ଭଜନ ସଙ୍ଗୀତରେ ଜଗନ୍ନାଥ

News Story - Posted on 2017-06-26

ଦେବଦତ୍ତ ରଥ

 

ଏ ସମଗ୍ର ମାନବଜାତିର ପ୍ରମୁଖ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ। ଓଡ଼ିଆ ଜାତୀୟ ଜୀବନରେ ପ୍ରଭୁଙ୍କ ଭୂମିକା ଯେ କେତେ ଗୁରୁତ୍ୱପୂର୍ଣ୍ଣ ତାହା କାହାକୁ ଅଗୋଚର ନୁହେଁ। ଓଡ଼ିଶାରେ କବି ମଣ୍ଡଳୀ ନୀରବରେ କେବେହେଲେ ରହିନାହାନ୍ତି,  ସ୍ୱକୀୟ ବାଙ୍ମୟ ରଚନାବଳି ମାଧ୍ୟମରେ ଜଗନ୍ନାଥ ଧର୍ମ ସଂସ୍କୃତିକୁ ସମୃଦ୍ଧ କରିବା ସଙ୍ଗେ ସଙ୍ଗେ ଭାକ୍ତିକ ପରମ୍ପରାର ଏକ ବିଶାଳ ପରିବେଶ ସୃଷ୍ଟି କରିଛନ୍ତି।

 

ମାଧବୀ ଦାସୀ ଥିଲେ ଆଦ୍ୟ ଓଡ଼ିଆ ଭଜନର ମୁଖ୍ୟ କବି। ସେ ‘ମନ ମାତିଲାରେ’ ଭଜନ ରଚନା କରି ଶ୍ରୋର୍ତୃମଣ୍ଡଳୀର ହୃଦୟରେ ସ୍ୱତନ୍ତ୍ର ଆସନ ପାତିଛନ୍ତି। ପ୍ରାଚୀନ ଓଡ଼ିଶାର କବି, ସଙ୍ଗୀତକାର, ଗାୟକ ମଣ୍ଡଳିରେ ପ୍ରଭୁଙ୍କର ଜୟଗାନ କରାଯାଇଛି। ଅରୁଣିମାଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ କବି ସମୂହ କଣ୍ଠରେ ଯେପରି ସଙ୍ଗୀତ ସୃଷ୍ଟି କରିଛନ୍ତି ତାହା ଯେପରି ଅପରିସୀମ, ସେପରି ଅନନ୍ୟ ଓ ଅସାଧାରଣ। ବାଣୀକଣ୍ଠ ନିମାଇଁ ଚରଣଙ୍କ ପୀଢିରୁ ଅଦ୍ୟାବଧି ସଙ୍ଗୀତର ଧାରା ଯେପରି ଅବ୍ୟାହତ, ସେହିପରି ମଧ୍ୟ ଚଳ ଚଞ୍ଚଳ। ସରଳ, ନିରାଡ଼ମ୍ୱର, ନିଷ୍ପାପ ଜୀବନରେ ଭଜନର ମହିମାକୁ କେହି ଭୁଲିନଥାନ୍ତି। ପ୍ରାଚୀନ ଯୁଗୀୟ କବି ମଣ୍ଡଳୀ ଶ୍ରୀଜଗନ୍ନାଥଙ୍କ ଭଜନ, ଜଣାଣରେ ଯେ ଶତମୁଖର ଥିଲେ, ଏହା କହିବା ବାହୁଲ୍ୟ ମାତ୍ର।

 

