ଯୁବଛାତ୍ର ଓ ଚାଷୀ ଆତ୍ମହତ୍ୟା ବଢୁଛି!

News Story - Posted on 2017-06-18

ସୂର୍ଯ୍ୟମଣି ମିଶ୍ର

 

ଗତ ୧୫ ବର୍ଷ ମଧ୍ୟରେ ଅଟଳ ବିହାରୀ ବାଜପେୟୀ, ଡଃ ମନମୋହନ ସିଂହ ଓ ଏବେ ନରେନ୍ଦ୍ର ଦାମୋଦର ଦାସ ମୋଦି ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ସରକାରଙ୍କର ସତ୍ୟପାଠ ହେଲା ଆମେ ଜନତାଙ୍କ ପାଇଁ, ଜନତାଙ୍କ ହିତରେ ଉତ୍ତରଦାୟୀ। କିନ୍ତୁ ବାସ୍ତବତା ହେଲା ସରକାର ନିଜର ସାମ୍ୱିଧାନିକ ଉତ୍ତରଦାୟିତ୍ୱ ନିର୍ବାହ କରିବାରେ ଯେ ସମର୍ଥ ତାହାର ଉଦାହରଣ ସାମ୍ନାକୁ ଆସିପାରୁନାହଁି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ.ସି.ଆର.ବି) ରିପୋର୍ଟ ଅନୁଯାଇ ଗତ ୧୫ ବର୍ଷ ମଧ୍ୟରେ ଦେଶରେ ୯୯ ହଜାର ୭୫୬ ଜଣ ଛାତ୍ର, ୨ ଲକ୍ଷ ୭୪ ହଜାର ୨୪୨ ଜଣ କୃଷକ ଏବଂ ୧ ଲକ୍ଷ ୪୪ ହଜାର ୯୭୪ ଯୁବବର୍ଗ ଆତ୍ମହତ୍ୟା କରିଛନ୍ତି। ଛାତ୍ର, କୃଷକ ଓ ବେକାର ଯୁବବର୍ଗ ଆତ୍ମହତ୍ୟା କରିବା ପଛରେ ବଡ କାରଣ ହେଉଛି ହତାଶା।

 

ମହାତ୍ମା ଗାନ୍ଧି ଦୀର୍ଘ ୨୦ ବର୍ଷ ଧରି ଦଷିଣ ଆଫ୍ରିକାରେ ଗୋରା ସରକାରଙ୍କ ବର୍ଣ୍ଣ ବିଦ୍ୱେଷ ନୀତି ବିରୋଧରେ ସଂଗ୍ରାମ କରି ଭାରତକୁ ଫେରି କୃଷକଙ୍କୁ ନ୍ୟାୟ ଦେବା ପାଇଁ ସତ୍ୟାଗ୍ରହ ସଂଗ୍ରାମର ଶଂଖନାଦ କରିଥିଲେ। ଏହି ସମୟରେ ରୁଷ ବିପ୍ଳବ ଆରମ୍ଭ ହୋଇଥିଲା। ଏହି ସମୟ ଥିଲା ୧୯୧୭ ମସିହା। ୧୯୧୬ରେ କଂଗ୍ରେସର ଲକ୍ଷ୍ନୌ ଅଧିବେଶନରେ ଗାନ୍ଧୀଜୀ ବିହାରର ଚମ୍ପାରଣରେ କୃଷକ ଶୋଷଣର ଶିକାର ହେଉଥିବା ନେଇ ପ୍ରସ୍ତାବ ଆଗତ କରିଥିଲେ ଏବଂ କଲିକତାର ରାଜକୁମାର ଶୁକ୍ଳଙ୍କ ସହ ଚମ୍ପାରଣ ଯାଇ କୃଷକଙ୍କ ଆନ୍ଦାଳନ ସହ ସାମିଲ ହୋଇଥିଲେ। ଚମ୍ପାରଣ ଆନ୍ଦୋଳନର ଶତ ବାର୍ଷିକ ପାଳନ ଅବସରରେ ମଧ୍ୟ କୃଷକ ସ୍ୱାବଲମ୍ବୀ ହୋଇ ପାରିନାହିଁ। ଏବେ ବି କୃଷକ ଶୋଷଣରୁ ମୁକ୍ତି ପାଇନାହିଁ। ମିଳୁନି ସେମାନଙ୍କୁ ହକ୍‌, ଅନ୍ନଦାତାର ପରିଚୟ ନେଇ କେବଳ ମରୁ ମରୁ ବଞ୍ଚୁଛନ୍ତି। ସରକାରୀ ଦମନରୁ ରକ୍ଷା ମିଳୁନି, ହକ‌୍‍ ମାଗିଲେ ଗୁଳି ମାଡ ଖାଇବାକୁ ପଡୁଛି ଅଥବା ଜେଲ ଜିବାକୁ ପଡୁଛି। ୧୦୦ ବର୍ଷ ତଳେ ସମ୍ରାଜ୍ୟବାଦୀ ଇଂରେଜ ସରକାର ଯେଭଳି ଦମନ କରୁଥିଲା ଆଜିର ଗଣତାନ୍ତ୍ରିକ ସରକାର କୃଷକଙ୍କୁ ନ୍ୟାୟ ଦେବା ବଦଳରେ ଦମନ କରିବାକୁ ପଛାଉ ନାହଁି। ଋଣଯନ୍ତାରେ ପଡି କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ତା’ ଜମିକୁ ପାଣି ମିଳୁନି, ତାକୁ ତା’ର ଉତ୍ପାଦିତ ସମଗ୍ରୀର ବିପଣନ ପାଇଁ ବଜାର ମିଳୁନି। ତା’ ପାଇଁ ଶିତଳ ଭଣ୍ଡାର ନାହିଁ, ମଣ୍ଡି ସୁବିଧା ନାହଁି, ବିହନ, ସାର ଓ କୀଟନାଶକର ଦର ଆକାଶ ଛୁଆଁ।

