ପ୍ରକୃତି ସହ ସାନି ସଂପର୍କ

News Story - Posted on 2017-06-15

ପାଣ୍ଡୁରଂଗ ହେଗଡେ

 

ଜଂଗଲ ଓ ପରିବେଶ ସଂରକ୍ଷଣ ପ୍ରସଂଗରେ ଜନ ସଚେତନତା ସୃଷ୍ଟି ନିମନ୍ତେ ୧୯୭୨ ମସିହାଠାରୁ  ସମଗ୍ର ବିଶ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ହେଉଛି ‘ପ୍ରକୃତି ସହ ଲୋକଙ୍କୁ ଯୋଡିବା’। ଏହି  ଅବସରରେ ଲୋକମାନେ ଘରୁ ବାହାରକୁ ବାହାରି ପ୍ରକୃତି ସହ ମିଶି ଏହାର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ସହ ଏହାର ସଂରକ୍ଷଣ ପ୍ରତି ଧ୍ୟାନ ଦେବା ହେଉଛି ଆଜିର ଆହ୍ୱାନ। ଗତ କିଛି ବର୍ଷ ମଧ୍ୟରେ ସହରାଂଚଳ ଓ ଗ୍ରାମାଂଚଳରେ  ପ୍ରକୃତି ଠାରୁ ଜନ ସାଧାରଣଙ୍କ ଦୂରତା ବଢି ଚାଲିଛି।

 

ଆଧୁନିକ ମଣିଷ ଜୀବନରେ ବ୍ୟସ୍ତତା ବୃଦ୍ଧି ପାଇଛି, ତାହା ସହ ମନ ମଧ୍ୟ ଅଧିକ ବ୍ୟସ୍ତତା ମଧ୍ୟରେ ଗତି କରୁଛି। ଏହି ପରିସ୍ଥିତିରେ ମନକୁ ଶାନ୍ତ ରଖିବାକୁ ହେଲେ, ପ୍ରକୃତି ସହ ପୁଣିଥରେ ଯୋଡିହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ହୋଇ ପଡିଛି। ସହରାଂଚଳରେ ଥିବା ବୃକ୍ଷରାଜ ଓ ସବୁଜିମାଭରା ପାର୍କ ସହାୟତାରେ ସାଧାରଣ ଜନତା ପ୍ରକୃତି ସହ ସଂଶ୍ଳିଷ୍ଟ ହେବାର ସୁଯୋଗ ମିଳିଥାଏ।

 

ପ୍ରକୃତି ସହ ପୁଣିଥରେ ସାମିଲ ହେବା ପାଇଁ ପରିବେଶ ଓ ଜଂଗଲ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପରିବେଶ ସଚେତନତା ଅଭିଯାନ (ଏନ‌୍‍ଇଏସି)ର ଶୁଭାରମ୍ଭ କରାଯାଇଛି। ଏଥି ପାଇଁ ଆର୍ଥିକ ସହାୟତା ଯୋଗାଇ ବିଭିନ୍ନ ବେସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନ ମହିଳା ଓ ଯୁବ ସଂଗଠନ ଗୁଡିକ ଜରିଆରେ ପରିବେଶ ସୁରକ୍ଷା ସଂପର୍କିତ ଜନ ସଚେତନତା କାର୍ଯ୍ୟକ୍ରମମାନ  ଆୟୋଜିତ ହେଉଛି। ପ୍ରାୟ ୧୨ ହଜାର ସଂଗଠକୁ ସାମିଲ କରାଯାଇ ପ୍ରକୃତିର ସଂରକ୍ଷଣ ଓ ପରିବେଶ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟକ୍ରମ କରାଯାଉଛି।

 

