ଚାପରେ ଚାଷୀ, ଛାଡ଼ହେଉ କୃଷିଋଣ

News Story - Posted on 2017-06-26

ଗୋଲକ ବିହାରୀ ନାୟକ

 

ସାରା ଦେଶରେ ବର୍ତ୍ତମାନ ଚାଷୀ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। କୃଷି ଋଣ ଛାଡ଼ ସମ୍ପର୍କରେ ନିକଟରେ ଦେଶର ଚାରୋଟି ରାଜ୍ୟ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ଏବଂ କର୍ଣ୍ଣାଟକ ଘୋଷଣା କଲା ପରେ ଏବେ ଓଡ଼ିଶା ସମେତ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତାମିଲନାଡ଼ୁ ପ୍ରଭୃତି ରାଜ୍ୟରେ କୃଷି ଋଣ ଛାଡ଼ ନେଇ ଆନ୍ଦୋଳନ ଜୋରଦାର ହେଉଛି। ଓଡ଼ିଶାରେ ବର୍ତ୍ତମାନ ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳ ଏହି ଦାବୀ ନେଇ ଆନ୍ଦୋଳନ କରିବାରେ ଲାଗିଛନ୍ତି।

 

ଉତ୍ତର ପ୍ରଦେଶରେ ଗତ ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଘୋଷଣା କରିଥିଲେ ତାଙ୍କ ଦଳ ସରକାର ଗଢିଲେ କୃଷି ଋଣ ଛାଡ଼ କରିଦେବେ। ବି.ଜେ.ପି. ବହୁମତ ପାଇ ଉତ୍ତର ପ୍ରଦେଶରେ ସରକାର ଗଢିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ତାଙ୍କ ମନ୍ତ୍ରୀମଣ୍ଡଳର ପ୍ରଥମ ବୈଠକରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଥିଲେ। ଉତ୍ତର ପ୍ରଦେଶରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କ ୩୬ ହଜାର କୋଟି ଟଙ୍କା ରାଜ୍ୟ ସରକାର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତି ପରେ କୃଷିଋଣ ଛାଡ଼ କରିବାକୁ ଭାରତ ବର୍ଷରେ ଅନେକ ରାଜ୍ୟର ଚାଷୀମାନେ ଦାବି କରି ଆନ୍ଦୋଳନମାନ କରିବାରେ ଲାଗିଛନ୍ତି। ଉତ୍ତର ପ୍ରଦେଶ ପରେ ମହାରାଷ୍ଟ୍ର ସରକାର ରାଜ୍ୟରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଣ୍ଡ ନାଭିସ‌୍‍ ୩୪ ହଜାର କୋଟି ଟଙ୍କାର କୃଷିଋଣ ଛାଡ଼ କରିଛନ୍ତି। ଜୁନ‌୍‍ ପହିଲା ଠାରୁ ଏଠାରେ କୃଷକମାନେ ଆନ୍ଦୋଳନ କରି ଆସୁଥିଲେ। ମହାରାଷ୍ଟ୍ରରେ ମୋଟ କୃଷି ଋଣ ୧ଲକ୍ଷ ୧୪ ହଜାର କୋଟି ଟଙ୍କା ରହିଛି। ଯେଉଁ କୃଷକମାନଙ୍କ ଉପରେ ୧.୫ ଲକ୍ଷ ଟଙ୍କା ଯାଏଁ କୃଷିଋଣ ବକେୟା ପଡ଼ିଛି ସେମାନଙ୍କ ଋଣ ଛାଡ଼ କରାଯିବ। ମହାରାଷ୍ଟ୍ର ପରି ପଞ୍ଜାବ ଏବଂ କର୍ଣ୍ଣାଟକ ସରକାର କୃଷି ଋଣ ଛାଡ଼ କରିବାକୁ ଘୋଷଣା କରିଛନ୍ତି।

 