ଓଡ଼ିଆ ଭାଷାରେ ଲିଖିତ ଅଗଣିତ ଭଜନ ଓ ଜଣାଣ ମୁଖରତା ସାଧାରଣ ଜନଜୀବନକୁ ରୁଦ୍ଧିମନ୍ତ ଓ ପୁଷ୍ପଳ କରିଅଛି। ପଞ୍ଚସଖା ଯୁଗରୁ ଶ୍ରୀଜଗନ୍ନାଥ ଦାଶ ଓ ଅଚ୍ୟୁତାନନ୍ଦ, ବଳରାମ, ଯଶୋବନ୍ତ ଓ ଅନନ୍ତ ପ୍ରମୁଖ ଜଣାଣ ରଚନା କରିଥିଲେ। ଶ୍ରୀମଦ‍୍‌ ଭଗବତାକାର ଜଗନ୍ନାଥ ଦାଶ ରଚନା କରିଥିଲେ, ନମସ୍ତେ ପ୍ରଭୁ ଜଗନ୍ନାଥ, ସକଳ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ, ଭକତ ଜନଙ୍କ ବାନ୍ଧବ।

 

ପରବର୍ତ୍ତୀ କାଳରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ‘ବନ୍ଧୁ ମହାନ୍ତି’ ଚଳଚିତ୍ରରେ ଏହାକୁ ଭକ୍ତ ବନ୍ଧୁ ମହାନ୍ତିଙ୍କ ମୁଖରେ ଶୁଣାଇଥିଲେ। ସେପରି ସିଦ୍ଧସାଧକ ବଳରାମ ଦାସଙ୍କ ‘ଦାଣ୍ଡୀ ରାମାୟଣ’ ଓ ଲକ୍ଷ୍ମୀ ପୁରାଣରେ ମଧ୍ୟ ଅନେକ ସୁନ୍ଦର ତଥା ହୃଦୟସ୍ପର୍ଶୀ ଭଜନର ସମାବେଶ ଘଟିଅଛି। ଏ କ୍ଷେତ୍ରରେ ମହାତ୍ମା ଅଚ୍ୟୁତାନନ୍ଦ ଦାସଙ୍କ ରଚନାବଳି ଅତ୍ୟନ୍ତ ରହସ୍ୟୋଦ୍ଦୀପକ ତଥା ଜ୍ଞାନ ଗର୍ଭକ, ଯେଉଁଠାରେ ପିଣ୍ଡ, ବ୍ରହ୍ମାଣ୍ଡ ତତ୍ତ୍ୱର ଗହନ ଭାବନା ଅନ୍ତର୍ନିହିତ। ଉଦାହରଣ ସ୍ୱରୂପ - ବାଲିରେଣୁ ମହାବନ୍ଧ ସୁଜନେ ହେ, ବାଲିରେଣୁ ମହାବନ୍ଧ, ଦୋ ମୁହାଁ ସାପକୁ ଭୟ ନକରିଣ ବେଙ୍ଗ ଚଢେ ଗଜକାନ୍ଧ। ତନ୍ତୀ ବାପୁଡ଼ାକୁ ତନ୍ତ ଗିଳିଗଲା ତନ୍ତକୁ ଗିଳେ ଳଙ୍ଗଳ। ସପତ ସମୁଦ୍ର କୂର୍ମ ପାରିହେଲା ବୃକ୍ଷକୁ ଗିଳିଲା ଫଳ।

 

ପ୍ରାଚୀନ, ମଧ୍ୟଯୁଗୀୟ କବିମାନଙ୍କ ରଚନାରେ ଭଜନ ଏକ ପ୍ରଧାନ ଅଂଶ ସ୍ୱରୂପ ଥିଲା। କେଉଁଠି ଭଜନ ଗାଇ ଗାଇ ଭକ୍ତ ଆତୁର କଣ୍ଠରେ ମହାପ୍ରଭୁଙ୍କ ରଥକୁ ମାର୍ଗ ଅଧାରେ ରୋକି ପାରନ୍ତି ତ କେଉଁଠି ପଣ୍ଡା ସେବକମାନଙ୍କର ଦ୍ୱାରା ନିର୍ଯ୍ୟାତିତ ଭକ୍ତର ଅଭିମାନ ଭରା ଦମ୍ଭୋକ୍ତିକୁ ଶ୍ରୀପ୍ରଭୁ ସହୃଦୟତାର ସହିତ ଗ୍ରହଣ ମଧ୍ୟ କରିଛନ୍ତି।

 

