ଓଡ଼ିଆଙ୍କୁ ବିଜୁଙ୍କ ଛୁରାମାଡ଼-୨

News Story - Posted on 2017-06-18

ସୁଭାଷ ଚନ୍ଦ୍ର ପଟ୍ଟନାୟକ

 

ଭାରତର ସମ୍ୱିଧାନ ପ୍ରାଦେଶିକ ସରକାରୀ ଭାଷା ସଂପର୍କରେ ଯାହା କହିଛି ତାହା ବୁଝିବାର ଯୋଗ୍ୟତା ଯେ ବିଜୁବାବୁଙ୍କର ନଥିଲା, ତାହା ନୁହେଁ। ମାତ୍ର ଓଡ଼ିଆ ଭାଷାକୁ ଛୁରି ମାରିବା ଅଭିସନ୍ଧି ରଖି ସେ ତାହାକୁ ଅବଜ୍ଞା କରିଥିଲେ।

 

ସମ୍ୱିଧାନ ସ୍ପଷ୍ଟତଃ କହିଛି, ‘ଯେଉଁ ପର୍ଯ୍ୟନ୍ତ ଭାରତର କୌଣସି ପ୍ରଦେଶ ତା’ର ପ୍ରାଦେଶିକ ଭାଷାକୁ ସରକାରୀ ଭାଷା ଭାବେ ଧାର୍ଯ୍ୟ କରି ନିଜର ସରକାରୀ ଭାଷା ଆଇନ ନକରିଛି, ସେପର୍ଯ୍ୟନ୍ତ ସମ୍ୱିଧାନ ପ୍ରବର୍ତ୍ତନ ପୂର୍ବରୁ ଯେଉଁ ଯେଉଁ କ୍ଷେତ୍ରରେ ଇଂରାଜୀ ଭାଷା ବ୍ୟବହୃତ ହେଉଥିଲା, ସେହି ସେହି କ୍ଷେତ୍ରରେ ଇଂରାଜୀ ଭାଷା ଅନୁସରିତ ହେବ। ଅର୍ଥାତ ଯେଉଁ ମୁହୂର୍ତ୍ତରେ ନିଜ ପ୍ରାଦେଶିକ ଭାଷାରେ ପ୍ରଦେଶଟିର ସରକାରୀ କାମ ଚାଲିବ ବୋଲି ପ୍ରାଦେଶିକ ସରକାର ତାଙ୍କ ‘ସରକାରୀ ଭାଷା ଆଇନ’ ପ୍ରଣୟନ କରିବେ, ଇଂରାଜୀ ଭାଷା ସେହି ମୁହୂର୍ତ୍ତରୁ ହିଁ ସେଠାରେ ସରକାରୀ ଭାଷା ଭାବେ ଲୋପ ପାଇଯିବ।

 

ଓଡ଼ିଶା ସରକାରୀ ଭାଷା ବିଧେୟକ ତା ୬।୯।୧୯୫୪ ତତ୍କାଳ ଲାଗୁହେବା ସର୍ତ୍ତରେ ଓଡ଼ିଶା ବିଧାନସଭା ଦ୍ୱାରା ପାରିତ ହୋଇ ଆଇନ ତାଲିକାଭୁକ୍ତ ହେଲା ୧୪।୧୦।୧୯୫୪ ତାରିଖରେ। ସୁତରାଂ, ସେହିଦିନ, ଅର୍ଥାତ ୧୪।୧୦। ୧୯୫୪ ଦିନ ହିଁ ଇଂରାଜୀ ଭାଷା ଓଡ଼ିଶାରେ ସରକାରୀ ଭାଷା ଭାବେ ଲୋପ ପାଇଗଲା।

 

