ରାଜ୍ୟରେ ପଡ଼ିଛି ୧.୫ ଲକ୍ଷ କୋଟିର ଏନପିଏ!

News Story - Posted on 2017-06-19

ବିଭିନ୍ନ ବ୍ୟାଙ୍କର ଯେଉଁ ୮ ଲକ୍ଷ କୋଟି ଟଙ୍କାର ଋଣ ଅଚଳ ସଂପତ୍ତି ବା ନଷ୍ଟ ଋଣ ଭାବେ ପଡ଼ି ରହିଛି ସେଥିରୁ ୧.୪୭ ଲକ୍ଷ କୋଟି ଟଙ୍କାର ଋଣ ନେଇଥିବା ୫ କମ୍ପାନୀ ଓଡ଼ିଶାରେ କାରଖାନା ଖୋଲିଛନ୍ତି। ସେଥିରୁ ଗୋଟିଏ କମ୍ପାନୀ ବିରୋଧରେ ଡଜନ ଡଜନ ଲୋକଙ୍କ ହତ୍ୟାର ଅଭିଯୋଗ ଥିଲେ ମଧ୍ୟ ଓଡ଼ିଶା ସରକାର ଏହି କମ୍ପାନୀ ପ୍ରତି ବିଭିନ୍ନ ପ୍ରସଙ୍ଗରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି।

 

ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରୁ ନଥିଲେ ମଧ୍ୟ ଦେଶର ଅନେକ ବଡ଼ବଡ଼ କମ୍ପାନୀଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏଭଳି କେତେକ କମ୍ପାନୀଙ୍କ ଉପରେ ୮ ଲକ୍ଷ କୋଟି ଟଙ୍କାର ନଷ୍ଟ ଋଣ ପଡ଼ି ରହିଛି। ତାହାକୁ ପାରମ୍ପାରିକ ରୀତିରେ ନଷ୍ଟ ଋଣ ବା ଅଚଳ ସଂପତ୍ତି ଖାତାରେ ପକାଇ ବ୍ୟାଙ୍କ କର୍ତ୍ତୃପକ୍ଷ କମ୍ପାନୀଗୁଡ଼ିକୁ ପରୋକ୍ଷରେ ସହାୟତା କରୁଥିଲେ। ବିଜୟ ମାଲ୍ୟ ୯ ହଜାର କୋଟି ଟଙ୍କା ଫାଙ୍କି ଦେଶଛାଡ଼ି ପଳାଇବା ପରେ ଏ ନେଇ ଜାତୀୟ ସ୍ତରରେ ଜୋରଦାର ଚର୍ଚ୍ଚା ହେବାରୁ ଏହି ଟଙ୍କା ଆଦାୟ କରିବା ଦିଗରେ ବିଳମ୍ୱରେ ହେଲେ ବି ସରକାର ଓ ବ୍ୟାଙ୍କ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସଂପ୍ରତି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଟଙ୍କା ଯେଉଁ କମ୍ପାନୀଙ୍କ ଉପରେ ଅନାଦାୟ ପଡ଼ି ରହିଛି ତାହାର ଏକ ତାଲିକା ପ୍ରସ୍ତୁତ କରୁଛନ୍ତି।

 

ରିଜର୍ଭ ବ୍ୟାଙ୍କ ପ୍ରଥମ ପର୍ଯ୍ୟାୟରେ ଯେଉଁ ହିସାବ କରିଛି ତଦନୁସାରେ ଦେଶର ୧୨ଟି କମ୍ପାନୀଙ୍କ ଉପରେ ୨୫ ପ୍ରତିଶତ ନଷ୍ଟ ଋଣ ପଡ଼ିରହିଛି। ଏହା ୨ ଲକ୍ଷ କୋଟି ଟଙ୍କା। ଏହି ୧୨ଟି କମ୍ପାନୀଙ୍କଠାରୁ ଏହି ଋଣ ଆଦାୟ କରିବାକୁ ସେମାନଙ୍କ ବିରୋଧରେ ଦେବାଳିଆ ମକଦ୍ଦମା ଚଳାଇବାକୁ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। କୋର୍ଟରେ ଏସବୁ କମ୍ପାନୀଙ୍କୁ ଦେବାଳିଆ ଘୋଷଣା କରି ଏଗୁଡ଼ିକର ସ୍ଥାବର ଓ ଅସ୍ଥାବର ସଂପତ୍ତି ବ୍ୟାଜ୍ୟାପ୍ତ କରି ତହିଁରୁ କିଛି ଋଣ ଆଦାୟ କରିବାକୁ ରିଜର୍ଭ ବ୍ୟାଙ୍କ ଯୋଜନା କରିଛି।

 

