ଗରିବୀ ହଟିବା ସମ୍ଭବ ନୁହେଁ!

News Story - Posted on 2017-06-24

ପ୍ରଦୀପ ପ୍ରଧାନ

 

ଗତ କିଛିଦିନ ତଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ସରକାରଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ‌୍‍ ଅଧୀନରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆହୁରି ଅଧିକ ୧୫ ଲକ୍ଷ ପରିବାରଙ୍କୁ ରେସନ କାର୍ଡ଼ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି। ଅର୍ଥାତ‌୍‍ ରାଜ୍ୟରେ ଉକ୍ତ ୧୫ ଲକ୍ଷ ପରିବାରଙ୍କର ଖାଦ୍ୟ ସୁରକ୍ଷା ସଙ୍କଟାପନ୍ନ ଥିବାରୁ ଏବଂ ରାଜ୍ୟ ସରକାର ଏହି ପରିବାରମାନଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ଅସମର୍ଥ ହୋଇଥିବାରୁ ମନ୍ତ୍ରୀ ମହାଶୟ କେନ୍ଦ୍ର ସରକାରଙ୍କ ନିକଟରେ ଏପରି ଦାବୀ ଉପସ୍ଥାପନ କରିଛନ୍ତି।

 

ବାସ୍ତବରେ ଜାତୀୟ ଖାଦ୍ୟସୁରକ୍ଷା ଆଇନ‌୍‍ ଅନୁଯାୟୀ, ଗରିବ, ଅସହାୟ, ବାସହରା ବା କ୍ଷୁଧା ଏବଂ ଅନାହାରରେ ରହୁଥିବା ବ୍ୟକ୍ତି ବା ପରିବାରଗୁଡ଼ିକୁ କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମୁଣ୍ଡପିଛା ମାସକୁ ୫ କେଜି ଚାଉଳ ବା ଗହମ ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ପରିବାରଗୁଡିକୁ ପରିବାର ପିଛା ୩୫ କେଜି ଚାଉଳ ଯୋଗାଇ ଦେବେ। ଓଡ଼ିଶାରେ ଏହି ବର୍ଗର ଲୋକ ୩ କୋଟି ୨୬ ଲକ୍ଷ ଆକଳନ କରି କେନ୍ଦ୍ର ସରକାର ଏଥିପାଇଁ ଆବଶ୍ୟକୀୟ ଚାଉଳ ଏବଂ ଗହମ ଯୋଗାଇ ଦେବାକୁ ସମ୍ମତି ଦେଇଛନ୍ତି।  ୨୦୧୫ ମସିହାରେ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ‌୍‍ ଅଧୀନରେ ରାଜ୍ୟ ସରକାର ଏଯାବତ‌୍‍ ୩ କୋଟି ୨୫ ଲକ୍ଷ ଅର୍ଥାତ‌୍‍ ୮୫ ଲକ୍ଷ ପରିବାରକୁ ରେସନ କାର୍ଡ଼ ପ୍ରଦାନ କରିଛନ୍ତି। ଏହା ମଧ୍ୟ ରାଜ୍ୟରେ ପ୍ରତି ଜିଲ୍ଲାରେ ଲକ୍ଷ ଲକ୍ଷ ଦରଖାସ୍ତ ରେସନ କାର୍ଡ଼ ପାଇଁ ପଡ଼ିରହିଛି। ଏହାକୁ ଆକଳନ କରି ବୋଧହୁଏ ମନ୍ତ୍ରୀ ଶ୍ରୀ ପାତ୍ର ୧୫ ଲକ୍ଷ ପରିବାର ପାଇଁ ଖାଦ୍ୟଶସ୍ୟ ଆହୁରି ଅଧିକ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଅର୍ଥାତ‌୍‍ ହାରାହାରି ୬୦ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟଶସ୍ୟ ଦରକାର ଯେଉଁମାନଙ୍କର ଖାଦ୍ୟ ସୁରକ୍ଷା ବିପନ୍ନ। ତାଙ୍କ ହିସାବରେ ରାଜ୍ୟରେ ୩ କୋଟି ୮୫ ଲକ୍ଷ ବା ହାରାହାରି ୧ କୋଟି ପରିବାରଙ୍କର ଖାଦ୍ୟ ସୁରକ୍ଷା ସଙ୍କଟାପନ୍ନ ହୋଇପଡ଼ିଛି। ଯେଉଁଥିପାଇଁ ସେମାନେ ସରକାରୀ ରେସନ କାର୍ଡ଼ ପାଇବା ପାଇଁ ଆବେଦନ କରିଛନ୍ତି। ତେଣୁ ରାଜ୍ୟରେ ଯଦି ୪ କୋଟି ୨୦ ଲକ୍ଷ ଜନସଂଖ୍ୟା ଧରାଯାଏ, ତେବେ ୩୫ ଲକ୍ଷ ଲୋକ ଅର୍ଥାତ‌୍‍ ହାରାହାରି ୧୦ ଲକ୍ଷ ପରିବାରରେ ଖାଦ୍ୟ ସୁରକ୍ଷା ଠିକ‌୍‍ ଅଛି ବୋଲି ଧରିନେବାକୁ ହେବ। ଯେଉଁମାନେ ଉପଯୁକ୍ତ ପରିବାର ଆବଶ୍ୟକୀୟ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବାକୁ ପାଉଛନ୍ତି।

