ବିଜେଡି ଖଣି ମାଫିଆଙ୍କୁ ପୁଲିସର ଉଦ୍ଧାର

News Story - Posted on 2017-06-16

ଯାଜପୁର ଜିଲା ଧର୍ମଶାଳାର ବହୁ ଚର୍ଚ୍ଚିତ ଓ ବହୁ ବିବାଦୀୟ ଖଣି ବ୍ୟବସାୟୀ ଶ୍ରୀବାସ ଜେନାଙ୍କୁ ୭ କୋଟି ଟଙ୍କା ପାଇଁ ଅପହରଣ କରାଯାଇଥିଲା। କେତେକ ଦୁର୍ବୃତ୍ତ ଶ୍ରୀ ଜେନାଙ୍କୁ ପୁରୀର ବଳିଆପଣ୍ଡା ଥାନା ଅଞ୍ଚଳରେ ଥିବା ତାଙ୍କ ଗେଷ୍ଟ ହାଉସରୁ  ଜୁନ ୧୨ ତାରିଖ ଅପରାହ୍ନ ୪ଟା ସମୟରେ ଅପହରଣ କରିନେଇଥିଲେ। ଅପହର୍ତ୍ତାମାନେ ମାରଣାସ୍ତ୍ର ଦେଖାଇ ଏକ କାର‌୍‍ ଯୋଗେ ତାଙ୍କ ସହ ତାଙ୍କ ଡ୍ରାଇଭର ଓ ଅନ୍ୟଜଣେ କର୍ମଚାରୀଙ୍କୁ  ଅପହରଣ କରି ମୁଣ୍ଡଜାମିନ ରଖିଥିଲେ। ଅପହର୍ତ୍ତାମାନେ ବ୍ୟବସାୟୀ ଶ୍ରୀ ଜେନାଙ୍କ ମୁଣ୍ଡ ଜାମିନ ବାବଦକୁ ୭ କୋଟି ଟଙ୍କା ଦାବି କରିଥିଲେ।

 

ଏ ସଂପର୍କରେ ପୁରୀ ସ୍ଥିତ ବଳିଆ ପଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଚାରିଆଡେ ନାକାବନ୍ଦି କରିବା ସହ ପୁରୀ ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନାକୁ ସୂଚନା ପ୍ରଦାନ କରି ଜାତୀୟ ରାଜପଥରେ ଥିବା ବିଭିନ୍ନ ଟୋଲ ଗେଟରେ ତନଖି କରିଥିଲା। ତେବେ ଅପହର୍ତ୍ତାମାନେ ଶ୍ରୀ ଜେନାଙ୍କ ପରିବାରକୁ ୭ କୋଟି ଟଙ୍କା ଦେବାକୁ ଦାବି କରିଥିଲେ। ଜୁନ ୧୨ ତାରିଖରେ ଭୁବନେଶ୍ୱରରେ ଅପହରଣରେ ବ୍ୟବହାର କରାଯାଇଥିବା କାର‌୍‍ରେ ରାତ୍ରୀ ଯାପନ କରିବା ପରେ ମଙ୍ଗଳବାର ପ୍ରତ୍ୟୁଷରେ ଅପହର୍ତ୍ତାମାନେ ମଞ୍ଚେଶ୍ୱର ନିକଟରେ ତାଙ୍କର ୨ କର୍ମଚାରୀଙ୍କୁ ଓହ୍ଲାଇଦେଇ ଶ୍ରୀ ଜେନାଙ୍କୁ ନେଇ ଭୁବନେଶ୍ୱରରୁ ଭାୟା ମଙ୍ଗୁଳି ଦେଇ ଢେଙ୍କାନାଳ ଅଭିମୁଖେ ଆସିଥିଲେ।

 

