ବିଜେପି ସରକାରଙ୍କ ଚାଷୀ ହତ୍ୟା!

News Story - Posted on 2017-06-07

ଭାରତୀୟ ଜନତା ପାର୍ଟି ଶାସିତ ମଧ୍ୟ ପ୍ରଦେଶରେ ବିଭିନ୍ନ ଦାବି ନେଇ ବିକ୍ଷୋଭରତ କୃଷକଙ୍କ ଉପରକୁ ପୁଲିସ ଗୁଳି ଚାଳନା କରିବାରୁ ୫ ଜଣଙ୍କର ମୃତ୍ୟ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିମାନେ ଏ ବିଷୟ ରିପୋର୍ଟ କରିଥିଲେ ମଧ୍ୟ ରାଜ୍ୟ ଗୃହମନ୍ତ୍ରୀ ଭୂପେନ୍ଦ୍ର ସିଂହ କହିଛନ୍ତି ଯେ ପୁଲିସ ଗୁଳି ଚଳାଇ ନାହିଁ। ଅନ୍ୟ କେହି ଗୁଳି କରିଥିବେ। ରାଜ୍ୟ ରାଜଧାନୀ ଭୋପାଳଠାରୁ ୩୨୫ କିଲୋମିଟର ଦୂର ମଣ୍ଡସରଠାରେ ଏହି ଘଟଣା ଘଟିଛି।

 

ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ କହିଛନ୍ତି ଯେ ଆନ୍ଦୋଳନରତ କୃଷକଙ୍କ ଉପରକୁ ପୁଲିସ ଗୁଳି ଚଳାଇନାହିଁ। କେହି ଅସାମାଜିକ ତତ୍ତ୍ୱ ଏହା କରିଥାଇ ପାରନ୍ତି। ସତ୍ୟାସତ୍ୟ ଜାଣିବା ପାଇଁ ଏହି ଗୁଳିକାଣ୍ଡର ତଦନ୍ତ ନିଦ୍ଦେର୍ଶ ଦିଆଯାଇଛି। ତେବେ ଗୃହମନ୍ତ୍ରୀଙ୍କ କଥାକୁ ଖଣ୍ଡନ କରିଛନ୍ତି ଉଜ୍ଜୟିନ ଡିଭିଜନ ପୁଲିସ କମିଶନର ଓଏମ ଓଝା। ସେ କହିଛନ୍ତି ଯେ କୃଷକ ଆନ୍ଦୋଳନ ସମୟରେ ଉେତ୍ତଜନା ସୃଷ୍ଟି ହେବାରୁ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ପୁଲିସ ଗୁଳି ଚାଳନା କରିଥିଲା। ଏଥିରେ ୨ ଜଣ କୃଷକଙ୍କର ପ୍ରାଣହାନୀ ଘଟିଛି ଓ କେତେ ଜଣ ଆହତ ହୋଇଛନ୍ତି। ପୁଲିସର ଦାବି ହେଉଛି ଗତକାଲି କୃଷକମାନେ ରେଳପଥ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ଆଜି ସେମାନେ ପୁଲିସ ଉପରକୁ ଢେଲାମାଡ଼ କରିଥିଲେ। ତେଣୁ ଗୁଳି ଚଳାଇବାକୁ ପଡ଼ିଲା।

 

ଏହି ଗୁଳିକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ। ସେ କହିଛନ୍ତି ଯେ ଏହା କୃଷକଙ୍କ ବିରୋଧରେ ଯୁଦ୍ଧ। ତେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର କୃଷକଙ୍କ ସହିତ ଅଛନ୍ତି। ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ଉେତ୍ତଜିତ ହିଂସାକାଣ୍ଡ ଭିଆଇଛନ୍ତି। କଂଗ୍ରେସ ପାର୍ଟି ଏହି ଆନ୍ଦୋଳନକୁ ହିଂସାତ୍ମକ କରିବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ସେ ଓଲଟା ଅଭିଯୋଗ କରିଛନ୍ତି। ଅସାମାଜିକ ତତ୍ତ୍ୱଗୁଡ଼ିକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହା ଦୁର୍ଭାଗ୍ୟଜନକ ଘଟଣା ବୋଲି ଚୌହାନ କହିଛନ୍ତି।