 

ତେଣୁ ରାଜ୍ୟରେ ୯୦ ଭାଗରୁ ଉର୍ଦ୍ଧ୍ୱ ଲୋକଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ଯେଉଁମାନେ ଦିନକୁ ଦୁଇଓଳି ଗଣ୍ଡେ ଖାଇବା ପାଇଁ ସ୍ୱପ୍ନ। ସେମାନଙ୍କର ଖାଦ୍ୟ ସୁରକ୍ଷାର ଗ୍ୟାରେଣ୍ଟି ନଥିବାରୁ ପିଡ଼ିଏସ୍‌ ଦିଆଯାଉଥିବା ମାସକୁ ୫ କେଜି ଚାଉଳ ମଧ୍ୟ ପାଇବାକୁ ରେସନ କାର୍ଡ଼ ପାଇଁ ଆବେଦନ କରିଛନ୍ତି ବା ହିତାଧିକାରୀ ହୋଇଛନ୍ତି। ତେଣୁ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ୧୭ ବର୍ଷ ଶାସନରେ ରାଜ୍ୟରେ ୯୦ଭାଗ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରି ନାହିଁ। କିନ୍ତୁ ଅପର ପକ୍ଷରେ ରାଜ୍ୟ ସରକାର ବିକାଶର ରଙ୍ଗୀନ ଚିତ୍ର ଲୋକମାନଙ୍କୁ ଦେଖାଇ ଚାଲିଛନ୍ତି। ରାଜ୍ୟରେ ବିକାଶର ଅଭିବୃଦ୍ଧି ହାର ଦର୍ଶାଇବାକୁ ଯାଇ ରାଜ୍ୟ ସରକାର ଲୋକମାନଙ୍କର ମୁଣ୍ଡ ପିଛା ଆୟ ୬୧,୬୭୮ ଟଙ୍କା ଏବଂ ରାଜ୍ୟର ଘରୋଇ ଅଭିବୃଦ୍ଧି ହାର ଶତକଡ଼ା ୬.୦୧ରେ ପହଞ୍ଚିଛି ବୋଲି କହିଛନ୍ତି। ଚାଷୀମାନଙ୍କର ଆୟ ଦୁଇଗୁଣ ବଢିଛି। କୃଷି ଉତ୍ପାଦନ ବୃଦ୍ଧି ଯୋଗୁଁ ରାଜ୍ୟ ଲଗାତର କୃଷି କର୍ମଣ ପୁରସ୍କାର ପାଇ ଆସୁଛନ୍ତି। ୨୦୦୧-୦୨ରେ ରାଜ୍ୟ ବଜେଟ‌୍‍ ୧୨,୦୦୦ କୋଟିରୁ ବୃଦ୍ଧି ପାଇ ୨୦୧୭-୧୮ରେ ୧,୦୬,୦୦୦କୋଟି ଟଙ୍କାରେ ପହଞ୍ଚିବା ସଫଳତାର ଅନ୍ୟ ଏକ ପାହାଚ ବୋଲି ରାଜ୍ୟ ସରକାର ଯୁକ୍ତି କରନ୍ତି। କିନ୍ତୁ ମନରେ ସ୍ୱତଃ ପ୍ରଶ୍ନ ଉଠେ, ଯଦି ରାଜ୍ୟରେ ଏତେ ବିକାଶ ହୋଇଛି, ତେବେ ଲୋକମାନଙ୍କର ସାମାଜିକ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେଉନାହିଁ କାହଁିକି? ଲୋକମାନଙ୍କୁ ୧ ଟଙ୍କିଆ ଚାଉଳ ବା ୫ ଟଙ୍କିଆ ଭାତ ଡ଼ାଲମା ଉପରେ ନିର୍ଭର କରିବାକୁ ପଡୁଛି କାହଁିକି?

