ରେଶମ ସହର ନାଁ ବୁଡ଼ିବ!

News Story - Posted on 2017-06-10

ହେମାଙ୍ଗ ପ୍ରସାଦ ରାଉଳ

 

ରେଶମ ଶାଢ଼ୀ ପାଇଁ ରେଶମ ସହର ଭାବେ ପରିଚିତ ହୋଇଥିବା ବ୍ରହ୍ମପୁର ସହର ପ୍ରଶାସନର ଖାମଖିଆଲି ନୀତି ଏବଂ ବୁଣାକାରମାନଙ୍କ ପ୍ରତି ଅବହେଳାରୁ ଏହାର ମାନ୍ୟତା ହରାଇବାକୁ ବସିଲାଣି। ଏବେ ଏ ସହର ଓ ଆଖାପାଖ ଅଂଚଳର ରେଶମ ଓ ପାଟଶାଢ଼ୀ ବୁଣାକାରମାନେ ଆର୍ଥିକ ଦୁର୍ଦ୍ଦଶାରେ ପଡ଼ି ବୃତ୍ତି ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି। ଓଡ଼ିଶା ସରକାରଙ୍କ ବୟନଶିଳ୍ପ ବିଭାଗରେ ଚାଲିଥିବା ବ୍ୟାପକ ଦୁର୍ନୀତି ତଥା ରାଜନୀତିକ ଏବଂ ପ୍ରାଶାସନିକ ଉଦାସୀନତା ଯୋଗୁଁ ବୁଣାକାରମାନେ ବାରମ୍ବାର କ୍ଷତି ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ପିଲାପରିବାର ଚଳାଇବାକୁ ଅନ୍ୟ ଧନ୍ଦା ଆପଣେଇଲେଣି।

 

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୁଣାକାରମାନେ ପିଢ଼ି ପରେ ପିଢ଼ି ଅତିକ୍ରମ କରି ନିଜର କୌଳିକ ବୃତ୍ତିକୁ ବଜାୟ ରଖି ସୂତା ଶାଢ଼ୀ, ରେଶମ ଶାଢ଼ୀ ଏବଂ ଟସର ଶାଢ଼ୀ ବୁଣାକୁ ନିଜର ଜୀବନ ଏବଂ ଜିବୀକାର ଏକମାତ୍ର ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ସୋରଡ଼ା, ହିଞ୍ଜିଳିକାଟୁ, ରଙ୍ଗେଇଲୁଣ୍ଡା ଏବଂ ଜଗନ୍ନାଥପ୍ରସାଦ ଆଦି ବିଭିନ୍ନ ଅଞ୍ଚଳର ବୁଣାକାରମାନେ ଲୁଗାବୁଣା କାର୍ଯ୍ୟ କରୁଥିବା ବୟନଶିଳ୍ପ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲେ ସୁଦ୍ଧା ପ୍ରକୃତ କ୍ଷେତ୍ରରେ ଦେଖିବାକୁ ଗଲେ ଏସବୁ ଅଂଚଳରେ ଏହି ବୁଣା କାର୍ଯ୍ୟ ଏକରକମ ବନ୍ଦ ହେବାକୁ ବସିଲାଣି।

 

ଏକଦା ଏହି ଅଞ୍ଚଳର ହସ୍ତତନ୍ତ ବୁଣାକାରମାନଙ୍କ ବୁଣାକାର୍ଯ୍ୟ ହସ୍ତତନ୍ତ ଶିଳ୍ପ ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ବର୍ତ୍ତମାନ କୋଟିକୋଟି ଟଙ୍କା ସରକାରୀ ସହାୟତା ମିଳୁଥିଲେ ସୁଦ୍ଧା ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲେ ମଧ୍ୟ ହିତାଧିକାରୀ ଏହିସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଆର୍ଥିକ ଦୁର୍ଗତିରେ ପଡ଼ି ସରକାରୀ ସହାୟତାରୁ ବଂଚିତ ଏହି ବୁଣାକାରମାନେ ନିଜ ପରିବାରର ଭରଣ ପୋଷଣ ସକାଶେ ନିଜର କୌଳିକ ବୃତ୍ତିଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ଶ୍ରେୟସ୍କର ମଣୁଛନ୍ତି। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ହସ୍ତତନ୍ତର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଛି। କିନ୍ତୁ କିଛି ଅସାଧୁ ଅଧିକାରୀମାନେ ଏ ସବୁକୁ ବାଟମାରଣା କରି ଚାଲିଥିବା ଅଭିଯୋଗ ହେଉଛି। ଏଥିପ୍ରତି କେହି ଯତ୍ନବାନ ନଥିବା ମନେ ହେଉଛି। 

