ନୂଆ ଭାରତ ପାଇଁ ପ୍ରେରଣା

News Story - Posted on 2017-06-10

ଡଃ ଆର. ବାଲାଶଙ୍କର

 

ନରେନ୍ଦ୍ର ମୋଦି ସରକାରଙ୍କ ତିନି ବର୍ଷର ଶାସନକାଳ ମଧ୍ୟରେ ବିଶ୍ୱ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ନିଜର ସ୍ଥାନ ସୁଦୃଢ଼ ଓ ସୁରକ୍ଷିତ କରିପାରିଛି। ବିଶ୍ୱରେ ଅଭିବୃଦ୍ଧି ହାର ୩.୧ ପ୍ରତିଶତ ଥିବା ବେଳେ ଏହି ସମୟ ମଧ୍ୟରେ ଭାରତ ୭.୯ ପ୍ରତିଶତ ଅଭିବୃଦ୍ଧି ହାରରେ ବିକାଶ କରିଚାଲିଛି। ସେୟାର ବଜାର ଦ୍ରୁତଗତିରେ ବଢ଼ିଚାଲିଛି। ପ୍ରଥମ ଥର ପାଇଁ ଦେଶରେ ବିଦ୍ୟୁତ ଓ କୋଇଲା କ୍ଷେତ୍ରରେ ଅତିରିକ୍ତ ଉତ୍ପାଦନ ହୋଇପାରିଛି। ଶକ୍ତି ଦୃଶ୍ୟପଟ୍ଟ ବେଶ ଆଶାଜନକ ହୋଇଛି। ଯେଉଁ ସମୟରେ ତୈଳ ଦରରେ ହ୍ରାସ ପରିଲକ୍ଷିତ ହୋଇଛି, ସେହି ସମୟରେ ଭାରତ ଶକ୍ତିର ବିକଳ୍ପ ସୂତ୍ର ବିକଶିତ କରିପାରିଛି। ମୁଦ୍ରାସ୍ଫୀତି କମ ରହିଛି। ଋଣ ହାର ମଧ୍ୟ କମ ହୋଇଛି। ଅଧିକ ଋଣ ନିଆଯାଇପାରୁଛି। ଦେଶର ଭିତ୍ତିଭୂମି କ୍ଷେତ୍ରରେ ସବୁଠୁ ଅଧିକ ସାଧାରଣ ପୁଞ୍ଜିନିବେଶ ହୋଇପାରିଛି। ନିରନ୍ତର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ସମସ୍ତ ଆର୍ଥିକ ବିକାଶ ସକରାତ୍ମକ ହୋଇପାରିଛି। ଫଳ ସ୍ୱରୂପ ବିଶ୍ୱରେ ସବୁଠୁ ବଡ ଅର୍ଥ ବ୍ୟବସ୍ଥା ହେବା ଦିଗରେ ଭାରତ ଅଗ୍ରସର ହୋଇଛି। ନୀତିଗତ ପକ୍ଷାଘାତ, ଘନି ପୁଞ୍ଜିବାଦ ଏବଂ ଦୁର୍ନୀତି ଯୋଗୁଁ ମଳିନ ହୋଇଯାଇଥିବା ଭାରତର ଚିତ୍ରରେ ପରିବର୍ତ୍ତନ ଆଣି ସେହି ଗୌରବର କାହାଣୀକୁ ଦ୍ୱିତୀୟ ଥର ନିମନ୍ତେ ପ୍ରତିଷ୍ଠା କରାଇବାରେ ମୋଦି ସରକାର ସଫଳ ହୋଇପାରିଛନ୍ତି। ଉତ୍ତମ ଅର୍ଥ ବ୍ୟବସ୍ଥା ହେଉଛି ଉତ୍ତମ ରାଜନୀତି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରମାଣିତ କରିପାରିଛନ୍ତି। ଭାରତୀୟ ରାଜନୈତିକ ବିତର୍କରେ ବିକାଶକୁ ସେ କେନ୍ଦ୍ରୀୟ ବିଷୟ କରିପାରିଛନ୍ତି। ବାସ୍ତବରେ କହିବାକୁ ଗଲେ ଏହା ହେଉଛି ବର୍ତ୍ତମାନ ସରକାରଙ୍କ ଗତ ତିନିବର୍ଷର ସବୁଠୁ ବଡ ସଫଳତା।

 

