ସଂସ୍କାର ଜରିଆରେ ସହର ବିକାଶ

News Story - Posted on 2017-06-07

ବିନୋଦ ବେହେଲ

 

ସଂସ୍କାର, କାର୍ଯ୍ୟ ପ୍ରଦର୍ଶନ ଓ ପରିବର୍ତ୍ତନ ପରି ପ୍ରଗତିଶୀଳ ଦୃଷ୍ଟିକୋଣ ମାଧ୍ୟମରେ ସମସ୍ତ ବିକାଶ ପାଇଁ ଅଙ୍ଗୀକାରବଦ୍ଧତା ହେଉଛି ମୋଦୀ ସରକାରଙ୍କ ତିନି ବର୍ଷର ଶାସକକାଳର ଗୁରୁତ୍ୱପୂର୍ଣ୍ଣ ଦିଗ। ଏହା ଫଳରେ ମୋଦୀ ସରକାରଙ୍କ ସୁଶାସନ ଯୋଗୁଁ ଗତ କିଛି ବର୍ଷ ଧରି ଲାଗି ରହିଥିବା ପକ୍ଷାଘାତ ନୀତିର ପରିସମାପ୍ତି ଘଟିଛି। ରିୟଲ ଇଷ୍ଟେଟ, ବାସଗୃହ ଏବଂ ଭିତ୍ତିଭୂମି ଦ୍ୱାରା ସହର ବିକାଶ କରାଯିବା ହେଉଛି ଆର୍ଥିକ ବିକାଶର ଚାବିକାଠି ବୋଲି ହୃଦବୋଧ ହୋଇଛି। ଏହି ତିନୋଟି କ୍ଷେତ୍ର ଉପରେ ଧ୍ୟାନକେନ୍ଦ୍ରୀତ କରାଯିବା ସହ ଏନଡିଏ ସରକାରଙ୍କ ଆର୍ଥିକ ସଂସ୍କାର ଓ ନିରନ୍ତର ଅଭିବୃଦ୍ଧି ହେଉଛି ଏହାର ସୁଫଳ।

 

ସରକାର ତାଙ୍କର ଦୃଷ୍ଟିକୋଣ ଅନୁରୂପ ଅନେକ ଐତିହାସିକ ସଂସ୍କାର ଓ ନୀତିଗତ ନିଷ୍ପତି ଦ୍ୱାରା ଉତ୍ତମ ଲାଭାଂଶ ମିଳିଛି। ଫଳରେ ଯେଉଁମାନେ କହୁଥିଲେ ଯେ, ସରକାରଙ୍କ ଆର୍ଥିକ ବିକାଶ କାର୍ଯ୍ୟକ୍ରମର ସୁଫଳ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ ବୋଲି ଏବେ ସେମାନଙ୍କ ମୁହଁ ବନ୍ଦ ହୋଇଯାଇଛି।

 

ସହରାଂଚଳର ବିକାଶ ପାଇଁ ସରକାରଙ୍କ  ଇଚ୍ଛା ବଜେଟରେ ସ୍ୱଷ୍ଟ ରୂପେ ପ୍ରତୀୟମାନ ହୋଇଛି। ବଜେଟରେ ଭିତ୍ତିଭୂମିର ବିକାଶ ନିମନ୍ତେ ବ୍ୟୟ ଅଟକଳ ବୃଦ୍ଧି କରାଯାଇ ୭୦୦୦ କୋଟି ଟଙ୍କା କରାଯାଇଛି। ଏହା ବ୍ୟତୀତ ୪୦୦୦ କୋଟି ଟଙ୍କାର ଏକ ଜାତୀୟ ପୁଞ୍ଜି ନିବେଶ ଓ ଭିତ୍ତିଭୂମି ପାଣ୍ଠି ଗଠନ ସହ ସହରାଂଚଳର ବିକାଶ ଓ ଗୃହନିର୍ମାଣ ନିମନ୍ତେ ୨୨୦୦୦ କୋଟି ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପରବର୍ତ୍ତୀ ବଜେଟରେ ରାସ୍ତା, ରାଜପଥ ଓ ରେଲେୱ ନିମନ୍ତେ ୨.୩୧ ଲକ୍ଷ କୋଟି ଟଙ୍କାର ବିଶାଳ ରାଶିର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ବଜେଟରେ ଆଫୋର୍ଡେବୁଲ ବାସଗୃହ ନିର୍ମାଣକୁ ଗତିଶୀଳ କରିବା ପାଇଁ ସରକାର ଏହାକୁ ଭିତ୍ତିଭୂମିର ମର୍ଯ୍ୟାଦା ଦେଇ ଏକ ଦୂରଗାମୀ ସଂସ୍କାର କରିଛନ୍ତି।

