ବିକାଶ- ଇଧର ଉଧର

News Story - Posted on 2017-06-26

ରବି କାନୁନଗୋ

 

ମୋଦୀ ସରକାରର ତିନି ବର୍ଷ ପୂରିଲା ମେ ୨୫ ତାରିଖରେ। ସରକାର ତାହା ଯଥେଷ୍ଟ ଆଡ଼ମ୍ୱରରେ ପାଳନ କଲେ। ସ୍ୱଭାବତଃ ସରକାର ତାଙ୍କ ଗୌରବ କହିଲେ। ବିରୋଧୀ ନିନ୍ଦା କଲେ। ଲୋକେ କହିଲେ ନିଜ ଜୀବନ- ସେଥିରେ ରାଜନୀତି ବଦଳିବାର କୌତୁକ ଥାଇପାରେ, ମାତ୍ର ବର୍ଷ ବଦଳିବାର ଫାଜିଲାମି ଚଳେନି।

 

ଏ ସରକାର ବା କୌଣସି ଗଣତନ୍ତ୍ରକୁ ଏହି ମାପରେ ହିଁ ଠଉରା ଯାଏ। ନାଗରିକ ଭାବେ- ଥିଲି କ’ଣ, ହୋଇଛି କ’ଣ? ତାହା ଭଲରେ କି ମନ୍ଦରେ? ସରକାରର ସୀମା ଏତିକିରେ ସୀମିତ ରହୁ। ସେଥିରେ ରାମ ମନ୍ଦିର କି ରହିମ‌୍‍ ଚଉରା ମିଶିବା କିଛି ଦରକାର ନାହିଁ। ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର। ଏହା ଆମେ କାଳେ କାଳେ ବିଶ୍ୱାସ କରିଛୁ। ସ୍ୱଳ୍ପ ଶାସନ ହିଁ ଶ୍ରେଷ୍ଠ ଶାସନ। ଗାନ୍ଧି କହିଛନ୍ତି ବୋଲି ନୁହେଁ- ଡିଉଟିରୁ ଫେରି ପୁଲିସ ଭାଇ ତା’ ଘରେ କହେ - ଧନ୍ୟ ହେ ଠଳୁରେ ମୋ ଏରିଅରେ ଆଜି କିଛି ଗୋଳମାଳ ହେଇନି।

 

ଥରେ ‘ଇନ‌୍‍ଫୋସିସ‌୍‍’ର ଆଦିକର୍ତ୍ତା ଏନ.ଆର. ନାରାୟଣ ମୂର୍ତ୍ତି କହିଲେ, ରିସେସନ‌୍‍ ମୁକାବିଲା କରିବାକୁ ଖରାପ ଅର୍ଥନୀତି ଆଳରେ ଛଟେଇ କରିବା ଉଚିତ ପଦକ୍ଷେପ ନୁହେଁ। ଅର୍ଥନୀତିର ଦୁର୍ଗତିକୁ ‘ପ୍ରଡକ୍ଟିଭିଟି’ ବା ଉତ୍ପାଦକତାର ବୈଜ୍ଞାନିକ ବିକାଶରେ ପ୍ରତିହତ କରା ଯାଇପାରିବ ମତ ଦେଲେ। ମୂର୍ତ୍ତି କହିଥିବାରୁ କଥାଟି ଗୁରୁତ୍ୱପୂର୍ଣ୍ଣ ଓ ବିବଦମାନ ହେଲା। ଯଦି ସେତେବେଳାର ବିତ୍ତମନ୍ତ୍ରୀ ପ୍ରଣବ ମୁଖାର୍ଜି କହିଥା’ନ୍ତେ ଲୋକେ ଭାବିଥା’ନ୍ତେ - ଛାଡ଼, ସ୍ଲୋଗାନ‌୍‍ଟେ।

 

ମୋଦୀ ସରକାରର ତିନି ବର୍ଷ। ବର୍ଷେ ଗଲା : ଉଘାରେ। ତମେ ଜିତିଲ ଠିକ‌୍‍ ଯେ, କେତେ ମିଛ କହିଚ! ବିରୋଧୀ ଯେତେ କମ୍ପିଲେ ବି କିଛି କରିପାରିଲେ ନାହିଁ। ମୋଦୀଙ୍କ ସାର୍ଟିଫିକେଟ‌୍‍ ଓ ସ୍ମୃତି ଇରାନୀଙ୍କ ପାଠକୁ ନେଇ ଶସ୍ତା ରାଜନୀତି ଚାଲିଲା। ଏଥିଯୋଗୁ ମୋଦୀଙ୍କ ଲୋକପ୍ରିୟତା ତିଳ ପ୍ରମାଣ କ୍ଷତିଗ୍ରସ୍ତ ହେଲାନି। ସରକାର ସୁନ୍ଦର ଯୋଜନାମାନ ଅଧା-ସଂସ୍କୃତ ନାଁରେ ଘୋଷଣା କରନ୍ତି, ପଛରେ ଧରାପଡେ଼ ଯେ ପ୍ଲାନ‌୍‍ ଚାଲିଛି ୟୁପିଏ ସରକାର ଅମଳରୁ କିନ୍ତୁ ଅଫିସ‌୍‍-ଅର୍ଡର ବାହାରକୁ ସେଗୁଡ଼ିକର ପ୍ରଚାର ହୋଇ ନଥିଲା। ସବୁ ଆଗରୁ ଚାଲୁଥିଲା- ସରକାର ଗଠନର ଦି’ ସପ୍ତାହ ଭିତରେ ଆଠ ଦଶ ଯୋଜନା ଘୋଷଣା ହୋଇଗଲା। ଦେଖାଗଲା, ବ୍ରାଣ୍ଡ‌୍‍ ନିଉ। ଚକ‌୍‍ଚକ‌୍‍।

