ସ୍ମାର୍ଟ ସିଟି- ୩% ଅଂଚଳ ପାଇଁ ୮୦% ଟଙ୍କା!

News Story - Posted on 2017-06-16

ସ୍ମାର୍ଟ ସିଟି ମିଶନରେ ହେବାକୁ ଯାଉଛି ଭୟଙ୍କର ପାତର ଅନ୍ତର ଓ ବିଷମ ବିକାଶ। ସ୍ମାର୍ଟ ସିଟି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୫୯ ସହରର ମାତ୍ର ୨.୭ ପ୍ରତିଶତ ଅଂଚଳରେ ଖର୍ଚ୍ଚ ହେବ ମୋଟ ପ୍ରକଳ୍ପ ବ୍ୟୟର ୮୦ ପ୍ରତିଶତ ଅର୍ଥ। ଏହି ୫୯ ସହର ପାଇଁ ମଂଜୁର ହୋଇଥିବା ୧.୩୧ ଲକ୍ଷ କୋଟି ଟଙ୍କାରୁ ୧.୦୫ ଲକ୍ଷ କୋଟି ଟଙ୍କା ଏସବୁ ସହରରେ ଅଂଚଳ ଭିତ୍ତିକ ବିକାଶ ବା ଏରିଆ ବେସଡ ଡେଭଲପମେଣ୍ଟ ବାବଦରେ ଖର୍ଚ୍ଚ ହେବ।

 

ସ୍ମାର୍ଟସିଟି ପ୍ରକଳ୍ପର ଏକ ଅଂଶ ହେଉଛି ଏରିଆ ବେସଡ ଡେଭଲପମେଣ୍ଟ ବା ଏବିଡି। ଏହି ଅଂଶର ଯୋଜନା ଅନୁସାରେ ଏହି ଅଂଚଳର ୱାଇଫାଇ ହଟସ୍ଟଟ, ସେନ୍ସର ଭିତ୍ତିକ ସାଧାରଣ ଆଲୋକ, ରାସ୍ତାର ନୂଆ ରୂପ, ବହୁବିଧ ଟ୍ରାନ‌୍‍ଜିଟି ବ୍ୟବସ୍ଥା ବିକାଶ କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେବ। କଥିତ ୫୯ ସହରର ମୋଟ କ୍ଷେତ୍ରଫଳ ହେଉଛି ୯,୦୬୫ ବର୍ଗ କିଲୋମିଟର। ଅନ୍ୟପକ୍ଷରେ ଅଂଚଳ ଭିତ୍ତିକ ବିକାଶ ପ୍ରକଳ୍ପରେ ସାମିଲ ହେବ ମାତ୍ର ୨୪୬ ବର୍ଗ କିଲୋମିଟର। ଏହା ହେଉଛି ଏସବୁ ସହରର ମାତ୍ର ୨.୭ ପ୍ରତିଶତ ଅଂଚଳ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୦ଟି ସହରକୁ ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ ଏହି ଯୋଜନା ୨୦୧୫ ମସିହା ଜୁନ ୨୫ ତାରିଖରେ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଏ ବାବଦରେ ୪୮ ହଜାର କୋଟି ଟଙ୍କା ବ୍ୟୟ କରିବେ। ମନୋନୀତ ସହରଗୁଡ଼ିକୁ ସ୍ମାର୍ଟ ସିଟି ପାଇଁ ୫ ବର୍ଷରେ ୫୦୦ କୋଟି ଟଙ୍କା ଲେଖାଏଁ ଦିଆଯିବ।

ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ ମୂଲ୍ୟାୟନ ଅନୁସାରେ ଭୁବନେଶ୍ୱର ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ସହରକୁ ସ୍ମାର୍ଟ ସିଟି ବାବଦରେ ୪,୫୩୭ କୋଟି ଟଙ୍କା ମିଳିବ। କିନ୍ତୁ ଏରିଆ ବେସଡ ଡେଭଲପମେଣ୍ଟ ବା ଏବିଡି ବାବଦରେ ଏହି ପାଣ୍ଠିର ପ୍ରାୟ ୯୦ ପ୍ରତିଶତ ଭୁବନେଶ୍ୱର ଟାଉନ ସେଣ୍ଟର ଡିଷ୍ଟ୍ରିକ୍ଟ ପ୍ରକଳ୍ପରେ ଖର୍ଚ୍ଚ ହେବ। ଏହି ତଥାକଥିତ ଟାଉନ ସେଣ୍ଟର ଡିଷ୍ଟ୍ରକ୍ଟ ଭୁବନେଶରର ମୋଟ କ୍ଷେତ୍ରଫଳର ୩ ପ୍ରତିଶତରୁ କମ‌୍‍।

 

ସେହିପରି ପୁନେ ସହର ପାଇଁ ବ୍ୟବସ୍ଥା ହୋଇଥିବା ୨.୮୭୦ କୋଟି ଟଙ୍କାରୁ ୨.୧୯୬ କୋଟି ଟଙ୍କା ମାତ୍ର ୩.୬ ବର୍ଗ କିଲୋମିଟର ଅଂଚଳର ବିକାଶରେ ଖର୍ଚ୍ଚ ହେବ। ପୁନେ ସହରର ମୋଟ କ୍ଷେତ୍ରଫଳ ହେଉଛି ୨୭୬ ବର୍ଗ କିଲୋମିଟର। ସେହିପରି ଜୟପୁର, ସୁରାଟ, କୋଚି ଆଦି ସହରରେ ମଧ୍ୟ ସ୍ମାର୍ଟ ସିଟି ପ୍ରକଳ୍ପର ୬୫ ପ୍ରତିଶତ ପାଣ୍ଠି ଅଂଚଳ ଭିତ୍ତିକ ବିକାଶ ବାବଦରେ ଖର୍ଚ୍ଚ ହେବ। ଜବଲପୁର, ବିଶାଖାପାଟଣା ଓ ଇନ୍ଦୋର ଆଦି ସହର ପାଇଁ ମିଳିଥିବା ସ୍ମାର୍ଟ ସିଟି ପାଣ୍ଠିର ୯୦ ଭାଗ ଏସବୁ ସହରର ୨ ପ୍ରତିଶତରୁ କମ‌୍‍ ଅଂଚଳରେ ଖର୍ଚ୍ଚ କରାଯିବ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top