ଅସାମ୍ବିଧାନିକ ଅଙ୍କୁଶ!

News Story - Posted on 2017-06-04

ସୂର୍ଯ୍ୟମଣି ମିଶ୍ର

 

ରାଷ୍ଟ୍ରବାଦୀ ହେବା, ଦେଶମାତୃକାର ଜୟଗାନ କରିବା ଆଦୌ ଭୁଲ ନୁହେଁ। ଏହାକୁ ଭୁଲ ବୋଲି କହୁଥିବା ନାଗରିକଙ୍କୁ ଦେଶଦ୍ରୋହୀ କହିବାରେ ଆଦୌ ଭୁଲ ହେବନାହିଁ। କିନ୍ତୁ ଯେଉଁ ସମୟରେ ଦେଶର ସଂଖ୍ୟାଧିକ ନାଗରିକ ସର୍ବନିମ୍ନ ଖାଦ୍ୟର ଗ୍ୟାରେଣ୍ଟି ପାଇପାରୁନାହାନ୍ତି, ବଞ୍ଚିବାର ଅଧିକାର ସୁନିଶ୍ଚିତ ହୋଇପାରୁନାହିଁ, ସେହି ସମୟରେ ଖାଦ୍ୟକୁ ନେଇ କୋଳାହଳର ଯଥାର୍ଥତା ଓ ଆବଶ୍ୟକତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଆଜି ଦେଶର ସାଧାରଣ ନାଗରିକ ତା ଆଖି ଆଗରେ ଦେଖୁଛି ଜାତି ଓ ଧର୍ମ ନାମରେ ତା’ ଭାଇକୁ ହତ୍ୟା କରାଯାଉଛି, ତା’ର ପତ୍ନୀ ଓ ଶିଶୁଙ୍କ ଉପରେ ପାଶବିକତା ଅତ୍ୟାଚାରରୁ ବିରତ ହେଉନାହାନ୍ତି ତଥାକଥିତ ଏବଂ ଆତ୍ମଘୋଷିତ ରାଷ୍ଟ୍ରବାଦୀ। ରାଷ୍ଟ୍ରର ହିତ ପରିବେର୍ତ୍ତ ରାଷ୍ଟ୍ର ପାଇଁ କଳଙ୍କ ସୃଷ୍ଟି କରୁଥିବା, ରାଷ୍ଟ୍ରରେ ଅରାଜକତାର ବାତାବରଣ ସୃଷ୍ଟି କରୁଥିବା ସଂଗଠନ ଓ ତତ୍ତ୍ୱଙ୍କୁ ରାଷ୍ଟ୍ରବାଦୀ କହିବା ନିଶ୍ଚୟ ରାଷ୍ଟ୍ର ବିରୋଧୀ ହେବ। ଏହି ପରିପ୍ରେକ୍ଷୀରେ ଜାତି ସଂଘର ଘୋଷଣାନାମା ଉପରେ ଦୃଷ୍ଟି ପକାଇଲେ ସାଂପ୍ରଦାୟିକ ଶକ୍ତିଙ୍କ ଅସଲ ରାଷ୍ଟ୍ରବିରୋଧୀ ଚିତ୍ର ସ୍ପଷ୍ଟ ହେବ।

 

