ପ୍ରସୂତୀଙ୍କ ଜୀବନ ବଂଚାଉଛି ନାଲିକାର୍ଡ଼!

News Story - Posted on 2017-06-24

ରୁଦ୍ର ପ୍ରସନ୍ନ ରଥ

 

ଓଡିଶା ସରକାରଙ୍କ ନୂଆ ବ୍ୟବସ୍ଥାକ୍ରମେ ବିପଦସଂକୁଳ ଅବସ୍ଥାରେ ଥିବା ଗର୍ଭବତୀ ମହିଳାଙ୍କୁ ଦିଆଯାଉଥିବା ରେଡକାର୍ଡ ଯୋଗଁୁ ଅନେକ ମହିଳାଙ୍କ ଜୀବନ ବଂଚାଯାଇପାରୁଛି। ରାଜ୍ୟରେ ବର୍ତ୍ତମାନ ମାତୃ ଏବଂ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ ଢେର ଆଗରେ ଥିବା ବେଳେ ଏହି ନୂଆ ବ୍ୟବସ୍ଥା ଏହି ହାରକୁ କମାଇବା ଦିଗରେ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଇଛି।

 

ଏଠାରେ ସୂଚନା ଦିଆଯାଇପାରେ ଯେ ୨୦୧୧-୧୩ ଏସଆରଏସ ତଥ୍ୟ ଅନୁଯାୟୀ ଓଡିଶାର ମାତୃମୃତ୍ୟୁ ହାର ୨୨୨ ଥିବା ବେଳେ ଆମ ଦେଶର ମାତୃ ମୃତ୍ୟୁହାର ୧୬୭ ଥିଲା। ଓଡିଶା ସରକାର ଏହି ହାରକୁ ୨୦୨୦ ସୁଦ୍ଧା ୧୧୭କୁ ଖସାଇବାପାଇଁ ଲକ୍ଷ୍ୟ ରଖି ମାତୃ ଏବଂ ଶିଶୁ ମୃତ୍ୟୁ ହାରରେ ତ୍ୱରିତ‌୍‍ ହ୍ରାସପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ୨୦୧୬ ମସିହାରେ ହାତକୁ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଅନୁଯାୟୀ ବିପଦ ସଂକୁଳ ଅବସ୍ଥାଦେଇ ଗତିକରୁଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ରେଡକାର୍ଡ ପ୍ରଦାନ କରାଯାଉଛି। କେବଳ ଗର୍ଭବତୀ ମହିଳା ନୁହେଁ ବରଂ ଜନ୍ମ ସମୟରେ ଶିଶୁ ମୃତ୍ୟୁକୁ ରୋକିବାରେ ମଧ୍ୟ ଏହା ସଫଳ ହେବ ବୋଲି ଆଶା କରାଯାଉଛି।

 

ଓଡିଶାରେ ଉଚ୍ଚ ମାତୃ ମୃତ୍ୟୁହାରର ଅନେକ କାରଣ ରହିଛି। ଗର୍ଭବାସ୍ଥାରେ ଉଚ୍ଚ ରକ୍ତଚାପ, ପ୍ରସବ ପୂର୍ବବର୍ତ୍ତୀ ପରୀକ୍ଷା ନିୟମିତ ନକରିବା, ଆବଶ୍ୟକ ସମୟରେ ପ୍ରସବ ପାଇଁ ଡାକ୍ତରଖାନାରେ ପହଁଚି ନପାରିବା ଇତ୍ୟାଦି କାରଣରୁ ଓଡିଶାରେ ଅନେକ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟେ। ପୁଣି ପ୍ରସବ ହେବା ସମୟରେ ପୂର୍ବରୁ ଜଟିଳତା ଥିବା ଯୋଗଁୁ  ଡାକ୍ତରଖାନାରେ ପହଁଚିଲା ପରେ ମଧ୍ୟ ପୂର୍ବ ଜଟିଳତା ଜଣା ନଥିବା ଯୋଗଁୁ ଡାକ୍ତରଖାନାରେ ପୁଣି ଥରେ ପରୀକ୍ଷା ନିରୀକ୍ଷା କରିବା ଯୋଗଁୁ ଅନେକ ସମୟରେ ଢେର ସମୟ ନଷ୍ଟ ହୁଏ। ଓଡିଶାରେ ପ୍ରତିବର୍ଷ ୧୦ ଲକ୍ଷ ମହିଳା ପ୍ରସବ କରୁଥିବା ବେଳେ ଏଥିରୁ ୧୦-୧୫% ମହିଳା ପ୍ରସବ ଜନିତ ଜଟିଳତା ଶିକାର ହେବାର ଆଶଂକା ରହିଛି। ପୁଣି ଅନେକ ଅଂଚଳକୁ ଗମନାଗମନର ସୁବିଧା ନଥିବା ଯୋଗଁୁ ଏହି ସଂଖ୍ୟା ୨୫% ଯାଏ ବଢିଯାଏ। ଏଣୁ ଏପରି ସମୟରେ ଏହି ଗର୍ଭବତୀ ମହିଳାମାନଙ୍କୁ ରେଡକାର୍ଡ ପ୍ରଦାନ କରାଯାଇ ସେମାନଙ୍କର ତ୍ୱରିତ‌୍‍ ଚିକିତ୍ସା ସୁନିଶ୍ଚିତ କରାଯାଇଛି।