 

ଏଠାରେ ଉଲ୍ଲେଖ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ସହରାଂଚଳ ଭିତ୍ତିଭୂମିର ବିକାଶ ନିମନ୍ତେ ପ୍ରତିବର୍ଷ ୧୮,୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଉଛି। ମାତ୍ର ୟୁପିଏ ସରକାରଙ୍କ ୧୦ ବର୍ଷର ଶାସନକାଳରେ ଏଥି ନିମନ୍ତେ ପ୍ରତିବର୍ଷ ୯୮୫୦ କୋଟି ଟଙ୍କା ଦିଆଯାଉଥିଲା। ବାସ୍ତବରେ ୨୦୧୪ ମେ ମାସରେ ଏନଡିଏ ସରକାର ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ବାସଗୃହ ନିର୍ମାଣ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ସୁନିଶ୍ଚିତ କରିପାରିଛନ୍ତି। ଏଥିପାଇଁ ସରକାର ରିୟଲ ଇଷ୍ଟେଟ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ଉଦାର କରିବା ସହ ଦୀର୍ଘ ବର୍ଷ ଧରି ପଡିରହିଥିବା ପ୍ରସଙ୍ଗର ସମାଧାନ ନିମନ୍ତେ ପଦକ୍ଷେପ ନେଇଥିଲେ। ତେଣୁ ପ୍ରବାସୀ ଭାରତୀୟ ଏବଂ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ କ୍ଷେତ୍ରରେ ଥିବା ଅନାବଶ୍ୟକ ପ୍ରତିବଦ୍ଧକ ଗୁଡିକୁ ଦୂର କରିଥିଲେ। ସରକାରଙ୍କ ଉଦାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଯୋଗୁଁ ବହୁ ପରିମାଣର ପାଣ୍ଠି ପ୍ରବାହ ସମ୍ଭବ ହୋଇଛି। ଜାତିସଂଘର ବିଶ୍ୱ ନିବେଶ ରିପୋର୍ଟ ଅନୁଯାୟୀ ୨୦୧୬ରେ ଭାରତରେ ରିୟଲ ଇଷ୍ଟେଟ କ୍ଷେତ୍ରରେ ୫୭୦ କୋଟି ଡଲାରର ବିଦେଶୀ ପୁଞ୍ଜି ପ୍ରବାହ ଘଟିଛି। ଏହା ବ୍ୟତୀତ ଘରୋଇ  ଇକ୍ୱିଟୀ ପାଣ୍ଠିରେ ୩୨୦୦ କୋଟି ଡଲାର ମଧ୍ୟ ମିଳିପାରିଛି। ରିୟଲ ଇଷ୍ଟେଟ ଇନଭେଷ୍ଟମେଂଟ ଟ୍ରଷ୍ଟ (ଆରଇଆଟିଏସ) ସଂସ୍କାର କାର୍ଯ୍ୟକାରୀ ହେବା ଦ୍ୱାରା ବହୁ ପ୍ରତୀକ୍ଷିତ ଅର୍ଥ ମଧ୍ୟ ମିଳିପାରିଛି।

 