ଏହି ୧୨ କମ୍ପାନୀଙ୍କ ମଧ୍ୟରୁ ୫ କମ୍ପାନୀ ଓଡ଼ିଶାରେ କାରଖାନା ଖୋଲିଛନ୍ତି। ସେମାନଙ୍କ ଉପରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ପଡ଼ିରହିଛି। ଏହି ୫ କମ୍ପାନୀ ହେଲେ ଭୂଷଣ ଷ୍ଟିଲ, ଭୂଷଣ ପାୱାର ଆଣ୍ଡ ଷ୍ଟିଲ, ଏସ‌୍‍‌୍‍ସାର ଷ୍ଟିଲ, ମନେଟ ଇସ୍ପାତ ଓ ଆଲୋକ ଇଣ୍ଡଷ୍ଟ୍ରିଜ। ୨୦୧୬ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଏସବୁ କମ୍ପାନୀଙ୍କ ଉପରେ ୧,୪୭,୦୯୦ କୋଟି ଟଙ୍କାର ଋଣ ଅନାଦାୟ ପଡ଼ି ରହିଛି। ରିଜର୍ଭ ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୂଷଣ ଷ୍ଟିଲ ଉପରେ ୪୩,୫୦୦ କୋଟି ଟଙ୍କାର ଋଣ ଅଚଳ ସଂପତ୍ତି ଖାତାରେ ପଡ଼ିଥିବାବେଳେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଉପରେ ୩୭,୪୦୦ କୋଟି, ଇସ‌୍‍ସାର ଷ୍ଟିଲ ଉପରେ ୩୨,୦୦୦ କୋଟି, ମନେଟ ଇସ୍ପାତ ଉପରେ ୧୨,୧୧୫ କୋଟି ଟଙ୍କାର ଋଣ ପଡ଼ିରହିଛି। ଏସବୁକୁ ସଂପୃକ୍ତ ବ୍ୟାଙ୍କଗୁଡ଼ିକ ଅଚଳ ସଂପତ୍ତି ଖାତାରେ ପକାଇ କମ୍ପାନୀଗୁଡ଼ିକ ପ୍ରତି ଅହେତୁକ ଅନୁକମ୍ପା ପ୍ରଦାନ କରିଛନ୍ତି। ସେହିପରି ଆଲୋକ ଇଣ୍ଡଷ୍ଟ୍ରିଜ ଉପରେ ମଧ୍ୟ ୨୨,୦୭୫ କୋଟି ଟଙ୍କା ଅନାଦାୟ ପଡ଼ିଛି। ଏହା ଏକ ବୟନଶିଳ୍ପ କମ୍ପାନୀ।

 

ଏଗୁଡ଼ିକ ମଧ୍ୟରୁ ଭୂଷଣ ଷ୍ଟିଲର ଢେଙ୍କାନାଳ ମେରାମୁଣ୍ଡୁଳିରେ ଏକ ସ୍ପଞ୍ଜଲୁହା କାରଖାନା ରହିଛି। ଏହି କାରଖାନାରେ ବିଭିନ୍ନ ସମୟରେ ଶତାଧିକ ଲୋକଙ୍କର ବିଭିନ୍ନ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଲାଣି। କାରଖାନା କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ଓ ଶ୍ରମିକ ନିରାପତ୍ତା ନେଇ କୌଣସି ନିୟମ ମାନି ନାହାନ୍ତି। ବିଭିନ୍ନ ସମୟରେ ବହୁ କାରଣରୁ ଏହି କାରଖାନା ପ୍ରଚଣ୍ଡ ବିବାଦ ଘେରରେ ପଡ଼ିଛି। ତଥାପି ଏହା ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। କାରଖାନାକୁ ବନ୍ଦ କରିବା ପରିବେର୍ତ୍ତ ସରକାରଙ୍କ ଅନୁମତି କ୍ରମେ ଏହା ଚାଲିଛି।

 

ସେହିପରି ଭୂଷଣ ଷ୍ଟିଲ ଆଣ୍ଡ ପାୱାର, ମନେଟ ଇସ୍ପାତ ଓ ଏସ‌୍‍ସାର‌୍‍ ଷ୍ଟିଲ ବିରୋଧରେ ମଧ୍ୟ କମ‌୍‍ ଅଭିଯୋଗ ନାହିଁ। ଏସବୁ କମ୍ପାନୀ ଓଡ଼ିଶାରେ ମଧ୍ୟ ଅନେକ ଅନିୟମିତତା କରିଛନ୍ତି। ଏମାନଙ୍କ ବିରୋଧରେ ବିଶେଷ କରି ଖଣିଜ କାରବାର, ଟିକସ ଫାଙ୍କି, ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ, ନିରାପତ୍ତା ନିୟମ ଉଲ୍ଲଙ୍ଘନ, ଶ୍ରମିକ ଶୋଷଣ ଆଦି ବହୁ ଅଭିଯୋଗ ରହିଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top