 

ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଦ୍ୱାରା ଗର୍ଭ ପଂଜୀକରଣ ସମୟରେ ଏଏନଏମମାନେ ଏହି କାର୍ଡକୁ ଗର୍ଭବତୀ ମହିଳାଙ୍କୁ ଦେଇଥାନ୍ତି। ପୂର୍ବରୁ ୪ ଟି ସନ୍ତାନ ଥିଲେ, ପୂର୍ବରୁ ସିଜରିୟାନ ଦ୍ୱାରା ପ୍ରସବ କରାଇଥିଲେ, ପୂର୍ବରୁ ସ୍ୱଳ୍ପ ଓଜନ ବିଶିଷ୍ଟ ଶିଶୁ ଜନ୍ମ କରିଥିଲେ, ପୂର୍ବରୁ ୩ ଥର ଗର୍ଭପାତ କରାଇଥିଲେ, ମା’ଟି ପୂର୍ବରୁ ମୃତ ଶିଶୁ ଜନ୍ମ କରିଥିଲେ, ଟିବି କିମ୍ୱା କୁଷ୍ଠ ରୋଗରେ ଶିଶୁ ଟି ପୀଡିତ ଥିଲେ, ଗର୍ଭବତୀ ମହିଳା ଜଣଙ୍କ ଏଚଆଇଭି ପଜିଟିଭ ବୋଲି ଜଣାପଡିବା କିମ୍ୱା ପୂର୍ବରୁ ଡାଇବେଟିସ‌୍‍, ହୃଦରୋଗ, ବୃକକ ରୋଗ ଥିବା ଆଦି କ୍ଷେତ୍ରରେ ଗର୍ଭବତୀ ମହିଳାମାନଙ୍କୁ ବିପଦ ସଂକୁଳ ବୋଲି ଚିହ୍ୱଟକରି ତାହାକୁ ପ୍ରଥମରୁ ହିଁ ରେଡକାର୍ଡ ଦେଇ ଦିଆଯାଏ।

 

ଏହା ପରେ ଏହିପରି ସମସ୍ତ କେସ‌୍‍କୁ ପରବର୍ତ୍ତୀ ସମୟରେ ଆଶା ଏବଂ ଏଏନଏମମାନେ ଫଲୋଅପ କରି ଏମାନଙ୍କୁ ଆବଶ୍ୟକୀୟ ସେବା ଯତ୍ନ ପ୍ରଦାନ କରିଥାନ୍ତି। ଏହି ଗର୍ଭବତୀ ମହିଳାମାନେ ପ୍ରସବ ସମୟରେ ଡାକ୍ତରଖାନାରେ ଆଡମିଟ ହେବା ମାତ୍ରେ ଏମାନଙ୍କର ପ୍ରସବକୁ ନେଇ ସମସ୍ୟା ଉପୁଜିପାରେ ବୋଲି ଡାକ୍ତରମାନେ ରେଡକାର୍ଡ ଦେଖି ଜାଣି ପାରନ୍ତି। ଏହା ଦ୍ୱାରା ସମୟ ବଂଚିବା ସହ ଗର୍ଭବତୀ ମହିଳାମାନେ ଉପଯୁକ୍ତ ସମୟରେ ତ୍ୱରିତ‌୍‍ ଚିକିତ୍ସା ପାଇପାରନ୍ତି। ଓଡିଶାରେ ପ୍ରତିବର୍ଷ ୧୦ ଲକ୍ଷ ମହିଳା ଗର୍ଭବତୀ ହେଉଥିବା ବେଳେ ପ୍ରାୟ ୨ ଲକ୍ଷ ମହିଳାଙ୍କୁ ଏ ପରି କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି।