 

ତେଣୁ ରାଜ୍ୟ ସରକାର ବିକାଶର ଯେଉଁ ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି, ତାହା ବାସ୍ତବରେ କିଛି ମୁଷ୍ଟିମେୟମାନଙ୍କର ବିକାଶର ରଙ୍ଗୀନ ସ୍ୱପ୍ନ। ଗରିବ, ଚାଷୀ, ଦଳିତ ଏବଂ ଆଦିବାସୀମାନଙ୍କର ବିକାଶ ହୋଇପାରି ନାହିଁ। ଲୋକମାନଙ୍କୁ କାମଧନ୍ଦା ଯୋଗାଇଦେବା ଏବଂ ସେମାନଙ୍କର ଅର୍ଥନୈତିକ ବିକାଶ ପାଇଁ ଆସୁଥିବା ସମସ୍ତ ଯୋଜନା ଅର୍ଥ ଲୁଟ‌୍‍ ହେବାରେ ଲାଗିଛି। ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅନ୍ଧାରରେ ରଖିବା, ଯୋଜନାର କାର୍ଯ୍ୟାନ୍ୱୟନରେ ମନିଟରିଙ୍ଗ ନ ହେବା ଏବଂ ଯୋଜନାରେ ହେଉଥିବା ଦୁର୍ନୀତି ଏବଂ ଅର୍ଥ ହରିଲୁଟ ସମ୍ପର୍କୀତ ଅଭିଯୋଗଗୁଡ଼ିକର ବର୍ଷ ବର୍ଷ ଧରି ତଦନ୍ତ ନହେବା ଯୋଗୁଁ ଦୁର୍ନୀତିଗ୍ରସ୍ତ ଅଧିକାରୀ, ଠିକାଦାର ଏବଂ ଦଲାଲମାନେ ହଜାର ହଜାର କୋଟି ଟଙ୍କା ଲୁଟ‌୍‍ କରି ଚାଲିଛନ୍ତି। ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବା ପାଇଁ ଜାତୀୟ ଗ୍ରାମାଞ୍ଚଳ ଆଇନ‌୍‍ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟରେ ଲୋକମାନଙ୍କୁ କାମ ନଦେଇ ମେସିନ‌୍‍ ଲାଇ କାମ କରାଯାଏ। ସେହିପରି ଯେଉଁ ଶ୍ରମିକମାନେ କାମ କରିଥାନ୍ତି, ସେମାନଙ୍କୁ ମାସ ମାସ ଧରି ମଜୁରୀ ପ୍ରଦାନ କରାଯାଇନଥାଏ। ଫଳରେ ଲୋକମାନେ କାମ କରିବାକୁ ଉଚିତ‌୍‍ ମଣିନଥାନ୍ତି ଏବଂ ଦାଦନ ଖଟିଯିବାକୁ ବାଧ୍ୟ ହୋଇଥାନ୍ତି। ସେଥିପାଇଁ ଏନ.ଆର.ଇ.ଜି.ଏ ହେବାଦ୍ୱାରା ଦାଦନ ଶ୍ରମିକ କମିବ ଏବଂ ଗରିବ ଲୋକମାନଙ୍କ ଖାଦ୍ୟ ସୁରକ୍ଷା ସୁଦୃଢ ହେବ ଯେଉଁ ଆଶା କରାଯାଉଥିଲା, ତାହା ବସ୍ତୁତଃ ବିଫଳ ହୋଇଛି।

 