ଦେଶରେ ସହରାଂଚଳ ବାସଗୃହ କ୍ଷେତ୍ରରେ ୧୮୭୮ କୋଟି ୟୁନିଟ କମିଥିବା ପୃଷ୍ଠଭୂମିରେ ଆଫୋଡେବୁଲ ଏବଂ କମ ମୂଲ୍ୟର ବାସଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇ ସରକାର ୨୦୨୨ ମସିହା ମଧ୍ୟରେ ସମସ୍ତଙ୍କ ପାଇଁ ବାସଗୃହ ନାମକ ଏକ ବଡଧରଣର ସଂସ୍କାର ଆରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି କ୍ରେଡିଟ ସହ ସବସିଡି, ପିପିପି ଲାଭାର୍ଥୀମାନଙ୍କୁ ନିଜ ବାସଗୃହ ନିର୍ମାଣ ପାଇଁ ସବସିଡି ଓ ବସ୍ତିଥଇଥାନ ଜରିଆରେ ଗରିବଙ୍କୁ ବାସଗୃହ ଯୋଗାଣ। ଏହି ଉଦ୍ଦେଶ୍ୟରେ ଘର କିଣିବାବାଲା ଓ ସମ୍ପତି ଡେଭଲପର୍ସଙ୍କ ପାଇଁ ଟିକସ ଛାଡ ନିମନ୍ତେ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କ ପାଇଁ ୪ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ବ୍ୟବସ୍ଥା ଏହା ଛଡା ଆୟକର ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ବସ୍ତି ପୁନର୍ବିକାଶକୁ ସାମିଲ କରାଯାଇ ସିଏସଆର ଅଧୀନରେ ଡେଭଲପର୍ସମାନଙ୍କୁ ଶତ ପ୍ରତିଶତ ଟିକସ ଛାଡ କରାଯାଇଛି।

 

ଆଫୋଡେବୁଲ ଗୃହକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସରକାର ଏହାକୁ ଋଣ ସୁଧାରରେ ସାମିଲ କରିଛନ୍ତି। ଏହା ବ୍ୟତୀତ ସୁଧହାରରେ ୧୫୦ରୁ ଅଧିକ ବିପିଏସ ହ୍ରାସ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗୃହ କ୍ରୟକାରୀଙ୍କ ପାଇଁ ଦରହ୍ରାସ ନିମନ୍ତେ ନୂଆ ମାର୍ଜିନାଲ କଷ୍ଟ ଅଫ ଫଣ୍ଡ ବେସଡ ଲେଡିଂ ରେଟ (ଏମସିଏଲଆର)ର ଆରମ୍ଭ କରିଛନ୍ତି।

 

ମଧ୍ୟମ ଆୟକାରୀ ଲୋକଙ୍କ ଫାଇଦା ନିମନ୍ତେ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏ) ଅଧୀନରେ ନୂଆ କ୍ରେଡିଟ ଲିଙ୍କଡ ସବସିଡି ସ୍କିମ (ସିଏଲଏସଏସ) ଲାଗୁ କରିଛନ୍ତି। ଫଳରେ ୧୮ ଲକ୍ଷ ଟଙ୍କା ବାର୍ଷିକ ଆୟକାରୀ ବ୍ୟକ୍ତି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉଠାଇପାରିବେ। ଏଥି ପାଇଁ ସୁଧ ସବସିଡିର ପରିସରକୁ ପରିବ୍ୟାପ୍ତ କରାଯାଇଛି।

 

ସମସ୍ତଙ୍କ ପାଇଁ ଆବାସ ଯୋଜନାରେ ମୋଦୀ ସରକାରଙ୍କ ସବୁଠୁ ବଡ ସଂସ୍କାର ହେଉଛି ରିୟଲ ଇଷ୍ଟେଟ ରେଗୁଲେସନ ଆକ୍ଟ (ଆରଇଆରଏ) ଏହି ଆଇନଟି ଦୀର୍ଘ ଏକ ଦଶନ୍ଧି ଧରି ଅଟକି ରହିଥିଲା। ଆରଇଆରଏକୁ ୨୦୧୭ ମେ ପହିଲାଠାରୁ ଲାଗୁ କରାଯାଇଛି। ଏହାଦ୍ୱାରା ସମ୍ପତି ଉପଭୋକ୍ତା କୁ ସଶକ୍ତି କରିବା ସହ ସେମାନଙ୍କ ସମ୍ପତିର ସୁରକ୍ଷା କରାଯାଇପାରିଛି। ଏହି ଯୋଜନା ଦ୍ୱାରା ଶସ୍ତା ବାସଗୃହ ନିର୍ମାଣକୁ ସହଯୋଗ ମିଳିପାରିବ। ଏହାଛଡା ଏହି ଆଇନ ଦ୍ୱାରା ରିୟଲ ଇଷ୍ଟେଟରେ ନିରପେକ୍ଷ ଓ ସ୍ୱଚ୍ଛ ନେଣଦେଣ ସହ ବେନିୟମ ଉଦ୍ଦେଶ୍ୟକୁ ପ୍ରତିହତ କରିବ। ଏହାଦ୍ୱାରା ନିବେଶକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବେନାମୀ ନେଣଦେଣ ନିଷେଧ ବିଲ ଦ୍ୱାରା ବିମୁଦ୍ରାକରଣ ସହ କଳାଧନର ପ୍ରଚଳନ ଓ ସଂଚାରଣକୁ ରୋକାଯିବା ସହ ଜମି ଓ ସମ୍ପତି ମୂଲ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ଫଳରେ ନିବେଶକଙ୍କ ଭାବନାକୁ ବଢ଼ାଇପାରିବ।

