ଭାରତୀୟ ଦର୍ଶନରେ ଯୋଗ

News Story - Posted on 2017-06-20

ଡାକ୍ତର ଗଣପତି ସାହୁ

 

ଯୋଗ ଶବ୍ଦ ସଂସ୍କୃତ ଧାତୁ ଯୁଜରୁ ଉତ୍ପନ୍ନ ଯାହାର ଅର୍ଥ ହେଲା ବ୍ୟକ୍ତିଗତ ଚେତନା ଆତ୍ମାର ସାର୍ବଭୌମିକ ଚେତନାରେ ମିଳନ ହେବା। ଯୋଗ ଏକ ଭାରତୀୟ ଜ୍ଞାନ ବିଜ୍ଞାନ ଯାହାକି ପାଞ୍ଚ ହଜାର ବର୍ଷର ପୁରାତନ। କେତେକ ଲୋକ ଯୋଗକୁ କେବଳ ଶାରୀରିକ ବ୍ୟାୟାମ ଭାବନ୍ତି। ବାସ୍ତବରେ ଏହା ମନୁଷ୍ୟର ଆତ୍ମାର ଅଖଣ୍ଡ ଅନନ୍ତ କ୍ଷମତାକୁ ପୂର୍ଣ୍ଣଭାବେ ପରିପ୍ରକାଶ କରିପାରୁଥିବା ଏକ ଗହନ ବିଜ୍ଞାନ। ଗୁରୁଦେବ ରବିଶଙ୍କରଙ୍କ ମତରେ ଯୋଗ କେବଳ ଆସନ ଓ ବ୍ୟାୟାମ ନୁହଁ, ଏହା ଭାବନାତ୍ମକ ଏକୀକରଣ ଏବଂ ରହସ୍ୟବାଦୀ ତତ୍ତ୍ବର ସ୍ପର୍ଶ ପାଇଁ ଏକ ଆଧ୍ୟାତ୍ମିକ  ମାର୍ଗ ଅଟେ ଯାହା ମଣିଷକୁ ତାର ସମସ୍ତ ପରିକଳ୍ପନା ପରେ ବି ଏକ ଝଲକ ଦେଖାଇଥାଏ।

 

ଯୋଗ ସବୁଠୁ ପୁରୁଣା ଜୀବନ୍ତ ସାହିତ୍ୟ ଋଗବେଦରେ ଦେଖାଯାଏ, ଯାହା ପୁଣି ସିନ୍ଧୁ ସରସ୍ବତୀ ସଭ୍ୟତାକୁ ଦର୍ଶନ କରାଇଥାଏ। ଏଇ ସଭ୍ୟତାରେ ପଶୁପତି ମୋହର(ସିକ୍କା) ଉପରେ ଯୋଗ ମୁଦ୍ରାରେ ବିରାଜମାନ ଏକ ଆକୃତି ଥିଲା ଯାହା ସେତେବେଳେ ଯୋଗର ପ୍ରଚଳନକୁ ଦର୍ଶାଇଥାଏ। ପ୍ରାଚୀନତମ ଉପନିଷଦ ବୃହଦାରଣ୍ୟକ ଏକ ଶ୍ଳୋକରେ ପ୍ରାଣାୟାମ ଅଭ୍ୟାସର ଉଲ୍ଲେଖ ମିଳିଥାଏ। ଯୋଗର ବର୍ତ୍ତମାନ ସ୍ବରୂପ ବିଷୟରେ ପ୍ରଥମ ବର୍ଣ୍ଣନା କଠୋପନିଷଦରେ ମିଳିଥାଏ ଓ ଏହା ଯଜୁର୍ବେଦରେ କଥାଶାଖାରେ ଥିବା ଅନ୍ତିମ 8 ବର୍ଗରେ ପ୍ରଥମ ଥର ସାମିଲ ହୋଇଥିବାର ଜଣଯାଏ। ଏହା ଏକ ମହତ୍ବପୂର୍ଣ୍ଣ ଉପନିଷଦ ଅଟେ। ଯୋଗ ହିଁ ଆଧ୍ୟତ୍ମିକା ଚଟାଣକୁ ବିକଶିତ କରିବା ନିମନ୍ତେ ଏକ ବଳିଷ୍ଠ ପ୍ରକ୍ରିୟା।