୧୦ ଡିସେମ୍ୱର ୧୯୪୮, ଜାତିସଂଘର ମାନବାଧିକାର ସାର୍ବଭୌମ ଘୋଷଣାନାମାର ମୁଖବନ୍ଧରେ କୁହାଯାଇଛି-ସଂସାରରେ ସବୁ ମଣିଷଙ୍କର ଅନ୍ତର୍ନିହିତ ମର୍ଯ୍ୟାଦା, ସମାନ ଓ ଅବିଚ୍ଛେଦ୍ୟ ଅଧିକାରକୁ ସ୍ୱୀକୃତି ଦେବା, ସ୍ୱାଧୀନତା, ନ୍ୟାୟ ଓ ଶାନ୍ତିର ମୂଳଭିତ୍ତି। ଧାରା-୨ରେ ଜାତି, ବର୍ଣ୍ଣ, ଲିଙ୍ଗ, ଭାଷା, ଧର୍ମ ଏବଂ ରାଜନୈତିକ କିମ୍ୱା ଅନ୍ୟ ବିଚାର ପ୍ରଣାଳୀକୁ ନେଇ କେହି କାହା ପ୍ରତି ଭେଦଭାବ ସୃଷ୍ଟି କରିବେ ନାହିଁ। ଧାରା-୩- ପ୍ରତ୍ୟେକ ବ୍ୟକ୍ତି ଜୀବନର ସ୍ୱାଧୀନତା ଏବଂ ବ୍ୟକ୍ତିଗତ ସୁରକ୍ଷାର ଅଧିକାର ରହିବ। ଧାରା-୪- କୌଣସି ଦାସତ୍ୱ ରହିବ ନାହିଁ, ଦାସତ୍ୱ ପ୍ରଥା ନିଷିଦ୍ଧ ହେବ। ଧାରା-୫- କାହାରିକୁ ଶାରୀରିକ ଯାତନା କରାଯିବନାହିଁ। କାହାରି ପ୍ରତି ନିର୍ଦ୍ଦୟ, ଅମାନୁଷିକ ବା ଅପମାନଜନକ ବ୍ୟବହାର ଦିଆଯିବ ନାହିଁ। ଧାରା-୭ରେ ଆଇନ ଅନୁସାରେ ସମସ୍ତେ ସମାନ। ସମସ୍ତଙ୍କର ବିନା ଭେଦଭାବରେ ସମାନଭାବେ ଆଇନ ସୁରକ୍ଷା ଅଧିକାର ରହିବ। ଧାରା-୯ରେ କାହାରିକୁ ମନଇଚ୍ଛା ଗିରଫ, ନଜରବନ୍ଦୀ ବା ଦେଶରୁ ବାହାର କରାଯାଇ ପାରିବନାହିଁ। ଏହିପରି ଧର୍ମର ଅଧିକାର, ବିବାହ-ବିଚ୍ଛେଦର ଅଧିକାର, ଅଭିବ୍ୟକ୍ତିର ଅଧିକାର, ଶାନ୍ତିପୂର୍ଣ୍ଣ ସଭା ଓ ସଂଘ ଗଠନ କରିବାର ଅଧିକାର ଦିଆଯାଇଛି। କେବଳ ଜାତିସଂଘର ଏହି ଘୋଷଣା ନାମାରେ ନାଗରିକ ଅଧିକାର ସଂପର୍କରେ ସ୍ପଷ୍ଟ ଉଲ୍ଲେଖ ରହିଛି ତାହା ନୁହେଁ, ଭାରତର ସମ୍ୱିଧାନ ମଧ୍ୟ ପ୍ରତ୍ୟେକ ନାଗରିକ ଭୟ, ଭୋକ, ଭ୍ରଷ୍ଟାଚାର ମୁକ୍ତ  ଜୀବନଯାପନ କରିବାର ଅଧିକାର ପ୍ରଦାନ କରିଛି।

 

କିନ୍ତୁ ଆଜି ଦିନରେ ଭାରତରେ ସାଧାରଣ ନାଗରିକଙ୍କ ବଞ୍ଚିବାର ଅଧିକାର ପ୍ରତି ବିପଦ ସୃଷ୍ଟି ହୋଇଛି। ଗଣତନ୍ତ୍ରରେ ଜନଗଣଙ୍କୁ ବଞ୍ଚିବାର ଗ୍ୟାରେଣ୍ଟି ଦେବାର ଉତ୍ତରଦାୟିତ୍ୱ ହେଉଛି ସରକାରଙ୍କର। ଏହିପରି ଜଣେ ନାଗରିକ ସେ କ’ଣ ଖାଇବେ, ସେ କ’ଣ ପିନ୍ଧିବେ ତାହା ମଧ୍ୟ ତାଙ୍କର ନିଜସ୍ୱ ରୁଚି ଉପରେ ନିର୍ଭର କରେ। ଏନେଇ ନାଗରିକଙ୍କର ସାମ୍ୱିଧାନିକ ଅଧିକାର ରହିଛି। କିନ୍ତୁ ଏବେ ଦେଶବ୍ୟାପୀ ନାଗରିକଙ୍କ ବଞ୍ଚିବାର ଅଧିକାର ଉପରେ ବିପଦ ସୃଷ୍ଟି ହୋଇଥିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହିପରି ତା’ର ଖାଦ୍ୟ ଉପରେ ନିର୍ବାଚିତ ସରକାର ନିୟନ୍ତ୍ରଣ ଜାରି କରୁଛନ୍ତି। ଅର୍ଥାତ୍ ସେ କ’ଣ ଖାଇବେ, ତାହା ସ୍ଥିର କରିବେ ସରକାର। ଉଦାହରଣ ଭାବେ ଗୋମାଂସକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ନାଗରିକଙ୍କୁ ଏନେଇ ବାରଣ କରାଯାଇଛି। ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଭାରତରେ ୮୦ ନିୟୁତ ଲୋକ ଗୋମାଂସକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି। ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ନମୂନା ସର୍ଭେକ୍ଷଣ କାର୍ଯ୍ୟାଳୟର ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ ପ୍ରତି ୧୩ ଜଣରେ ଜଣେ ଭାରତୀୟ ଗୋମାଂସ ଖାଇଥାନ୍ତି। ୬୩.୪ ନିୟୁତ ମୁସ‍୍‌ଲିମ‍୍‌, ୧୨.୫ ନିୟୁତ ହିନ୍ଦୁ ଗୋ କିମ୍ୱା ମଇଁଷି ମାଂସ ଖାଇଥାନ୍ତି।