 

ଲୋକଙ୍କ ସର୍ବୋତ୍ତମ ସେବା ଯୋଗାଣ ନିମନ୍ତେ ସଂସ୍କାର ଜରିଆରେ ସହର ପ୍ରଶାସନରେ ପରିବର୍ତ୍ତନ ଅଣାଯାଇଛି। ଫଳରେ ନୂତନ ସହର ବିକାଶର ପରିଣାମ ଦୃଷ୍ଟିକୁ ଆସିପାରିଛି। ଗତ ୩ ବର୍ଷରେ ସହରାଂଚଳ ଭିତ୍ତିଭୂମି କ୍ଷେତ୍ରରେ ବିକାଶ ପାଇଁ ପ୍ରତିବର୍ଷ ୧୮୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଛି। ମାତ୍ର ୟୁପିଏ ସରକାରଙ୍କ ଶାସନ କାଳରେ ବର୍ଷକୁ ୯୫୮୦ କୋଟି ଟଙ୍କା ଦିଆଯାଉଥିଲା। ସହରାଂଚଳରେ ଭିତ୍ତିଭୂମି ସହ ନିରନ୍ତର ବିକାଶ ପାଇଁ ଅମୃତ (ଅଟଳ ମିଶନ ଫର ରେଜୁଭେନେସନ ଆଣ୍ଡ ଆର୍ବାନ ଟ୍ରାନ୍ସଫରମେସନ) ପିଏମଏୱାଇ, ସ୍ମାର୍ଟସିଟି ମିଶନ, ସ୍ୱଚ୍ଛ ଭାରତ ମିଶନ, ସିଟି ଡେଭଲପମେଂଟ ଆଣ୍ଡ ଆଗୁମେନସନ ଯୋଜନା (ହୃଦୟ) ଏବଂ ଅର୍ବାନ ଟ୍ରାନ୍ସପୋର୍ଟ ପରି ମିଶନ ଆରମ୍ଭ ହୋଇଛି। ଏହାଦ୍ୱାରା ଯଥେଷ୍ଟ ପ୍ରଗତି ହୋଇପାରିଛି।

 