 

ଏହିପରି ଛାତ୍ରଙ୍କୁ ସମାନତା ଓ ଗୁଣବତ୍ତା ଭିତ୍ତିକ ଶିକ୍ଷା ସୁଯୋଗ ମିଳୁନି, ଶିକ୍ଷାୟତନରେ ସେ ଭେଦଭାବ ବା ବୈଷମ୍ୟର ଶିକାର ହେଉଛି। ଶେଷରେ ହତାଶ ହୋଇ ଆତ୍ମହତ୍ୟା କରୁଛି।  ଦେଶର ଯୁବବର୍ଗ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ସରକାର ନିଜର ଦାୟିତ୍ୱ ପାଳନ କରୁନାହାନ୍ତି। ଫଳରେ ଛାତ୍ର ଓ ଯୁବବର୍ଗ ଆତ୍ମହତ୍ୟା କରୁଛନ୍ତି। ଅତ୍ମହତ୍ୟା ହାର ବର୍ଷକୁ ବର୍ଷ ଅଧିକରୁ ଅଧିକ ବୃଦ୍ଧି ପାଉଛି। ଏହା ଦେଶର ବିକାଶ ବା ଅଗ୍ରଗତିର ବାଧକ ନିଶ୍ଚୟ। ସରକାର କିନ୍ତୁ ଏହି ଆତ୍ମହତ୍ୟା ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ଛାତ୍ର, ଯୁବ ଓ କୃଷକଙ୍କ ଆବଶ୍ୟକତା ଓ ବିକାଶ ପାଇଁ ଆବଶ୍ୟକ ପଦକ୍ଷପ ଗ୍ରହଣ କରୁନାହାନ୍ତି।

 

ଦେଶର କୃଷକ ସବୁଠୁ ଦୟନୀୟ ଜୀବନ ବିତାଉଛନ୍ତି। କାରଣ ତା’ର ଉତ୍ପାଦିତ ସାମଗ୍ରୀ ନଷ୍ଟ ହେଉଛି। ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟହାରଭେଷ୍ଟିଂ ଇଂଞ୍ଜିନିୟରିଂ  ଆଣ୍ଡ ଟେକ୍ନୋଲୋଜିର ସଦ୍ୟତମ ରିପୋର୍ଟ ଅନୁଯାଇ ପ୍ରତିବର୍ଷ ସରକାରୀ ଗୋଦାମରେ ୯୨ ହଜାର ୬୫୧ କୋଟି ଟଙ୍କାର ଖାଦ୍ୟ ପଦାର୍ଥ ନଷ୍ଟ ହେଉଛି। ରିପୋର୍ଟ ଅନୁଯାୟୀ କେବଳ ୩୧ କୋଟିରୁ ଅଧିକ ଟଙ୍କାର ପରିବା ଓ ଫଳ ନଷ୍ଟ ହୋଇଥାଏ। ବର୍ଷକୁ ୭୧୮୬ କୋଟି ଟଙ୍କାର ଆମ୍ୱ, ୩୯୦୩ କୋଟି ଟଙ୍କାର କଦଳି, ୫୦୦୫ କୋଟି ଟଙ୍କାର ଆଳୁ ଓ ୩୬୬୬ କୋଟି ଟଙ୍କାର ବିଲାତି ବାଇଗଣ ନଷ୍ଟ ହୋଇଥାଏ। ଏହି କ୍ଷତି କୃଷକର। କୋଲକାତାର ଇଣ୍ଡିୟାନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ଗବେଷଣାର ତଥ୍ୟ ଅନୁଯାଇ ଦେଶରେ ସରକାରଙ୍କ ପାଖରେ ମାତ୍ର ୧୦ ପ୍ରତିଶତ ଶସ୍ୟ ସଂରକ୍ଷଣ ସୁବିଧା ଅଛି। ୨୦୧୧-୧୨ରୁ ୨୦୧୬-୧୭ ମଧ୍ୟରେ ୬୧ ହଜାର ୮୨୪ ଟନ‌୍‍ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ କେବଳ ନଷ୍ଟ ହୋଇଥିବା ଖାଦ୍ୟ ସାମଗ୍ରୀର ପରିମାଣ ୮୬୭୯ ଟନ‌୍‍।