ବାରମ୍ୱାର ଶ୍ରୀବାସଙ୍କ ଭାଇଙ୍କୁ କଲ‌୍‍ କରି ଟଙ୍କା ମାଗିବାରୁ ଯାଜପୁର ପୁଲିସ ମୋବାଇଲ ଟ୍ରାକିଂକରି ଅଭିଯୁକ୍ତ ଯାଜପୁର ଅଭିମୁଖେ ଆସୁଥିବା ଜାଣିବାକୁ ପାଇଥିଲେ। ଅପହର୍ତ୍ତାମାନେ ରାସ୍ତା ବଦଳାଇ ଢେଙ୍କାନାଳରୁ ଭାୟା ଭୁବନ, ସୁକିନ୍ଦା, ଡୁବୁରୀ ରାସ୍ତା ଦେଇ ଯାଜପୁର ଜିଲାରେ ପ୍ରବେଶ କରିଥିଲେ। ଏ ସଂପର୍କରେ ପୁଲିସ ବିଭାଗ କଟକର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଯାଜପୁର ଜିଲା ପୁଲିସକୁ ଜୁନ ୧୩ ତାରିଖ ସକାଳ ପ୍ରାୟ ୧୦ଟା ସମୟରେ ଖବର ଦିଆଯାଇଥିଲା। ଜିଲା ପୁଲିସ ୧୬ ନମ୍ୱର ଜାତୀୟ ରାଜପଥ ସହିତ ୫୩ନଂ ଜାତୀୟ ରାଜପଥ ଚଢେଇଧରା ଓ ପାରାଦୀପ ଯିବା ପାଇଁ ଥିବା ଶ୍ରୀରାମପୁର ଟୋଲ‌୍‍ ପ୍ଲାଜାରେ ଜଗି ରହିଥିଲା।

 

ଅପହର୍ତ୍ତାମାନେ ବ୍ୟବସାୟୀ ଶ୍ରୀ ଜେନାଙ୍କୁ ଯାଜପୁର ରୋଡରୁ ପାଣିକୋଇଲି ରାସ୍ତାଦେଇ କଲିକତା କିମ୍ୱା ଝାଡଖଣ୍ଡ ଅଭିମୁଖେ ଚାଲିଯିବାକୁ ପ୍ରୟାସ କରୁଥିବା ବେଳେ ସେମାନଙ୍କ ଚେକିଂ ହେଉଛି ଜାଣିପାରି ସେଠାରୁ ଫେରି ପୁଣି ଛଣ୍ଡିଖୋଲ ଅଭିମୁଖେ ଯାଉଥିଲେ। ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଆଗକୁ ପୁଲିସ ଜଗିରହିଥିବା ଖବର ପାଇ ଅପହର୍ତ୍ତାମାନେ ୧୨.୩୦ ସମୟରେ ନାକପୋଲ ଗାଁ ରାସ୍ତାରେ ଗାଡି ପୂରାଇ ଛପିଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଯାହାଙ୍କୁ ଅପହରଣ କରାଯାଇଥିଲା ସେହି ଶ୍ରୀବାସ ଜେନାଙ୍କ ଘର ଉକ୍ତ ସ୍ଥାନରେ ହୋଇଥିବା ଅପହର୍ତ୍ତାମାନେ ଜାଣିନଥିଲେ। ପୁଲିସଠାରୁ ବର୍ତ୍ତିବା ଲକ୍ଷ୍ୟରେ ଥିବା ଅପହର୍ତ୍ତାମାନେ ଶ୍ରୀବାସଙ୍କୁ ତଳକୁ ଓହ୍ଲାଇ ବହେ ଛେଚୁଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସ୍ଥଳରେ ପହଁଚି ଯାଇଥିଲେ। ଅପହରଣକାରୀଙ୍କୁ ପିଛା କରୁଥିବା ପୁଲିସ ମଧ୍ୟ ଉକ୍ତ ସ୍ଥାନରେ ପହଁଚିଯାଇଥିଲା।

 