ଅମୃତ ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ୧୦,୦୦୦ କୋଟିରୁ ଅଧିକ ଟଙ୍କା ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ପ୍ରତିଦିନ ୧୩୫ ଲିଟର ପାନୀୟ ଜଳ ଯୋଗାଇବା, େସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା ଏବଂ ଅଣମୋଟର ଚାଳିତ ପରିବହନ ବ୍ୟବସ୍ଥା ବ୍ୟତୀତ ୫୦୦ ମିଶନ ସହରରେ ଦୁଇ କୋଟି ସହରୀ ପରିବାରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୭୭୦୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ୨୦୧୯-୨୦ ମସିହା ସୁଦ୍ଧା ଏହି ମିଶନ ସମ୍ପୂର୍ଣ୍ଣ କରାଯିବ। ସ୍ମାର୍ଟ ସିଟି ମିଶନ ଜରିଆରେ ଶହେଟି ସହରର ୧୩ କୋଟି ସହରୀ ଲୋକଙ୍କ ଜୀବନରେ ଗୁଣବତ୍ତାରେ ସୁଧାର ଆଣିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏଥିରେ ଯଥେଷ୍ଟ ପ୍ରଗତି ମଧ୍ୟ ପରିଲକ୍ଷିତ ହୋଇଛି। ୬୦ ମିଶନ ସହର ପାଇଁ ମୋଟ ୧୩୩୩୬୮ କୋଟି ଟଙ୍କା ନିବେଶକୁ ମଞ୍ଜୁରି ପ୍ରଦାନ କରାଯାଇଛି। ୨୦ଟି ସହରରେ ପାଖାପାଖି ୧୬୦୦ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଉପରେ ରହିଛି। ସେହିପରି ୩୦୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୭ ଜୁନ ପହିଲାଠାରୁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ହେବ କିମ୍ୱା ପ୍ରଦାନ କରାଯିବ। ସ୍ୱଚ୍ଛ ଭାରତ ମିଶନ ଜରିଆରେ ୩୨ କୋଟି ସହରୀ ଲୋକଙ୍କ ପାଇଁ ସ୍ୱଚ୍ଛତାରେ ସୁଧାର ଆଣିବା ନିମନ୍ତେ ୬୨୦୦୯ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହାଦ୍ୱାରା ୪୦୪୧ଟି ସହର ମଧ୍ୟରୁ ୬୩୩ଟି ସହରକୁ ଖୋଲା ଶୌଚମୁକ୍ତ କରାଯାଇପାରିଛି। ଅବଶିଷ୍ଟ ସହରଗୁଡିକୁ ୨୦୧୯ ଅକ୍ଟୋବର ସୁଦ୍ଧା ଏହି ସ୍ତରକୁ ଅଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୩୧ ଲକ୍ଷ ବ୍ୟକ୍ତିଗତ ଓ ୧.୨୫ ଲକ୍ଷ ଗୋଷ୍ଠୀ ଶୌଚାଳୟର ନିର୍ମାଣ କରାଯାଇପାରିଛି। ସହରାଂଚଳ ପରିବହନ ମିଶନରେ ୬୮ କିଲୋମିଟର ଲମ୍ୱା ଖନନ କରାଯାଇଛି ଏବଂ ୪୧୫୭୧ କୋଟି ଟଙ୍କା ବ୍ୟୟ ଅଟକଳରେ ୧୪୩ କିଲୋମିଟର ଲମ୍ୱ ନୂଆ ମେଟ୍ରୋ ପ୍ରକଳ୍ପରେ ଅହମ୍ମଦାବାଦ, ନାଗପୁର, ଲକ୍ଷ୍ମୌ, ଚେନ୍ନାଇ ଏକ୍ସଟେନସନ ଏବଂ ପୁଣେକୁ ସାମିଲ କରାଯାଇଛି। ୫୦ଟି ସହରକୁ ମେଟ୍ରୋ କରିବା ପାଇଁ ଯୋଜନା କରାଯାଇଛି।

 

ସାଧାରଣ ଜନତାକୁ ଲାଭାନ୍ୱିତ କରିବା ପାଇଁ ଏହିସବୁ ଯୋଜନାକୁ କାର୍ଯ୍ୟକାରୀ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ଫାଇଦା ପହାଂଚାଇବା କେବଳ ମୋଦୀ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବନାହିଁ ବରଂ ନିଜର ଅଧୁରା କାର୍ଯ୍ୟକୁ ପୂରା କରିବା ମଧ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। ବର୍ତମାନ ଆରଇଆରଏ ଏବଂ ଜିଏସଟିକୁ ଲାଗୁ କରିବା ସରକାରଙ୍କ ଆଗରେ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଏହାଛଡା ୨୦୨୨ ସୁଦ୍ଧା ୫୦ ନିୟୁତ ବାସଗୃହ ନିର୍ମାଣ ଲକ୍ଷ୍ୟ ସମ୍ପୂର୍ଣ୍ଣ କରିବା, ସମସ୍ତଙ୍କ ପାଇଁ ବାସଗୃହ କାର୍ଯ୍ୟକ୍ରମକୁ ପ୍ରଭାବୀ ଢ଼ଙ୍ଗରେ ଲାଗୁକରିବା ଏବଂ ସିଙ୍ଗଲ ୱିଣ୍ଡି ଜରିଆରେ ଭଡାଘର, ଶ୍ରମ, ଷ୍ଟାମ୍ପ ଶୁଳ୍କ ଏବଂ ସମ୍ପତି ପଞ୍ଜିକରଣ ଆଦି କାର୍ଯ୍ୟକୁ ନୂତନ ସଂସ୍କାର ଜରିଆରେ କାର୍ଯ୍ୟ କରିବା ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। (ଏହା ଲେଖକଙ୍କର ବ୍ୟକ୍ତିଗତ ମତ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top