ମଧ୍ୟ ପ୍ରଦେଶରେ କୃଷି ଋଣ ଛାଡ଼ କରିବା ଏବଂ ଅନ୍ୟ ଦାବି ପୂରଣ ନେଇ ଚାଷୀ ଆନ୍ଦୋଳନ ଭୟଙ୍କର ରୂପ ନେଇଛି। ମଧ୍ୟପ୍ରଦେଶ ପୋଲିସ‌୍‍ ଗୁଳିଚାଳନାରେ ୫ ଜଣ ଚାଷୀ ପ୍ରାଣ ହରାଇଛନ୍ତି। ରାଜ୍ୟରେ ଶାନ୍ତି ଫେରାଇ ଆଣିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାରେ ଅନଶନରେ ବସି ରାଜ୍ୟବାସୀଙ୍କୁ ନିବେଦନ ଜଣାଇଲେ। ରାଜ୍ୟରେ ଅନେକ ଦିନ ଧରି ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା, ପୋଡ଼ାଜଳା, ହିଂସାକାଣ୍ଡ ଲାଗିରହିଲା।

 

ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୪ ଏପ୍ରିଲ ୧୫ରେ ଝାରଖଣ୍ଡର ହଜାରିବାଗ ଠାରେ ଆୟୋଜିତ ଏକ ରାଲିରେ ମୋଦି କହିଥିଲେ ଯେ, ଯଦି ଏନ‌୍‍ଡ଼ିଏ ସରକାର ଆସିବ, ତେବେ ଚାଷୀଙ୍କ ଋଣ ଛାଡ଼ କରାଯିବ। ତା ସହିତ ସର୍ବନିମ୍ନ ସହାୟକ ମୂଲ୍ୟରେ ପରିବର୍ତ୍ତନ କରାଯିବ। ନୂଆ ଫର୍ମୁଲା ଅନୁସାରେ ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ତା ସହିତ ୫୦ ପ୍ରତିଶତ ଲାଭ ପ୍ରଦାନ କରାଯିବ। ଏହି ନୂଆ ଫର୍ମୁଲା ଚାଷୀଙ୍କୁ କେବଳ ସହାୟକ ହେବ ନାହିଁ, ସେମାନେ ଯେଉଁ ଲୁଟ‌୍‍ର ଶିକାର ହେଉଛନ୍ତି ତାକୁ ରୋକାଯାଇ ପାରିବ। ଏହାର ଠିକ‌୍‍ ସପ୍ତାହକ ପରେ ମୋଦି ଗୁଜୁରାଟର ସୁରେନ୍ଦ୍ର ନଗରରେ ଅନୁରୂପ ଘୋଷଣା କରିଥିଲେ। ସେଠାରେ କପାଚାଷୀମାନଙ୍କୁ କହିଥିଲେ ଯେ, ବିଜେପି ସରକାର କ୍ଷମତାକୁ ଆସିଲେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟରେ ପରିବର୍ତ୍ତନ କରାଯିବ। ତା ସହିତ ଚାଷୀମାନେ ବିହନ, ଜଳସେଚନ, ବିଦ୍ୟୁତ‌୍‍, ଚାଷ ଉପକରଣ, କୀଟନାଶକ, ସାର ଓ ଅନ୍ୟାନ୍ୟ ବାବଦରେ ଯେଉଁ ଖର୍ଚ୍ଚ କରିଛନ୍ତି, ସେଥିରେ ମଧ୍ୟ ତାଙ୍କ ସରକାର ରିହାତି ଦେବାର ବ୍ୟବସ୍ଥା କରିବେ।

 

