ଭସ୍ମାସୁର

News Story - Posted on 2017-06-10

ରବି କାନୁନ୍‌ଗୋ

 

We will have to give an account on the day of judgment for every careless word spoken- Mathew

 

ଏହାର ବିପରୀତ ଗୁରୁ-ବାଣୀ ହେଲା - ଅର୍ଥକୁ ପରତେ ଯିବୁ, ଶବ୍ଦକୁ ନୁହେଁ। ଗୋଟାଏ ଶବ୍ଦର ଯେ କେତେ ମାନେ ତା’ର ଠିକଣା ନାହିଁ। କେଉଁ ଠିପି ଶୁଙ୍ଘି ବେହାଲ‌୍‍ ହେବୁ ତ ସେଇଠି ପଡ଼ିଥିବୁରେ ବାପ! ‘ତୁଣ୍ଡ ହୁଡ଼ିବୁନି’- ଏ ବୁଦ୍ଧି ମଣିଷକୁ ପିଲାଦିନୁଁ ଜାଣେ। ନ ମାନିଲେ, ମାଡ଼- ତାହା ବି ଜାଣେ।

 

ତେଣୁ ଆମ ଗୁରୁ ଗୋସେଇଁ କହିଲେ, ଶବ୍ଦକୁ ଏକଦମ‌୍‍ ଅମାନ୍ୟ କରିବୁନି କି ଅର୍ଥକୁ ପୂରା ବିଶ୍ୱାସ କରିବନୁ। ହୁସିଆର‌୍‍, ତା’ ଭିତରେ ନିଜ ମରିବା ଓ ବଞ୍ଚିବାର ଦାୟିତ୍ୱ ତୋ’ର। ସେତେବେଳେ ତୁ ପରାକ୍ରମରେ କମ୍ପୁଥିବୁ। ଏକା ଶବ୍ଦରେ ସଂପର୍କ ଯୋଡ଼ୁଥିବୁ, ଘର ବି ଭାଙ୍ଗୁଥିବୁ। କାଶ୍ମୀରରେ ଟେକା ପକୋଉଥିବୁ ଓ ସହୀଦ-ପେଟିରେ ଫୁଲ ଚଢ଼ୋଉଥିବୁ!

 

ଶବ୍ଦ ଏକ ନିଆରା ନାୟିକା। ସବୁ ବେଳେ ପଟେଇ ଦିଏ ଏବଂ ସବୁବେଳେ ଦଗା ଦିଏ। ହେଲେ ମଣିଷ ତା’ ସହିତ ଚାଳିବାକୁ ବାଧ୍ୟ କାରଣ ବଞ୍ଚିବାର ବିକଳ୍ପ ସାଧନ ସେ କିଛି ଯୋଗାଡ଼ କରି ପାରିନାହିଁ। ଗୋଟିଏ ଛୋଟିଆ ବାକ୍ୟ ଯୋଗୁ ମହା ମହା ରଥୀ ପଥି ଢୋକି ଫେରନ୍ତି। ତାହା ହେଲା : ଆହା, ଆପଣ ମତେ ବୁଝି ପାରିଲେନି।

 

ଇଲେକ‌୍‍ଟ୍ରୋନିକ ଯୋଗୁ ଏକବିଂଶ ଶତାବ୍ଦୀ ଅନନ୍ୟ। ଶବ୍ଦହୀନ ସଞ୍ଚାର ପାଇଁ ନୂଆ ଯୁଗ ଆସିଲା। ତାହା ହେବ ଯେ ହେବ ଭସ୍ମାସୁରର ଯୁଗ, ଏକଥା ବି ଅନୁମାନ କରାଯାଇଥିଲା। ଆମେ ସିରସ୍ତା ଯୁଗରୁ ଡେଇଁ ପଡ଼ିଲୁ ନେଟ‌୍‍କୁ। ଭୂଇଁ ଛୁଇଁବାକୁ ହାତରେ ଆଉ କାତ ବାଡ଼ି କିଛି ରହିଲାନି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଏବେ ସବୁ ଡିଜିଟାଲ‌୍‍।