      

ବୃହଦାରଣ୍ୟକ ଉପନିଷଦରେ ଋଷି ଯାଜ୍ଞବଲ୍କ୍ୟ ଓ ତାଙ୍କ ଶିଷ୍ୟା ଗାର୍ଗୀ କିଛି ଶ୍ବାସପ୍ରଶ୍ବାସ ସମ୍ବନ୍ଧୀ ବ୍ୟାୟାମ, ଶରୀରକୁ ଶୁଦ୍ଧିକରଣ ନିମନ୍ତେ ଆସନ ଓ ଧ୍ୟାନର ଉପାସନା କରୁଥିବାର  ଉଲ୍ଳେଖ ଅଛି। ଗାର୍ଗୀ ମଧ୍ୟ ଛାନ୍ଦୋଗ୍ୟୋପନିଷଦରେ ଏ ସମ୍ପର୍କରେ ବର୍ଣନା କରିଛନ୍ତି। ଅଥର୍ବ ବେଦରେ ସନ୍ନ୍ୟାସୀମାନେ ସଭା ସମ୍ମେଳନ କରି ଶାରୀରିକ ଆସନ ଓ ଯୋଗାସନ ସମ୍ପର୍କରେ  ବିସ୍ତୃତ ଧାରଣ ଦେଇଛନ୍ତି। ଶ୍ରୀମଦଭାଗବତଗୀତାରେ ଓ ମହାଭାରତର ଶାନ୍ତିପର୍ବରେ ଯୋଗ ସଂପର୍କରେ ବିସ୍ତୃତ ବର୍ଣ୍ଣନା ମିଳେ। କୋଡ଼ିଏରୁ ଅଧିକ ଉପନିଷଦ ଓ ଯୋଗବାଶିଷ୍ଠରେ ବି ଯୋଗ ସଂପର୍କରେ ବର୍ଣ୍ଣନା ଅଛି।

 

ଶ୍ରୀମଦଭଗବତଗୀତାରେ କୁହାଯାଇଛି ଯେ, ଯୋଗସ୍ଥ କୁରୁକର୍ମାଣି ସଙ୍ଗମ ତ୍ୟକ୍‌ତ୍ବା ଧନଞ୍ଜୟ, ସିଦ୍ଧ୍ୟାସିଦ୍ଧ ସାମୋଭୁତ୍ବା ସମତ୍ବମ ଯୋଗ ଉଚ୍ୟତେ।

 

ସନାତନ ଧର୍ମରେ ଯେତେପ୍ରକାର ସାଧନ ପଦ୍ଧତି ପ୍ରଚଳିତ ଅଛି ସେଥି ମଧ୍ୟରେ ଯୋଗ ହିଁ ସମସ୍ତର ମୂଳ ଅଟେ। ଯୋଗ ମନୁଷ୍ୟକୁ କାନ୍ତିଯୁକ୍ତ ଶରୀର, ଏକାଗ୍ରତାସମ୍ପନ୍ନ ମନ, ବଜ୍ର ଦୃଢ ସଂକଳ୍ପ ସଦୃଶ ଦେହ ଓ ଅବିଚଳିତ ଧୈର୍ଯ୍ୟ ପ୍ରଦାନ କରିଥାଏ। ଚିତ୍ତର ପାଞ୍ଚ ବୃତ୍ତିଗୁଡିକ ହେଲା ପ୍ରମାଣ, ବିକଳ୍ପ, ବିପର୍ଯ୍ୟୟ, ନିଦ୍ରା ଓ ସ୍ମୃତି। ବୃତ୍ତିକୁ ନିରୋଧ କରିପାରିଲେ ମନୁଷ୍ୟକୁ ପ୍ରକୃତ ଶାନ୍ତି ପ୍ରାପ୍ତ ହୋଇ ପାରିବ। ଚିତ୍ତବୃତ୍ତି ନିରୋଧ କରିବାକୁ ହେଲେ ଅଭ୍ୟାସ ଓ ବୈରାଗ୍ୟ ଅପରିହାର୍ଯ୍ୟ। ଯୋଗ ସାଧକକୁ ସଂଯମତାର ଚରମ ସୀମାରେ ପହଞ୍ଚାଇ ଥାଏ।

