ଧର୍ମବତାର ବନାମ ଧର୍ମ ଦ୍ୱନ୍ଦ୍ୱ

News Story - Posted on 2017-06-18

ରବି କାନୁନ୍‌ଗୋ

 

Not one bad robe sould be allowed to tarnish Judiciary – Jusice VK Krishna Iyer.

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ର ନିର୍ମାତା ଆଲେକ‌୍‍ଜାଣ୍ଡର ହାମିଲ‌୍‍ଟନ‌୍‍ (୧୧.୧.୧୭୫୭- ୧୨.୭.୧୮୦୪) କହିଥିଲେ, ଗଣତନ୍ତ୍ରର ତିନି ସ୍ତମ୍ଭ ଭିତରୁ ବିଚାର ବିଭାଗର ଦାୟିତ୍ୱ ନିହାତି ଅଲଗା। କାରଣ ଏଥିରେ ବିଶ୍ୱାସ କରୁଥିବା ନାଗରିକଙ୍କ ପାଇଁ ନ୍ୟାୟ ପାଇବା ସକାଶେ ଶେଷ ଉଲାଖ ଆଉ ନାହିଁ। ଏକାସାଙ୍ଗରେ ସେ ସତର୍କ ବି କରାଇଥିଲେ। ଏମାନେ ଯଦି ନିଜ ଭିତରେ ବାଜନ୍ତି, ବେଶି ଶବ୍ଦ ଶୁଭିବନି ସତ, ମାତ୍ର ଧ୍ୱଂସ ଦିଶିବ।

 

ନ୍ୟାୟ ବିତରଣରେ ରାଜା ବିକ୍ରମାଦିତ୍ୟ ଥିଲେ ଜଣେ ସିଦ୍ଧ ନିରପେକ୍ଷ ବିଚାରକ। ତାଙ୍କ ବିସ୍ମୃତ ସିଂହାସନର ଅରମା କୁଦରେ ବସି ଗାଈଆଳ ଟୋକା ଆଳୁବାଳୁ ହୋଇ କହିଥିଲା : ଭାବନାକୁ ଜଗି ରଖ, ସିଏ କରେ ବାକ୍ୟ; ବାକ୍ୟକୁ ଜଗି ରଖ, ସିଏ କରେ କାର୍ଯ୍ୟ; କାର୍ଯ୍ୟକୁ ଜଗି ରଖ, ତା’ ହୁଏ ଅଭ୍ୟାସ; ଅଭ୍ୟାସକୁ ଜଗି ଚଳ, ତାହା ହେବ ଗୁଣ; ଗୁଣକୁ ବାନ୍ଧି ରଖ, ତାହା ହେବ ଚରିତ୍ର; ଚରିତ୍ରକୁ ଭିଡ଼ି ଧର, ତାହା ହେବ ତୁମର ଭାଗ୍ୟ ଓ ଭବିତବ୍ୟ।

 

ବିଚାର ବିଭାଗର ଅତୁଳନୀୟ ମର୍ଯ୍ୟାଦାକୁ ଫୁଟ‌୍‍କି ମାରି ସୁପ୍ରିମ‌୍‍କୋର୍ଟ ଓ କ୍ୟାଲକାଟା ହାଇକୋର୍ଟ ଜଣେ ମାନ୍ୟବର ବିଚାରପତି ସି.ଏସ. କର‌୍‍ନନଙ୍କ ଭିତରେ ଗତ କେତେ ମାସ ଧରି ଯାହା ଘଟିଛି ବା ଆଗକୁ ଘଟିବାକୁ ଯାଉଛି, ଆମର ବିଶ୍ୱାସ, ଯେତେ ଉଦ୍ଭଟ ନାଟ୍ୟକାର ହେଲେ ବି କୋର୍ଟ କଚେରିକୁ ନେଇ ଏତେ ପୈଶାଚିକ କଳ୍ପନାର ନାଟକଟେ ଲେଖିପାରିବେନି।

 