 

କେନ୍ଦ୍ର ସରକାରଙ୍କ ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୩ ମେ’ ୨୦୧୭ରେ ଏକ ଅଧିସୂଚନା ଜାରିକରିବା ସହ ନୂଆ ନିୟମ ଜାରିକରିଛନ୍ତି। ନିୟମର ଧାରା ୧୪ରୁ ୧୭ ମଧ୍ୟରେ ନିଷ୍ଠୁରତାର ସୂଚୀରେ ଉଲ୍ଲେଖ ରହିଛି ସାପ୍ତାହିକ ହାଟ ବା ମଣ୍ଡିରେ କଂସେଇ ହାତରେ ଗାଈ, ମଇଁଷି, ବାଛୁରୀ ଓ ଓଟ କାଟିବା ପାଇଁ ବିକ୍ରି କରିପାରିବେ ନାହିଁ। ଏହା ସହ ଗାଈ ବା ଉପରବର୍ଣ୍ଣିତ ପଶୁର ଶରୀରରେ ଆଭୂଷଣ ପିନ୍ଧାଇ ପାରିବେ ନାହିଁ। ଏପରିକି ସିଙ୍ଗରେ ରଙ୍ଗ ଲଗାଇ ପାରିବେ ନାହିଁ। ଏହି ନିୟମ ଉପରେ ଯଦିଓ ମାଡ୍ରାସ ଉଚ୍ଚନ୍ୟାୟାଳଙ୍କ ପକ୍ଷରୁ ସ୍ଥଗିତାଦେଶ ଦିଆଯାଇଛି, ଅନ୍ୟ ପକ୍ଷରେ ରାଜସ୍ତାନ ଉଚ୍ଚନ୍ୟାୟାଳଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଗାଈକୁ ଜାତୀୟ ପଶୁଭାବେ ଘୋଷଣା କରିବା ପାଇଁ କୁହାଯାଇଛି। କିନ୍ତୁ ସମସ୍ୟା ହେଉଛି ଗୋ ବା ମଇଁଷି ମାଂସକୁ ଯେଉଁମାନେ ଖାଦ୍ୟ ଭାବରେ ଗ୍ରହଣ କରନ୍ତି, ସେମାନଙ୍କ ଖାଦ୍ୟ ଉପରେ କଟକଣା ଜାରି କରାଯିବ। ସମ୍ୱିଧାନର ଧାରା ୨୧ ଅନୁଯାୟୀ ନାଗରିକଙ୍କର ନିଜର ଖାଇବାର ଅଧିକାର ରହିଛି। ଏହି ଅଧିକାର ଛଡ଼ାଇ ନିଆଯିବାର ଉଦ୍ୟମ ଆରମ୍ଭ ହୋଇଥିବା ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଛି। ଯଦିଓ ପଶୁ ନିଷ୍ଠୁରତା ନିବାରଣ ଆଇନ ୧୯୬୦ ରହିଛି, ତେବେ ସମ୍ୱିଧାନ ପ୍ରଦତ୍ତ ନାଗରିକଙ୍କ ଅଧିକାରର ସୁରକ୍ଷା ସରକାରଙ୍କର ଯେ ଉତ୍ତରଦାୟିତ୍ୱ ରହିଛି, ତାହାକୁ ସରକାର ଏଡ଼ାଇ ଯାଉଛନ୍ତି। ସମ୍ୱିଧାନ ସ୍ୱୀକୃତ ଯେ ଖାଦ୍ୟ ପାଇଁ ପଶୁ ହତ୍ୟା କ୍ରୁରତା ନୁହେଁ। ତେବେ ସରକାର ଜୀବ ନିଷ୍ଠୁରତା ନିବାରଣ ଆଇନ ୧୯୬୦ ଆଧାରରେ ଜୀବକୁ କାଟି ଖାଇବା ଉଦ୍ଦେଶ୍ୟରେ ବିକ୍ରି ବା ଖର୍ଦ୍ଦି କରିପାରିବେ ନାହିଁ ବୋଲି ନୂଆ ନିୟମ ଜାରି କରିଛନ୍ତି।

