ଶିକ୍ଷାର ଗୈରିକୀକରଣ

News Story - Posted on 2017-06-15

ସୂର୍ଯ୍ୟମଣି ମିଶ୍ର

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଦାୟିତ୍ୱ ଗ୍ରହଣ ପରଠାରୁ ଶିକ୍ଷାର ଗୈରୀକରଣ, ହିନ୍ଦୁତ୍ୱକରଣ ସହ ଇତିହାସର ପୁନର୍ଲିଖନ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାସହ ବଜେଟ‍୍‌ରେ ପୂର୍ବରୁ ଆବଣ୍ଟିତ ଅର୍ଥରାଶିକୁ ହ୍ରାସ କରିବାରେ ଲାଗିଛନ୍ତି। ୨୦୧୪-୧୫ ଆର୍ଥିକ ବର୍ଷରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ପାଇଁ ଉଦ୍ଦିଷ୍ଟ ବଜେଟ‍୍‌ ଅର୍ଥରୁ ୪୫୭୨୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ୨୦୧୩-୧୪ରେ କଂଗ୍ରେସ ନେତୃତ୍ୱାଧୀନ ସରକାରଙ୍କ ଏହି କ୍ଷେତ୍ର ପାଇଁ ଆବଣ୍ଟିତ ଅର୍ଥଠାରୁ ୧୧୩୪ କୋଟି ଟଙ୍କା କମ‍୍‌। କ୍ଷମତାକୁ ଆସିବା ପରେ ମୋଦି ସରକାର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତାର ପାଇଁ ଉଦ୍ଦିଷ୍ଟ ଅର୍ଥରୁ ୩୩୦୨ କୋଟି ଟଙ୍କା କାଟି ଦେଇଛନ୍ତି। ପୂର୍ବ ସରକାରଠାରୁ ଏହି ଅର୍ଥରାଶି ୭ ପ୍ରତିଶତ କମ‍୍‌। ଗତ ତିନିବର୍ଷରେ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ବାର୍ଷିକ ୨ ପ୍ରତିଶତ ହାରରେ ୬ ପ୍ରତିଶତ ବୃଦ୍ଧି ପାଇଛି। ଅଥଚ ବଜେଟ‍୍‌ରୁ ଶିକ୍ଷା ପାଇଁ ଅର୍ଥ କାଟ‍୍‌ କରାଯାଉଛି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୫୯୭ କୋଟି ଟଙ୍କା କାଟିଦିଆଯାଇଛି। ଏ ବାବଦରେ ୨୨୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୨୦୧୪-୧୫ରେ ଏହି ଯୋଜନାରେ ୨୪୦୯୭ କୋଟି ଟଙ୍କା ଆବଣ୍ଟନ ହୋଇଥିଲା।

 

