୬୭ ନର୍ସିଂହୋମ୍‌ରୁ ୪୮ ବେଆଇନ!

News Story - Posted on 2017-06-03

ଗଂଜାମ ଜିଲ୍ଲା ଏବଂ ବିଶେଷକରି ବ୍ରହ୍ମପୁର ସହରରେ ଗଢ଼ିଉଠିଛି ଛତୁ ଫୁଟିଲା ଭଳି ବେସରକାରୀ ନର୍ସିଂହୋମ୍‌। ଏଗୁଡ଼ିକ ମଧ୍ୟରୁ ବହୁ ନର୍ସିଂହୋମ୍‌ ବେଆଇନ ଭାବେ ଚାଲିଥିବା ବେଳେ ଲାଇସେନ୍ସ ନବୀକରଣ ହୋଇ ନଥିବା ଜଣାପଡ଼ିଛି।

 

ସରକାରୀ ତଥ୍ୟରୁ ଜଣାପଡ଼ିଛିଯେ, ବ୍ରହ୍ମପୁର ‍ସହରରେ ମୋଟ ୬୭ଟି ବେସରକାରୀ ନର୍ସିଂହୋମ‌୍‍‌୍‍ ଗଢ଼ି ଉଠଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ରହିଛି ୮ ଟି ନର୍ସିଂହୋମ‌୍‍। ଏଥିମଧ୍ୟରେ ବ୍ରହ୍ମପୁର ସହରରେ ୫୨ ନର୍ସିଂହୋମ‌୍‍, ୨ କ୍ଲିନିକ‌୍‍, ୯ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍, ୩ ନର୍ସିଂହୋମ ଏବଂ ପାଥୋଲୋଜି, ୧ କେବଳ ପାଥୋଲୋଜି ରହିଛି। ଏହିଭଳି ଜିଲ୍ଲାରେ ମୋଟ ୭୫ ଛୋଟବଡ଼ ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍ ରହିଛି। କିନ୍ତୁ ଉକ୍ତ ତାଲିକାକୁ ବାଦ ଦେଲେ ବ୍ରହ୍ମପୁର ସହରରେ ଏମିତି ବହୁ  ପାଥୋଲୋଜି ସେଣ୍ଟର‌୍‍ ବିନା ଲାଇସେନ୍ସରେ ଚାଲିଥିବା ମଧ୍ୟ ଜଣାପଡ଼ିଛି। କିନ୍ତୁ ଏଗୁଡ଼ିକ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

 

ଭୁବନେଶ୍ବର, କଟକ ଆଦି ସହରରେ ନର୍ସିଂହୋମଗୁଡ଼ିକର ସରକାରୀ ନିୟମ ଅନୁଯାୟୀ ପ୍ରତିବର୍ଷ ଲାଇସେନ୍ସ ନବୀକରଣ ହେଉଥିବା ସ୍ଥଳେ ବ୍ରହ୍ମପୁର ସହରରେ ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରାଯାଉଛି। ମାତ୍ରକିଛି ହାତଗଣତି ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ ସେଣ୍ଟର ଲାଇସେନ୍ସ ନବୀକରଣ କରାଇଥିବା ସ୍ଥଳେ ଅନ୍ୟ ନର୍ସିଂହୋମ‌୍‍ ଏବଂ ରୋଗ ନିଦାନ କେନ୍ଦ୍ରଗୁଡ଼ିକ ଭିତ୍ତିଭୂମି ବିହୀନ ଏବଂ ଲାଇସେନ୍ସ ମଧ୍ୟ ନବୀକରଣ ହୋଇନାହିଁ। ତେବେ ଗତ କିଛିଦିନ ମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ସହରର ବିଭିନ୍ନ ନର୍ସିଂହୋମ‌୍‍ରେ ଚଢ଼ାଉ କରାଯାଇଥିବା ବେଳେ ସିଡ଼ିଏମ‌୍‍ଓ ଉକ୍ତ ନର୍ସିଂହୋମଗୁଡ଼ିକରେ ଲାଇସେନ୍ସ ନବୀକରଣ ହୋଇ ନଥିବା ସଂପର୍କରେ କୌଣସି ତଥ୍ୟ ପ୍ରକାଶ କରିନଥିଲେ। ସିଡ଼ିଏମ‌୍‍ଓ ଏ ସଂପର୍କରେ ନିଜେ ଅବଗତ ନଥିଲେ ନା ଅବଗତ ଥାଇ ମଧ୍ୟ ତଥ୍ୟ ପ୍ରକାଶ କରିନଥିଲେ ତାହା ସନ୍ଦେହଜନକ। ଯାହାଫଳରେ ଚଢ଼ାଉ ସମୟରେ ସବୁକିଛି ଠିକ‌୍‍ ରହିଥିବା ସୂଚନା ମିଳିଥିଲା।

 