କିନ୍ତୁ ଏନ‌୍‍ଡ଼ିଏ ସରକାର କ୍ଷମତାକୁ ଆସିବା ପରେ ମୋଦି ସେଇ ପ୍ରତିଶ୍ରୁତି ପାଳନ କରିନାହାଁନ୍ତି। ଏହାଫଳରେ ଦେଶର ବିଭିନ୍ନ ରାଜ୍ୟରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନ ଧୀରେ ଧୀରେ ବିଭିନ୍ନ ରାଜ୍ୟ ଓ ସହରକୁ  ବ୍ୟାପିବାରେ ଲାଗିଛି। ସେମାନଙ୍କୁ ଦୁଇଟି ମୁଖ୍ୟ ଦାବି ମଧ୍ୟରେ ରହିଛି କୃଷିଋଣ ଛାଡ଼ ଓ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ୫୦ ପ୍ରତିଶତ ଲାଭାଂଶ ପ୍ରଦାନ। ତା ସହିତ ସେମାନେ ସ୍ୱାମୀନାଥନ କମିଶନ ସୁପାରିଶ ମଧ୍ୟ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଦେଶବାସୀ ଚାଷୀମାନଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୨୦୦୪ରେ କେନ୍ଦ୍ର ସରକାର ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼କ୍ଟର ଏସ‌୍‍.ଏସ‌୍‍. ସ୍ୱାମୀନାନଥନଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରିଥିଲେ। ଦେଶରେ କୃଷି ଓ କୃଷକର ଉନ୍ନତି ପାଇଁ କମିଶନ ୫ ପର୍ଯ୍ୟାୟରେ ରିପୋର୍ଟ ପ୍ରଦାନ କରିଥିଲେ। ୨୦୦୬ ମସିହାରେ କମିଶନ ଶେଷ ରିପୋର୍ଟ ସରକାରଙ୍କୁ ଦେଇଥିଲେ। ମାତ୍ର କମିଶନଙ୍କ ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ କୌଣସି ସରକାର ପଦକ୍ଷେପ ଗ୍ରହଣ କରିନଥିବାରୁ ଏବେ ପୁଣିଥରେ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।

 

ନିକଟରେ ଭୁବନେଶ୍ୱରଠାରେ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରୀ ଏମ‌୍‍. ଭେଙ୍କେୟା ନାଇଡ଼ୁ କେନ୍ଦ୍ର ସରକାରଙ୍କ ମତ ସ୍ପଷ୍ଟ କରି କହିଛନ୍ତି ଯେ, କୃଷିଋଣ ଛାଡ଼ ସମ୍ପୂର୍ଣ୍ଣ ରୂପେ ରାଜ୍ୟ ପ୍ରସଙ୍ଗ। ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନାହିଁ। ଯଦି ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିବ, ତେବେ ସେମାନେ କୃଷିଋଣ ଛାଡ଼ କରିବେ, ଯଦି ସରକାରଙ୍କ ପାଖରେ ଟଙ୍କା ନଥିବ, ତେବେ ସେମାନେ ଏହି ଋଣ ଛାଡ଼ କରିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ। ଏବେ ଶ୍ରୀ ନାଇଡୁ ପୁଣି କହିଛନ୍ତି ଯେ, ବର୍ତ୍ତମାନ କୃଷିଋଣ ଛାଡ଼ ଏକ ଫେଶନରେ  ପରିଣତ ହୋଇଛି।

 

ଋଣଛାଡ଼ ଚାଷୀଙ୍କ ସମସ୍ୟାର ଏକ ସ୍ଥାୟୀ ସମାଧାନ ପନ୍ଥା ହୋଇନଥିଲେ ମଧ୍ୟ ପରିସ୍ଥିତିର ଗୁରୁତ୍ୱ ଏବଂ ରାଜନୈତିକ ବିସ୍ଖରକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। କୃଷି ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ ଏବଂ ଏହି କ୍ଷେତ୍ରରେ କେନ୍ଦ୍ର ଚାଷୀଙ୍କୁ ସହାୟତା ଦେବା କଥା ଆଶା କ୍ଷୀଣ। ତେଣୁ ଯେଉଁ ରାଜ୍ୟ ସରକାର କୃଷିଋଣ କରିବେ ସେ ବାବଦ ବିପୁଳ ଅର୍ଥରାଶିକୁ ନିଜେ ନିଜସ୍ୱ ପାଣ୍ଠିରୁ ଭରଣା କରିବେ ଯାହା ସହଜ ନୁହେଁ। ଅଧିକାଂଶ ରାଜ୍ୟ ଚାହୁଁଛନ୍ତି ଯେ, କେନ୍ଦ୍ର ସରକାର ଋଣ ଛାଡ଼ ବାବଦ ବ୍ୟୟ ବହନ କରିବା ଉଚିତ‌୍‍। ଚାଷୀଙ୍କ ସାମଗ୍ରିକ ସ୍ଥିତି ଦୃଷ୍ଟିରୁ ଏହି ପ୍ରସ୍ତାବ ଅଯୌକ୍ତିକ ନହେଲେ ମଧ୍ୟ ଏହା ଦେଶର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ। ବ୍ୟାଙ୍କ ସମୂହର ଋଣ ଶୃଙ୍ଖଳାନୀତି ବିଗିଡ଼ିବ, ମୁଦ୍ରାସ୍ଫିତି ପୁଣି ବଢିବ। ସେଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ମଧ୍ୟ ଏହି କୃଷି ଋଣ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି।