ଭିନ୍ନ ଭାବେ କହିଲେ, ୧୯୫୪ ଭାଷା ଆଇନ ପ୍ରଣୀତ ହେବା ସଙ୍ଗେ ସଙ୍ଗେ ସରକାରୀ ଭାଷା ଭାବେ ଓଡ଼ିଶା ରାଜ୍ୟରେ ଇଂରାଜୀ ଭାଷା ତା’ର ଅସ୍ତିତ୍ୱ ହରାଇ ସାରିଥିଲା। ଏହି ଦୃଷ୍ଟିରୁ ୧୯୬୩ରେ ବିଜୁ ପଟ୍ଟନାୟକ ଓଡ଼ିଶା ସରକାରୀ ଭାଷା ଆଇନର ସଂଶୋଧନ ବିଧେୟକ ଉପସ୍ଥାପନ କଲାବେଳକୁ ଓଡ଼ିଶାରେ ଇଂରାଜୀର ଆଇନଗତ ଅସ୍ତିତ୍ୱ ନଥିଲା। ଅତଏବ, ୧୯୬୫ ଜାନୁଆରି ୨୬ ପର୍ଯ୍ୟନ୍ତ ତାହା ଚାଲିଥିବ ଓ ସେଦିନ ତାହା ନିଷ୍କାସିତ ନହୋଇ ପୂର୍ବବତ‌୍‍ ଚାଲିବ ବୋଲି ବିଜୁ ଯେଉଁ ସଂଶୋଧନ ବିଧେୟକ ଆଗତ କଲେ ତାହା ଯେପରି ଥିଲା ସଂପୂର୍ଣ୍ଣ ବିଭ୍ରାନ୍ତିମୂଳକ, ଭିତ୍ତିହୀନ ଓ ବେଆଇନ, ତାହାକୁ ପାରିତ କରି ଓଡ଼ିଶା ବିଧାନସଭା ବି ସେହିପରି ବେଆଇନ କାମ କରିଥିଲା। କେତେକ ପ୍ରୌଢୀବାଜ ସଦସ୍ୟ ବିଧାନସଭାରେ ବନ୍ଧ୍ୟା ବାକଚାତୁରୀ ଦେଖାଇଥିଲେ ବିତର୍କ କାଳରେ। ସମୟକ୍ରମେ ତହିଁ ଉପରେ ଆମେ ଦୃଷ୍ଟିପାତ କରିବା। ମାତ୍ର ଏବେ ଏହା ହିଁ କୁହାଯାଇପାରେ ଯେ ଓଡ଼ିଆ ଭାଷା ଜନନୀ ଆଦି ଯେଉଁ ମୁମୂର୍ଷୁ ଅବସ୍ଥାରେ ପଡିଛି ତାହାପାଇଁ ଓଡ଼ିଶାର ୩ୟ ବିଧାନସଭା ଓ ତାର ପ୍ରୌଢୀବାଜ, ମତଲବଖୋର ସଦସ୍ୟମାନେ ସଂପୂର୍ଣ୍ଣତଃ ଦାୟୀ। ଏହି ବିଧାୟକୀୟ ମଥା-ପକ୍ଷାଘାତର ବ୍ୟଥାଦାୟକ ଚିତ୍ର ମିଳେ ୨୭।୯।୧୯୬୩ ତାରିଖର ବିଧାନସଭା ବିତର୍କରେ।

 