ଏଡେ଼ କଥା କେବେ ହୋଇ ନ ଥିଲା। ମେ’ ୯ ତାରିଖ ଦିନ ସୁପ୍ରିମକୋର୍ଟ କର‌୍‍ନନଙ୍କ ଗରହାଜିର‌୍‍ରେ ଅଦାଲତ ଅବମାନନା ଅଭିଯୋଗରେ ୬ ମାସ ଜେଲ ଦଣ୍ଡ ଦେଲେ। ତା’ପରେ ବିଜୟ ମାଲ୍ୟା, ଦାଉଦ‌୍‍ ଇବ୍ରାହିମ‌୍‍ଙ୍କ ପରି ଜଜ‌୍‍ ସାହାବ ମଧ୍ୟ ଲୁଚିଲେ ଓ ଶୁଣାଯାଉଚି, ଦେଶରୁ ଫେରାର‌୍‍ ହୋଇଗଲେ! ଏ ଅଦାଲତ ଅବମାନନା ସାଧାରଣ ନ ଥିଲା। ଅଭିଯୁକ୍ତ ଜଜ‌୍‍ ‘ଦଳିତ’ ହୋଇଥିବାରୁ ଉଚ୍ଚ ଜାତିର ଜଜ‌୍‍ମାନଙ୍କ ଦ୍ୱାରା ପ୍ରପୀଡ଼ିତ ହେଉଛନ୍ତି ବୋଲି କେବଳ ଯେ ଅଭିଯୋଗ କଲେ ତାହା ନୁହେଁ, କୋଲକାତାର ନିଜ ରେସ‌୍‍-ଅଫିସରେ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ଚାରି ଜଣଙ୍କ ବିରୁଦ୍ଧରେ ସମାନ ଗରହାଜିର‌୍‍ରେ କ୍ଷୀପ୍ର ଭାବେ ‘ବିଚାର’ ଶେଷ କରି ଜରିମାନା ଏବଂ / ଅଥବା ଅନାଦୟେ ଜେଲ‌୍‍ ଦଣ୍ଡ ଆଦେଶ କରିଥିଲେ। ଏହା ଔଦ୍ଧତ୍ୟ ନା ନ୍ୟାୟ- ଲୋକେ ଏଯାବତ‌୍‍ ବୁଝିପାରି ନାହାଁନ୍ତି। ସବୁଠାରୁ ବିଡ଼ମ୍ୱନାର ବିଷୟ ହେଲା, ଏ ସଂପର୍କରେ ପରବର୍ତ୍ତୀ କୌଣସି ସୂଚନା ଆଉ ପ୍ରକାଶ ପାଇବ ନାହିଁ ବୋଲି ସୁପ୍ରିମ‌୍‍କୋର୍ଟ ଆଦେଶ ଦେଇଥିବାରୁ ଏବେ କ’ଣ ହେଉଛି ତାହା ଜାଣିବା ଉପାୟ ନାହିଁ। ଏହା ନାଗରିକର ମୌଳିକ ଅଧିକାରର ବିରୁଦ୍ଧାଚରଣ କରୁଥିଲେ ସୁଦ୍ଧା ଯେହେତୁ ତାହା ଶେଷ ଏବଂ ଶ୍ରେଷ୍ଠ  କୋର୍ଟର ଆଦେଶ ତାହା ଅମାନ୍ୟ କରିବା କରିବା ଉପାୟ ନାହିଁ।

 

ଅଦାଲତ ଅବମାନନାର ବିଚାର ବଡ଼ ବିଚିତ୍ର। ଏ କ୍ଷେତ୍ରରେ ଜଜ‌୍‍ ନିଜେ ହୋଇଥା’ନ୍ତି ଅଭିଯୋଗକାରୀ, ସାକ୍ଷୀ ଏବଂ ବିଚାରପତି! ଏହା ସାମ୍ୱିଧାନିକ ଭାବେ ବିଧିସମ୍ମତ ହେଲେ ବି ଏ କ୍ଷେତ୍ରରେ ଏକ ଭିନ୍ନ ଚିତ୍ର ବାରି ହୁଏ। ଅଭିଯୁକ୍ତ ହୁଅନ୍ତି ‘ପ୍ରାଇଭେଟ‌୍‍ ସିଟିଜେନ‌୍‍’ (ସମାନ୍ୟ ନାଗରିକ) ଏବଂ କୋର୍ଟ ତ କୋର୍ଟ। ଦେଶର ଅନ୍ୟତମ ବିଖ୍ୟାତ ବିଚାରପତି ଭି.କେ. କ୍ରିଷ୍ଣା ଆୟାର (୧୫.୧୧.୧୯୧୫-୪.୧୨.୨୦୧୪)ଙ୍କ ମତରେ ଅଦାଲତ ଅବମାନନା ମାମଲାର ବିଚାରରେ ସାଧାରଣତଃ କୋର୍ଟର ଆସ୍ପର୍ଦ୍ଧା ହିଁ ଜୟ କରେ ଏବଂ ସେଥିଯୋଗୁ ତାଙ୍କ ପରାମର୍ଶ ଥିଲା- ଏଥିପାଇଁ ବିଚାରପତି ନିଜ ସୀମା ନିଜେ ନିର୍ଦ୍ଧାରଣ କରିବା ସର୍ବାଗ୍ରେ ପ୍ରୟୋଜନ।