ପାରମ୍ପରିକ ତୀର୍ଥ କ୍ଷେତ୍ରଗୁଡିକ ମୁଖ୍ୟତଃ ପ୍ରାକୃତିକ ପରିବେଶ ଘେରା ପାହାଡ ଏବଂ ନଦୀତଟବର୍ତୀ ଅଂଚଳରେ ଅବସ୍ଥିତ। ବୃକ୍ଷ ଲତା, ନଦନଦୀ ଓ ପାହାଡ ଆଦି ପ୍ରାକୃତିକ ସୌନ୍ଦର୍ଯ୍ୟରୁ ଆନନ୍ଦ ଉପଲବ୍ଧ କରିବା ହେଉଛି ଆମ ସଂସ୍କୃତି। ହିମାଳୟର ଚାରିଧାମ କ୍ଷେତ୍ର ହେଉଛି  ଏହାର ଉତ୍କୃଷ୍ଟ ଉଦାହରଣ। ଋଷିକେଶରେ ଗଂଗାନଦୀ ତଟରୁ ଆରମ୍ଭ ହେଉଥିବା ଏହି ଯାତ୍ରା ଯମୁନା ଓ ଗଂଗା ନଦୀର ଉତ୍ପତିସ୍ଥଳ ପର୍ଯ୍ୟନ୍ତ ଯାଇଥାଏ। ଏହି ପବିତ୍ର ତୀର୍ଥସ୍ଥଳକୁ ଲକ୍ଷଲକ୍ଷ ଲୋକ ଯାଇଥାନ୍ତି।

   

ସେହିପରି ଜାମ୍ମୁକାଶ୍ମୀରର ଅମରନାଥ ଗୁମ୍ପା ଅଭିମୁଖେ ଯାତ୍ରା ଏବଂ ଚୀନର ତିବ୍ବତ ଦେଇ କୈଳାସ ମାନସରୋବର ତୀର୍ଥଯାତ୍ରାର ପଥ ମଧ୍ୟ ଅସାଧାରଣ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥଳ। ସାଧାରଣ ଜନତାଙ୍କ ପାଇଁ ଏହା ଯଥେଷ୍ଟ ଆଧ୍ୟାତ୍ମିକ ମହତ୍ୱ ବହନ କରିଥାଏ। ଏହି ତୀର୍ଥ ଯାତ୍ରାର ପଥ ପ୍ରକୃତି ସହ ମାନବକୁ ଯୋଡିବାର ମୁଖ୍ୟ ଉଦ୍ଦେଶ୍ୟ  ଏବଂ ମାନବ, ପ୍ରକୃତି ଏବଂ ଆଧ୍ୟାତ୍ମିକତା ମଧ୍ୟରେ ଆନ୍ତଃ ସଂଯୋଜନାତ୍ମକୁ ଦର୍ଶାଇଥାଏ।

 

ସେହିପରି ନର୍ମଦା ପରିକ୍ରମା ମଧ୍ୟ ଏକ ପରମ୍ପରାଗତ ତୀର୍ଥଯାତ୍ରା ମାର୍ଗ ରୂପେ ପରିଚିତ। ଯଦ୍ୱାରା ଜନ ସାଧାରଣ ନର୍ମଦାନଦୀ ସହ କୁଳୁକୁଳୁ ପ୍ରବାହିତ ଜଳରାଶିର ସୁନ୍ଦରତାକୁ ଅନୁଭବ କରିଥାନ୍ତି ଓ ଆହରଣ କରିଥାନ୍ତି। 

 

ଦେଶର ମୋଟ ଭୌଗୋଳିକ ଅଂଚଳର ଦୁଇ ପ୍ରତିଶତ ଇଲାକାରେ ୧୬୬ଟି ଜାତୀୟ ପାର୍କ ଓ ୫୧୫ଟି ବନ୍ୟ ଜନ୍ତୁ ଅଭୟାରଣ୍ୟ ପ୍ରତିଷ୍ଠା କରାଯାଇଛି। ଏହା ଜରିଆରେ ପ୍ରକୃତି ସହ ପୁଣିଥରେ ସାମିଲ ହେବା  ଏବଂ ବନ୍ୟ ଜୀବନ ଓ ଦେଶର ସବୁଜିମା ଅଂଚଳରୁ ଆନନ୍ଦ ଉଠାଇବାର ଅବସର ମିଳିଥାଏ।

 