ଏକ ଭୟଙ୍କର ମିଥ୍ୟା ବୟାନ ରଖି ସେଦିନ ବିଜୁ ପଟ୍ଟନାୟକ ଭାଷା ଆଇନ ସଂଶୋଧନର ବିଧେୟକ ଆଗତ କରିଥିଲେ। ସେ କହିଥିଲେ, ଆମେ ମୂଳରୁ ଭାବିଥିଲୁ କି, ଆମ ବିଧାନସଭାରେ ୧୯୬୫ ଜାନୁଆରି ସୁଦ୍ଧା ଇଂରାଜୀ ଭାଷା ଆମେ ବଦଳାଇ ଦେଇଥିବୁ (ଓଡ଼ିଶା ବିଧାନସଭା ବିତର୍କ, ସ୍କନ୍ଧ-୫, ସଂଖ୍ୟା ୨୦)। ଆମ ସମ୍ୱିଧାନର ଉପରୋଦ୍ଧୃତ୍ତ ବ୍ୟବସ୍ଥା ଦୃଷ୍ଟିରୁ ଏହା ଥିଲା ସଂପୂର୍ଣ୍ଣ ଭୁଲ। କାରଣ, ଓଡ଼ିଶା ସରକାରୀ ଭାଷା ଆଇନ ପ୍ରଣୟନ ସଙ୍ଗେ ସଙ୍ଗେ ୧୪।୧୦।୧୯୫୪ରେ ହିଁ ଓଡ଼ିଶାରେ ସରକାରୀ ଭାଷା ରୂପେ ଇଂରାଜୀ ଭାଷା ମୃତ୍ୟୁ ଲିଭିଥିଲା। ସମ୍ୱିଧାନ ସଂଶୋଧନ କରି ଧାରା ୩୪୫ର ବିଲୋପନ ବା ପରିବର୍ତ୍ତନ ଘଟାଇଥିଲେ ହୁଏତ ତାହାକୁ ପୁନଃସକ୍ରିୟ କରାଯାଇପାରିଥାନ୍ତା। କିନ୍ତୁ ତାଦ୍ଦୃଶ ସଂଶୋଧନ ହୋଇନଥିଲା। ସୁତରାଂ, ସରକାରୀ ଭାଷା ଭାବେ ମରିସାରିଥିବା ଇଂରାଜୀ ଭାଷାକୁ ଜୀବନ୍ୟାସ ଦେବା କାହାରି ପକ୍ଷେ ସମ୍ଭବ ନଥିଲା। ଏପରି ଅବସ୍ଥାରେ, ଇଂରାଜୀ ଭାଷା ଓଡ଼ିଶାରେ ସରକାରୀ ଭାଷା ଭାବେ ବଞ୍ଚିଛି ଓ ତାହା ୧୯୬୫ ଜାନୁଆରି ଯାଏଁ ବଞ୍ଚିଥିବ ବୋଲି ବିଧାନସଭାକୁ ବିଜୁ ଯାହା କହିଲେ ତାହାଥିଲା ଡାହା ମିଛ ଓ ବିଭ୍ରାନ୍ତିକର। ଲଜ୍ଜାର କଥା, ଯେଉଁ ବିଧାୟକମାନେ ଏହା ଉପରେ ମତ ରଖିଲେ, ସେମାନେ କେହି ବି ଏହି ବିଧିକ ଦିଗଟି ବିଚାରକୁ ନେଲେନାହିଁ।

 

ଏଥିରେ କୁହାହେଲା, ‘ଭାରତୀୟ ସମ୍ୱିଧାନ ପ୍ରବର୍ତ୍ତିତ ହେବାର ପନ୍ଦର ବର୍ଷ ଅତ୍ରିକାନ୍ତ ହୋଇଯିବା ପରେ ବି, ଓଡ଼ିଆ ଅଧିକନ୍ତୁ, ଇଂରାଜୀ ଭାଷା ୧୯୬୫ ଜାନୁଆରି ମାସର ୨୬ ତାରିଖ ଠାରୁ ଓଡ଼ିଶା ବିଧାନସଭାର କାର୍ଯ୍ୟ ସଂପାଦନରେ ଯଥାବତ‌୍‍ ବ୍ୟବହୃତ ହୋଇପାରେ’। ଯେଉଁ ଇଂରାଜୀ ଭାଷା ସମ୍ୱିଧାନର ଧାରା ୩୪୫ର ସର୍ତ୍ତ ପ୍ରଭାବରେ ଓଡ଼ିଶାର ସରକାରୀ ଭାଷା ମର୍ଯ୍ୟାଦାରୁ ହଟିସାରିଛି ୧୯୫୪ ଅକ୍ଟୋବର ୧୪ରେ, ତାହାକୁ ସମ୍ୱିଧାନର ଆବଶ୍ୟକୀୟ ସଂଶୋଧନ ନକରି, ପୁନରୁଜ୍ଜୀବିତ କରିବାର ଅଧିକାର ଓଡ଼ିଶା ସରକାରଙ୍କୁ କେଉଁଠୁ ମିଳିଲା ବୋଲି ଆମ ଯୋଗ୍ୟ ବିଧାୟକମାନେ ପ୍ରଶ୍ନ ତୋଳି ପାରିଲେନି। ଅଧିକନ୍ତୁ, ୧୯୬୫ରେ ସରକାରୀ ଭାଷା କ୍ଷେତ୍ରରେ କ’ଣ ହେବ ସେଥିପାଇଁ ଓଡ଼ିଶା ସରକାରୀ ଭାଷା ଆଇନ ୧୯୫୪ରେ ଏପରି ଆଗୁଆ ସଂଶୋଧନ ୧୯୬୩ରେ, ଅଥାର୍ତ‌୍‍ ୧୯୬୫ର ଦୁଇବର୍ଷ ପୂର୍ବରୁ କାହିଁକି ଅଗତ୍ୟା ଦରକାର ପଡିଲା? ବିଜୁବାବୁଙ୍କ ଯୁକ୍ତି ଥିଲା, ଜାତୀୟ ସଂହତି ସମ୍ମିଳନୀରେ ସବୁ ରାଜନୈତିକ ଦଳମାନେ ଏକମତ ହୋଇଛନ୍ତି କି, ହିନ୍ଦୀକୁ ଜାତୀୟ ସରକାରୀ ଭାଷା ଭାବେ ନିଆହୋଇଥିଲେ ମଧ୍ୟ ଇଂରାଜୀ ଭାଷା ୧୯୬୫ରେ ଅପସାରିତ ନହୋଇ ପ୍ରଶାସନିକ ଭାଷା ଭାବେ ଚାଲୁ ରହିବ। ତେଣୁ, ତାଙ୍କ ମତରେ ଏହି ସଂଶୋଧନ ଥିଲା ଅପରିହାର୍ଯ୍ୟ।