 

ସଦ୍ୟ ବିପତ୍ତି ହେଲା- ରାନସମ୍‌ୱେଆର ନାମକ ଏକ ଭାଇରସ‌୍‍ ଆକ୍ରମଣ ଯୋଗୁ ସରକାର ଓ ବ୍ୟାଙ୍କଗୁଡ଼ିକ ତ୍ରାହି ତ୍ରାହି ଡାକ ଦେଲେଣି। ଏଟିଏମ କାରବାର ବନ୍ଦ। ‘ନୋଟ‌୍‍-ବନ୍ଦୀ’ ସମୟ ପରି ହାହାକାର ଲାଗୁଛି।

 

ମନର ଗମ୍ଭୀରା ଭିତରେ ଏବଂ ଅଭିଧାନର ପୃଷ୍ଠାରେ ଶବ୍ଦଗୁଡ଼ିକ ବେଶ ନିରାପଦରେ ଥା’ନ୍ତି। ପଦାକୁ ବାହାରିଲେ ତା ରୂପ କ’ଣ ହୁଏ- ସେକଥା ପ୍ରଭୁ ଅନ୍ତର୍ଯ୍ୟାମୀ ଏବଂ କହିବା-ଶୁଣିବା ଲୋକଙ୍କ ଛଡ଼ା ଆଉ କେହି ଅନ୍ତରଙ୍ଗ ଭାବେ ଜାଣି ପାରନ୍ତିନି।

 

ଶବ୍ଦରେ ଫୁଲ ଫୁଟେ। ଝରଣା ଝରେ। ମନ ଲତପତ ହୁଏ। ବମ‌୍‍ ବି ଫୁଟେ, ନାନା ନାରକୀୟ ଚିତ୍ର ଫଉଲେଇ। ତେଣୁ ଶାସ୍ତ୍ର-ପୁରାଣରେ ଶବ୍ଦକୁ ବ୍ରହ୍ମର ପ୍ରତିରୂପ ବୋଲି ଧରାଯାଏ।

 

ଶବ୍ଦର ତାକତ ବା ରୂପ ମାପିବାକୁ ଏ ଧରାଧାମରେ କାହାରି ଶକ୍ତି ନାହିଁ। ‘ନରେ ବା ଗୁଞ୍ଜରେ ଅଶ୍ୱତ୍ଥମା ହତ’- ଏଥିରେ ‘ନର’ ଶବ୍ଦ କାହିଁକି ଲଗେଇଲ? ଏ ଅଭିଯୋଗରେ ତାହା ଯୁଧିଷ୍ଠିିରଙ୍କ ଧର୍ମ ଖାତାରେ ମିଛ ତାଲିକାକୁ ପଶିଗଲା ସ୍ୱଦେହେ ସ୍ୱର୍ଗ-ଗମନ ପୂର୍ବରୁ ତାଙ୍କୁ ଦିନେ ନର୍କ ଭୋଗିବାକୁ ପଡ଼ିଲା।

 

ମାର୍କ ଟ୍ବାଇନ କହିଲେ, ତାହା ଉଭୟ ଶତ୍ରୁ ଓ ମିତ୍ରଙ୍କୁ ଏକଜୁଟ କରେଇ ଦେଇପାରେ। ଶତ୍ରୁ ପରୋକ୍ଷାରେ ତୁକାର କହେ। ତମେ ହୁଏତ ମୋଟେ ଜାଣି ପାରି ନଥା’ନ୍ତ। ମିତ୍ର ତାକୁ ଆଣି ପାଖରେ ପହେଞ୍ଚଇ ଦିଏ।

 