ଏହା ପୂର୍ବ ରାଜନୀତିଠାରୁ ଢ଼େର ପୃଥକ। ପୂର୍ବେ ରାଜନୈତିକ ଭାଷଣରେ ଭାବନାତ୍ମକ, ଜାତିଗତ, ସାମ୍ପ୍ରଦାୟିକ ଧ୍ରୁବୀକରଣ ଓ ପରିଚୟ ଆଦିକୁ ପ୍ରସଙ୍ଗ କରାଯାଉଥିବା ବେଳେ ବର୍ତ୍ତମାନ ବିକାଶ ପ୍ରସଙ୍ଗକୁ ଆଧାର କରି ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରାଯାଉଛି। ଜନସାଧାରଣଙ୍କ ପ୍ରତିକ୍ରିୟାକୁ ଆଧାର କରି ରାଜନୈତିକ ଦଳଗୁଡିକ ନୈତିକ ଆଭିମୁଖ୍ୟ ଗ୍ରହଣ କରି ମହାତ୍ୱାକାଂକ୍ଷୀ ଭାରତ ନିର୍ମାଣ ପାଇଁ ବାଧ୍ୟ ହୋଇଛନ୍ତି। ଏହିପରି ଭାବେ ପ୍ରଧାନମନ୍ତ୍ରୀ ରାଜନୀତିକୁ ପୁନଃ ରୂପରେଖ ପ୍ରଦାନ କରିପାରିଛନ୍ତି। ସବ‌୍‍କା ସାଥ‌୍‍ ସବକା ବିକାଶ ଅର୍ଥାତ ପ୍ରତ୍ୟେକ ବ୍ୟକ୍ତି ଏକ ଅଂଶୀଦାର ରୂପେ ସମସ୍ତଙ୍କ ବିକାଶ ନିମନ୍ତେ ଦାୟିତ୍ୱ ନେଇଛନ୍ତି।

 

ଏଥିପାଇଁ ଟିମ ଇଣ୍ଡିଆ ପରି ମୋଦି ସରକାର ଆଗକୁ ମାଡି ଚାଲିଛନ୍ତି। ଫଳରେ ପ୍ରତ୍ୟେକ ରାଜ୍ୟ ଆର୍ଥିକ ବିକାଶର ସାଧନ ହେବା ସହ ପୁଞ୍ଜିନିବେଶ ବୃଦ୍ଧି ତଥା ବ୍ୟବସାୟ ବାଣିଜ୍ୟକୁ ସୁଗମ କରିବା ନିମନ୍ତେ ଉପଯୁକ୍ତ ବାତାବରଣ ସୃଷ୍ଟି କ୍ଷେତ୍ରରେ ରାଜ୍ୟ-ରାଜ୍ୟ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହୋଇଛି। ଏଥିପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଆଧାରରେ ରାଜ୍ୟଗୁଡିକ ପାଇଁ ଆବଂଟନ ବୃଦ୍ଧି କରାଯାଇଛି। ସାମ୍ୱିଧାନିକ ଯୋଜନାରେ ବିକାଶ, ବିଦ୍ୟୁତ, ଜଳ, ସଡକ, ଭୂମି ଓ ଶିକ୍ଷା ପରି ପ୍ରମୁଖ ବିଷୟଗୁଡିକୁ ରାଜ୍ୟ କିମ୍ୱା ସମବର୍ତ୍ତୀ ତାଲିକାରେ ରଖାଯାଇଛି। ରାଜ୍ୟଗୁଡିକର ସୁସ୍ଥ ଅଭିବୃଦ୍ଧି ନିମନ୍ତେ ନୀତି ଆୟୋଗ ଜରିଆରେ ନିୟୋଜନ ଭୂମିକାକୁ ଦ୍ୱିତୀୟ ଥର ପାଇଁ ପରିଭାଷିତ କରାଯାଇଛି। ଫଳ ସ୍ୱରୂପ ମଧ୍ୟ ପ୍ରଦେଶ, ଛତିଶଗଡ, ଗୁଜରାଟ ଓ ବିହାର ପରି ରାଜ୍ୟଗୁଡିକରେ କୃଷି କ୍ଷେତ୍ରରେ ଦୁଇ ଅଙ୍କର ଅଭିବୃଦ୍ଧି ହାସଲ କରି ଜାତୀୟ କୃଷି ବିକାଶକୁ ବୃଦ୍ଧି କରାଯାଇପାରିଛି।

 

ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଏହି କାହାଣୀର ଆଉ ଏକ ଅଂଶ। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଦେଶର ୩୫ କୋଟି ଲୋକଙ୍କ ବ୍ୟାଙ୍କ ଆକାଂଉଟ ଖୋଲାଯାଇପାରିଛି। ଏହି ସବୁ ଲୋକ ଆପେ ଆପେ ଜୀବନ ବୀମା ପାଇଁ ଯୋଗ୍ୟ ହୋଇପାରିଛନ୍ତି। ସବସିଡିକୁ ଯୁକ୍ତି ସଂଗତ କରାଯାଇପାରିଛି। ଫଳରେ ୧୦ ନିୟୁତରୁ ଅଧିକ ପରିବାର ସବସିଡି ପ୍ରତ୍ୟାହାର କରିବା ଏବଂ ଗରୀବ ପରିବାରକୁ ନଗଦ ହସ୍ତାନ୍ତରଣ ଜରିଆରେ ୫୫ ହଜାର କୋଟି ଟଙ୍କା ସଂଚୟ କରାଯାଇ ଅଧିକ ସଂଖ୍ୟକ ଲୋକଙ୍କୁ ନିଃଶୁଳ୍କ ରନ୍ଧନ ଗ୍ୟାସ ସଂଯୋଗ ଦିଆଯାଇପାରିଛି। ଯେଉଁ ଲୋକଙ୍କ ପାଇଁ ଦିନେ ନିଜର ଏକ ଘର କିମ୍ୱା ନିଜର ଏକ ବ୍ୟବସାୟ ଆରମ୍ଭ କରିବା ସ୍ୱପ୍ନ ଥିଲା, ସେପରି ଲୋକଙ୍କୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଦ୍ରା ଯୋଜନା ଜରିଆରେ ଘର ଓ ରୋଜଗାର ସୁବିଧା ସୃଷ୍ଟି କରାଯାଇ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନକୁ ସାକାର କରାଯାଇପାରିଛି।

 

ସାତ ଦଶକ ଭିତରେ ପ୍ରଥମ ଥର ଗ୍ରାମୀଣ ବିଦ୍ୟୁତକରଣ ଯୋଜନାରେ ୧୯ ହଜାର ଗାଁରେ ବିଜୁଳି ଆଲୋକ ପହଂଚାଯାଇ ପାରିଛି। ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୀତ ମନରେଗା ଓ ଆଧାର ପରି ଉତ୍ତମ ଯୋଜନା ଗୁଡିକୁ ଅଧିକ ସୁଦୃଢ଼ କରାଯାଇପାରିଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ଅଭିଯାନ, ଔଷଧ ଏବଂ ଷ୍ଟେଂଟ ଦର ନିୟନ୍ତ୍ରଣ ପରି ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରାମୀଣ ଜୀବନ ଶୈଳୀରେ ବିପ୍ଳବ ଆଣିପାରିଛି। ଏହା ଫଳରେ ନିମ୍ନ ଆୟକାରୀ ଲୋକଙ୍କ ମନରେ ନୂଆ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇପାରିଛି। ଅଧିକ ସମାନତାବାଦୀ ସାମାଜିକ ବ୍ୟବସ୍ଥା ସୃଷ୍ଟି କ୍ଷେତ୍ରରେ ବିମୁଦ୍ରାକରଣ ଜରିଆରେ ଅର୍ଥର ପୁନଃ ବିତରଣ ଏକ ବଡ ପଦକ୍ଷେପ ଥିଲା। ଏହା ଫଳରେ କୋଟି କୋଟି ଟଙ୍କାର କଳାଧନ ବାହାରିପାରିଥିଲା ଏବଂ କୋଟି କୋଟି ଟଙ୍କାର ଜାଲ ନୋଟ ସମାପ୍ତ ହୋଇପାରିଥିଲା।

 

ମୋଦି ସରକାର ଗତ ୩ ବର୍ଷ ମଧ୍ୟରେ ଯାହା ହାସଲ କରିଛନ୍ତି, ତାହା ବିକାଶ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ପରିବର୍ତ୍ତନ। ତୈଳ ସବସିଡି ଉଚ୍ଛେଦ କରିବା, ସେବାଶୁଳ୍କକୁ ଯୁକ୍ତିସଂଗତ କରିବା, ଉତ୍ତମ କର ଆଦାୟ, କୋଲ ବ୍ଲକ ଏବଂ ସ୍ପେକ୍ଟ୍ରମ ନିଲାମ ଜରିଆରେ ଅପ୍ରତ୍ୟାଶିତ ଲାଭ ସୁନିଶ୍ଚିତ କରିବା ଆଦି ବିଭିନ୍ନ ନିଷ୍ପତି ଗ୍ରହଣ କରି ସରକାର ସାର୍ବଜନୀନ ପାଣ୍ଠିରେ ଅଧିକ ସଂଚୟ କରିପାରିଛନ୍ତି। ଯାହାକି ପୂର୍ବତନ ସରକାର ଶୂନ୍ୟ ସମ୍ପତି କରିଥିଲେ। ଏହା କରି ପ୍ରଧାନମନ୍ତ୍ରୀ ନିଜ ପ୍ରତିଶ୍ରୁତିକୁ ପାଳନ କରିପାରିଛନ୍ତି। କାରଣ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଜାତୀୟ ଚୌକିଦାର ରୂପେ କାମ କରି ଜାତୀୟ ଟ୍ରେଜେରୀର ସୁରକ୍ଷା କରିବେ। ନଗଦ ବିହୀନ ସମାଜ ଏବଂ ଡିଜିଟାଲ ନେଣଦେଣ ନିଷ୍ପତି ବିବେକପୂର୍ଣ୍ଣ ଆର୍ଥିକ ଯୋଜନା ଥିଲା। ସରକାରଙ୍କ ନୀତି ସଂଚାଳନ, ବିଶ୍ୱସନୀୟତା ଓ ଜନ କେନ୍ଦ୍ରୀତ ଦୃଷ୍ଟିକୋଣ ରହିଛି। ଅଧିକାର, ବିଶେଷ ଅଧିକାର ଏବଂ ଭାଇ-ବାପର ସରକାରଙ୍କ ଶାସନ ଅତୀତର କାହାଣୀ ହୋଇଯାଇଛି। ପ୍ରକୃତ ପକ୍ଷେ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟ ଜରିଆରେ ଅସଲ ଗଣତନ୍ତ୍ରର ହାୱା ପ୍ରବାହିତ ହେଉଛି।