 

ଦ୍ୱିତୀୟ ବର୍ଷ ଗଲା ପଘାରେ। ସି.ବି.ଆଇ.ର ରାଜନୀତିକ ଉଦ୍ଦେଶ୍ୟସଂପନ୍ନ ସରକାର ଓ ଦଳ ଯେତେ ଜିଗର କଲେ ବି ଉପଦଳଗୁଡ଼ିକ ଗୋ-ରକ୍ଷା ଅଭିଯାନ ଆରମ୍ଭ କରିଦେଲେ। ଏହା ଏକ ଗାନ୍ଧିବାଦୀ କଳ୍ପନା। ଉଦ୍ଦେଶ୍ୟ କେବଳ ଅହିଂସା। ଗୋ-ରକ୍ଷା ହେଉ କି ନ ହେଉ ଏବେ ଅଭିଯାନ ପହଞ୍ଚିଛି ନର-ହତ୍ୟା ପାଖରେ।

 

ପ୍ରାଧାନମନ୍ତ୍ରୀ ଏ ମାମଲାରେ ପାଟି ଖୋଲି ନାହାଁନ୍ତି। ସେ ଲୋକ ଭିଡିଓ ଦେଖେଇ କହୁଛନ୍ତି, ନିର୍ବାଚନ ଆଗରୁ ଏ ବିଷୟରେ ତମେ କେତେ ଜାଗାରେ କେତେ କଥା କହିଥିଲ, ଶୁଣ। 

ପାର୍ଟି ଓ ପ୍ରଧାନମନ୍ତ୍ରୀ, ଉଭୟ ମୋଦୀଙ୍କ ସମୂର୍ତ୍ତ ଅବତାର ବୋଲି ଅନେକ ବିଶ୍ୱାସ କରନ୍ତି।

 

ଜଣେ ବନ୍ଧୁ ପଚାରିଲେ, ଲୋକେ ଏମିତି କରୁଛନ୍ତି କାହିଁିକି?

 

-ଅତି ସରଳ ଭାଇ। ଆମେ ଯେମିତି ‘ବାବା’, ‘ମାତା’ଙ୍କୁ ଦଣ୍ଡବତ କରୁ।

 

ଧରି ନେବା- ତିନି ପଡ଼ିଥିଲା ନଗାରେ! ଧର୍ମକୁ ଧାର୍ମିକ ଚଳେଇବା ସହଜ। ମାତ୍ର ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଚଳେଇବା ହେଲା କଷ୍ଟ। ଇନ୍ଦିରାଙ୍କ ପରି ଗଣତନ୍ତ୍ର ସଂପର୍କରେ କିଛି କବଳିତ ଧାରଣାକୁ ସରାକାରର ପ୍ରଶଂସା ବୋଲି କୁହାଟ ମାରି କହିଲେ ବି ଫଳ ମନ୍ଦ ହୁଏ। ମୋଦୀ ଭାରତ ପାଇଁ ମେଜିକ‌୍‍, ବିଶ୍ୱ ପାଇଁ ଚମତ୍କାର ଓ ରାଷ୍ଟ୍ରୀୟ ସ୍ୱୟଂସଙ୍ଘ ପାଇଁ ପୁରସ୍କାର।

 

ଚତୁର୍ଥ ବର୍ଷ ପାଇଁ ପ୍ରଚାର ତାଲିକା ଲମ୍ୱା ହେବାକୁ ବାଧ୍ୟ। ଆଗାମୀ ସାଧାରଣ ନିର୍ବାଚନର ବହୁ ଟୁକୁଡ଼ା ସେଥିରେ ଅବଶ୍ୟ ପ୍ରତିଫଳିତ ହେବ। ପାର୍ଲାମେଣ୍ଟ‌୍‍ରେ ତ ଶୁଣିବାକୁ ‘ବିରୋଧୀଦଳ’ ନାହିଁ- ସରକାରର ଦର୍ପ ପବ୍ଲିକ‌୍‍ ଶୁଣନ୍ତୁ ପରି ଏ ପ୍ରଚାରପ୍ରବଣ ଆତୁରତା। ଆଗକୁ ନିର୍ବାଚନ, କାମରେ ଲାଗିବ।

 

ଆଉ ଯାହା ହେଉ ନ ହେଉ- ପ୍ରଧାନମନ୍ତ୍ରୀଙ୍କୁ ଆମର ପ୍ରଶ୍ନ, ଆମ ପିଲାଙ୍କ ସହୀଦ ହେବା କେବେ ବନ୍ଦ ହେବ? ସେମାନେ ଦେଶ ଲାଗି ମରନ୍ତି ନା ରାଜନୀତିର ବିଫଳତା ଯୋଗୁ ମରନ୍ତି? କାରଣ କଫିନ‌୍‍ ତଳେ ବହୁ ବାଜେ ସତ ଲୁଚିଯାଏ। କେହି ‘ଦେଶଭକ୍ତି’ ଦେଖେଇବାକୁ ସେନାରେ ଯୋଗ ଦିଅନ୍ତିନି- ତାହା ସେମାନଙ୍କଠାରୁ ଚାକିରିର ସର୍ତ୍ତ ମୁତାବକ ଆଦାୟ କରାଯାଏ। ଜଣେ ନାଗରିକ ‘ଦେଶ-ଭକ୍ତ’ ହେବାକୁ ବାଧ୍ୟ ନୁହେଁ। ସେମିତି ଜଣେ ସୈନ୍ୟ ଚାକିରି କାଳରେ ‘ଦେଶ-ଦ୍ରୋହୀ’ ହୋଇ ପାରିବନି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top