 

ଏହି ଗୁଳିକାଣ୍ଡ ପରେ ପଶ୍ଚିମ ମଧ୍ୟ ପ୍ରଦେଶର ଉଜ୍ଜୟିନ, ଇନ୍ଦୋର ଓ ଦେବାସ ଅଂଚଳରେ ଇଣ୍ଟର୍ନେଟ ସେବା ବନ୍ଦ କରିଦିଆଯାଇଛି।

 

୨୦୦୫ ମସିହାରୁ କ୍ଷମତାରେ ଥିବା ଶିବରାଜ ଚୌହାନ ସରକାରଙ୍କ ବିରୋଧରେ କୃଷକମାନେ ପ୍ରାୟ ସପ୍ତାହେ ହେଲା ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କର ଦାବି ହେଉଛି ଡାଲି ଓ ପିଆଜି ଆଦି କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟବୃଦ୍ଧି ଓ ମହାରାଷ୍ଟ୍ର ଓ ଉତ୍ତର ପ୍ରଦେଶ ପରି କୃଷିଋଣ ଛାଡ଼। ଏହି ଦାବିରେ ରାଜ୍ୟର ଅନେକ ଅଂଚଳରେ କୃଷକମାନେ ଜୁନ‌୍‍ ପହିଲାରୁ ଆନ୍ଦୋଳନ ଚଳାଇଛନ୍ତି। କେତେକ ସ୍ଥାନରେ କୃଷକମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରକୁ ଢେଲାପଥର ଫିଙ୍ଗିଛନ୍ତି।

 

ଆନ୍ଦୋନଳରତ କୃଷକଙ୍କୁ ଶାନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ସେମାନଙ୍କର ପ୍ରତିନିଧିଙ୍କୁ ଭେଟିଛନ୍ତି। କୃଷକମାନେ ଯେପରି ଉପଯୁକ୍ତ ମୂଲ୍ୟ ପାଇବେ ସେଥିପାଇଁ ସେ ୧୦୦୦ କୋଟି ଟଙ୍କାର ଏକ ଦର ସ୍ଥିରତା ପାଣ୍ଠି ଗଠନ କରିବାକୁ ଘୋଷଣା କରିଛନ୍ତି। କୃଷକମାନେ ଯେଉଁ ସର୍ବନିମ୍ନ ଦରରେ ସହମତି ପ୍ରକାଶ କରିବେ ସେହି ଦରରେ ସରକାର ସେମାନଙ୍କଠାରୁ ଜିନିଷ କିଣିନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

 

ତଥାପି ଆନ୍ଦୋଳନ ବନ୍ଦ ହୋଇନାହିଁ। ଅଧିକନ୍ତୁ କୃଷକମାନେ ଆନ୍ଦୋଳନରେ ମାତି ପରିବା ଓ ଦୁଗ୍ଧ ରାସ୍ତାରେ ଢାଳିଦେବା ଫଳରେ ବଜାରରେ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସହରରେ ଦୁଗ୍ଧ ଓ ପନିପରିବା ଦର ୫୦ ପ୍ରତିଶତ ବୃଦ୍ଧି ପାଇଛି।

 

ପଡ଼ୋଶୀ ମହାରାଷ୍ଟ୍ରରେ ମଧ୍ୟ କୃଷକମାନେ ଏହିପରି ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କର ଦାବି ହେଉଛି ଖର୍ଚ୍ଚ ଅନୁସାରେ ଦର ଓ କୃଷିଋଣ ସଂପୂର୍ଣ୍ଣ ଛାଡ଼। କୃଷିକ୍ଷେତ୍ରର ଆୟ ବୃଦ୍ଧି କରିବାକୁ ଅଧିକ ଯୋଜନା ଓ ପାଣ୍ଠି ପାଇଁ ମଧ୍ୟ ସେମାନେ ଦାବି କରି ୧୦ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top