ମୋକର ଯା’ ଶିରେ ଲାଗିବ, ତା ମୁଖୁ ବେଦାନ୍ତ ଜନ୍ମିବ।

 

ଧନ୍ୟ ଏ କବିର ମହିମାମଣ୍ଡିତ ବାଣୀ, ଏତାଦୃଶ ଭାବ ଭକ୍ତି ସମ୍ମଳିତ କଥାରେ ସ୍ୱୟଂ ବିଶ୍ୱମୟ ଦେବତା ସ୍ୱୟଂ ଜଗନ୍ନାଥ ଅଭିଭୂତ ହୋଇଥିଲେ।

 

ପ୍ରବାଦ ଅଛି କୁ ରୋଗାକ୍ରାନ୍ତ ରସକଲ୍ଲୋଳାକାର କବି ଦୀନକୃଷ୍ଣ ବିତାଡ଼ିତ ହେବାପରେ ଅରୁଣସ୍ତମ୍ଭ ପାର୍ଶ୍ୱରେ ଯୋଡ଼ ହସ୍ତରେ ପ୍ରବଳ ଅଶ୍ରୁପାତ ପୂର୍ବକ ଯେଉଁ ଭଜନ ଗାଇଥିଲେ, ସେଥିରେ ପ୍ରଭୁଙ୍କ ରତ୍ନସିଂହାସନ ହଲିଥିଲା, ନିମିଷକ ମଧ୍ୟରେ ରୋଗର ସମସ୍ତ ଚିହ୍ନ ଦେହରୁ ଅଦୃଶ୍ୟ ହୋଇଯାଇଥିଲା। କବି ସୂର୍ଯ୍ୟଙ୍କ ରଚନାରେ ବ୍ୟାଜସ୍ତୁତି ବା ସର୍ପଜଣାଣ ଏ ଓଡ଼ିଆ ଭଜନ ସାହିତ୍ୟରେ ଏକ ଅମୂଲ୍ୟ ନିଧି। ସେ ଭଜନରେ ପ୍ରଭୁଙ୍କୁ ଗାଳି କରିବା ଛନ୍ଦରେ ଗଭୀର ଭକ୍ତିପୂତ ଶ୍ରଦ୍ଧା ଅର୍ପଣ କରିଛନ୍ତି। ବାଧିଲା ଜାଣି କ୍ଷମା କର ନୋହିଲେ ରମା ରମା ରମଣ ଦଣ୍ଡେ ଦିଅ ଟାଳି, ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହେ ମହାପ୍ରଭୁ।

 

ଧରାଯାଉ ଯବନକବି ସାଲବେଗ, ଯେ ସାରାଜୀବନରେ ଲେଖିଥିବା ସମସ୍ତ ଭଜନ ରାଶିରେ କହିଛନ୍ତି - କହେ ସାଲବେଗ ହୀନ ଜାତିରେ ମୁଁ ଯବନ, ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ।

 

କୌଣସି କ୍ଷେତ୍ରରେ ନିଷ୍ଟାପର ସାଧନା ନିଷ୍ଫଳ ହୁଏନାହିଁ। ବନମାଳୀ, ଗୌରହରି, ଗଜପତି ଦିବ୍ୟସିଂହ ଦେବ, ଭୀମଭୋଇ, ଭରତ, ସାଧୁଆଙ୍କ ପରି ପ୍ରମୁଖ କବିମାନେ ଭଜନମାଧ୍ୟମରେ ଭକ୍ତିପୂତ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଭୀମଭୋଇଙ୍କ ଭଜନ, ଯାହା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଓ ସୁରମଣି ରଘୁନାଥଙ୍କ କଣ୍ଠରୁ ଆମ୍ଭେ ଶୁଣିଅଛୁ। ଭେଟପାଇଲେ କରନ୍ତି ମିନତି, କରପତ୍ର ଯୋଡ଼ି ପାଦତଳେ ପଡ଼ି ଦୁଃଖସୁଖ ମୋର ଜଣାନ୍ତି।

 

