ନିଦାଘର ମାଦକତା

News Story - Posted on 2017-06-07

ଜ୍ୟୋତି ପ୍ରକାଶ ମହାପାତ୍ର

 

ପ୍ରସିଦ୍ଧ ଇଂରାଜୀ କବି ଏଲିଅଟ‌୍‍ଙ୍କ ପାଇଁ ଦାରୁଣ ମାସଟି ଥିଲା ଅପ୍ରେଲ। ଆମ ଦେଶରେ ଡହଡହ ଖରାର ସମୟ। ସେମିତି ଆମ ସଭିଙ୍କର ପସନ୍ଦିଆ ଋତୁ ଅଛି। ଅନେକ ବର୍ଷାକୁ ଭଲ ପାଆନ୍ତି। କଳାହାଣ୍ଡିଆ ଆକାଶ ଯେତେବେଳେ ପୃଥିବୀ ସହ ରିମ‌୍‍ଝିମ‌୍‍ ତାନରେ ମିଶିଯାଏ, ତାହା ଶିହରଣ ସୃଷ୍ଟି କରେ। ବର୍ଷାର ଟୁପୁରୁଟାପୁରୁ ଶବ୍ଦ ଝର୍କାରେ ପଡ଼ି ସଙ୍ଗୀତର ମାୟା ବୁଣେ। ସବୁଜ ଚାଦର ଘୋଡ଼ି ହୋଇ ମାଟି ମା’ ନିକୁ ସଜେଇ ପକାଏ।

 

ଅନେକ ଶୀତ ଋତୁକୁ ଭଲ ପାଆନ୍ତି। କଅଁଳ ଖରାରେ ଉଷୁମ‌୍‍ ଟାଣିବା ଆଉ ରେଜେଇ ଘୋଡ଼ି ହୋଇ ସ୍ୱପ୍ନ ବୁଣିବା- ବହୁ ଲୋକଙ୍କ ପାଇଁ ସବୁଠାରୁ ଭଲ ସମୟ। ଦିନ ଯେଉଁଠି ଜଲ‌୍‍ଦି ଗଡ଼ିଯାଏ ଆଉ ରାତି ସରେନା, ସେମିତି ଋତୁକୁ ଅନେକେ ଅପେକ୍ଷା କରି ଥାଆନ୍ତି।

 

ଏବେ ତ ବସନ୍ତ ଗାଏବ‌୍‍। ସେ କେବେ ଯାଉଛି, କେବେ ଆସୁଛି- ତାହା କେହି ଜାଣୁନି।

 

କିନ୍ତୁ ଋତୁମାନଙ୍କ ଭିତରେ କାହିଁକି କେଜାଣି ମତେ ଖରା ଦିନଟି ହିଁ ଭାରି ପସନ୍ଦ। ଏମିତି ନୁହେଁ ଯେ, ଖରା ମତେ କାଟେନି କିମ୍ୱା ମୋ ଦେହରୁ ତାତିରେ ଝାଳ ବାହାରେନି। ବରଂ ବେଶି ଝାଳରେ ବୁଡ଼ି ମୁଁ ଖରାଦିନକୁ ହିଁ ପସନ୍ଦ କରେ।

 

ସାମ୍ୱାଦିକ ଯେତେଦିନ ଥିଲି, ମୁଁ କାହିଁକି କେଜାଣି ମୋ ପାଇଁ ରେନ‌୍‍କୋଟ‌୍‍ଟେ କିଣି ପାରି ନଥିଲି। ତାହା ବର୍ଷକର କଥା ନୁହେଁ। ବରଂ ବର୍ଷ ବର୍ଷର କଥା। ତେଣୁ ସଂଜକୁ ରିପୋର୍ଟିଂ ସାରି ଅଫିସ‌୍‍ରେ ପହଂଚିଲା ବେଳକୁ ମୁଁ ବର୍ଷାରେ ଜୁଡ଼ୁସୁଡ଼ୁ ହୋଇ ସାରିଥାଏ। ଅବଶ୍ୟ ଶୀତ ପାଇଁ ସାମ୍ୱାଦିକ ମାର୍କା ନେହେରୁ କୋଟ‌୍‍ କିଣିଥିଲି।

 

ସ୍କୁଲରେ ପଢିଲା ଦିନରୁ ମୁଁ ଖରାଛୁଟିକୁ ଅପେକ୍ଷା କରିଥାଏ। ସେତେବେଳ ଖରାଛୁଟି ଥିଲା ବେଶ ଲମ୍ୱା। ଗାଁକୁ ଗଲା ପରେ ଆରମ୍ଭ ହୋଇଯାଏ ଭଳିକି ଭଳି ଖେଳ। ମାମୁଁ ଘରକୁ ବୁଲି ଯିବା, ରଜରେ ସଂପକୀର୍ୟଙ୍କ ଘରକୁ ଯାଇ ଖାସି ମାଂସ ଖାଇବା ଥିଲା ଖରା ଦିନର ଆକର୍ଷଣ। ଜେଜେମାଙ୍କ ସାଙ୍ଗରେ ପଖାଳ ଖାଇ ଦେଇ ଗାଁ ଦାଣ୍ଡରେ ଚାଲେ ଖେଳ। ଖରାଦିନେ କିନ୍ତୁ ଗୋଟେ ଜିନିଷ ଭାରି ଖରାପ ଲାଗୁଥିଲା। ଯେତେବେଳେ ବୋଉ ଜବରଦସ୍ତି ଆ’ ତା’ ଭୟ ଦେଖାଇ ଶୋଇ ପକାଉ ଥିଲା। କିନ୍ତୁ ସୁବିଧା ଦେଖି ଆମେ ପାର‌୍‍ ହୋଇ ଯାଉଥିଲୁ।