କୌଣସି ଡାଇମେନ‌୍‍ସନ ବା ଆୟାମରେ ଶବ୍ଦକୁ ଅସଲ ରୂପରେ ଦେଖି ହୁଏନି। ଶବ୍ଦ- କିଛି ସାବାଡ‌୍‍ ହୁଏ ଲେଖାରେ। ଏବଂ ବଳକାତକ- କହିବା ଲୋକର ଅକଲରେ ପରିଚାଳିତ ହୁଏ।

 

କିଛି ବର୍ଷ ପୂର୍ବେ ରାଜସ୍ଥାନର ପଞ୍ଚାୟତିରାଜ-ୱାକ‌୍‍ଫ ମନ୍ତ୍ରୀ ଜନାବ ଅମିନ ଖାଁ ଏକ ଅର୍ଥହୁଡ଼ା ଶବ୍ଦ ଜଞ୍ଜାଳରେ ପଡ଼ିଥିଲେ। ନିଜ ଦଳର ଅଧୈର୍ଯ୍ୟ କର୍ମାମାନଙ୍କୁ ସାନ୍ତ୍ୱନା ଦେବାକୁ ସେ କୁଆଡେ଼ ଉଦାହରଣରେ କହୁ କହୁ କହିଦେଲେ- ପ୍ରତିଭା ପାଟିଲ ଆଜି ରାଷ୍ଟ୍ରପତି। କେମିତି ହେଲେ? ନା, ସତୁରି ଦଶକରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କର ରୋଷେଇବାସ କରୁଥିଲେ। ଏବେ ସେଦିନଠାରୁ ଏପର୍ଯ୍ୟନ୍ତ ନେହେରୁ-ଗାନ୍ଧି ପରିବାର ପାଇଁ ତାଙ୍କ ୱଫାଦାରିର ଫଳ ଏବେ ସେ ପାଇଲେ।

 

ଧରାଯାଉ, ସେ ଯଦି କହିଥା’ନ୍ତେ: ସାଂଗଠନିକ ଧୈର୍ଯ୍ୟ ପରଖିବା ପାଇଁ ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲଙ୍କ ସହିତ ପୃଥିବୀରେ କାହାରି ତୁଳନା ନାହିଁ। ସତୁରି ଦଶକରେ ସେ ନିଜେ ରୋଷଇ କରି କଂଗ୍ରେସ କର୍ମୀଙ୍କୁ ଖାଇବାକୁ ଦେଉଥିଲେ। ସେ ପଙ୍ଗତରେ ସ୍ୱୟଂ ଇନ୍ଦିରା ଗାନ୍ଧି ବି ବସୁଥିଲେ। ହେଇ ଦେଖ ଧୈର୍ଯ୍ୟର ଫଳ। ଆଜି ସେ ଆମ ମହାନ ଗଣତନ୍ତ୍ରର ରାଷ୍ଟ୍ରପତି। ହେ କର୍ମୀମାନେ, ତମେ ଏମିତି ଫଳ ପାଇବାକୁ ତରତର ହେଲେ ହବ ନା?

 

ସମାନ କଥା। କହିବା ଓ ବୁଝିବାରେ କିଛି ଢଙ୍ଗ ବଦଳି ଗଲା କେବଳ। ଆଗେ ରାଜନୀତିଆ ଅକ୍ଳେଶରେ କଥାଟେ କହି ପରେ ହୁରୁଡେ଼ଇ ଦେଉଥିଲେ। ସାକ୍ଷୀ ପ୍ରମାଣ ଯୋଗାଡ଼ କରି ସାବୁତ କରିବା ସାମ୍ୱାଦିକ ପକ୍ଷରେ ଦୁଷ୍କର ହୋଇ ପଡ଼ୁଥିଲା। ଆଜି ସେ ଦୟନୀୟ ଅବସ୍ଥା ନାହିଁ। ଟିଭି ଚ୍ୟାନେଲଗୁଡ଼ିକ ବାଣୀ ବଚନ ଡାଇରେକ୍ଟ ଲୋକଙ୍କୁ ଦେଖେଇ ଦେଉଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top