 

ମାତ୍ର ଜଷ୍ଟିସ‌୍‍ ଆୟାର ଆଗରୁ କଦାପି ଜଜ‌୍‍ଙ୍କ ଭିତରେ ଏପରି ଅପ୍ରତ୍ୟାଶିତ ତଥା ଅମାର୍ଜିତ ଲଢ଼େଇ ଦେଖି ନ ଥିବେ।

 

ଯାହାହେଉ ତାଙ୍କ ଉପରେ ହୋଇଥିବା ଦାଣ୍ଡାଦେଶ ପ୍ରତ୍ୟାହାର କରାଯାଉ ବୋଲି ଜଣେ ଓକିଲଙ୍କ ଜରିଆରେ କର‌୍‍ନନ ସୁପ୍ରିମ‌୍‍କୋର୍ଟରେ ନିବେଦନ କରିଥିଲେ। ଆଇନ ସମସ୍ତେଙ୍କ ପାଇଁ ସମାନ ହେଉ ବା ନ ହେଉ, ଦଣ୍ଡର ପରିଚାଳନା ତ ସମାନ! ଅଭିଯୁକ୍ତ ଏବେ ଆତ୍ମ-ସମର୍ପଣ କରିଛନ୍ତି ବା ‘ପଳାତକ’ ହୋଇଛନ୍ତି, ତାହା ଜାଣିବା ଉପାୟ ନାହିଁ।

 

ଦେଶବାସୀ ଆଇନକୁ ଯଥେଷ୍ଟ ସମ୍ମାନ କରନ୍ତି ଏବଂ ଆଶା କରିବୁ- ଅତି ଶୀଘ୍ର ଏ କଳଙ୍କିତ ଅଧ୍ୟାୟର ଇତି ହେଉ। କରନନ୍ ଇତିମଧ୍ୟରେ ସେବାନିବୃତ୍ତ, ଫେରାର ଥାଇ।

 

୨. ନେତା ହେବା ସର୍ଟକଟ‌୍‍ ଉପାୟ!

 

‘ଚକ୍ରତୀର୍ଥ’କୁ ଅନେଇ ବକ୍ରାନନ୍ଦ ପରି ସାଦା ସରଳ ଲୋକଟିଏ ଆଖି ଖୋଲିଲାବେଳକୁ ଦେଖେ, ତା’ ଚାରିପଟ ପଦ୍ମମୟ।

 

ଭାବିଲା, ଠାକୁର ତାଙ୍କ ଧିଏକେ ଏତେ ପଦ୍ମ ଦେଖି ନ ଥିବେ!

 

ଦୃଶ୍ୟ ଦେଖି ସତ ଠଉରେଇଲାବେଳକୁ ଜାଣିଲା ଯେ ତାଙ୍କ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ଜଗନ୍ନାଥ ଦର୍ଶନ ପାଇଁ ଅଭିଯାନ କରି ଯାଉଛନ୍ତି। ସେଇଠୁ ବକ୍ରାନନ୍ଦ ସେମାନଙ୍କ ସହ ଏ.ସି. କାର‌୍‍ରେ ଯାଇ ପରବର୍ତ୍ତୀ ରାସ୍ତାଖର୍ଚ୍ଚ ଓ ଖାଦ୍ୟଖର୍ଚ୍ଚ ବଞ୍ଚେଇ ପାରିଲା। ହଁ, ସେ ସେମାନଙ୍କ ସାଙ୍ଗରେ ମିଶି ଦି’ ତିନି ଥର ଜୟ ଫୟ କହିଥିଲା ଯେ ହେଲେ ପରେ ଟିଭିରେ ନିଜ ମୁହଁ ଦେଖି ଚମକି ପଡ଼ିଲା।

 

ତା’ପରେ ମନକୁ ବୁଝେଇ ଦେଲା। ହ୍ୟାପ, ନେତା ହେବାକୁ ଚୋଖା ଚାନ୍ସଟାଏ ମିଳିଛି!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top