ଏହିପରି ଶିକ୍ଷକ ପ୍ରଶିକ୍ଷଣ ଏବଂ ସାକ୍ଷର ଭାରତ ପାଇଁ ଆବଣ୍ଟିତ ବଜେଟ‍୍‌ରୁ ୧୧୫୮ କୋଟି ଟଙ୍କାରୁ ୮୭୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ମଧ୍ୟାହ୍ନ ଭୋଜନ ଯୋଜନାରେ ଗତ ଦୁଇବର୍ଷରେ ୮୨୩ କୋଟି ଟଙ୍କା ଅର୍ଥାତ ୮ ପ୍ରତିଶତ ଅର୍ଥ କାଟ‍୍‌ କରିଛନ୍ତି। କ୍ଷମତାକୁ ଆସିବା ପରେ ମୋଦି ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ଶିକ୍ଷା ବଜେଟ‍୍‌ର ପରିମାଣ ୦.୫୫ ପ୍ରତିଶତ ଥିଲା। ୨୦୧୫-୧୬ରେ ଏହାର ପରିମାଣ ୦.୫୦ ପ୍ରତିଶତ, ୨୦୧୬-୧୭ରେ ୦.୪୮ ପ୍ରତିଶତ ବ୍ୟୟବରାଦ କରିଛନ୍ତି। ବର୍ଷକୁ ବର୍ଷ ଶିକ୍ଷା ବଜେଟ‍୍‌ରୁ ଅର୍ଥକାଟ‍୍‌ କରୁଥିବା ଏହି ପରିସଂଖ୍ୟାନ ସୂଚାଉଛି। ୨୦୧୪-୧୫ ଆର୍ଥିକ ବର୍ଷରେ ମୋଟ ବଜେଟ‍୍‌ରୁ ଶିକ୍ଷା ପାଇଁ ୪.୧ ପ୍ରତିଶତ ଥିଲାବେଳେ ୨୦୧୫-୧୬ରେ ଏହି ହାର ୩.୮ ପ୍ରତିଶତ, ୨୦୧୬-୧୭ରେ ଏହା ୩.୭ ପ୍ରତିଶତକୁ ହ୍ରାସ କରାଯାିଛି। ଛାତ୍ର ବିଶେଷକରି ଅବହେଳିତ ବଞ୍ଚିତ ବର୍ଗର ଛାତ୍ରଛାତ୍ରୀମାନେ ଏହି ଅର୍ଥକାଟ‍୍‌ ଦ୍ୱାରା ଅଧିକଭାବେ ପ୍ରଭାବିତ ହୋଇଛନ୍ତି। ଏଇଠି ଅଟକିଯାଇନି ମୋଦି ସରକାରଙ୍କ ଶିକ୍ଷା ପ୍ରତି ଅସମ୍ୱେଦନଶୀଳତା, ଏହା ସହ ଶିକ୍ଷା ସଂସ୍ତାରେ ଫିସ‍୍‌ ବୃଦ୍ଧିକୁ ଅଧିକ ଭାବେ ଲାଗୁ କରାଯାଇଛି। ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ, ଆଇଆଇଟିର ବିଟେକ୍ ପାଇଁ ଫିସ‍୍‌ ବୃଦ୍ଧି ଏହାର ଉଦାହରଣ। ଆଇଆଇଟିର ବିଟେକ୍ ପାଇଁ ପୂର୍ବରୁ ୯୦ ହଜାର ଟଙ୍କା ଫିସ‍୍‌ ଥିବା ବେଳେ ଏହାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

 

ଏହିପରି ଛାତ୍ରବୃତ୍ତି ପ୍ରଦାନ ସମୟସୀମା ୮ରୁ ୯ମାସକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଦଳିତ, ଆଦିବାସୀ, ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀମାନେ ସଂକଟର ସମ୍ମୁଖୀନ ହୋଇଛନ୍ତି। ରାଜୀବ ଗାନ୍ଧି ଜାତୀୟ ଛାତ୍ର ବୃତ୍ତି ଯୋଜନା, ମୌଲାନା ଆଜାଦ‍୍‌ ଜାତୀୟ ଛାତ୍ରବୃତ୍ତି ପ୍ରଦାନକୁ ୧ମାସ ମଧ୍ୟରେ ପ୍ରଦାନ ନକରି ଏହାକୁ ୯ମାସ ଯାଏ ଅଟକ ରଖାଯାଉଛି। ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ ୨୦୧୪-୧୫ ବର୍ଷରେ ୩୯୦୦ କୋଟି ଟଙ୍କା ବଜେଟ‍୍‌ରୁ କାଟିଦିଆଯାଇଛି। ସରକାର ଗୋଟିଏ ପକ୍ଷରେ କୌଶଳ ବିକାଶର କଥା କହୁଛନ୍ତି, ପ୍ରଚାର ବି କରୁଛନ୍ତି ଏ ସଂପର୍କରେ ଅଧିକରୁ ଅଧିକ। ଅନ୍ୟପକ୍ଷରେ କୌଶଳ ବିକାଶ ପାଇଁ ନିର୍ମିତ ଉଚ୍ଚ ଶିକ୍ଷା ସଂସ୍ଥାନ ପାଇଁ ଆବଣ୍ଟିତ ବଜେଟ‍୍‌ରୁ ଅର୍ଥ କାଟ‍୍‌ କରୁଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ‍୍‌ଲୀ ନିଜର ପ୍ରଥମ ବଜେଟ‍୍‌ ଭାଷଣରେ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଗୁଣାତ୍ମକ ମାନ ବୃଦ୍ଧି ଓ ଆବଶ୍ୟକ ଅର୍ଥ ବରାଦ ଉପରେ ଗୁରୁତ୍ୱ ଦେଇଥିବା ବେଳେ କାର୍ଯ୍ୟତଃ ଏହାର ବିପରୀତ ପଦକ୍ଷେପ ନିଆଯାଇଛି, ଅର୍ଥାତ୍ ଶିକ୍ଷା କ୍ଷେତ୍ରରୁ ଅର୍ଥ କାଟ କରାଯାଇଛି।