 

ଏହି ରେଡକାର୍ଡରେ ପ୍ରସୂତିଙ୍କର ନାମ, ଠିକଣା, ଟେଲିଫୋନ ନଂ, ରକ୍ତ ଶ୍ରେଣୀ, ବିଭିନ୍ନ ସମୟରେ ଗର୍ଭବତୀ ଜଣଙ୍କ ପାଇଥିବା ଚିକିତ୍ସା ଆଦି ବିଷୟରେ ପୁଂନଖାନୁପୁଂଖ ଭାବରେ ଲିପିବଦ୍ଧ ଥାଏ। ଡାକ୍ତରଖାନାକୁ ପ୍ରସବ କିମ୍ୱା ଚେକ‌୍‍  ଅପ ପାଇଁ ଯିବା ସମୟରେ ଗର୍ଭବତୀ ମହିଳାଙ୍କୁ ଏହି କାର୍ଡ ସାଂଗରେ ନେଇ ଯିବାକୁ ହୋଇଥାଏ।  ଏହି ଅଭିନବ ପଦକ୍ଷେପ ଦ୍ୱାରା ମାତୃ ମୃତ୍ୟୁ ହାରରେ ସୁଧାର ଆସିବାରେ ଲାଗିବ ବୋଲି ଆଶା କରାଯାଉଛି। ସାରା ରାଜ୍ୟରେ ଏହି ପରି ଲକ୍ଷାଧିକ କାର୍ଡ ବଂଟା ଯିବାର ଯୋଜନା ରହିଛି।

 

ସୋନପୁରର ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବାବୁପାଲ୍ଲୀ ବାଗଡିଆ ସବ ସେଣ୍ଟରର କଳ୍ପନା ସେଠ‌୍‍ଙ୍କୁ ଏହିପରି ଗୋଟିଏ ରେଡ କାର୍ଡ ମିଳିଛି। ତାଙ୍କର ପ୍ରସବରେ ଜଟିଳତା ଦେଖା ଦେଇଥିବାରୁ ଏ କାର୍ଡ ତାଙ୍କୁ ପ୍ରଦାନ କରାଯାଇଛି। ଏ କାର୍ଡ ଉପରେ ମତ ଦେଇ ସେ କହିଛନ୍ତି ଯେ ତାଙ୍କ ପ୍ରସବ ଯେପରି ସଠିକ ସମୟରେ ସୁରୁଖୁରୁରେ ହେବ ତାହା ନିଶ୍ଚିତ କରିବା ପାଇଁ  ଏହି କାର୍ଡ ତାଙ୍କୁ ଦିଆଯାଇଛି। ଏହି କାର୍ଡ ପାଇବା ପରେ ସେ ନିଜ ପ୍ରସବକୁ ନେଇ ଅଧିକ ଯତ୍ନବାନ ହୋଇଯାଇଛନ୍ତି ଏବଂ ଆଶା ଏବଂ ଏଏନଏମ ଦିଦି ତାଙ୍କ ସ୍ୱାସ୍ଥ୍ୟର ନିୟମିତ ଦେଖା ରଖା କରୁଛନ୍ତି। ସରକାର ଆଗକୁ ଏପରି ଅନେକ କାର୍ଯ୍ୟକ୍ରମ ନେଇ ରାଜ୍ୟରେ ମାତୃ ଏବଂ ଶିଶୁ ମୃତ୍ୟୁହାର ଆହୁରି ଦୃତ ଗତିରେ ହ୍ରାସ କରିବେ ବୋଲି ଆଶା କରାଯାଏ।

 

ସଂପର୍କ-୯୯୩୮୮୧୪୨୩୧/୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top