 

ଏହି ପରିପ୍ରେକ୍ଷୀରେ ଓଡ଼ିଶା କଥା ବିଚାର କରାଯାଉ। ଓଡ଼ିଶାରେ କୃଷିଋଣ ଛାଡ଼ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମାସକ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହଥିଲେ ଯେ, ଚାଷୀଙ୍କୁ କୃଷିଋଣ ଛାଡ଼ ବିଷୟ ସରକାରଙ୍କ ବିଚାରଧୀନ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ସକରାମିକ ଉତ୍ତର ଚାଷୀକୂଳ ଆଶାବାଦୀ ଥିଲେ। ଏହି ଆଶା ଆହୁରି ଦୃଢ ହୋଇଥିଲା ଯେତେବେଳେ ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ସରକାର ଚାଷୀଙ୍କ ସହିତ ଅଛନ୍ତି ଓ କୃଷିଋ ଛାଡ଼ କରିବା କଥା ମଧ୍ୟ ବିଚାରାଧୀନ ରହିଛି। ବର୍ତ୍ତମାନର କୃଷିମନ୍ତ୍ରୀ ଡ. ଦାମୋଦର ରାଉତ ନିକଟରେ କହିଛନ୍ତି ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଋଣ ଛାଡ଼ କରିବାର ଦରକାର। କିନ୍ତୁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେବଳ ନିଷ୍ପତ୍ତି ନେଇପାରିବେ। ଏହିଭଳି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ବୟାନ ରାଜ୍ୟର ଲକ୍ଷ ଲକ୍ଷ କୃଷକମାନଙ୍କ ମଧ୍ୟରେ କୃଷିଋଣ ଛାଡ଼ ହେବାର ଆଶା ସଞ୍ଚାର କରିଛି।

 

ରାଜ୍ୟରେ ମୋଟ ଚାଷ କରୁଥିବା ପରିବାର ମଧ୍ୟରୁ ୮୫ ପ୍ରତିଶତ ହେଉଛନ୍ତି କ୍ଷୁଦ୍ରଚାଷୀ, ନାମମାତ୍ର ଚାଷୀ। ଯେଉଁ ଚାଷୀମାନଙ୍କର ୧ ଏକରରୁ ୫ ଏକର ମଧ୍ୟରେ ଜମି ରହିଥାଏ, ସେମାନଙ୍କ ମଧ୍ୟରୁ କିଛି ଚାଷୀ ଭାଗଚାଷ କରିଥାନ୍ତି। ଏହି ଭାଗଚାଷୀଙ୍କ ସଂଖ୍ୟା ସରକାରୀ ହିସାବରେ ୪୫ ଲକ୍ଷ ହେବ। ରାଜ୍ୟର ମାତ୍ର ୧୫ ପ୍ରତିଶତ ଚାଷୀ ହେଉଛନ୍ତି ମଧ୍ୟମ ଏବଂ ବଡ଼ ଚାଷୀ। ସେମାନଙ୍କ ଆର୍ଥିକ ଅବସ୍ଥା ପ୍ରାୟ ସ୍ୱଚ୍ଛଳ। ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ପ୍ରଭୃତି ବିପର୍ଯ୍ୟୟ ହେଉଥିବାରୁ ଚାଷୀଙ୍କ ଫସଲ ନଷ୍ଟ ହୋଇଥାଏ। ସୁତରାଂ ଚାଷୀ ବ୍ୟାଙ୍କରୁ ଋଣ ଆଣିଥିବା କୃଷିଋଣ ଶୁଝିବାରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏହି କାରଣରୁ ବ୍ୟାଙ୍କ ଋଣ ଶୁଝିନପାରି କେତେକ ଚାଷୀ ମାନସିକ ଚାପରେ ରହି ଆତ୍ମହତ୍ୟା କରିଥାନ୍ତି। ସେମାନେ ବହୁତ କଷ୍ଟ କଲେ ମଧ୍ୟ ବ୍ୟାଙ୍କ ଋଣ ଶୁଝିପାରନ୍ତି ନାହିଁ।

