବାସୀଙ୍କର ମତ ନେଇ ନଥିବାରୁ ସୁପ୍ରିମ କୋର୍ଟ ଗ୍ରାମସଭା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସରକାର ନିଜେ ୧୨ଟି ଛୋଟ ଗାଁ ବାଛି ଖଣି ସପକ୍ଷରେ ଜନମତ ଆଦାୟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କୁ ନିରାଶ କରି ଆଦିମ ଅଧିବାସୀ ଡଙ୍ଗରିଆ କନ୍ଧମାନେ ଖଣି ପ୍ରକଳ୍ପ ବିରୋଧରେ ଶତ ପ୍ରତିଶତ ମତ ଦେଇଥିଲେ। ତା’ ପରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶରେ ପ୍ରକଳ୍ପ ରଦ୍ଦ ହୋଇଯାଇଥିଲା। ଏହା ଥିଲା ୨୦୧୩ ମସିହାର କଥା।

 

ଏହାର ତିନି ବର୍ଷ ପରେ ୨୦୧୬ ମସିହାରେ ନିୟମଗିରି ହାତେଇବାକୁ ପୁଣି ଥରେ ଚେଷ୍ଟା କରିଥିଲେ ଓଡ଼ିଶା ସରକାର। ସରକାର ସୁପ୍ରିମ କୋର୍ଟରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ସରକାର ଲୋକମାନଙ୍କର ଏହି ଅଧିକାର ସାବ୍ୟସ୍ତ କରିବା ପରେ ଜଙ୍ଗଲ ଜମିରେ ଅନ୍ୟ କୌଣସି ପ୍ରକଳ୍ପ କଲେ ଗ୍ରାମସଭା ମତ ଦରକାର ନାହିଁ ବୋଲି ଯୁକ୍ତି କରିଥିଲେ। ତେଣୁ ସେଠାରେ ଖଣି ପ୍ରକଳ୍ପକୁ ଅନୁମତି ଦେବାକୁ ସରକାର ଓଡ଼ିଶା ଖଣି ନିଗମ ଜରିଆରେ କୋର୍ଟଙ୍କୁ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ କୋର୍ଟ ବିଚାରପତି ରଂଜନ ଗୋଗୋଇ ଏହି ଆବେଦକୁ ଖାରଜ କରିଦେଇଥିଲେ।

 

ଏବେ ପୁଣି ଥରେ ଅନ୍ୟ ବାଟରେ ଯାଇଁ ନିୟମଗିରି ଧ୍ୱଂସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ସରକାର। ବକ୍ସାଇଟ ଭର୍ତ୍ତି ଏହି ପାହାଡ଼କୁ ଅନ୍ୟ ଖଣି ଭଳି ନିଲାମ କରିବାକୁ ଆଇନରେ ଗଳାବାଟ ଅଛି କି ନାହିଁ ଖୋଜା ଚାଲିଛି। ବେଦାନ୍ତ କମ୍ପାନୀ ନିୟମଗିରି ଲୋଭ ଛାଡ଼ିନାହିଁ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ଏହି ଖଣିର ନିଲାମ ହୁଏ ତେବେ ବେଦାନ୍ତ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବ। ଏହାର ଅର୍ଥ ବେଦାନ୍ତ କମ୍ପାନୀ ନିୟମଗିରି ନେବାକୁ ଏବେ ବି ଆଶା ରଖିଛି। ରାଜ୍ୟ ସରକାର ସମର୍ଥନ କରୁ ନଥିଲେ ବେଦାନ୍ତ ଏପରି ଦୁଃସାହସ କରନ୍ତା ନାହିଁ। ଏହି ହେତୁ ସନ୍ଦେହ କରାଯାଉଛି ଯେ ବେଦାନ୍ତର ଏଭଳି ଆଶା ପଛରେ ସରକାରଙ୍କ ଆଶୀର୍ବାଦ ରହିଛି।

 

ତେବେ କମ୍ପାନୀ ଓ ରାଜ୍ୟ ସରକାରଙ୍କର ଏହି ଉଦ୍ୟମ ପୁଣି ଥରେ ଆଇନଗତ ଧକ୍କା ଖାଇବାର ସମ୍ଭାବନା ଅଛି। ପ୍ରଥମତଃ ନିୟମଗିରି ଖଣି ପ୍ରକଳ୍ପକୁ ଆଇନ ଅନୁସାରେ ୧୨ଟି ଗ୍ରାମସଭା ଖାରଜ କରିସାରିଛି। ଗ୍ରାମସଭାର ମତ ରଦ୍ଦ କରିବାକୁ ଭାରତରେ କୌଣସି ଆଇନ ନାହିଁ। ଦ୍ୱିତୀୟ ଆଇନଗତ ବାଧକ ହେଉଛି ଜଙ୍ଗଲ ଜମି ଅଧିକାର ଆଇନ। ଏହି ଆଇନ ଅନୁସାରେ ଜଙ୍ଗଲ ଜମିର ଅଣ ଜଙ୍ଗଲ ବ୍ୟବହାର ନିଷିଦ୍ଧ। ଏଭଳି ସ୍ଥଳେ ସରକାରୀ ଉଦ୍ୟମ ପୁଣି ଥରେ ଆଇନଗତ ଧକ୍କାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧ ଓ ସମ୍ୱେଦନଶୀଳ ନିୟମଗିରି ପାହାଡ଼ରେ ପ୍ରାୟ ୭୫ ନିୟୁତ ଟନର ବକ୍ସାଇଟ‌୍‍ ଗଚ୍ଛିତ ରହିଛି। ଏହା ଉପରେ ବେଦାନ୍ତ କମ୍ପାନୀର ନଜର ଲାଗିଛି। କିନ୍ତୁ ପାହାଡ଼ରୁ ବକ୍ସାଇଟ ଖୋଳିନେଲେ ଏହି ପାହାଡ଼ ସହିତ ଏହାର ଜଙ୍ଗଲ, ଝରଣା, ଔଷଧୀୟ ଗୁଳ୍ମରାଜି, ଜୈବ ବିବିଧତା ଓ ବନ୍ୟଜନ୍ତୁଙ୍କ ସମେତ ଡଙ୍ଗରିଆ କନ୍ଧମାନଙ୍କର ସାମାଜିକ, ସାଂସ୍କୃତିକ ଓ ଆର୍ଥନୀତିକ ଜୀବନ ସଂପୂର୍ଣ୍ଣ ଧ୍ୱଂସ ପାଇବାର ଆଶଙ୍କା ରହିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top