 

ତଥ୍ୟ ଅନୁଯାୟୀ ୟୁଜିସି, ଆଇଆଇଟି, ଆଇଆଇଏନ‍୍‌, ଏନ‍୍‌ଆଇଟି ପାଇଁ ଉଦ୍ଦିଷ୍ଟ ବଜେଟ‍୍‌ ଅର୍ଥରୁ ୫୦ ପ୍ରତିଶତରୁ ଅଧିକ କାଟିଦିଆଯାଇଛି। ଏହାସହ ଏହି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଫିସ‍୍‌ ବୃଦ୍ଧି କରାଯାଇଛି। ଅନ୍ୟ ଏକ ସମ୍ୱେଦନଶୀଳ ପ୍ରସଙ୍ଗ ହେଉଛି ଶିକ୍ଷା ଏବଂ ସାହିତ୍ୟ ଭଳି ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାରେ ପାଠ୍ୟପୁସ୍ତକ ଏବଂ ପାଠ୍ୟକ୍ରମକୁ ବିକୃତ କରିବା ଉଦ୍ୟମ ଚାଲିଛି। ଭାରତୀୟ ଇତିହାସ ପରିଷଦରେ ଏଚ‍୍‌ଆର‍୍‌ ସୁଦର୍ଶନ ରାଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବ ସଂଗଠନ ସଂପାଦକ ରାମବାହାଦୁର ରାୟଙ୍କୁ ଇନ୍ଦିରାଗାନ୍ଧି କେନ୍ଦ୍ରୀୟ କଳାକେନ୍ଦ୍ରର ମୁଖ୍ୟଭାବେ, ଆର‍୍‌ଏସ‍୍‌ଏସ‍୍‌ର ମୁଖପତ୍ର ପଞ୍ଚଜନ୍ୟର ପୂର୍ବ ସଂପାଦକ ବଳଦେବ ଶର୍ମାଙ୍କୁ ନ୍ୟାସ‍୍‌ନାଲ‍୍‌ ବୁକ୍ ଟ୍ରଷ୍ଟର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସଂଘର ହିନ୍ଦୁତ୍ୱବାଦୀ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଶିକ୍ଷା କ୍ଷେତ୍ରରେ ନୂଆ ନୀତି ପ୍ରଣୟନ କରିବାକୁ ସଂଘ ସହ ଜଡ଼ିତ ଦୀନନାଥ ବତ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଜେଏନ‍୍‌ୟୁ, ହାଇଦ୍ରାବାଦ, ଯାଦବପୁର, ଏଲ‍୍‌ହାବାଦ, ଗୁଜୁରାଟ, ଏଫ୍ଟିଆଇଆଇ, ଆଇଆଇଟି ମାଡ୍ରାସ ଭଳି ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ସଂସ୍ଥାନ ଛାତ୍ରଙ୍କ ବିରୋଧରେ ହିନ୍ଦୁତ୍ୱବାଦୀ ସଂଗଠନ ସରକାରୀ ସମର୍ଥନରେ ଯୁଦ୍ଧ ଘୋଷଣା କରିଛନ୍ତି। ଆଇଆଇଟି ମାଡ୍ରାସର ପ୍ରଶାସନ ଆମ୍ୱେଦକର ପେରିଆର‍୍‌ ଷ୍ଟଡି ସର୍କଲ‍୍‌କୁ ବନ୍ଦ କରିଦେଇଛି। ଫିଲ୍ମ ଏଣ୍ଡ ଟେଲିଭିଜନ‍୍‌ ଇନଷ୍ଟିଚ୍ୟୁଟ‍୍‌ ଅଫ୍ ଇଣ୍ଡିଆ, ପୁନେରେ ଗଜେନ୍ଦ୍ର ଚୌହାନ‍୍‌ ନାମକ ଜନୈକ ବିବାଦୀୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ସାଂପ୍ରଦାୟିକ ରାଷ୍ଟ୍ରବାଦ ଏଜେଣ୍ଡା, ସାଂପ୍ରଦାୟିକ ଧ୍ନବୀକରଣ ମାଧ୍ୟମରେ ଦେଶର ଇତିହାସକୁ ବଦଳେଇବା ପାଇଁ ଚାଲିଛି ଉଦ୍ୟମ।