 

ମହର୍ଷି ପତଞ୍ଜଳୀ ଯୋଗସୂତ୍ରରେ ଏହାର ଉଲ୍ଲେଖ କରାଯାଇଛି। ଯୋଗଶ୍ଚିତ୍ତ ବୃତ୍ତିନିରୋଧଃ (ଯୋଗ ସୂତ୍ର 1.2)। ମହର୍ଷି ପତଞ୍ଜଳିଙ୍କୁ ଆମେ ଯୋଗର ପିତା ବୋଲି ମାନି ଆସୁଅଛୁ। ତାଙ୍କର ଯୋଗସୂତ୍ର ସଂପୂର୍ଣ୍ଣ ଯୋଗ ଉପରେ ପର୍ଯ୍ୟବସିତ। ଏଥିରେ ଯୋଗ ସିଦ୍ଧାନ୍ତ, ଯୋଗ ଉତ୍ପତ୍ତି, ଉଦ୍ଦେଶ୍ୟ ଓ ଫଳାଫଳ ସମ୍ବନ୍ଧରେ ବର୍ଣନା ମିଳିଥାଏ। ଯୋଗ ଦ୍ବାରା ଜୀବନଶୈଳୀ ଧ୍ୟାନ କେନ୍ଦ୍ରିତ ହୋଇ ଜୀବନର ଅନ୍ତିମ ଅନୁଭବକୁ ପ୍ରାପ୍ତି କରାଯାଇଥାଏ।

 

ମାନବ ଶରୀର କୋଷମୟ। କୋଷ ପାଞ୍ଚ ଭାଗରେ ବିଭକ୍ତ, ଯଥା- ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନୋମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ। ପାଞ୍ଚ କୋଷ ଉପରେ ଯୋଗର ମହିମା ଅତୁଳନୀୟ। ଭାରତ ବର୍ଷର ମୁନି ଋଷିଗଣ ଯୋଗର ପରାକାଷ୍ଠା ବିଧିବଦ୍ଧ ବର୍ଣ୍ଣନା କରିଛନ୍ତି। ଏହା ଦ୍ବାରା ଶରୀର ଓ ମନର ସ୍ଥିରତା ଆଣି ଆତ୍ମାକୁ ପରମାତ୍ମାଙ୍କଠାରେ ଯୋଗ କରି ନିଜକୁ ସଚ୍ଚିଦାନନ୍ଦ ପୂର୍ଣ୍ଣବ୍ରହ୍ମଙ୍କର ଅଂଶ ଭାବେ ଜାଣିହେବ। ମନ ଓ ପ୍ରାଣର ଶୁଦ୍ଧି ପାଇଁ ଏବଂ ପରମାତ୍ମାଙ୍କ ଲୟ ପାଇଁ ଯୋଗକୁ ସୁଚାରୁ ରୂପେ ସମ୍ପାଦନ  କରିହେବ। ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧ୍ୟାନ, ଧାରଣା ଓ ସମାଧି ଏସବୁ ହିଁ ଅଷ୍ଟାଙ୍ଗ ଯୋଗ। ଆସନ ଅର୍ଥ ଶରୀର ସ୍ଥିତି ଯାହା ଦ୍ବାରା ଶରୀର ଓ ମନକୁ ଶାନ୍ତ ବା ସ୍ଥିର ରଖାଯାଇଥାଏ। ଯୋଗ ଶାସ୍ତ୍ର ଅନୁସାରେ ଚୌରାଶି ଲକ୍ଷ ଆସନ ଅଛି ଏବଂ ଏ ସବୁ ଜୀବଜନ୍ତୁଙ୍କ ନାମ ଅନୁସାରେ ନାମିତ। ତନ୍ମଧ୍ୟରୁ କେବଳ ଚୌରାଶି ଆସନ କଲେ ସାଧନାର କୌଣସି ଅସୁବିଧା ହେବନି।

 