 

ଏହି ସମୟ ମଧ୍ୟରେ ଭାରତରେ ବାଣିଜ୍ୟ କାରବାର ସହଜ ହୋଇପାରିଛି ଏବଂ ସୂଚକାଙ୍କ ଉପରସ୍ତରକୁ ଉଠିଛି। ମାସ ପୂର୍ବେ ଇଣ୍ଡିଆ ଅନଲାଇନରେ ଦି ଇକନୋମିଷ୍ଟ ଶୀର୍ଷକରେ ଏକ ଲେଖା ପ୍ରକାଶ ପାଇଥିଲା। ଯେଉଁଥିରେ ଲେଖାଥିଲା ଯେ, ପ୍ରତି ସେକେଣ୍ଡରେ ୩ ଜଣ ଭାରତୀୟ ଇଂଟରନେଟ ସୁବିଧା ପାଉଛନ୍ତି। ୨୦୩୦ ମଧ୍ୟରେ ଏମାନଙ୍କ ମଧ୍ୟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ଅନଲାଇନରେ ରହିବେ। ବିଶ୍ୱରେ ଭାରତ ସବୁଠୁ ଦ୍ରୁତ ହାରରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା ଏବଂ ପୃଥିବୀର ସବୁଠୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ରୂପେ ଦାବି କରୁଛି। ଆପଣ ଦେଖିପାରୁଥିବେ ଫେସବୁକ, ଓବେର ଏବଂ ଗୁଗୁଲ ପରି କମ୍ପାନୀମାନେ ଭାରତକୁ ନିଜର ଆଧାର କରିବା ପାଇଁ ଉତ୍ସୁକତା ପ୍ରକାଶ କରୁଛନ୍ତି। ଏନଡିଏ ଶାସନ କାଳରେ ଦେଶର ରାଜସ୍ୱ ବହୁ ଗୁଣ ବୃଦ୍ଧି ପାଇଥିବା ବେଳେ, ପୁଞ୍ଜିନିବେଶ ତଥା ରୋଜଗାର ବଜାରରେ ଅନେକ ସମ୍ଭାବନା ସୃଷ୍ଟି ହୋଇପାରିଛି।

 

ସଫଳ ସ୍ମାର୍ଟ ଆପ୍ସ ଜରିଆରେ ଭାରତ ବିଶ୍ୱର ଏକ ବିନିର୍ମାଣ କେନ୍ଦ୍ରରେ ପରିଣତ ହୋଇଛି। ଗଣତନ୍ତ୍ର, ବିଶ୍ୱସନୀୟତା, ସଂସ୍ଥାଗତ ଢ଼ାଂଚା, ଦୁର୍ନୀତିମୁକ୍ତ ଓ ପାରଦର୍ଶୀ ପ୍ରଣାଳୀ ଜରିଆରେ ଚୀନ ତୁଳନାରେ ଭାରତ ନିବେଶକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇ ପାରିଛି। ଦେଶ ପାଇଁ ସରକାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛନ୍ତି। ଯାହା ଜରିଆରେ ୩୦ ନିୟୁତରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବିକାଶର କାହାଣୀ ଜରିଆରେ ବିଶ୍ୱାସ ସୃଷ୍ଟି କରାଯାଇପାରିଛି। ଫଳରେ ବିଦେଶରୁ ଅଧିକ ଧନରାଶି ଭାରତକୁ ଆସିପାରିଛି। ବିଗତ ୩ ବର୍ଷ ମଧ୍ୟରେ ସରକାର ନିରାଶାକୁ ଆଶାରେ ପରିବର୍ତ୍ତନ କରିପାରିଛନ୍ତି।

(ଏହା ଲେଖକଙ୍କ ନିଜସ୍ବ ମତ।)


ପ୍ରତିକ୍ରିୟା

Tapan Prusty - Email: Tapan.prusty2016@gmail.com - Posted on 2017-06-10 19:51:11

Very good article.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top