 

ଇତିହାସର ପୁନଃଲିଖନ ପାଇଁ ରାଜସ୍ଥାନର ବସୁନ୍ଧରା ସରକାର ପ୍ରଥମେ ଉଦ୍ୟମ ଆରମ୍ଭ କରିଛି। ଅଷ୍ଟମଶ୍ରେଣୀ ପାଠ୍ୟକ୍ରମ (ସାମାଜିକ ବିଜ୍ଞାନ)ରୁ ନେହେରୁଙ୍କ ନାମ କାଟିଦିଆଯାଇଛି। ଆର‍୍‌ଏସ‍୍‌ଏସ‍୍‌ ପ୍ରତିଷ୍ଠାତା କେଶବ ବଳିରାମ ହେଡ଼ଗେୱାର‍୍‌ଙ୍କ ବାଇଓଗ୍ରାଫି ୫୦୦ ସରକାରୀ ବିଦ୍ୟାଳୟରେ ପଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏହି ବିଷୟ ପଢ଼ିବେ। ଏହା ସହ ଅଟଳ ବିହାରୀ ବାଜପେୟୀଙ୍କ ‘ମେରୀ ୫୧ କବିତା’, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ମଧ୍ୟ ବିଦ୍ୟାଳୟ ପାଠାଗାରରେ ରହିବ। ବିଦ୍ୟାଳୟ ଶିକ୍ଷାରେ ଆର‍୍‌ଏସ‍୍‌ଏସ‍୍‌ର ସାଂପ୍ରଦାୟିକ ବିଚାରକୁ ସ୍ଥାନୀତ କରାଯିବ। ଉଲ୍ଲେଖଯୋଗ୍ୟ ଯେ ୧୯୭୭ରେ ମୋରାରଜୀ ଦେଶାୟୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନିକଟରେ  ତତ୍କାଳୀନ ଜନସଂଘ ସାଂସଦମାନେ ଦାବି କରିଥିଲେ ଯେ ଐତିହାସିକ ରୋମିଲା ଥାପର‍୍‌ଙ୍କ ‘ମଧ୍ୟକାଳୀନ ଭାରତ’, ବିପିନ‍୍‌ ଚନ୍ଦ୍ରଙ୍କ ‘ଆଧୁନିକ ଭାରତର ଇତିହାସ’, ଏ ତ୍ରିପାଠୀଙ୍କ ‘ସ୍ୱାଧୀନତା ଆନ୍ଦୋଳନ’ ସହ ବରୁଣ ଦେ ଏବଂ ବିପିନ‍୍‌ ଚନ୍ଦ୍ରାଙ୍କ ପୁସ୍ତକ ପାଠ୍ୟପୁସ୍ତକରୁ ହଟାଇ ଦେବା ପାଇଁ। ଆରଏସ‍୍‌ଏସ‍୍‌ ପତ୍ରିକା ‘ଅଗାର୍ନାଇଜର’ର ୨୩ ଜୁଲାଇ ୧୯୭୮ ସଂଖ୍ୟାରେ ଏହି ଐତିହାସିକ ମାନକ ପୁସ୍ତକକୁ ପାଠ୍ୟକ୍ରମରୁ ହଟାଇଦେବା ପାଇଁ ମତ ଦିଆଯାଇଥିଲା। ଗୁଜରାଟର କେଶୁଭାଇ ନେତୃତ୍ୱର ୧୯୯୫ ବିଜେପି ସରକାର ଗୁଜୁରାଟ ବିଦ୍ୟାଳୟ ପାଠ୍ୟକ୍ରମରେ ମୁସ‍୍‌ଲିମ‍୍‌, ଖ୍ରୀଷ୍ଟିଆନ‍୍‌ ଏବଂ ପାର୍ସି ସମସ୍ତେ ବିଦେଶୀ ବୋଲି ଲେଖାଯାଇଥିଲା। ମାନବସମ୍ୱଳ ବିକାଶ ମନ୍ତ୍ରୀ ଥିବା ବେଳେ ସ୍ମୃତି ଇରାନୀ ଅଷ୍ଟମ, ନବମ, ଦଶମ ପାଠ୍ୟକ୍ରମରେ ବେଦ, ଉପନିଷଦକୁ ସାମିଲ‍୍‌ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ରାଜସ୍ତାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ବାସୁଦେବ ଦେବନାନୀ ଇତିହାସର ପୁନଃଲିଖନ ଉପରେ ନିକଟରେ ମଦ ଦେଇଛନ୍ତି। ଏହି ଶିକ୍ଷା ମନ୍ତ୍ରୀଙ୍କ ମତ ଯେ, ଆର୍ଯ୍ୟମାନେ ଭାରତର ମୂଳନିବାସୀ। କିନ୍ତୁ ଏହା ଇତିହାସର ତଥ୍ୟ ନୁହେଁ। ଏହାସହ ସିନ୍ଧୁଘାଟି ସଭ୍ୟତାକୁ ହିନ୍ଦୁଘାଟି ସଂସ୍କୃତି ସହ ଯୋଡ଼ିଦେବା ପାଇଁ ଏହି ଶିକ୍ଷାମନ୍ତ୍ରୀ ମତ ଦିଅନ୍ତି।