ଆସନ ଦୁଇ ପ୍ରକାରର- ସ୍ଥିର ଓ ଗତିଶୀଳ। ସ୍ବସ୍ତିକାସନ, ଗୋମୁଖାସନ, ଗୋରକ୍ଷା ଆସନ, ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ, ସର୍ବାଙ୍ଗାସନ ଓ ଶଙ୍ଖାସନ ଇତ୍ୟାଦି ସ୍ଥିର ଓ ପ୍ରାଣାୟାମ, ଅନୁଲୋମ ବିଲୋମେ, କପାଳଭାତି ଓ ଭ୍ରାମରୀ ପ୍ରାଣାୟାମ ଆଦି ଗତିଶୀଳ ପ୍ରକାର ଭେଦରେ ଗଣା ହୁଅନ୍ତି। ପତଞ୍ଜଳିଙ୍କ ମତରେ ଯୋଗ ପ୍ରକ୍ରିୟାଗୁଡିକ ହେଲା ଅଷ୍ଟାଙ୍ଗଯୋଗ- କ୍ରିୟା, ଯୋଗ, ଚିତ୍ତ, ପ୍ରସାଦନ, ପ୍ରତିପକ୍ଷ, ଭାବନ, ହେୟମ ଓ ଦୁଃଖମ। ହଠ ଯୋଗ ଅନୁସାରେ ଯୋଗୀଙ୍କ ଷଟ କର୍ମ ଆସନ ପ୍ରାଣାୟାମ ମୁଦ୍ରା ବନ୍ଧ ଓ ଧ୍ୟାନ ଅଟେ। ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଶରୀରର ଏଣ୍ଡୋକ୍ରାଇନାଲ ଓ ନାଡୀବହ ସଂସ୍ଥାନ ଦୁଇଟାରେ ଭାରସାମ୍ୟ ରକ୍ଷାକରି ମନ ଓ ଶରୀରକୁ ଶକ୍ତି ଦେବା ସହ ଶରୀର ଶାନ୍ତ, କାନ୍ତ କରିଥାଏ। ଶରୀର ସୁସ୍ଥତା ଯଥା ପାଚନ ରକ୍ତ ବହ ସଂସ୍ଥାନ ଓ ରେଚନ ଆଦି ସଂସ୍ଥାକୁ ଉଜ୍ଜୀବିତ କରିଥାଏ। ଷଟ କର୍ମ କହିଲେ ତ୍ରାଟକ, କପାଳଭାତି, କୁଞ୍ଜଳ, ନଉଲି, ସୂତ୍ର ଓ ନେତୀ।

 

