ମହାକାଶକୁ ଗଲା ବାହୁବଳୀ!

News Story - Posted on 2017-06-06

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋର ଅନ୍ୟ ଏକ ସଫଳତା। ଦେଶରେ ତିଆରି ସବୁଠୁ ଓଜନଦାର ରକେଟ ଜିଏସଏଲଭି-ମାର୍କ୩ ସହାୟତାରେ ଇସ୍ରୋ ମହାକାଶରେ ସଫଳତାର ସହିତ ସଂସ୍ଥାପିତ କରିଛି ଭାରତର ଅନ୍ୟ ଏକ ଉପଗ୍ରହ ଜିସାଟ୍‌-୧୯। ଏହି ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

 

ଏହି ଉତକ୍ଷେପଣ ପରେ ପରେ ଇସ୍ରୋ ଅଧ୍ୟକ୍ଷ ଏଏସ କିରଣ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସୀତଶ ଧାବନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଉତକ୍ଷେପଣ ମଣ୍ଡପରୁ ଜିଓସାଟେଲାଇଟ‌୍‍ ଲଞ୍ଚ ଭେହିକ୍ଲ ବା ଜିଏସଏଲଭି-ମାର୍କ୩ ଜରିଆରେ ଜିସାଟ୍‌-୧୯ ଉପଗ୍ରହକୁ ସଫଳତାର ସହିତ ମହାକାଶକୁ ପ୍ରକ୍ଷେପିତ କରାଯାଇଛି। ୨୦୧୭ ଜୁନ ୫ ତାରିଖର ଅପରାହ୍ନ ୫ ଘଣ୍ଟା ୨୮ ମିନିଟ‌୍‍ ସମୟରେ ଏହା ଉତକ୍ଷେପିତ ହୋଇଥିଲା। ଉତକ୍ଷେପଣର ଠିକ ୧୬ ମିନିଟ ପରେ କ୍ରାୟୋଜେନିକ ଇଂଜିନ ଶକ୍ତିରରେ ଚାଳିତ ଜିଏସଏଲଭି-ମାର୍କ୩ ରକେଟ ଜିସାଟ୍‌-୧୯ ଉପଗ୍ରହକୁ ଏହାର ପ୍ରଥମ ବିକଶିତ କକ୍ଷ ପଥରେ ସଫଳତାର ସହିତ ଅବସ୍ଥାପିତ କରିଛି ବୋଲି ଘୋଷଣା କରିଛନ୍ତି କିରଣ କୁମାର।

 

ଏହି ସଫଳତା ପାଇଁ ଇସ୍ରୋର ଓ ଏହାର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣେଇଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ପାଇଁ ଏହା ଗର୍ବର ମୁହୂର୍ତ୍ତ ବୋଲି ଉଭୟ ନେତା କହିଛନ୍ତି।

 

ଜିଏସଏଲଭି-ମାର୍କ୩ ରକେଟର ଓଜନ ହେଉଛି ୬୪୦ ଟନ‌୍‍। ଏହାର ଉଚ୍ଚତା ୪୩.୪୩ ମିଟର। ଗୋଟିଏ ୧୩ ମହଲାର ଉଚ୍ଚତା ସହିତ ଏହା ସମାନ। ଏହାକୁ ତିଆରି କରିବା ପାଇଁ ୧୫ ବର୍ଷ ଲାଗିଛି। ଏଥିରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ଜରିଆରେ ଜିଟିଓ ବା ଜିଓସାଇଙ୍କ୍ରୋନୋସ ଅର୍ବିଟକୁ ୪୦୦୦ କିଲୋଗ୍ରାମ ଏବଂ ପୃଥିବୀର ନିମ୍ନ କକ୍ଷପଥକୁ ୧୦ ହଜାର କିଲୋଗ୍ରାମ ଓଜନର ବସ୍ତୁ ପରିବହନ କରାଯାଇ ପାରିବ। ଜିସାଟ୍‌-୧୯ ଉପଗ୍ରହର ଓଜନ ହେଉଛି ୩୧୩୬ କିଲୋଗ୍ରାମ। ଓଜନ ଦୃଷ୍ଟିରୁ ଏହି ରକେଟକୁ ବାହୁବଳୀ ବୋଲି କୁହାଯାଉଛି।

 

ବୈଜ୍ଞାନିକଙ୍କ ମତ ଅନୁସାରେ ଜିସାଟ୍‌-୧୯ ଉପଗ୍ରହ ଜରିଆରେ ଭାରତର ସଂଚାର ବ୍ୟବସ୍ଥା ଅଧିକ ଦକ୍ଷ ଓ ଦ୍ରୁତ ହୋଇପାରିବ। ଏହାର ଆୟୁଷ ୧୦ ବର୍ଷ ହେବ ବୋଲି ହିସାବ କରାଯାଇଛି।

 

ଏହା ପରେ ଇସ୍ରୋ ମହାକାଶକୁ ମଣିଷ ପଠାଇବାର ଯୋଜନା କରିଛି। ସେଥିପାଇଁ ୧୨,୫୦୦ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି। ଭାରତ ସରକାର ଏହି ଅର୍ଥ ମଂଜୁର କଲେ ଇସ୍ରୋ ମହାକାଶକୁ ମଣିଷ ପଠାଇପାରିବ। ସେଥିପାଇଁ ଇସ୍ରୋ ତରଫରୁ ପ୍ରାମାଣିକ ମହାକାଶ ବଖରା ତିଆରି ସରିଛି। ଇସ୍ରୋ ଏହି ପ୍ରକଳ୍ପରେ ସଫଳ ହେଲେ ରୁଷ, ଆମେରିକା ଓ ଚୀନ ପରେ ମହାକାଶକୁ ମଣିଷ ପଠାଇବାରେ ଭାରତ ହେବ ବିଶ୍ୱର ଚତୁର୍ଥ ରାଷ୍ଟ୍ର।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top