ଧାନଚାଷୀର କ୍ୱିଣ୍ଟାଲ ପିଛା କ୍ଷତି ୭୦୦ ଟଙ୍କା!

News Story - Posted on 2017-06-22

କେନ୍ଦ୍ର ସରକାର ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିବା ପରେ ସମଗ୍ର ଦେଶରେ ଏହା ବିରୋଧରେ ଚାଷୀକୂଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣ ବୃଦ୍ଧି କରିବାକୁ ଘୋଷଣା କରିଥିବା ମୋଦି ସରକାର ଫସଲର ସହାୟକ ମୂଲ୍ୟ ମାତ୍ର ୫-୮ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ସମୁଦ୍ରକୁ ଶବ୍ଦେ ବୋଲି କହିଛନ୍ତି ସମ୍ୱଲପୁରର ଅନେକ ଚାଷୀ।

 

କେନ୍ଦ୍ର ସରକାର ଗତକାଲି ଧାନ, ମୁଗ, ବିରି ଓ ହରଡ଼ ଆଦି ଫସଲର ସହାୟକ ଦର ଘୋଷଣା କରିଥିଲେ। ପୂର୍ବାପେକ୍ଷା ଏହି ଦରରେ ମାତ୍ର ୫-୮ ପ୍ରତିଶତ ବୃଦ୍ଧି କରାଯାଇଥିଲେ। ସାଧାରଣ ଧାନର ପୂର୍ବ ସହାୟକ ଦର ୧୪୭୦ ଟଙ୍କା ଥିଲା। ଏହାକୁ ୧୫୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏକ ନମ୍ୱର ଧାନର ସହାୟକ ମୂଲ୍ୟ ୧୫୯୦ ଟଙ୍କା ସ୍ଥିର ହୋଇଛି। ଏକ କ୍ୱିଣ୍ଟାଲ ଧାନର ଉପିାଦନ ଖର୍ଚ୍ଚ ପ୍ରାୟ ୨୩୦୦ ଟଙ୍କା ହେଉଥିବାରୁ ଏବେ ବି ଚାଷୀମାନେ କ୍ୱିଣ୍ଟାଲ ପିଛା ପ୍ରାୟ ୭୦୦ ଟଙ୍କା କ୍ଷତି କରିବେ ବୋଲି ଚାଷୀ ସଂଗଠନଗୁଡ଼ିକ କହିଛନ୍ତି।

 

ତେବେ କେନ୍ଦ୍ର ସରକାର ହରଡ଼ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫୦୫୦ ଟଙ୍କାରୁ ୫୪୫୦ ଟଙ୍କା, ମୁଗର ସହାୟକ ମୂଲ୍ୟ ୫୨୨୫ ଟଙ୍କାରୁ ୫୫୭୫ ଟଙ୍କା ଓ ବିରିର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫୦୦୦ ଟଙ୍କାରୁ ୫୪୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। କପାର ସହାୟକ ଦରରେ କ୍ୱିଣ୍ଟାଲ ପିଛା ୧୬୦ ଟଙ୍କା ବୃଦ୍ଧି କରାଯାଇଛି। ସୋୟାବିନର ସହାୟକ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୨୭୫ ଟଙ୍କା ବୃଦ୍ଧି କରାଯାଇଛି।

 

କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ଖାଦ୍ୟ ନିଗମ ବା ଏଏଫସିଆଇ ଏବଂ ନାଫେଡ଼ ପରି ସଂସ୍ଥା ସର୍ବନିମ୍ନ ସହାୟକ ଦରରେ କେବଳ ଧାନ ଓ ଗହମ ସଂଗ୍ରହ କରିଥାନ୍ତି। ଅନ୍ୟ ସବୁ କୃଷିଜାତ ସାମଗ୍ରୀ ଖୋଲା ବଜାରରେ ବିକ୍ରି ହୋଇଥାଏ। ତେବେ ଚାଷୀ ବିରୋଧୀ ପରିସ୍ଥିତି ଉପୁଜିଲେ ମଝିରେ ମଝିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥାନ୍ତି।

 

ଏବର୍ଷ ମୌସୁମୀ ଋତୁରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ସେପରି ହେଲେ ଖରିଫ ଫସଲ ଅମଳ ବୃଦ୍ଧି ପାଇବ। ସାର, କୀଟନାଶକ, ବିହନ ଓ ଅନ୍ୟାନ୍ୟ ଚାଷସାମଗ୍ରୀର ଦର ବଢ଼ିଥିବାରୁ ଅଧିକ ଅମଳ ହେଲେ ବି ଚାଷୀର ଲାଭ ହେବ ନାହିଁ। ସମ୍ୱଲପୁରର କେତେକ ଚାଷୀ କହିଛନ୍ତି ଯେ ଏବେ ଧାନ ଚାଷରେ ଏକର ପିଛା ପ୍ରାୟ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। କ୍ୱିଣ୍ଟାଲେ ଧାନ ଅମଳ କରିବାକୁ ୨୨୦୦ରୁ ୨୩୦୦ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ କେନ୍ଦ୍ର ସରକାର ସହାୟକ ମୂଲ୍ୟ ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଅର୍ଥାତ ଧାନର ଅଭାବୀ ବିକ୍ରି ନହେଲେ ମଧ୍ୟ ଚାଷୀମାନେ ଧାନ କ୍ୱିଣ୍ଟାଲ ପିଛା ଅନ୍ୟୁନ ୭୦୦ ଟଙ୍କା କ୍ଷତି କରିବେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top