ପ୍ରକୃତର ସଂରକ୍ଷଣ ସଂପର୍କରେ ଜନ ସଚେତନତା ସୃଷ୍ଟି ନିମନ୍ତେ ଗୃହ ସହ ସହରାଂଚଳ ଦାରିଦ୍ର୍ୟ ଦୂରିକରଣ ମନ୍ତ୍ରଣାଳୟ ପକ୍ଷରୁ ସହରଗୁଡିକରେ ଥିବା ସର୍ବସାଧାରଣ ସ୍ଥାନରେ ସବୁଜିମା ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯାଇଛି। ଏଥି ସହ ସବୁ ପ୍ରକାର ବଜ୍ର୍ୟବସ୍ତୁର ପରିମାଣ ହ୍ରାସ ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ସହରାଂଚଳରେ ସଡକ ନିର୍ମାଣ ଏବଂ ଫାଂଙ୍କା  ସ୍ଥାନଗୁଡିକୁ ସିମେଣ୍ଟ କରାଯିବା ଫଳରେ ଯୁବ ପୀଢି ପ୍ରକୃତିଠାରୁ ଦୂରେଇ ଯାଉଛନ୍ତି। ସେହି ପରି ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତା ପାର୍ଶ୍ୱବର୍ତୀ ବୃକ୍ଷଗୁଡିକୁ କାଟି ସଫା କରିବା ଏବଂ ପଥିକ ତଥା ସାଇକେଲ ଚାଳକଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଅଧିକ ସଂଖ୍ୟକ ଗାଡି ମୋଟର ରଖିବା ଦ୍ୱାରା ପ୍ରକୃତି ଠାରୁ ସହରାଂଚଳ ଲୋକେ ଦୂରେଇ ଯାଉଛନ୍ତି। ସବୁଲୋକ ତଥା ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇ ପାରିଲେ  ସହରାଂଚଳ ପରିବେଶର ସୁରକ୍ଷା ସମ୍ଭବ ହୋଇ ପାରିବ।

 

ପ୍ରକୃତି ସହ ଯୋଡି ହୋଇ ପାରିଲେ ଏବଂ ନିବିଡତା ବଢିଲେ ଆଧୁନିକ ମଣିଷର ଉତେଜନା ପ୍ରଶମିତ ହୋଇ ପାରିବ। ଏଥି ପାଇଁ ବ୍ୟକ୍ତି ଓ ସମୁଦାୟ ସଂଶ୍ଳିଷ୍ଟତା ଜରୁରୀ। ସବୁଜିମା ଦ୍ୱାରା ଯେ କେବଳ ଶବ୍ଧ ଓ କୋଳାହଳ ହ୍ରାସ ପାଇବ ତାହା ନୁହେଁ, ଏହା ଦ୍ୱାରା ତାପମାନ ମଧ୍ୟ ହ୍ରାସ ପାଇ ପାରିବ। ଯଦ୍ୱାରା ଜଳବାୟ ପରିବର୍ତ୍ତନକୁ ହ୍ରାସ କରିପାରିବ।

 

ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାର ଦେଶର ୪ ହଜାର ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ନାମରେ ଏକ ବ୍ୟାପକ ପ୍ରଚାର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ସ୍ୱରୂପ ସହରାଂଚଳରେ ବର୍ଜ୍ୟବସ୍ତୁ ଏକତ୍ର କରିବା ପାଇଁ ନୀଳ ଓ ସବୁଜ ରଂଗର ଦୁଇ ପ୍ରକାର େୱଷ୍ଟବିନ (ବର୍ଜ୍ୟବସ୍ତୁ ଡବା) ଯୋଗାଇ ଦିଆଯାଉଛି। ସାଧାରଣ ଜୀବନ ଶୈଳୀରେ ସ୍ୱଚ୍ଛତା ସଂସ୍କୃତିକୁ ଆପଣେଇବା ନିମନ୍ତେ ଜନସଚେତନତା ଏହା ଦ୍ୱାରା ସୃଷ୍ଟି କରାଯାଉଛି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ‌୍‍’ ରେ କହିଛନ୍ତି ମୋର ଦୃଢ ବିଶ୍ୱାସ ଅଛି ଯେ, ସ୍ୱଚ୍ଛତା ହାସଲ ଦିଗରେ ଆମେ ସଂସ୍କୃତି ବିକଶିତ କରିବା ଏବଂ ଏହାକୁ ଚଳାଇ ରଖିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବା। ତେବେ ଯାଇ ସ୍ୱଚ୍ଛତା ସଂପର୍କରେ ଗାନ୍ଧିଜୀ ଯେଉଁ  ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରାଯାଇ ପାରିବ।