ଅପହରଣକାରୀ ଗାଡ଼ି ଧରି ଖସି ପଳାଇବାକୁ ଚେଷ୍ଠା କରିଥିବା ବେଳେ ପୁଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନେଶ୍ୱରରେ ରହୁଥିବା ଢେଙ୍କାନାଳ ଗଁଦିଆ ଅଂଚଳର ବିଲ୍ଡର ସ୍ମୃତିରଞ୍ଜନ ମହାନ୍ତିଙ୍କ ସମେତ ୪ ଜଣ ଅପହରଣାକରୀଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ହୋଣ୍ଡା ଜାଜ‌୍‍ କାର ନମ୍ୱର-ଓଡି-୩୩ଜେ-୧୫୭୬କୁ ଜବତ କରିଥିଲା। ଅପହୃତ ବ୍ୟବସାୟୀ ଧର୍ମଶାଳା ଅଂଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା କାରଣରୁ ଅପହରଣାକାରୀ ସ୍ଥାନୀୟ ଲୋକଙ୍କର ଆକ୍ରୋଶର ଶିକରା ହେବା ସନ୍ଦେହ କରି  ପୁଲିସ ଧର୍ମଶାଳା ଥାନା ପରିବର୍ତ୍ତେ କୁଆଖିଆ ଥାନାକୁ ଆଣି ପଚରା ଉଚୁରା କରିଥିଲେ। ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଧ ସମୟ ପୁଲିସ ପଚରାଉଚୁରା କରିବା ପରେ ଅପହରଣାକରୀମାନଙ୍କୁ କଡା ସୁରକ୍ଷା ମଧ୍ୟରେ ପୁରୀର ବଳିଆପଣ୍ଡା ଥାନାକୁ ନେଇଥିଲେ। ପୁଲିସ ଆଇ.ଜି. ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭଦ୍ରକ ଏସ.ପି ଅନୁପ ସାହୁଙ୍କ ତତ୍ୱାବଧାନରେ ଯାଜପୁର ଭାରପ୍ରାପ୍ତ ଏସ.ପି. ଏସ.ଡି.ପି.ଓ ଯୁଗଳ ଦାସ, କୁଆଖିଆ ଧର୍ମଶାଳା, ଜେନାପୁର ଓ ବଡଚଣା ଥାନା ଅଧିକାରୀମାନଙ୍କୁ ନେଇ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇ ଶ୍ରୀ ଜେନାଙ୍କୁ ତଲାସ କରାଯାଇଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅପହରଣାକରୀମାନଙ୍କ ମଧ୍ୟରୁ ଦୁଇଜଣ ରାଜ୍ୟ ବାହାରର ହୋଇଥିବା ବେଳେ ଅନ୍ୟ ୩ ଜଣ ଓଡିଶାର ବୋଲି ପୁଲିସ ପ୍ରକାଶ କରିଛି।

 

ବ୍ୟବସାୟୀ ଶ୍ରୀବାସ ଶାସକ ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା। ସ୍ଥାନୀୟ ବିଧାୟକଙ୍କ ସହିତ ତାଙ୍କର ଘନିଷ୍ଟ ସଂପର୍କ ରହିଛି। ସେ ବେଆଇନ ଭାବେ ଡଙ୍କାରି ପାହାଡ଼ ଲୁଟୋ କରିଥିବା ନେଇ ଅନେକ ଅଭିଯୋଗ ରହିଛି। ଏସବୁ ଅଭିଯୋଗର ତଦନ୍ତ କରାଯାଇ ଯାଜପୁର ଜିଲ୍ଲାପାଳ ତାଙ୍କ ଉପରେ ୫୪ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଛନ୍ତି। ସେ କିନ୍ତୁ ସେହି ଟଙ୍କା ଦାଖଲ ନକରି ପାହାଡ଼ ଲୁଟି ଚାଲିଛନ୍ତି। ଏଥି ନେଇ ତାଙ୍କୁ ବିଜୁ ଜନତା ଦଳ ତରଫରୁ ରାଜନୀତିକ ଓ ପ୍ରାଶାସନିକ ସୁରକ୍ଷା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ସେ କାଳେ ସିଧାସଳଖ ପାର୍ଟି ଚାନ୍ଦା ଦେଉଥିବା ନେଇ ଧର୍ମଶାଳା ଅଂଚଳରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top