ରାଜସ୍ତାନ ଓ ଗୁଜୁରାଟ ବିଦ୍ୟାଳୟ ପାଠ୍ୟପୁସ୍ତକରେ ନେଲସନ‍୍‌ ମାଣ୍ଡେଲାଙ୍କ ଭୂମିକାକୁ ବାଦ‍୍‌ ଦିଆଯାଇଛି। ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ‍୍‌ ଗଡ଼ସେଙ୍କ କୁଖ୍ୟାତ ଭୂମିକାକୁ ସ୍ଥାନ ଦିଆଯାଇନାହିଁ। ସ୍ୱାଧୀନତା ଆନ୍ଦୋଳନରେ ସରୋଜିନୀ ନାଇଡୁ, ଜବାହର ଲାଲ ନେହରୁ ଭୂମିକାକୁ ବାଦ‍୍‌ ଦିଆଯାଇଛି।

 

ଗୋଟିଏ ପଟେ ଶିକ୍ଷା ବଜେଟ‍୍‌ରୁ ଅର୍ଥକାଟ, ଅନ୍ୟ ପଟରେ ଶିକ୍ଷାର ଗୈରୀକରଣ ଏହାସହ ଇତିହାସର ପୁନଃଲିଖନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଯେପରି ଉଦ୍ୟମ ଆରମ୍ଭ କରିଛନ୍ତି, ଏହା ଦେଶର ଧର୍ମନିରପେକ୍ଷତା ଏବଂ ବିବିଧତାପୂର୍ଣ୍ଣ ସଂସ୍କୃତି ପ୍ରତି ବିପଦର ବାର୍ତ୍ତା ଦେଉଛି। ଏ ସଂପର୍କରେ ସମୀକ୍ଷା ଯେପରି ଲୋଡ଼ା, ବିତର୍କ ଅଧିକ କ୍ରିୟାଶୀଳ ଏବଂ ଶକ୍ତିଶାଳୀ ହେବାର ଆବଶ୍ୟକତା ଗୁରୁତ୍ୱ ବହନ କରିଛି।

 

ଦୂରଭାଷ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top