 

ଓଡ଼ଶା ବର୍ତ୍ତମାନ ଆର୍ଥିକ ଅବସ୍ଥା କଥା ବିଚାରକୁ ନେଲେ ଦେଖାଯାଏ ୨୦୧୭-୧୮ ମସିହାର ମୋଟ ବଜେଟ ବ୍ୟୟ ହେଲା ୧ ଲକ୍ଷ ୬ ହଜାର କୋଟି ଟଙ୍କା। ଏତିକି ଅର୍ଥ ବ୍ୟୟ କରିବାକୁ ସରକାରଙ୍କୁ ଅନ୍ତତଃ ୧୮ ହଜାର କୋଟି ଟଙ୍କା ଋଣ କରିବାକୁ ପଡ଼ିବ। ଓଡ଼ିଶାରେ ମୋଟ କୃଷିଋଣ ଦିଆଯାଇଛି ୩୮ ହଜାର କୋଟି ଟଙ୍କା। ସେଥିରୁ ଦୁର୍ବଳ ଶ୍ରେଣୀ ନେଇଛନ୍ତି ୨୪ ହଜାର କୋଟି। ଏହି ଦୁର୍ବଳ ଶ୍ରେଣୀରେ ଯାଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। ଯଦି ଉତ୍ତର ପ୍ରଦେଶ ପରି କ୍ଷୁଦ୍ର ଏବଂ ନାମମାତ୍ର ଚାଷଈଙ୍କର ଋଣ ଛାଡ଼ର ବ୍ୟବସ୍ଥା ଓଡ଼ିଶା ସରକାର କରିବେ, ତେବେ ୨୪ ହଜାର କୋଟିରୁ ଅନ୍ତତଃ ୧୮ ହଜାର କୋଟି ଟଙ୍କା ଛାଡ଼ କରାଯାଇପାରେ ବୋଲି ଏକ ଆକଳନ କରାଯାଇଛି। ବର୍ତ୍ତମାନର ବ୍ୟୟ ମେଣ୍ଟାଇବା ପାଇଁ ୧୮ ହଜାର କୋଟି ଟଙ୍କାର ଋଣ କଲାବଳେ କୃଷି ଋଣ ଛାଡ଼ କଲେ ଆହୁରି ୧୮ ହଜାର କୋଟି ସଂଗ୍ରହ ଲାଗି ଯଦି ଉତ୍ତର ପ୍ରଦେଶ ପରି କିଷାନ ରିହାତି ବଣ୍ଡ ପ୍ରଚଳନ କରାଯାଏ ମୋଟ ୩୬ ହଜାର କୋଟି ଟଙ୍କା ପରିଶୋଧ କରିବେ ଏବଂ ପୂର୍ବରୁ ଯେଉଁ ଋଣ କରିଛନ୍ତି ତାହାର କିସ୍ତି ଓ ସୁଧ ମଧ୍ୟ ଦେବେ। ଏହିପରି ଉପାୟ ଅବଲମ୍ୱନ କଲେ ରାଜ୍ୟ ସରକାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର କୃଷି ଋଣ ଛାଡ଼ କରିପାରିବେ।

 

ଲଗାତର ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିବର୍ଯ୍ୟୟ ଦ୍ୱାରା ଓଡ଼ିଶାର ଚାଷୀ, ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି। ଆର୍ଥିକ ଅନଟନ କାରଣରୁ ମାନସିକ ଚାପରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏପରି ପରିସ୍ଥିତିର ଗୁରୁତ୍ୱ ଏବଂ ରାଜନୈତିକ ବିଚାରକୁ ଦୃଷ୍ଟିରେ ରଖି ସମ୍ପ୍ରତି ଓଡ଼ିଶା ସରକାର ରାଜ୍ୟର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କର କୃଷୀ ଋଣ ଛାଡ଼ କରିବା ଉଚିତ‌୍‍ ହେବ।

 

ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ବିହନ ନିଗମ

ଫୋନ‌୍‍-୯୪୩୭୩୧୮୭୩୧


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top