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି -କର୍ମୀଭ୍ୟୋଶ୍ଚାଧିକ ଯୋଗୀ ଜ୍ଞାନିଭ୍ୟୋଃପି ତତୋଧିକ, ତପସ୍ବୀଭ୍ୟୋଃଧିକ ଯୋଗୀ ତସ୍ମାତ ଯୋଗୀ ଭବାର୍ଜୁନ। ଧ୍ୟାନ ଯୋଗ ଦ୍ବାରା ପ୍ରାଣ ବାୟୁ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଯେ ପର୍ଯ୍ୟନ୍ତ ପ୍ରାଣବାୟୁ ସୁଷୁମ୍ନା ବିବର ମଧ୍ୟ ଦେଇ ବ୍ରହ୍ମରନ୍ଧ୍ରରେ ନ ପହଞ୍ଚିଛି ସେଯାଏଁ ଶରୀର ଓ ମନ ସ୍ଥିର ହୋଇନଥାଏ ଓ ଚଂଚଳ ମନକୁ ସ୍ଥିର କରିପାରିଲେ ସିଦ୍ଧି ପ୍ରାପ୍ତ ହୋଇଥାଏ। ଏଣୁ ଯୋଗାଭ୍ୟାସ ଦ୍ବାରା ଜ୍ଞାନ ଉତ୍ପନ୍ନ ହୁଏ ଓ ଚିତ୍ତର ଏକାଗ୍ରତା ଆସିଥାଏ। ଚିତ୍ତ ସ୍ଥିର ହେଲେ ବୀର୍ଯ୍ୟ ସ୍ଥିର ହୁଏ ଏବଂ ବୀର୍ଯ୍ୟ ସ୍ଥିର ହେଲେ ଯାଇ ପ୍ରକୃତ ଜ୍ଞାନ ଆସିଥାଏ। ମନ ଇନ୍ଦ୍ରିୟଗଣଙ୍କର କର୍ତ୍ତା, ମନ ମଧ୍ୟ ପ୍ରାଣବାୟୁ ଅଧୀନ। ଚିତ୍ତ ସ୍ଥିର ହେଲେ ଜ୍ଞାନ ପ୍ରାପ୍ତ ହୋଇ ବ୍ରହ୍ମ ଦର୍ଶନ ଲାଭ ହୋଇଥାଏ। ଯୋଗ ବିନା ସାଧକର ସିଦ୍ଧି ନାହିଁ ଓ ଯୋଗ ବିନା ଦିବ୍ୟ ଜ୍ଞାନ ଲାଭ ବା ମୁକ୍ତି ମିଳେ ନାହିଁ। ଯୋଗ ହିଁ ସର୍ବୋତ୍କୃଷ୍ଟ ସାଧନା ଓ ସବୁ ସମୟରେ ସକଳ ଅବସ୍ଥାରେ ଜଣେ ଚାହିଁଲେ ସିଦ୍ଧି ଲାଭ କରିପାରିବ। ସମସ୍ତ କ୍ରିୟା କର୍ମରେ ବ୍ୟସ୍ତରହି ମଧ୍ୟ ଯୋଗ ମାଧ୍ୟମରେ କୈବଲ୍ୟ ପ୍ରାପ୍ତ ହୋଇପାରିବ।

 

ସର୍ବଚିନ୍ତା ପରିତ୍ୟାଗୋ ନିଶ୍ଚିନ୍ତୋ ଯୋଗ ଉଚ୍ୟତେ(ଯୋଗଶାସ୍ତ୍ର)। ଅର୍ଥାତ ଯେଉଁ କାଳରେ ମନୁଷ୍ୟ ସର୍ବଚିନ୍ତାକୁ ପରିତ୍ୟାଗ କରେ ସେହି କାଳରେ ତା’ର ସେଇ ମନର ଲୟବସ୍ଥା ଯୋଗ ନାମରେ ଉକ୍ତ ହୁଏ।

 

ଯୁଗ ଯୁଗ ଧରି ଭାରତୀୟ ଯୋଗ ଓ ଧ୍ୟାନ ଆବଶ୍ୟକତାକୁ ଆଜି ପାଶ୍ଚାତ୍ୟ ଦେଶ ଅନୁଭବ କଲେଣି। ଶରୀର ଉପରେ ଯୋଗ ଓ ଧ୍ୟାନର ବୈଜ୍ଞାନିକ ବିଶ୍ଳେଷଣ ଚାଲିଛି ତଥା ଏହାର ଅବଶକତାକୁ ଉପଲବ୍ଧି କରିସାରିଲେଣି। ଯୋଗ କେବଳ ଶରୀର ଓ ମନରେ ସୀମିତ ନୁହଁ। ଏହାର ପ୍ରଭାବ ସାମାଜିକ, ରାଜନୈତିକ ଓ ଆର୍ଥିକ ସ୍ତରରେ ମଧ୍ୟ ଉପଲବ୍ଧ। ବିଶେଷ କରି ବ୍ୟକ୍ତି ସତ୍ତାର ବିକାଶ ସହିତ ସତ, ଚିତ ଓ ଆନନ୍ଦ ସ୍ବରୂପ ବ୍ରହ୍ମାଦୀ ଓ ବ୍ରହ୍ମ ସ୍ବରୂପ ହୋଇ ପାରିବ। ଯୋଗ ବିଶ୍ବରେ ମୈତ୍ରୀର ବାର୍ତ୍ତା ପ୍ରଚାରିତ କରିବ ଏଥିରେ ସନ୍ଦେହ ନାହିଁ।

 

ତପସ୍ବିନୀ କ୍ଲିନିକ, ସୋର, ବାଲେଶ୍ବର

ମୋ: 93371075


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top