 

ଏହାବି ଥିଲା ଏକ ପ୍ରଚଣ୍ଡ ପ୍ରତାରଣା। କାରଣ, ୧୯୬୧ରେ ଦେଶର ବଢି ଚାଲିଥିବା ଧର୍ମୀୟ ପ୍ରୌଢି, ପ୍ରାନ୍ତୀୟ ପ୍ରୌଢି ଓ ଭାଷା ପ୍ରୌଢିର ପ୍ରତିକାର ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଜାତୀୟ ସଂହତି ସମ୍ମିଳନୀ ଡାକିଥିଲେ ତାହା ଏକ ଜାତୀୟ ସଂହତି ପରିଷଦ ଗଠନ କରିବାକୁ ଓ ସେହି ପରିଷଦ ଏ ସଂପର୍କରେ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଗ୍ରହଣ କରି ଶେଷ ହୋଇଥିଲା। ପରିଷଦ ୧୯୬୮ରେ ତାର ଅଭିଳାଷ ଘୋଷଣା କରିଥିଲା। ସୁତରାଂ ୧୯୬୩ରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ଭିତ୍ତିରେ ପ୍ରଶାସନିକ କ୍ଷେତ୍ରରେ ଆଇନତଃ ଲୋପ ହୋଇସାରିଥିବା ଇଂରାଜୀ ଭାଷାକୁ କବର ଖୋଳି ଜୀବନ୍ୟାସ ଦେବାକୁ ବିଜୁ ଏହି ଯେଉଁ ବିଧେୟକ ଅବୈଧ ଶୈଳୀରେ ବିଧାନସଭା ଉପରେ ଚାପି ଦେଇଥିଲେ ତହିଁ ସହ ଜାତୀୟ ସଂହତି ସମ୍ମିଳନୀର ତଥାକଥିତ ପ୍ରସ୍ତାବ ଓ ତହିଁର ସାମ୍ୱିଧାନିକ ଅପରିହାର୍ଯ୍ୟତାର କୌଣସି ଦସ୍ତାବିତ‌୍‍ ସଂଯୁକ୍ତ ହୋଇନଥିଲା କି କୌଣସି ସଦସ୍ୟ ନିଜ ଆଲୋଚନାରେ ତହିଁର ଉଲ୍ଲେଖ କରିନଥିଲେ।

 