ସେହିପରି, ଅନ୍ତର୍ଯ୍ୟାମୀ ସମ୍ଭାଳ, ଶରଣ ହେ ଶୂନ୍ୟବ୍ରହ୍ମ ଦିଅ ଦରଶନ ହେ। ପରମାର୍ଥୀଙ୍କୁ ପରମାର୍ଥ ସମ୍ୱନ୍ଧରେ ବ୍ୟାକୁଳ ନିବେଦନ ଯୁଗେ ଯୁଗେ ରକ୍ତର।

 

ମିଥ୍ୟା ନରହତ୍ୟାପରାଧରେ ବ୍ରିଟିଶ‍୍‌ ରାଜଦ୍ୱେଷ ଦୋଷୀ ସାବ୍ୟସ୍ତ ପୂର୍ବକ ପୁରୀ ମହାରାଜା ଦିବ୍ୟସିଂହ ଦେବ ଯେତେବେଳେ ସ୍ୱର୍ଣ୍ଣାଦ୍ରି କଟକରୁ ବାହାରି ଅନ୍ଧାରୀ ମୁଲକ ଯାତ୍ରା କଲେ ଦୁଃଖରେ ଗାଇ ଉଠିଥିଲେ- ଆହେ ନିଳାଦ୍ରୀ ବିହାରୀ କଟକେ ଅଟକ ହେବାରୁ ମୋ ଦିନ ସରୁନାହିଁ ଝୁରିଝୁରି।

 

ସେ କାହାପାଇଁ କ୍ଷମାମୟ, କରୁଣାର୍ଦ୍ରଚିତ୍ତ, କାହାପାଇଁ ବିଶାଳ ଅଭଂକଶ ଗଡ୍ଡାଳିକା ସଦୃଶ ହୁଅନ୍ତି ଦଣ୍ଡାୟମାନ। ଦାସିଆର ନଡ଼ିଆ, ଶବରୀର ମିଠାକୋଳି, ଗୋପୀମାନଙ୍କର ପ୍ରେମ ନିକଟରେ ସେ ଚିରବନ୍ଧା। ବନ୍ଧୁ ମହାନ୍ତି ଥିଲେ ସିନା ଯାଜପୁରର ବନ୍ଧୁ, ହେଲେ ବିଶ୍ୱର ଦେବତା ନିକଟରେ ସେ ହୋଇଗଲେ ଚିର ବନ୍ଧୁ।

 

ନ ଦେବୋ ବିଦ୍ୟତେ କାେଷ୍ଠ ନପାଷାଣେ ନ ମୃଣ୍ମୟେ, ଭାବେଷୁ ବିଦ୍ୟତେ ଦେବୋ ତସ୍ମାଦ‍୍‌ ଭାବୋହି କାରଣମ‍୍‌।

 

ତେଣୁ ସେହି ଭାବସମ୍ମିଶ୍ରିତ ଭକ୍ତିରେ ସେ ବାନ୍ଧିହୋଇ ଆସନ୍ତି। ସେ ଭାବ ରାଧାର ହେଉ କିମ୍ବା ମୀରାର ହେଉ ଏଥିରେ ଦ୍ୱିରୁକ୍ତି ନାହିଁ। ମୀରା ଥିଲେ ଭଜନ ସାଧିକା, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରିଦେଇଥିଲା। ଆଜିର ସମାଜରେ ସନ୍ଥ ଏକନାଥ ତୁକାରାମ, ତୁଳସୀଦାସ, ବଲ୍ଲଭାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ନିମ୍ୱାର୍କ, ଚୈତନ୍ୟ ଓ ଶଙ୍କର ଏ ସମସ୍ତେ ଏକମାର୍ଗ ପନ୍ଥୀ।

 

ଓଡ଼ିଆ ସାହିତ୍ୟରେ ଭଜନର ଧାରା ଅତୀବ ପ୍ରାଚୀନ ହେଲେବି ଅତୀବ ମଧୁମୟ।

 

ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର-୭୫୧୦୧୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top