ଅଧିକ ବର୍ଷିବ, ବନ୍ୟା ଆଣିବ

News Story - Posted on 2017-06-07

ପୂର୍ବ ଆକଳନ ତୁଳନାରେ ଏବର୍ଷ ମୌସୁମୀରେ ଅଧିକ ବର୍ଷା ହେବ। ଏହି ମର୍ମରେ ଏକ ସଂଶୋଧିତ ପୂର୍ବାନୁମାନ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ କହିଛନ୍ତି ଯେ ଏବର୍ଷ ମୌସୁମୀ ଋତୁରେ ଭାରତରେ ଦୀର୍ଘକାଳୀନ ହାରାହାରି ହିସାବର ୯୮ ପ୍ରତିଶତ ବର୍ଷା ହେବ। ଆଗରୁ ଏହା ୯୬ ପ୍ରତିଶତ ହେବ ବୋଲି କୁହାଯାଇଥିଲା। ଏବେ ଅଧିକ ବର୍ଷା ହେବ ଅର୍ଥ ଓଡ଼ିଶା ପରି କେତେକ ରାଜ୍ୟରେ ବନ୍ୟା ଆଶଙ୍କା ମଧ୍ୟ ଅଧିକ। ସେଥିପାଇଁ ସରକାର ଓ ସମାଜ ଆଗୁଆ ସର୍ତକ ରହିବା ଜରୁରୀ।

 

ଗତ ଏପ୍ରିଲ ମାସରେ ଭାରତୀୟ ପାଣିପାଗ ବିଭାଗ ଏବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ଋତୁ ସଂପର୍କରେ ପ୍ରଥମ ପୂର୍ବାନୁମାନ ପ୍ରକାଶ କରିଥିଲା। ସେତେବେଳେ କୁହାଯାଇଥିଲା ଯେ ଦୀର୍ଘକାଳୀନ ହାରାହାରି ହିସାବର ୯୬ ପ୍ରତିଶତ ବର୍ଷା ହେବ। କିନ୍ତୁ ଆଜି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜେ ରମେଶ ଏ ବର୍ଷ ମୌସୁମୀ ନେଇ ସଂଶୋଧିତ ପୂର୍ବାନୁମାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ଏଲ‌୍‍ ନିନୋ ପ୍ରଭାବ ଆହୁରି କମିବ ବୋଲି ଆକଳନ କରାଯାଇଥିବାରୁ ଏବର୍ଷ ଭାରତରେ ଭଲ ବର୍ଷା ହେବ।

 

ସେ କହିଛନ୍ତି ଯେ ଆସନ୍ତା ଜୁଲାଇ ମାସରେ ମୌସୁମୀର ୯୬ ପ୍ରତିଶତ ବର୍ଷା ହେବ। ଅଗଷ୍ଟ ମାସ ଶେଷ ସୁଦ୍ଧା ୯୯ ପ୍ରତିଶତ ବର୍ଷା ହୋଇଯିବ। ସେ କହିଛନ୍ତି ଯେ କେନ୍ଦ୍ର ଭାରତରେ ଦୀର୍ଘକାଳୀନ ହାରାହାରିର ୧୦୦ ପ୍ରତିଶତ ବର୍ଷିବ। ଦକ୍ଷିଣ ଭାରତରେ ଏହି ଆକଳନର ୯୯ ପ୍ରତିଶତ ବର୍ଷା ହେବ। ଉତ୍ତରପୂର୍ବ ଓ ଉତ୍ତରପଶ୍ଚିମ ଭାରତରେ ଦୀର୍ଘକାଳୀନ ହାରାହାରି ହିସାବର ୯୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ଗତ ତିନି ବର୍ଷ ଏହି ଅଂଚଳରେ ସ୍ୱାଭାବିକଠାରୁ କମ‌୍‍ ବର୍ଷା ରେକର୍ଡ କରାଯାଇଛି। ଉତ୍ତରପଶ୍ଚିମ ଭାରତରେ ପଞ୍ଜାବ, ହରିଆନା, ଉତ୍ତର ପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ରାଜ୍ୟ ରହିଛି। ଏଗୁଡ଼ିକ ହେଉଛନ୍ତି ଦେଶର ପ୍ରମୁଖ କୃଷିଭିତ୍ତିକ ଅର୍ଥନୀତି।

 

ପାଣିପାଗ ବିଭାଗର ହିସାବ ଅନୁସାରେ ୯୬ରୁ ୧୦୪ ପ୍ରତିଶତ ବର୍ଷା ହେଲେ ତାହାକୁ ସ୍ୱାଭାବିକ ଭାବେ ଧରାଯାଏ। ତା’ଠାରୁ କମ‌୍‍ ହେଲେ ସ୍ୱଳ୍ପ ବୃଷ୍ଟିପାତ। ତା’ଠାରୁ ଅଧିକ ହେଲେ ଅଧିକ।

 

ପାଣିପାଗ ବିଭାଗର ମହାନିର୍ଦ୍ଦେର୍ଶକକ କହିଛନ୍ତି ଯେ ଗତ ଫେବୃଆରୀ ମାସର ସ୍ଥିତି ଅନୁସାରେ ଏବର୍ଷ ଭାରତର ମୌସୁମୀ ଉପରେ ଏଲ‌୍‍ ନିନୋ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଇତିମଧ୍ୟରେ ସେହି ପରିସ୍ଥିତିରେ ପରିବର୍ତ୍ତନ ଘଟିଛି। ଏଥର ଭାରତ ଉପରେ ଏଲ‌୍‍ ନିନୋର ପ୍ରଭାବ ଅନେକଟା କମିଯିବ ବୋଲି ଏବେକାର ସ୍ଥିତି କହୁଛି। ଆମେରିକା ଓ ଅଷ୍ଟ୍ରେଲିଆର ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ଏହି ଭବିଷ୍ୟବାଣୀ କରିଛନ୍ତି।

 

ଚଳିତ ବର୍ଷ କେରଳରେ ଜୁନ ପହିଲା ପରିବର୍ତ୍ତେ ମେ ୩୦ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଂଚିଛି। ଜୁନ ୧୩-୧୪ ସୁଦ୍ଧା ଏହା ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗରେ ପହଂଚିଯିବ ବୋଲି ରମେଶ ଆକଳନ କରିଛନ୍ତି। ସେହିପରି ଗୋଆରେ ଜୁନ ୮ ଓ ମୁମ୍ୱାଇରେ ଜୁନ ୧୩-୧୪ ସୁଦ୍ଧା ମୌସୁମୀ ବର୍ଷା ହେବ ବୋଲି ସେ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ହେବ। ଏବେ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣରେ କେରଳ ଅତିକ୍ରମ କରି ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ପହଂଚିଛି। ଉତ୍ତରପୂର୍ବାଂଚଳର ମେଘାଳୟ, ମଣିପୁର, ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ମୌସୁମୀ ସକ୍ରିୟ ଅଛି। 

 

ମୌସମୀ ଋତୁରେର ଅଧିକ ବର୍ଷିବ ପୁଣି ଜୁଲାଇ ମାସ ଭିତରେ ମୌସୁମୀ ଋତୁର ୯୬ ପ୍ରତିଶତ ବର୍ଷା ହେବ ମାନେ ଓଡ଼ିଶା ପରି କେତେକ ଉପକୂଳ ରାଜ୍ୟରେ ବନ୍ୟା ହେବା ନିଶ୍ଚିତ। ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ଓ ସମାଜ ସର୍ତକ ରହିବା ଜରୁରୀ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top