ଯଦି ତହିଁର କିଛି ଅପରିହାର୍ଯ୍ୟତା ଥାନ୍ତା, ତେବେ ସମ୍ୱିଧାନ କରି ଧାରା ୩୪୫ର, ବିଶେଷ କରି ତହିଁର ପରନ୍ତୁକର ବିଲୋପନ ବା ପରିବର୍ତ୍ତନ କରି, ସେହି ଭିତ୍ତିରେ ଓଡ଼ିଶା ସରକାରୀ ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ କରାଯାଇପାରିଥାନ୍ତା ୧୯୬୫ରେ। ସେପରି କୌଣସି ପଦକ୍ଷେପ ନେଇ, ୧୯୬୫ର ଦି’ ବର୍ଷ ପୂର୍ବରୁ, ୧୯୬୩ରେ ଯେଉଁ ତରବରିଆ ଭାବେ ବିଜୁବାବୁ ସଂଶୋଧନ ଘଟାଇଲେ, ତାହା ତାଙ୍କ ଅଶୁଦ୍ଧ ଅଭିପ୍ରାୟ ଆଡେ ଅଙ୍ଗୁଳି ନିର୍ଦ୍ଦେଶ କରେ।

 

ବିଜୁ ସେଦିନ ନାନା ବିଭ୍ରାନ୍ତିକର କଥା କହିଲେ। ଯେଉଁ ଆଇନକୁ ସଂଶୋଧନ କରିବାକୁ ସେ ଏହି ବିଧେୟକ ଗୃହୀତ ହେବା ଉପରେ ଏପରି ଅହେତୁକ ଗୁରୁତ୍ୱ ଦେଇଥିଲେ, ସେ ଆଇନଟି ଓଡିଶାରେ କାର୍ଯ୍ୟକାରୀ ହେଉଥିଲା କି ନାହିଁ ସେ ତାହା ଉପରେ କିଛି କହିନଥିଲେ। ଓଡିଶା ସରକାରୀ ଭାଷା ଆଇନ ୧୯୫୪ ପ୍ରଣୟନ କରି ନବକୃଷ୍ଣ ଚୌଧୁରୀ କ୍ଷମତାରୁ ଗଲେ। ତେଣୁ ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ କର୍ତ୍ତବ୍ୟ ଥିଲା ଆଇନଟିକୁ  କାର୍ଯ୍ୟକାରୀ କରାଇବା। ସେମାନେ ସେହି କର୍ତ୍ତବ୍ୟ ନିର୍ବାହ କରିନଥିଲେ। ସୁତରାଂ ୧୯୬୩ ସଂଶୋଧନ ଦ୍ୱାରା ମୂଳ ଆଇନର ୩ୟ ଧାରା ତଳେ ୩-କ ନାମକ ନୂତନ ଧାରା ଯୋଡିବା ପାଇଁ ସେ ଯେତେବେଳେ ବିଧାନସଭାକୁ ଆହ୍ୱାନ ଦେଲେ, ମୂଳ ଆଇନଟି  କେତେଦୂର କାର୍ଯ୍ୟକାରୀ ହୋଇଛି ଓ ତହିଁର ଅନୁଭୂତି କ’ଣ ତାହା ସେ ପ୍ରାଞ୍ଜଳ ଭାବେ ଗୃହକୁ ଜଣାଇବା ଦରକାର ଥିଲା। ସେ ତାହା କଲେନାହିଁ। ସମସ୍ତଙ୍କୁ ଅନ୍ଧକାରରେ ରଖି ଜାତୀୟ ସଂହତି ପରିଷଦର ବିଭ୍ରାନ୍ତିକର ଦୁହା ଦେଇ ୧୯୬୫ ଜାନୁୟାରୀରୁ ବିଧାନସଭାରେ ଓଡିଆ ସାଙ୍ଗକୁ ଇଂରାଜୀ ଚାଲିବା ଆବଶ୍ୟକ ବୋଲି କହିଥିବା ବିଜୁବାବୁ ଆଇନଟିର ୩ୟ ଧାରାର ସ୍ଥିତି ସମ୍ପର୍କରେ ମଧ୍ୟ ପାଟି ଫିଟେଇନଥିଲେ।

 

