ଟାୱାର‌୍‍ ଲାଇନ‌୍‍ ଜମି କାହାର?

News Story - Posted on 2017-06-07

ବ୍ରହ୍ମପୁର ସହରର ବ୍ରଜନଗରଠାରୁ ଭାବିନୀପୁର ତଥା ବଡ଼ମେଡ଼ିକାଲ‌୍‍ ଯିବା ରାସ୍ତାଟି ଟାୱାର ଲାଇନ‌୍‍ ଭାବେ ପରିଚିତ। ଏଠାରେ ବହୁ ବିଦ୍ୟୁତ ଟାୱାର ରହିଥିବା ବେଳେ ଉକ୍ତ ରାସ୍ତାଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ଅଞ୍ଚଳରେ ବହୁ ଟାୱାର‌୍‍ ରହିଥିବା ବେଳେ ଏହାକୁ ଖାତିର‌୍‍ ନକରି ଅଞ୍ଚଳବାସୀ ଘର ତିଆରି ପାଇଁ କିଣିଥିବା ନିଜ ଜମିଠାରୁ ପ୍ରାୟ ୧୦ ଫୁଟ ଆଗକୁ ସରକାରୀ ଜମିକୁ ଜବରଦଖଲ କରି ଟାୱାର‌୍‍ ଲାଇନ‌୍‍ ତଳେ ୨ରୁ ୩ ମହଲା ଘର ନିର୍ମାଣ କରିଛନ୍ତି। ଯାହାଫଳରେ ବିଭିନ୍ନ ସମୟରେ ବର୍ଷା ପବନ ହେଲେ ଏଠାରେ ବହୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଘର ଆଗକୁ ବଢ଼ାଇବା ସହ ୨ରୁ ୩ ତାଲା ଘର ନିର୍ମାଣ କରୁଥିବାରୁ ବହୁ ଶ୍ରମିକ ଘର ତିଆରି ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ପୂର୍ବରୁ ବର୍ଷା ସମୟରେ ଛାତ ଉପରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ‌୍‍ ଲାଇନ‌୍‍ ସଂସ୍ପର୍ଶରେ ଆସି ଘରର କିଛି ବଖରା ପୋଡ଼ିବା ସହ ଘର ଲୋକେ ଗୁରୁତର ହୋଇଥିବା ଘଟଣା ଦେଖିବାକୁ ମିଳିଥିଲା।

 

ସେହିଭଳି ବିଭିନ୍ନ ସମୟରେ ବର୍ଷା ହେଲେ ଘରେ ଲୁହାକୁ ଛୁଇଁଲେ ବିଦ୍ୟୁତ‌୍‍ ଝଟକା ଅନୁଭବ ହେଉଥିବା ଅଭିଯୋଗ ହେଉଛି। ଏହି ତଳି ଅଞ୍ଚଳରେ କୌଣସି କାରଣରୁ ଉଚ୍ଚ ଶକ୍ତି ସଂପନ୍ନ ତାର ଛିଣ୍ଡି ପଡ଼ିଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ସୌଭାଗ୍ୟ ବସତଃ ଅଞ୍ଚଳବାସୀ ରକ୍ଷା ପାଇଯାଇଥିଲେ। ଯଦି ଉକ୍ତ ତାର କାହାର ଘର ପରେ ପଡ଼ିଥାନ୍ତା କିମ୍ୱା କାହା ଉପରେ ପଡ଼ିଥାନ୍ତା ତେବେ ଏକ ବଡ଼ଧରଣର ଅଘଟଣ ଘଟିଥାନ୍ତା। ଏ ସଂପର୍କରେ ବାରମ୍ୱାର ଖବର କାଗଜରେ ପ୍ରକାଶ ପାଇଲେ ସୁଦ୍ଧା କୁକୁଡ଼ାଖଣ୍ଡି ତହସିଲ‌୍‍ଦାର‌୍‍ ଜବର ଦଖଲ ହୋଇଥିବା ସରକାରୀ ଜମିରୁ ଘରଗୁଡ଼ିକୁ ଉଚ୍ଛେଦ କରିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି। ଯାହାଫଳରେ କିଛି ଲୋକଙ୍କ ପାଇଁ ସମଗ୍ର ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ରହିଛି।

 

