କର୍ଣ୍ଣାଟକ ବି ଛାଡ଼ କଲା କୃଷିଋଣ

News Story - Posted on 2017-06-22

ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବ ପରେ କର୍ଣ୍ଣାଟକ ସରକାର ଛାଡ଼ କରିଛନ୍ତି କୃଷି ଋଣ। ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୫୦ ହଜାର ଟଙ୍କା ଯାଏଁ ସ୍ୱଳ୍ପକାଳୀନ ଋଣ ଛାଡ଼ କଥା ରାଜ୍ୟ ବିଧାନସଭାରେ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାହ। ଏହା ଫଳରେ ରାଜ୍ୟ ସରକାରଙ୍କୁ ମୋଟ ୮,୧୬୭ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

 

କର୍ଣ୍ଣାଟକ ବିଧାନସଭାର ବଜେଟ ଅଧିବେଶନରେ ଋଣଛାଡ଼ ବିଷୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାହ କହିଛନ୍ତି ଯେ କୃଷକମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ସେମାନଙ୍କର ଖର୍ଚ୍ଚ ବଢ଼ୁଛି, କ୍ଷତି ବି। ସେମାନଙ୍କ ଦାବି ଶୁଣିବାକୁ ହେବ। ସେମାନଙ୍କ ସମସ୍ୟା ଅନୁଧ୍ୟାନ କରି ସରକାର ଜୁନ‌୍‍ ୨୦ ତାରିଖ ଯାଏଁ ସମବାୟ ବ୍ୟାଙ୍କଗୁଡ଼ିକର ବକେୟା ରହିଥିବା ୨୨ ଲକ୍ଷ ୨୭ ହଜାର ୫୦୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ମୁଣ୍ଡ ପିଛା ୫୦ ହଜାର ଟଙ୍କା ଯାଏଁ ରହିଥିବା ସ୍ୱଳ୍ପକାଳୀନ ଋଣ ଛାଡ଼ କରିଛନ୍ତି। ଏହି ସଂଖ୍ୟକ ଚାଷୀମାନେ ରାଜ୍ୟର ବିଭିନ୍ନ ସମବାୟ ବ୍ୟାଙ୍କରୁ ୧୦,୭୩୭ କୋଟି ଟଙ୍କା ଋଣ କରିଛନ୍ତି। ଏହି ଋଣଛାଡ଼ ନିଷ୍ପତ୍ତି ଯୋଗୁଁ ରାଜ୍ୟ ସରକାରଙ୍କୁ ୮,୧୬୭ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ।

 

କର୍ଣ୍ଣାଟକର କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାହ କହିଛନ୍ତି ଯେ ରାଜ୍ୟର ଅନେକ ଚାଷୀ ଜାତୀୟକରଣ ବ୍ୟାଙ୍କରୁ କୃଷିଋଣ କରିଛନ୍ତି। ସେମାନଙ୍କ ଋଣ ରାଜ୍ୟ ସରକାର ଛାଡ଼ କରିପାରିବେ ନାହିଁ। ସମବାୟ ବ୍ୟାଙ୍କରୁ ଋଣ କରିଥିବା ଚାଷୀମାନେ ଏହି ଯୋଜନାରେ ଉପକୃତ ହେବେ। ସେ କହିଛନ୍ତି ଯେ ରାଜ୍ୟରେ କୃଷକମାନେ କରିଥିବା କୃଷି ଋଣର ୨୦ ପ୍ରତିଶତ ସମବାୟ ବ୍ୟାଙ୍କରୁ ଯାଇଛି। ବାକି ୮୦ ପ୍ରତିଶତ ଋଣ ଗ୍ରାମୀଣ ବ୍ୟାଙ୍କ, ଜାତୀୟକରଣ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କଗୁଡ଼ିକରୁ ଦିଆଯାଇଛି। ସେସବୁ କୃଷିଋଣ କେନ୍ଦ୍ର ସରକାରଙ୍କ ଯୋଜନା ଅନୁସାରେ ହୋଇଛି।

 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କ୍ଷମତାରେ ଥିଲାବେଳେ ସମଗ୍ର ଦେଶରେ କୃଷିଋଣ ଛାଡ଼ କରିଥିଲେ। ଏବେ ମୋଦି ସରକାର ସେହିଭଳି ପଦକ୍ଷେପ ଗ୍ରହଣ କରି ଜାତୀୟକରଣ ବ୍ୟାଙ୍କଗୁଡ଼ିକରୁ ହୋଇଥିବା କୃଷିଋଣ ଛାଡ଼ କରିବାକୁ ନିଷ୍ପତ୍ତି ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାହ ଦାବି କରିଛନ୍ତି। ରାଜ୍ୟର ବିରୋଧୀ ଦଳ ନେତା ଜଗଦୀଶ ସେଟ୍ଟାରଙ୍କୁ ଲକ୍ଷ୍ୟ କରି ସେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୁଝେଇ ସବୁ ଚାଷୀଙ୍କର ଋଣ ଛାଡ଼ କରାନ୍ତୁ।

 

ଏଠାରେ ଉଲ୍ଲେଖଯୋଗ୍ୟ ଗତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଭିନ୍ନ ପ୍ରଚାର ସଭାରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ବିଜେପି ସରକାର କୃଷିଋଣ ଛାଡ଼ କରିବେ। କିନ୍ତୁ ନିର୍ବାଚନ ପରେ ଉତ୍ତର ପ୍ରଦେଶର ଯୋଗୀ ସରକାର ସେହି ରାଜ୍ୟର କୃଷିଋଣ ଛାଡ଼ କରିଥିଲେ। ଏହା ପରେ ପଞ୍ଜାବର କଂଗ୍ରେସ ସରକାର ମଧ୍ୟ ସେହି ରାଜ୍ୟର କୃଷିଋଣ ଛାଡ଼ କରିଥିଲେ। ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରେ କୃଷିଋଣ ଛାଡ଼ ଓ ଅନ୍ୟାନ୍ୟ ଦାବିରେ କୃଷକମାନେ ଜୋରଦାର ଆନ୍ଦୋଳନ କରିବାରୁ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କୃଷିଋଣ ଛାଡ଼ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ। କିନ୍ତୁ ଏଯାଏଁ ତାହା ହୋଇନାହିଁ। ମାତ୍ର ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

ଇତିମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଦୁଇ ଦୁଇ ଥର କହିସାରିଛନ୍ତି ଯେ କୃଷିଋଣ ଛାଡ଼ କରିବା ବାବଦରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୌଣସି ସହାୟତା ଦେବେ ନାହିଁ। ରାଜ୍ୟଗୁଡ଼ିକ ଚାହିଁଲେ ନିଜ ପାଣ୍ଠିରେ କୃଷିଋଣ ଛାଡ଼ କରିପାରିବେ। ସେଥିପାଇଁ ସେମାନଙ୍କୁ ନିଜ ସମ୍ୱଳ ଉପଯୋଗ କରିବାକୁ ହେବ।

 

ଓଡ଼ିଶାରେ ମଧ୍ୟ ଚାଷୀମାନେ କୃଷିଋଣ ଛାଡ଼ ସମେତ ପ୍ରାଇସ‌୍‍, ପେନ୍ସନ ଓ ପ୍ରେଷ୍ଟିଜ ଦାବିରେ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏଯାଏଁ ସେମାନଙ୍କ ସହିତ କୌଣସି ପ୍ରକାର ଆଲୋଚନା କରିନାହାନ୍ତି କି ଋଣଛାଡ଼ ସଂପର୍କରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top