 

ଗତ ୧୫ ବର୍ଷରେ ପ୍ରତି ଘଣ୍ଟାରେ ୨ ଜଣ କୃଷକଙ୍କର ମୃତ୍ୟୁ ଘଟୁଛି। ମୃତ୍ୟୁ ସ୍ୱାଭାବିକ ନୁହେଁ, ସରକାରଙ୍କ ଉପେକ୍ଷା ଓ ଅବହେଳାର ଶିକାର ହୋଇ ଜଣେ ପରେ ଜଣେ କୃଷକ ଆତ୍ମହତ୍ୟା କରୁଛନ୍ତି। ଏହିପରି ପ୍ରତି ୧ ଘଣ୍ଟାରେ ଜଣେ ଛାତ୍ର ଓ ପ୍ରତି ୧ ଘଣ୍ଟାରେ ଜଣେ ଯୁବ ଆତ୍ମହତ୍ୟା କରୁଛି। ଏହା ଦେଶର ପ୍ରଗତିର ମାପକ ନୁହେଁ। ବରଂ ଦୁର୍ଗତିର ସୂଚନା। ନିର୍ବାଚିତ ସରକାର କିନ୍ତୁ ନିଜର ଅପାରଗତା ଓ ଅବହେଳାକୁ ସ୍ବୀକାର କରୁନାହାନ୍ତି। ଯାହା ଦେଶର ବିକାଶ ପାଇଁ ବାଧକ ନିଶ୍ଚୟ। ଯେଉଁ ସମୟରେ ଭାରତୀୟ ବ୍ୟାଙ୍କ ବୃହତ କମ୍ପାନିମାନଙ୍କୁ ୬ ଲକ୍ଷ କୋଟି ଟଙ୍କାର ଋଣ ଛାଡ ପାଇଁ ସବୁଜ ସଙ୍କେତ ଦେଉଛନ୍ତି ସେହି ସମୟରେ ଦେଶର କୃଷି ଓ କୃଷକଙ୍କ ବିକାଶ, ଛାତ୍ର ସମସ୍ୟାର ସମାଧାନ ଓ ଯୁବବର୍ଗଙ୍କ ନିଯୁକ୍ତି କିମ୍ୱା ଆତ୍ମନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷପ ନେଉ ନାହାନ୍ତି। ସୂଚନାଯେଗ୍ୟ ଯେ ଦେଶର ସଂଗଠିତ କ୍ଷେତ୍ରରେ ମାତ୍ର ୫ରୁ ୧୦ ପ୍ରତିଶତ ନିଯୁକ୍ତି ପାଇଥିଲା ବେଳେ, ଅସଂଗଠିତ କ୍ଷେତ୍ରରେ ୯୦ରୁ ୯୫ ପ୍ରତିଶତ କାର୍ଯ୍ୟରତ ଥାନ୍ତି। ଅସଂଗଠିତ କ୍ଷେତ୍ର ତାଲିକାରେ କୃଷି କ୍ଷେତ୍ର ଅନ୍ୟତମ। ଏହି କୃଷି କ୍ଷେତ୍ର ଲାଭଜନକ ହେଉ ନଥିବାରୁ ୬ ଜାନୁଆରୀ ୨୦୧୭ ଏନ.ସି.ଆର.ବି ରିପୋର୍ଟ ଅନୁଯାୟୀ କୃଷକ ଆତ୍ମହତ୍ୟା ପରିମାଣ ୪୧.୦୭ ପ୍ରତିଶତ ବୃଦ୍ଧି ପାଇଛି। ଆମ ଦେଶ ଏକ ଗଣତାନ୍ତ୍ରିକ ଦେଶ। ଦେଶରେ ସମସ୍ତଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଏହା ସାମ୍ୱିଧାନିକ ଅଧିକାର। ଏହି ଅଧିକାର ପ୍ରଦାନର ଉତ୍ତରଦାୟିତ୍ୱ ହେଉଛି ନିର୍ବାଚିତ ସରକାରଙ୍କର। କିନ୍ତୁ ସରକାର ନିଜର ଦାୟିତ୍ୱ ପାଳନ କରୁନାହାନ୍ତି।

 

ଭୁବନେଶ୍ବର, ଫୋନ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top