 

ରେଶମ ସହର ବ୍ରହ୍ମପୁରର ରେଶମ ପାଟ ଏବଂ ପାଟରା ଉଭୟଙ୍କ ସୁରକ୍ଷା ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରି ବ୍ରହ୍ମପୁର ପାଟକୁ ରାଜ୍ୟ, ଦେଶ ଏବଂ ଦେଶ ବାହାରେ ପହଂଚାଇବା ସହିତ ଏହାର ଅଧିକ ବ୍ୟବସାୟ ପାଇଁ ବେସରକାରୀ ସ୍ତରରେ ଉଦ୍ୟମ ହୋଇଛି। କିନ୍ତୁ ବ୍ରହ୍ମପୁର ସ୍ଥିତ ବୟନଶିଳ୍ପ କାର୍ଯ୍ୟାଳୟର ଏଭଳି ଯୋଜନା ପ୍ରତି ଆଗ୍ରହ ନାହିଁ କି ବିକଳ୍ପ ଯୋଜନା ପ୍ରଣୟନ କରିବାକୁ ଦକ୍ଷତା ନାହିଁ। ଅଧିକନ୍ତୁ ଏହି କାର୍ଯ୍ୟାଳୟରେ ପ୍ରତିବର୍ଷ ବୁଣାକାରଙ୍କ ପାଇଁ ଆସୁଥିବା କୋଟିକୋଟି ଟଙ୍କା ହଡ଼ପ ହେଉଥିବା ଅଭିଯୋଗ ହୋଇଆସୁଛି। କୋଟିକୋଟି ଟଙ୍କାର ସହାୟତାକୁ ବୟନ ଶିଳ୍ପ ନିର୍ଦ୍ଦେଶାଳୟର ଉଚ୍ଚ ପଦସ୍ଥ ଅଧିକାରୀମାନେ ବାଟମାରଣା କରି ବୁଣାକାରମାନଙ୍କ ପ୍ରତି ଅଣଦେଖା କରୁଥିବାରୁ ଏହି କୌଳିକ ବୃତ୍ତି ଛାଡ଼ି ପ୍ରତିଦିନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଆଉ କିଛି ଅନ୍ୟ ବ୍ୟବସାୟକୁ ଆପଣାଇଲେଣି।

 

ବ୍ରହ୍ମପୁର ସହରରେ ମୁଖ୍ୟତଃ ଚନ୍ଦ୍ରମା ସାହିରେ କିଛି ପରିବାର ଏହି ବ୍ରହ୍ମପୁରୀ ରେଶମୀ ପାଟ ବୁଣାକାର୍ଯ୍ୟ ଚଳାଇଥିବା ବେଳେ ସରକାରଙ୍କ ଅନୁଦାନ ଏମାନଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ସେମାନଙ୍କ ମନୋବଳ ମଧ୍ୟ ଭାଙ୍ଗିବାକୁ ବସିଲାଣି। ସରକାରୀ ଋଣ ଏବଂ ସବ୍‌ସିଡ଼ି ଅଭାବରୁ ବୁଣାକାରମାନେ ଏହି ବୃତ୍ତିକୁ ଛାଡ଼ିବାକୁ ବସିଲେଣି। ପ୍ରକୃତରେ ଦେଖିବାକୁ ଗଲେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ହସ୍ତଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ସ୍ଥଳେ ବୟନ ଏବଂ ହସ୍ତତନ୍ତ କାର୍ଯ୍ୟାଳୟ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଅଭିଯୋଗ ହେଉଛି। ବର୍ଷକୁ ବର୍ଷ ପ୍ରଦର୍ଶନୀ ଆଳରେ ଷ୍ଟଲ୍ମାନ ଖୋଲି ମିଥ୍ୟା ବିଲ୍ ପୈଠକରି ଟଙ୍କା ଆତ୍ମସାତ କରୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ପ୍ରକୃତ ହିତାଧିକାରୀ ସରକାରୀ ଅନୁଦାନରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନାର ସୁଫଳ। ତେଣୁ ଏଥିନେଇ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇ ବ୍ରହ୍ମପୁର ସହରରେ ଥିବା ହସ୍ତତନ୍ତ ଏବଂ ବୟନଶିଳ୍ପ କାର୍ଯ୍ୟାଳଳୟକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରି ପ୍ରକୃତ ଘଟଣା ଏବଂ ଦୁର୍ନୀତି ପଦାକୁ ଆଣିବା ସହ ବୁଣାକାର ମାରଣ ନୀତି ପ୍ରତି ଅଙ୍କୁଶ ଲଗାଇବା ପାଇଁ ଦାବୀ ହେଉଛି।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top