ବିରୋଧ ପରେ ଜିଏସଟି ହାରରେ ସଂଶୋଧନ

News Story - Posted on 2017-06-16

ସାମଗ୍ରୀ ଓ ସେବା କର ହାରରେ କେତେକ ସଂଶୋଧନ କରିଛନ୍ତି ଜିଏସଟି ପରିଷଦ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ୬୬ ସାମଗ୍ରୀ ଉପରେ ଜିଏସଟି ହାର ସଂଶୋଧନ କରାଯାଇଛି। ପରିଷଦର ୧୬ଶ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲି।

 

ଜିଏସଟି ପରିଷଦ ବୈଠକ ପରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ ୧୩୩ଟି ସାମଗ୍ରୀ ଉପରେ ଜିଏସଟି କମାଇବାକୁ ଦାବି ହୋଇଥିଲା। ପରିଷଦ ୬୬ଟି ସାମଗ୍ରୀ ଉପରେ ଜିଏସଟି ହାର କମାଇଛନ୍ତି। ମଧୁମେହ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଇନ‌୍‍‌୍‍ସୁଲିନ‌୍‍‌୍‍, ଧୂପକାଠି, ସ୍କୁଲବ୍ୟାଗ ଆଦି କେତେକ ସାମଗ୍ରୀ ଉପରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଜିଏସଟି ହାରକୁ କମାଇ ଦିଆଯାଇଛି। ଜୁଲାଇ ପହିଲାରୁ ସମଗ୍ର ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହେବ।

 

ଅର୍ଥମନ୍ତ୍ରୀ ଜେଟଲି ଦେଇଥିବା ସୂଚନା ଅନୁସାରେ ଆଂଚଳିକ ଚଳଚିତ୍ର ନିର୍ମାତାମାନଙ୍କର ଦାବି ସ୍ୱୀକାର କରି ଜିଏସଟି ପରିଷଦ ୧୦୦ ଟଙ୍କାରୁ କମ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାରକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହାଠାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ପୂର୍ବପରି ୨୮ ପ୍ରତିଶତ କର ଲାଗୁ ହେବ।

 

ମଧୁମେହ ରୋଗୀଙ୍କ ଅତ୍ୟନ୍ତ ଆବଶ୍ୟକ ହୋଇଥିବା ଇନସୁଲିନ ଉପରେ ଜିଏସଟି ହାରକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ଖସାଇ ଦିଆଯାଇଛି। ସେହିପରି ଡେଣ୍ଟାଲ ୱାକ୍ସ ଉପରେ ମଧ୍ୟ ଜିଏସଟି ହାରକୁ ୨୮ ପ୍ରତିଶତରୁ ୮ ପ୍ରତିଶତକୁ ଖସାଇ ଦିଆଯାଇଛି।

 

ଚଟଣୀ, ମୁରାବା, ଆଚାର, କେଚପ ଆଦି କେତେକ ପ୍ୟାକେଜଡ଼ ଖାଦ୍ୟ ଉପରେ ମଧ୍ୟ ଜିଏସଟି ହାର ହ୍ରାସ କରାଯାଇଛି। ପୂର୍ବରୁ ଏସବୁ ଜିନିଷ ଉପରେ ୧୮ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଥିଲାବେଳେ ଏହାକୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି।

 

ସେହିପରି ସ୍କୁଲ ବ୍ୟାଗ ଉପରେ ଆଗରୁ ୨୮ ପ୍ରତିଶତ ଜିଏସଟି ଧାର୍ଯ୍ୟ ହୋଇଥିଲାବେଳେ ଏବେ ତାହାକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି। ଏହା ସହିତ ପିଲାଙ୍କ ଏକ୍ସରସାଇଜ ବୁକ‌୍‍ ବା ଖାତା ଉପରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୧୮ ପ୍ରତିଶତ ଜିଏସଟିକୁ ୧୨ ପ୍ରତିଶତକୁ କମାଯାଇଥିବାବେଳେ ରଙ୍ଗ ବହି ଉପରେ ଲାଗିଥିବା ୧୨ ପ୍ରତିଶତକୁ ସଂପୂର୍ଣ୍ଣ ହଟାଇ ଦିଆଯାଇଛି।

କଂପ୍ୟୁଟର ପ୍ରିଣ୍ଟର ଉପରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୨୮ ପ୍ରତିଶତ ଜିଏସଟିକୁ ୧୮ ପ୍ରତିଶତକୁ କମାଇଯାଇଥିବାବେଳେ କଟଲେରି ବା ଫାନ୍ସି ଖାଦ୍ୟପାତ୍ର ଉପରେ ଜିଏସଟି ହାରକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। କୃଷକମାନଙ୍କ ହିତ ପାଇଁ ଟ୍ରାକ୍ଟର ଯନ୍ତ୍ରାଂଶ ଉପରେ ଜିଏସଟି ହାର ମଧ୍ୟ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମିଛି।

 

ପ୍ଲାଷ୍ଟିକ ଶିଳ୍ପର ଦାବି ମାନି ଜିଏସଟି ପରିଷଦ ପ୍ଲାଷ୍ଟିକ ମାଳି ଓ ପ୍ଲାଷ୍ଟିକ ତାରପୋଲିନ ଉପରେ ପୂର୍ବରୁ ଧାର୍ଯ୍ୟ କରିଥିବା ୨୮ ପ୍ରତିଶତକୁ ୧୮ ପ୍ରତିଶତକୁ କମାଇଛନ୍ତି। ଧୂପକାଠି ଉପରେ ପୂର୍ବରୁ ଧାର୍ଯ୍ୟ ୧୨ ପ୍ରତିଶତକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ସେହିପରି କାଜୁବାଦାମ ଉପରେ ପୂର୍ବରୁ ଧାର୍ଯ୍ୟ  ୧୨ ପ୍ରତିଶତ ଜିଏସଟିକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି।

 

ଜିଏସଟି ପରିଷଦର ପରବର୍ତ୍ତୀ ବୈଠକ ୧୮ ତାରିଖରେ ବସିବ। ସେହି ବୈଠକରେ ଲଟେରି ଟିକେଟ ଉପରେ କର ହାର ଧାର୍ଯ୍ୟ ହେବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top