 

ତେବେ କ’ଣ ଚମଡ଼ା କାରଖାନାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ୨୫ ଲକ୍ଷରୁ ଅଧିକ ଲୋକଙ୍କ ରୋଜଗାରକୁ ବନ୍ଦ କରିବେ ସରକାର? ଏହା କ’ଣ ସରକାରଙ୍କର ଲୋକଙ୍କ ପ୍ରତି ସଠିକ୍ ଉତ୍ତରଦାୟିତ୍ୱ? ଗୋଟିଏ ପଟେ ଗୋ ସୁରକ୍ଷା ପାଇଁ ସରକାରଙ୍କ ନିୟମ ଜାରି, ଅନ୍ୟପକ୍ଷରେ ତଥାକଥିତ ଗୋସୁରକ୍ଷା ବାହିନୀ ଦ୍ୱାରା ଗୁଣ୍ଡାମୀ ମାତ୍ରାଧିକ ଭାବରେ ବଢ଼ିଛି। କେଉଁଠି ହତ୍ୟା ତ ଅନ୍ୟ କେଉଁଠି ବର୍ବର ଆକ୍ରମଣ ଘଟଣା ଏହି ବାହିନୀ ଦ୍ୱାରା ସଂଗଠିତ ହେଉଥିବାର ଦୃଶ୍ୟ ଗଣତନ୍ତ୍ରରେ ଗଣଅଧିକାର କିପରି ବିପଦଗ୍ରସ୍ତ ତାହାର ସୂଚନା ମିଳୁଛି। ଏହିପରି ଦେଶରେ ଧର୍ମ ଓ ଜାତି ଆଧାରରେ ରାଜନୀତିକୁ ଜୀବନ୍ତ କରି ରଖିବା ପାଇଁ ଚାଲିଛି ଗୋ’ସୁରକ୍ଷା ଅଭିଯାନ। ଯେଉଁ ସମୟରେ ଦେଶ ଓ ରାଜ୍ୟ ସରକାରଙ୍କ ସାମ‍୍‌ନାରେ ଲକ୍ଷ ଲକ୍ଷ ଲୋକ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା ଓ ଚିକିତ୍ସା ଭଳି ମୌଳିକ ସୁବିଧା ବା ଅଧିକାର ପାଇପାରୁନାହାନ୍ତି, ଯେଉଁ ସମୟରେ ଶିଶୁ ଓ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ହୋଇପାରୁନି, ଯେଉଁ ସମୟରେ ଦେଶର ଦଳିତ, ଆଦିବାସୀ ଓ ପଛୁଆବର୍ଗର ୮୦ ଭାଗରୁ ଅଧିକ ଲୋକଙ୍କ ସାମାଜିକ ନ୍ୟାୟ ବା ଅନ୍ୟ ଅର୍ଥରେ ବଞ୍ଚିବାର ଅଧିକାର ଉପରେ ଧର୍ମ ଓ ଜାତି ନାମରେ ଚାଲିଛି ଆକ୍ରମଣ, ସେହି ସମୟରେ ଗୋସୁରକ୍ଷା ନାମରେ ସରକାରଙ୍କ ପ୍ରାୟୋଜିତ ଅଧିସୂଚନା ଓ ନିୟମ ନାଗରିକଙ୍କ ଅଧିକାର ପ୍ରତି ବିପଦର ବାର୍ତ୍ତା ଦେଇଛି।

 

ଏ ସଂପର୍କରେ ସମୀକ୍ଷା ସହ ନୀତିର ପରିବର୍ତ୍ତନ ଅବସ୍ୟମ୍ଭାବୀ ହୋଇପଡ଼ିଛି। କାରଣ ସମ୍ୱିଧାନ ପ୍ରଦତ୍ତ ଅଧିକାର ସୁରକ୍ଷାର ଉତ୍ତରଦାୟିତ୍ୱ ହେଉଛି ନିର୍ବାଚିତ  ସରକାରଙ୍କର। ଏ ସଂପର୍କରେ ସମୀକ୍ଷା, ବିତର୍କ ଯେପରି ଲୋଡ଼ା, ସେହିପରି ରାଷ୍ଟ୍ର ବିରୋଧୀଙ୍କ ବିରୋଧରେ ସଶକ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ମଧ୍ୟ। କାରଣ ଖାଦ୍ୟ ଉପରେ ଅଙ୍କୁଶ ଲଗାଇବା ରାଷ୍ଟ୍ରର ହିତସାଧନ କରିବ ନାହିଁ।

 

ଭୁବନେଶ୍ୱର, ଫୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top