କେବଳ ଏହି ଟାୱାର‌୍‍ ଲାଇନ‌୍‍ ଅଞ୍ଚଳ ନୁହେଁ ବରଂ କୁକୁଡ଼ାଖଣ୍ଡି ତହସିଲ‌୍‍ ଅଧୀନରେ ଥିବା ବହୁ ଅଞ୍ଚଳରେ ଏଭଳି ସରକାରୀ ଜମି ଜବରଦଖଲ ହୋଇ ରହିଥିଲେ ସୁଦ୍ଧା ତହସିଲ‌୍‍ଦାର‌୍‍ଙ୍କ ଅଣଦେଖା ଯୋଗୁଁ ଲୋକେ ଜବରଦଖଲ କରି ରହିଛନ୍ତି। ସେହିଭଳି ଏହି ଟାୱାର‌୍‍ ଲାଇନ‌୍‍ ଅଞ୍ଚଳ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ସୁଦ୍ଧା ଏହା ମହାନଗର ନିଗମ ଅଧୀନରେ ନଥିବାରୁ ଏଠାରେ କେସଣସି ଉନ୍ନୟନ ମୂଳକ କାମ ହେଉନାହିଁ। ଷ୍ଟ୍ରିଟ‌୍‍ଲାଇଟ‌୍‍ ଅଭାବରୁ ସନ୍ଧ୍ୟା ହେଲେ ଏହି ରାସ୍ତାଟି ସମ୍ପୂର୍ଣ୍ଣ ଅନ୍ଧକାର ହୋଇପଡ଼ୁଛି। ଏହି ରାସ୍ତାଟି ବଡ଼ ମେଡ଼ିକାଲ‌୍‍କୁ ସଂଯୋଗ କରୁଥିବାରୁ ବହୁ ଅଞ୍ଚଳର ଲୋକେ ଏହି ରାସ୍ତା ଦେଇ ବଡ଼ ମେଡ଼ିକାଲ‌୍‍ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ଦେଇ ପ୍ରାୟ ରାତ୍ରିସାରା ଲୋକଙ୍କ ଯିବାଆସିବା ଲାଗି ରହିଥାଏ।

 

ସେହିଭଳି ବ୍ରହ୍ମାନଗର, ଜ୍ୟୋତି ନଗର, ମେଡ଼ିକାଲ‌୍‍ ବ୍ୟାଙ୍କ କଲୋନୀ, ବ୍ରଜନଗର ଆଦି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ କାମରେ ଏବଂ ଟିଉସନ‌୍‍ ଯିବାଆସିବା ସମୟରେ ଏହି ରାସ୍ତାରେ ଗୋଟିଏ ହେଲେ ଷ୍ଟ୍ରିଟ‌୍‍ଲାଇଟ‌୍‍ ନ ଥିବାରୁ ବହୁ ସମୟରେ ଏହି ରାସ୍ତାରେ ଅନ୍ଧକାରର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ଯିବାଆସିବା ଲୋକମାନଙ୍କୁ ଅଟକାଇ ଟଙ୍କାସୁନା ଲୁଟି ନେଇଥିବା ପୂର୍ବରୁ ନଜିର ରହିଥିବା ବେଳେ ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ସମୟରେ ଭୟ କରିଥାନ୍ତି। ରାସ୍ତାଟି ଅନ୍ଧକାର ଯୋଗୁଁ ଲୋକେ ଯିବାଆସିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

 

ପ୍ରକାଶଥାଉକି, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରୁ ମଧ୍ୟ ଉକ୍ତ ଅଞ୍ଚଳ ବଞ୍ଚିତ ହେଉଛି। ଫାଇଲିନ‌୍‍ ସମୟରେ ରିଲିଫରୁ ମଧ୍ୟ ଏହି ଅଞ୍ଚଳ ଲୋକେ ବଞ୍ଚିତ ହୋଇଥିଲେ। ପଞ୍ଚାୟତ ଅଧୀନରେ ଥିବାରୁ ଏଠାକୁ ପାଣି, ରାସ୍ତାଘାଟ ଏବଂ ଆଲୁଅ କୌଣସି କ୍ଷେତ୍ରରେ ବ୍ରହ୍ମପୁର ମହାନଗର ନିଗମ (ବିଏମ‌୍‍ସି) ପକ୍ଷରୁ ଉନ୍ନୟନ ମୂଳକ କାର୍ଯ୍ୟ ପହଞ୍ଚୁନାହିଁ। ବାତ୍ୟାପରେ ସହରରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଥିବା ବେଳେ ଏହି ରାସ୍ତାଟି ଅନ୍ଧକାର ହୋଇରହିଛି। ତେବେ ଏଠାରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଉନାହିଁ। ଏହି ରାସ୍ତା ଦେଇ ବହୁ ସରକାରୀ, ଉଚ୍ଚ ପଦାଧିକାରୀମାନେ ପ୍ରତିଦିନ ଯିବାଆସିବା କରିଥାନ୍ତି। ତେବେ ଉକ୍ତ ଅଞ୍ଚଳ ପ୍ରତି କାହାର ମଧ୍ୟ ନଜର ପଡ଼ୁନାହିଁ। କେବଳ ବିଦ୍ୟୁତ ଟାୱାର ଏହି ରାସ୍ତାରେ ଭର୍ତ୍ତି ହୋଇଥିବା ବେଳେ ଏଠାକାର ଲୋକେ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏପରିକି ଜନଗଣନା ପାଇଁ ନିୟୋଜିତ ବ୍ୟକ୍ତିମାନେ ମଧ୍ୟ ଉକ୍ତ ଅଞ୍ଚଳ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିବା ଏବଂ ଏ କ୍ଷେତ୍ରରେ ମଧ୍ୟ ଅବହେଳା ହେଉଥିବା ଅଭିଯୋଗ ହେଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top