 

ତା’ପରେ ଆସିଲା କଲେଜ ସମୟ। ଗାଁ ପାଖ ନଈ ଯୋଉଠିକୁ ନିଇତି ଜୁଆର ଆସେ, ସେଠିକୁ ଗାଧୋଇ ଯିବାର ଲାଇସେନ୍ସ ମିଳିଗଲା କଲେଜ ସମୟରେ। ପୁଣି ସଂଜକୁ ବିବିଧ ଭାରତୀର ଅସ୍ପଷ୍ଟ ଗୀତ ସାଙ୍ଗରେ ନଦୀ ବନ୍ଧରେ ଜମୁଥିଲା ଅଛିଣ୍ଡା ଗପର ଖିଅ। ସେ ଗପକୁ ଲମ୍ୱେଇ ଦେଉଥିଲା ସଂଜର ପବନ।

 

ଯାଜପୁରରେ ଆମେ ଥିଲା ବେଳେ କଲେଜ ଛୁଟି ହେବା ପୂର୍ବରୁ ବୈତରଣୀ କୂଳରେ ବସି ଗପିବା ଥିଲା ରୀତିମତ ଅଭ୍ୟାସର ନାଁ। ଖରାଦିନେ ମେଘମୁକ୍ତ ଆକାଶ ସାଙ୍ଗକୁ ଉପରବେଳା ପବନ ଆମ କ୍ରିକେଟର ସଂସାରକୁ ବି ଜମାଣିଆ କରୁଥିଲା।

 

ଆମ ଗାଁ ଧୋଇଆ ଇଲାକାରେ। ଯାହା ବର୍ଷରେ ଚାରି ମାସ ବନ୍ୟା ଓ କାଦୁଅରେ ପୋତି ହୋଇପଡେ଼। ତେଣୁ ଖରାଦିନରେ ସାଇକେଲ ନେଇ ଯୁଆଡେ଼ ଇଚ୍ଛା ଯାଇହୁଏ। ନଦୀକୂଳରେ ଖଣ୍ଡେ ପାନ ଖାଇଦେଇ ସଂପକୀର୍ୟଙ୍କ ଘରୁ ମିଳିଥିବା ହାତଖର୍ଚ୍ଚରେ ଥଣ୍ଡା ପିଇ ହୁଏ।

 

ପରେ ଆସିଲା ସାମ୍ୱାଦିକ ଜୀବନ। ଭୁବନେଶ୍ୱର କେମିତି ବେଶ ମତାଣିଆ ଥିଲା ସେତେବେଳେ। ଖରାଦିନିଆ ସଂଜ ପବନରେ ହେଲମେଟ‌୍‍ ମୁଣ୍ଡରୁ ଉଡ଼ି ଯାଉଥିଲା। ଶିଖରଚଣ୍ଡୀ ମନ୍ଦିର ପାହାଡ଼ ଉପରେ ଖରାଦିନ ବେଡ଼ ବୁଳକୁ ପବନ ସତରେ ଆମ କଥାକୁ ଉଡେ଼ଇ ନେଉଥିଲା। ପୁଣି ରାଜଧାନୀ ରାସ୍ତାକୁ ରଂଗେଇ ଦେଉଥିବା କୃଷ୍ଣଚୂଡ଼ା ଏଇ ଖରାଦିନେ ହିଁ ଆସେ। ସେ ଗଛକୁ ମୁଁ ଅନେଇ ରହିଯାଏ। ଗୋଟେ ବି ପତ୍ର ନଥିବ। ନାଲିଆ କୃଷ୍ଣଚୂଡ଼ାରେ ଭରି ଯାଇଥିବ ସମୁଦାୟ ଗଛ।

 

ଖରାଦିନ ଏଇଥି ପାଇଁ ଭଲ ଯେ, ସେ ବର୍ଷାକୁ ଡାକି ଆଣେ। ଖରାଦିନ ଏଇଥି ପାଇଁ ଭଲ ଯେ ସେ ମେଘମୁକ୍ତ ଫାଙ୍କା ଆକାଶ ଦେଖାଏ। ଖରାଦିନ ଏଇଥି ପାଇଁ ଭଲ ଯେ, କୃଷ୍ଣଚୂଡ଼ାର ରଂଗ ବାଇଆ କରେ।

 

ସେତେବେଳେ ନା ଆମେ ତାପମାତ୍ରା ଜାଣୁଥିଲୁ ନା ଅଂଶୁଘାତକୁ ମାନୁଥିଲୁ। ଏବେ ଅବଶ୍ୟ ସେଦିନ ସବୁ ନାହିଁ। ଏବେ ତ ଖରା ପାଇଁ ସରକାରୀ ସାବଧାନତା ଜାରି ହେଉଛି। ଏବେ ତ ଖରା ବଇରୀ ସାଜିଛି। ଏବେ ତ ଖରା ଅଘୋଷିତ କର୍ଫ୍ୟୁ ଜାରି କରୁଛି। ଏବେ ତ ଖରା ଲୋକଙ୍କ ଗହଳଚହଳକୁ ପତଳା କରିଛି। ସଂପର୍କକୁ କାଟିଛି। ମଣିଷକୁ ଘରେ କରିଛି ବନ୍ଦୀ। ତାହା ପୁଣି ଯାବତୀୟ ସୁବିଧା ଭିତରେ।

 

ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗ,

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ୱଲପୁର ।

ମୋ-୯୪୩୭୦୮୦୦୪୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top