ସେହିପରି ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟର ବିକାଶ ଏବଂ ସେମାନଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଦେବା ପାଇଁ ଉଦ୍ଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଜନା, ଆଇ.ସି.ଡ଼ି.ଏସ‌୍‍. ଯୋଜନାରେ ବ୍ୟାପକ ହରିଲୁଟ‌୍‍, ନିକୃଷ୍ଟମାନର ଛତୁଆ ବଣ୍ଟନ, ଅଣ୍ଡାଚୋରୀ ଯୋଗୁଁ ଉକ୍ତ ଯୋଜନା ବିଫଳ ହୋଇଛି। ମାଲକାନଗିରି ଜିଲ୍ଲାରେ ୪୦୦ ଶିଶୁଙ୍କ ମୃତ୍ୟୁ ଏବଂ ନଗଡ଼ାର ଶିଶୁ ମୃତ୍ୟୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏହା ସତ୍ୟ ଲୋକମାନଙ୍କର ବକାଶ ପାଇଁ ରାଜ୍ୟ ଯୋଜନା ଏବଂ କେନ୍ଦ୍ର ଯୋଜନାରେ ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଛି ଏବଂ ଚାଷର ବିକାଶ ପାଇଁ ଯୋଜନା କରାଯାଉଛି। କିନ୍ତୁ ଏହି ଅର୍ଥ ପରିଚାଳନାରେ ବ୍ୟାପକ ଅନିୟମିତତା ଯୋଗୁଁ ଏହାର ସୁଫଳ ଲୋକମାନେ ପାଇପାରନାହାଁନ୍ତି। ତେଣୁ ସରକାରୀ ଅର୍ଥ ବ୍ୟୟ ବରାଦ ଏବଂ କଠିନ ପରିଶ୍ରମ ସତ୍ତ୍ୱେ ଜଣେ ଚାଷୀ ବା ଶ୍ରମିକମାନଙ୍କର ବ୍ୟୟ କ୍ଷମତା ବୃଦ୍ଧି ହେଉନାହିଁ। ଅପର ପକ୍ଷରେ ବ୍ୟାପକ ଦୁର୍ନୀତି ଯୋଗୁଁ ଗରିବ ଲୋକଙ୍କୁ ପୁଣି ଲାଞ୍ଚ ଦେବାକୁ ପଡୁଛି। ଇନ୍ଦିରା ଆବାସ ଯୋଜନାରେ ୨୦ ହଜାର ଟଙ୍କା ଲାଞ୍ଚ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ୧୦୦୦ ଟଙ୍କା ଲାଞ୍ଚ, ରେସନ କାର୍ଡ଼ ପାଇଁ ଲାଞ୍ଚ, ସମସ୍ତ ଉନ୍ନୟନ ଯୋଜନାରେ ୩୦ରୁ ୩୫ ପ୍ରତିଶତ ପିସି କାରବାର ଯୋଗୁଁ ଲୋକଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯାଉଛି। ରାଜ୍ୟରେ ସରକାରୀ ଯୋଜନାର ମନିଟରିଙ୍ଗର ଅଭାବ, ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନର ଅଭାବ, ଭିଜିଲାନ୍ସ ବିଭାଗର ନିଷ୍କ୍ରିୟତା ଯୋଗୁଁ ରାଜ୍ୟରେ ଖୁଲାମଖୁଲା ଦୁର୍ନୀତି ଚାଲିଛି ଏବଂ କୋଟି କୋଟି ଲୁଟ‌୍‍ କରି ଅର୍ଥ ଠୁଳ କରିଥିବା ପାଇଁ ମନ୍ତ୍ରୀ, ବିଧାୟକ, ଅଫିସରମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଖଣି ଦୁର୍ନୀତିରେ ୧ ଲକ୍ଷ କୋଟିର ରାଜସ୍ୱ କ୍ଷତି, ଜମି ଦୁର୍ନୀତିରେ ୨୦,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି, ଡ଼ାଲି ଦୁର୍ନୀତିରେ ୭୦୦ କୋଟି, ଚିଟ‌୍‍ଫଣ୍ଡରେ ୪୦,୦୦୦ କୋଟି ଇତ୍ୟାଦି ଯୋଗୁଁ ରାଜ୍ୟର ଅର୍ଥନୀତି ଭୁଷୁଡ଼ିବାରେ ଲାଗିଛି। ସାଧାରଣ ଲୋକଙ୍କ ହାତକୁ ଅର୍ଥ ଆସୁନାହିଁ। କ୍ରୟ କ୍ଷମତାର ଅଭାବ ସହିତ ଉତ୍କଟ ଖାଦ୍ୟଭାବ ଯୋଗୁଁ ସେମାନେ ଦାଦନ ଖଟି ଯାଉଛନ୍ତି ତ କେଉଁଠି ଅନାହାରରେ ରହି ମରୁଛନ୍ତି ନଚେତ‌୍‍ ଆତ୍ମହତ୍ୟା କରୁଛନ୍ତି।

 