ଆଇନଟିର ୩ୟ ଧାରାଟି ବିଧାନସଭାରେ ବିଧେୟକ ଇତ୍ୟାଦିର ଭାଷା କ’ଣ ହେବ ତାହାହିଁ କହିଛି। ତଦନୁଯାୟୀ, ରାଜ୍ୟ ସରକାର ଯେଉଁଦିନ ଯେଉଁ ବିଭାଗ ପାଇଁ ସ୍ଥିର କରିବେ ସେହିଦିନୁ ସେହି ବିଭାଗର ବିଧିକ ଭାଷା କେବଳ ଓଡିଆ ହିଁ ହେବ। ଚାରିଗୋଟି ଉପଧାରାରେ ଏହି ଧାରାର ପରିସର ଖୋଦିତ। ତଦନୁଯାୟୀ-

 

(କ) ଓଡିଶା ବିଧାନସଭାରେ ଆଗତ ହେବାକୁ ଥିବା ସମସ୍ତ ବିଧେୟକ ବା ତହିଁର ସଂଶୋଧନ ବିଧେୟକ;

 

(ଖ) ରାଜ୍ୟ ବିଧାନସଭାଦ୍ୱାରା ପାରିତ ସମସ୍ତ ଆଇନ;

 

(ଗ) ସମ୍ୱିଧାନର ୨୧୩ ଧାରା ବଳରେ ରାଜ୍ୟପାଳ ପ୍ରବର୍ତ୍ତନ କରୁଥିବା ସମସ୍ତ ଅଧ୍ୟାଦେଶ ଓ

 

(ଘ) ସମ୍ୱିଧାନ ଅନୁସାରେ କିମ୍ୱା ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନସଭା ପ୍ରଣୟନ କରିଥିବା ଆଇନ ଅନୁସାରେ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ଆଦେଶ, ନିୟମ  ବିନିମୟ ବା ନିୟମାବଳୀର ଭାଷା ଓଡିଆ ହେବ।

 

ଏହି ତୃତୀୟ ଧାରାକୁ ନିଶ୍ଚିହ୍ନ ବା ସଂଶୋଧନ ନକରି, ଏହି ଧାରାଟିର ତଳେ ନୂତନ ୩-କ ଖଞ୍ଜିବାପାଇଁ ବିଜୁବାବୁ ଆଇନଟିର ସଂଶୋଧନ ଘଟାଇଲେ, ତାହା ୩ୟ ଧାରାଟିକୁ ପାଂଶୁଳ କରି ସମଗ୍ର ଓଡିଆ ଜାତିକୁ ଇଂରାଜୀଭାଷାଧିପତ୍ୟ କବଳକୁ ଠେଲିଦେଲା, ଯେଉଁ ଇଂରାଜୀ ଆଧିପତ୍ୟରୁ ମୁକ୍ତିପାଇଁ ଭାରତର ସର୍ବକନିଷ୍ଠ ସହିଦ ବାଜି ରାଉତ ଦେଖେଇ ଦେଇଥିଲେ ତାଙ୍କ ବାରବରଷିଆ କଅଁଳ ଛାତି ଗୋରା ସାହାବେଙ୍କ ବନ୍ଧୁକର ବାୟୋନେଟକୁ, ଲକ୍ଷ୍ମଣ ନାୟକ ଝୁଲି ପଡିଥିଲେ ଗୋରା ଜହ୍ଲାଦର ଫାଶୀଖୁଣ୍ଟରେ ହସିହସି।

 

ବସ୍ତୁତଃ, ବିଜୁବାବୁଙ୍କ ପ୍ରଚୋଦିତ ବିଧେୟକ ଥିଲା ଯେତିକି ବିଭ୍ରାନ୍ତକ, ଓଡିଆ ଭାଷା ପ୍ରତି ସେତିକି କ୍ଷତିକାରକ। ତେଣୁ ତାକୁ ସେହିପରି ଭାବେ ଗ୍ରହଣ ନକରି ତହିଁ ଉପରେ ଜନମତ ସଂଗ୍ରହ ପାଇଁ ପଦକ୍ଷେପ ନେବାକୁ ବହୁ ବିଜ୍ଞ ବିଧାୟକ ପ୍ରସ୍ତାବ ଦେଇଥିଲେ।

 