 

ଶୁଷ୍କ ଆବର୍ଜନା ଓ ତରଳ ଆବର୍ଜନାକୁ ପୃଥକ‌୍‍ କରି ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବା ହେଉଛି  ସରକାରଙ୍କ ଉଦ୍ଦେଶ୍ୟ। ଏହା ସହର ସ୍ୱଚ୍ଛତାର ଆଧାର ହେବ। ଯଦ୍ୱାରା ସହର ଗୁଡିକ ଅଧିକ ମାତ୍ରାରେ ପ୍ରକୃତି ଅନୁକୂଳ ହେବ  ଏବଂ ବସବାସ କରଥିବା ଲୋକେ ସ୍ୱଚ୍ଛତାକୁ ଅନୁଭବ କରିପାରିବେ। ଏହା ସ୍ୱଚ୍ଛ ଭାରତ ଅଭିଯାନ (ଏସବିଏ)ର  ଅନୁକରଣ। ସହରୀ ଆବର୍ଜନା ଦୂର କରାଗଲେ ଏହାର ପ୍ରତିକୂଳ ପ୍ରଭାବ ଭୂଜଳ ଉପରେ ପଡିବ ଏବଂ ଆବର୍ଜନା ଦ୍ୱାରା ବାୟୁର ଗୁଣବତ୍ତା ମଧ୍ୟ ପ୍ରଭାବିତ ହେବ। ଏଥି ପାଇଁ ଲୋକଙ୍କ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେବ। ଯାହାକି ଏକ ଚ୍ୟାଲେଞ୍ଜ। ଲୋକଙ୍କୁ ଅଭ୍ୟାସରେ ପରିବର୍ତନ ଆଣିବାକୁ ହେବ। ଆବର୍ଜନାକୁ ପୃଥକ କରିବା ହେଉଛି  ପ୍ରତିଟି ପରିବାରର କର୍ତ୍ତବ୍ୟ ବା ଧର୍ମ ବୋଲି ଭାବିଲେ ଏହା ପରିବର୍ତ୍ତନର ଦୂତ ହୋଇ ପାରିବ।

   

ପ୍ରକୃତି ସହ ସଂଶ୍ଳିଷ୍ଟ ରହି ଜ୍ଞାନ ଓ ଶାନ୍ତି ପ୍ରାପ୍ତି କରିବା ହେଉଛି ଭରତୀୟ ସଂସ୍କୃତିର ଆଧାର। ସାଧୁ ସନ୍ଥ ଓ ମୁନିଋଷିମାନେ ଜଂଗଲ ବା ଅରଣ୍ୟ ସଂସ୍କୃତିରୁ ଜ୍ଞାନ ପ୍ରାପ୍ତ କରୁଥିଲେ। ସେମାନେ ପ୍ରକୃତି ସହ ସଦଭାବ ପ୍ରତିଷ୍ଠା କରୁଥିଲେ ଏବଂ ପ୍ରାକୃତିକ ପରିବେଶର ଅଧିକ ଜ୍ଞାନ ଆହରଣ କରୁଥିଲେ।

 

ତେଣୁ ପ୍ରକୃତି ସହ ପୁଣି ଥରେ ସଂଶ୍ଳିଷ୍ଟ ହେବା ପାଇଁ ଏହି ବିଚାରକୁ ନିଜର ଦୈନଦିନ କାଯ୍ର୍ୟ କଲାପରେ ସାମିଲ କରାଯିବାର ଆବଶ୍ୟକତା ରହିଛି। ଆମର ଶ୍ୱାସ କ୍ରିୟା,  ଆମେ ଯେଉଁ ପାଣି ପିଉଛୁ, ଆମେ ଯାହା ଖାଦ୍ୟ ଗ୍ରହଣ କରୁଛୁ ସେ ସବୁ ପ୍ରକୃତିର ଦାନ ବୋଲି ସାଧାରଣ ଲୋକେ ବୁଝିବା ଆବଶ୍ୟକ। ମାନବର ଜୀବନ ଧାରଣର ଆଧାର ହେଉଛି ପ୍ରକୃତି ସହ ସଂଶ୍ଳିଷ୍ଟ ହୋଇ ରହିବା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top