ରାଜ୍ୟରେ ଖଣିଜ ସମ୍ପଦର ଉତ୍ତୋଳନ, ବ୍ୟବହାର ଏବଂ ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟର ଯୁବକମାନେ ଚାକିରୀ ପାଇବେ, ସାଧାରଣ ଲୋକଙ୍କର ବିକାଶ ହେବ ବୋଲି ସରକାର କହିଥିଲେ। କିନ୍ତୁ ବାସ୍ତବରେ ଚାକିରୀ ମିଳିଲା ନାହିଁ କି ବିକାଶ ହେଲା ନାହିଁ। ଯେଉଁ କେନ୍ଦୁଝର ଜିଲ୍ଲାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଉତ୍ତୋଳନ ହେଉଛି, ସେହି ସ୍ଥାନରେ ଛୋଟ ଛୋଟ ଆଦିବାସୀ ପିଲାମାନେ ଖାଦ୍ୟ ନପାଇ ପୁଷ୍ଟିହୀନତାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ଶାସନ ବ୍ୟବସ୍ଥା ଲୋକମାନଙ୍କର ନହୋଇ ସେମାନଙ୍କ ଉପରେ ବୋଝ ହୋଇଯାଇଛି।

 

ତେଣୁ ରାଜ୍ୟର ବଜେଟ‌୍‍ରେ ଅଭିବୃଦ୍ଧି, ମୁଣ୍ଡପିଛା ଆୟ ଅଭିବୃଦ୍ଧି ସତ୍ତ୍ୱେ ଓଡ଼ିଶା ଗରିବ ହୋଇ ରହିଛି ଓ ରହିବ। ରାଜ୍ୟ ସରକାରଙ୍କ କୁଶାସନ, ପ୍ରଶାସନର ସ୍ଥାଣୁତା, ସରକାରୀ ଯୋଜନାରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱର ଅଭାବ, ଯୋଜନାର ମନିଟରିଙ୍ଗ ଏବଂ ଅଭିଯୋଗର ଶୁଣାଣୀର ସ୍ଥିତାବସ୍ଥା ଯୋଗୁଁ ଯୋଜନା ଲୋକାମାନଙ୍କ ନିକଟରେ ପହଞ୍ଚି ପାରିନାହିଁ। ତେଣୁ ସାଧାରଣ ଲୋକ ରାଜରାସ୍ତାରେ ଭିକାରୀ ସାଜିଛନ୍ତି। ସେଥିପାଇଁ ମାତ୍ର ୫ କେଜି ଚାଉଳ ପାଇବା ପାଇଁ ରେସନ କାର୍ଡ଼ ପାଇଁ ଘଣ୍ଟ ଘଣ୍ଟା ଧରି ଠିଆହେବା, ୫ ଟଙ୍କିଆ ଭାତ ଡ଼ାଲମା ପାଇଁ ଆହାର କେନ୍ଦ୍ରରେ ହାତ ପତେଇବା ବ୍ୟତୀତ ଗରିବ ଲୋକମାନଙ୍କର ଆଉ ଚାରା ନାହିଁ। ଲୋକଙ୍କର ଗରିବୀକୁ ପୁଞ୍ଜିକରି ବା ସେମାନେ ଗରିବକୁ ବୁଝି ଏହିଭଳି କିଛି ନାମମାତ୍ର ଯୋଜନା କରି ରାଜ୍ୟ ସରକାର ଗରିବଙ୍କ ତ୍ରାଣକର୍ତ୍ତା ସାଜୁଛନ୍ତି ବୋଲି ପ୍ରଚାର କରୁଛନ୍ତି। ତେଣୁ ସମଗ୍ର ଦେଶରେ ଓଡ଼ିଶା ସବୁଠାରୁ ଗରିବୀ ରାଜ୍ୟ ହୋଇ ରହିଛି। ଏହିଭଳି ଶାସନ ଚାଲିଲେ ଗରିବ ବଢିବ ପଛେ, କମିବ ନାହିଁ। ତେଣୁ ନବୀନ ପଟ୍ଟନାୟକଙ୍କ ଶାସନରେ ଗରିବ ହଟିବା ଅସମ୍ଭବ।

 

ରାଜ୍ୟ ଆବାହକ, ରାଇଟ‌୍‍ ଟୁ ଫୁଡ଼‌୍‍ କ୍ୟାମ୍ପେନ

ମୋ-୯୯୩୭୮୪୩୪୮୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top