ପ୍ରସନ୍ନ କୁମାର ପାଲ ବିଜୁବାବୁଙ୍କ ସଂଶୋଧନ ଉପରେ ବିତର୍କ ସ୍ଥଗିତ ରଖି ୧୯୬୪ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଜନମତ ସଂଗ୍ରହ କରାଯାଉ ବୋଲି ବିଧିବଦ୍ଧ ପ୍ରସ୍ତାବ ଉପସ୍ଥାପିତ କରିଥିଲେ: (Sir,I beg to move that the Orissa Official Language (Amendment)Bill,1963 be circulated for the purpose of eliciting opinion thereon by the 30th August 1964) ଏବଂ ତାହା ବିଚାରପାଇଁ ଗୃହୀତ ହେଲା ବୋଲି ଅଧ୍ୟକ୍ଷତା କରୁଥିବା ଗଦାଧର ଦତ୍ତ ଘୋଷଣା କରିଥିଲେ।

 

ଘାଷିରାମ ମାଝି କହିଥିଲେ, ୧୯୬୩ ଡିସେମ୍ୱର ୩୧ ସୁଦ୍ଧା ଜନମତ ସଂଗ୍ରହ ପାଇଁ ବିଧେୟକଟିକୁ ରାଜ୍ୟବାସୀଙ୍କ ମଧ୍ୟରେ ବଣ୍ଟାଯାଉ (Sir,I beg to move that the Orissa Official Language (Amendment)Bill,1963 be circulated for the purpose of eliciting opinion thereon by the 31st  December 1964) ଓ ତାହା ବିଚାରପାଇଁ ଗୃହୀତ ହେଲା ବୋଲି ଘୋଷଣା କରିଥିଲେ ଅଧ୍ୟକ୍ଷ।

 

ପ୍ରସନ୍ନ କୁମାର ପାଲ ପୁନଶ୍ଚ ଦାବି କରିଥିଲେ କି, ବିଜୁବାବୁ ପାରିତ କରିବାକୁ ଚାହୁଁଥିବା ସଂଶୋଧନ ବିଧେୟକଟି ଯେଉଁ ରୂପରେ ଆସିଛି ସେହି ରୂପରେ ବିଚାର୍ଯ୍ୟ କି ନାହିଁ ତାହା ପରୀକ୍ଷଶ କରି ମତ ଦେବା ପାଇଁ ଏକ ସିଲେକ୍ଟ କମିଟି ଗଠନ କରାଯାଉ ଓ ସେହି କମିଟି ଏହାକୁ ପରୀକ୍ଷା ନିରୀକ୍ଷା କରି ୧୯୬୪ ଅଗଷ୍ଟ ୩୦ ସୁଦ୍ଧା ତାର ମତ ଦେଉ। ଏହି କମିଟି ପାଇଁ ସେ ସବୁ ଦଳରୁ ସଭ୍ୟ ବାଛି ନଅ ଜଣଙ୍କ ନାମ ଦେଇଥିଲେ। ସେମାନେ ହେଲେ - ଲୋକନାଥ ମିଶ୍ର (ଆସ୍କା), ରଘୁନାଥ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ରଘୁନାଥ ମିଶ୍ର, ହରିହର ପଟେଲ, ଗଙ୍ଗାଧର ପାଇକରାୟ, ସତ୍ୟପ୍ରିୟ ମହାନ୍ତି ଓ ପଦାରୂଢ ସଦସ୍ୟ। ଏହା ବି ବିଚାର ପାଇଁ ଗୃହୀତ ହୋଇଥିଲା।

 

କଣ୍ଡୁରୀ ଚରଣ ମଲ୍ଲିକ ମଧ୍ୟ ୧୯୬୪ ଡିସେମ୍ୱର ୩୧ ତାରିଖ ପର୍ଯ୍ୟନ୍ତ ବିଜୁବାବୁଙ୍କ ସଂଶୋଧନ ଉପରେ ବିତର୍କ ସ୍ଥଗିତ ରଖାଯାଇ ଜନମତ ସଂଗ୍ରହ କରାଯାଉ ବୋଲି ପ୍ରସ୍ତାବ ଆଗତ କରିଥିଲେ ଓ ତାହା ବିଚାର ପାଇଁ ଗୃହୀତ ହୋଇଥିଲା। (କ୍ରମଶଃ)

 

ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା 

ମୋ-୯୪୩୭୩୦୮୫୮୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top