ତେବେ ସୂଚନା ଅଧିକାର ଆଇନ ବଳରେ ବର୍ଷକ ତଳେ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡେ଼ ଯେ, ସହରର ମାତ୍ର କିଛି ନର୍ସିଂହୋମ‌୍‍‌୍‍କୁ ବାଦ‌୍‍ଦେଲେ ଅନ୍ୟ ସବୁ ବେଆଇନ ଭାବେ ପରିଚାଳିତ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟଯେ, ତଥ୍ୟ ମୁତାବକ ବ୍ରହ୍ମପୁରରେ ରହିଥିବା ୬୭ ନର୍ସିଂହୋମ‌୍‍ ଏବଂ ରୋଗ ନିଦାନ କେନ୍ଦ୍ର ମଧ୍ୟରୁ ୪୮ଟିର ରେଜିଷ୍ଟ୍ରେସନ‌୍‍ ନବୀକରଣ ହୋଇନଥିବାବେଳେ ୨୨ଟି ନର୍ସିଂହୋମ‌୍‍ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟର‌୍‍ ନିଜ ରେଜିଷ୍ଟ୍ରସନ‌୍‍ ଅବଧି ଶେଷ ହୋଇ ୩ ବର୍ଷ ଏବଂ ତଦୁର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ରେଜିଷ୍ଟ୍ରେସନ‌୍‍କୁ ନବୀକରଣ ନକରି ବେଆଇନ ଭାବେ ରୋଗୀସେବା ଚଳାଇଛନ୍ତି। ତେଣୁ ଏଗୁଡ଼ିକ ରୋଗୀସେବା କିଭଳି ଯୋଗାଉଥିବେ ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟରଗୁଡ଼ିକରେ କିଭଳି ରୋଗ ନିଦାନ କରାଯାଉଛି ତାହା ସ୍ପଷ୍ଟ ଅନୁମେୟ। ରେଜିଷ୍ଟ୍ରେସନ‌୍‍ ନବୀକରଣ ନହୋଇ ୩ ବର୍ଷ ବିତିଯାଇଥିବା ନର୍ସିଂହୋମ‌୍‍, କ୍ଲିନିକ ଏବଂ ରୋଗ ନିଦାନ କେନ୍ଦ୍ରଗୁଡ଼ିକ ମଧ୍ୟରେ ବ୍ରହ୍ମପୁରର ଅମିତ ହସ୍ପିଟାଲ‌୍‍, ଯଶୋଦା ଲାଇଫ‌୍‍ ହସ୍ପିଟାଲ‌୍‍, ଆନନ୍ଦ ମେଡ଼ିକାଲ‌୍‍ ଏବଂ ରିସର୍ଚ୍ଚ ସେଣ୍ଟର‌୍‍, ଗୁରୁଦେବ ହସ୍ପିଟାଲ‌୍‍, ଖ୍ରୀଷ୍ଟିୟାନ‌୍‍ ହସ୍ପିଟାଲ‌୍‍, ଅର୍ଥୋ କ୍ଲିନିକ‌୍‍, ଲାଇଫ‌୍‍ ଲାଇନ‌୍‍ ନର୍ସିଂହୋମ‌୍‍, ବଂଶଧାରା ହସ୍ପିଟାଲ‌୍‍, ବ୍ରହ୍ମପୁର‌୍‍ ଶିଶୁ ଭବନ, ସାଇସୁଧା ନର୍ସିଂହୋମ‌୍‍, ଗାୟତ୍ରୀ କ୍ଲିନିକ‌୍‍ ଏବଂ ଅଲ‌୍‍ଟ୍ରାସାଉଣ୍ଡ, ବାଲାଜି ଡ଼ାଏଗ୍ନୋଷ୍ଟିକ‌୍‍, ସୁଧିର‌୍‍ ହାର୍ଟ ସେଣ୍ଟର‌୍‍, ଡ଼ିଭାଇନ‌୍‍ ନର୍ସିଂହୋମ‌୍‍, ସପ୍ତଗିରି ହସ୍ପିଟାଲ‌୍‍, ଆଇଡ଼ିଏଲ‌୍‍ ନର୍ସିଂହୋମ‌୍‍, କୋଣାର୍କ ନର୍ସିଂହୋମ‌୍‍ , ମିନାକ୍ଷୀ ନର୍ସିଂହୋମ‌୍‍, ସାହାରା ସେବା ସଦନ, ପଦ୍ମା ଡେ଼ଣ୍ଟାଲ‌୍‍ କ୍ଲିନିକ‌୍‍, ମେଡ଼ିମେଜେସ‌୍‍, ପାରାଡ଼ାଇଜ‌୍‍ ନର୍ସିଂହୋମ‌୍‍ ରହିଛନ୍ତି। ନବୀକରଣ ପାଇଁ ଆବେଦନ କରାଯାଇଥିବା ବାହାନା ଦେଖାଇ କିଛି ନର୍ସିଂହୋମ‌୍‍ ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି। ଯାହାଫଳରେ ରାଜସ୍ୱ ହାନୀ ମଧ୍ୟ ଘଟୁଛି।

 

ଅନ୍ୟପକ୍ଷରେ ବ୍ରହ୍ମପୁର ଏମ‌୍‍କେସିଜି ମେଡ଼ିକାଲ‌୍‍ରେ ପ୍ରଫେସର ଏବଂ ଡ଼ାକ୍ତରମାନେ ରୋଗୀମାନଙ୍କୁ ମେଡ଼ିକାଲ‌୍‍ରେ ଉତ୍ତମ ସେବା ଯୋଗାଇବା ପରିବର୍ତ୍ତେ ସେମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବେସରକାରୀ ନର୍ସିଂହୋମମାନଙ୍କୁ ଏବଂ ନିଜ କ୍ଲିନିକ‌୍‍କୁ ଯିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ମେଡ଼ିକାଲ‌୍‍ରେ ହାଜିରା ପକାଇ କ୍ଲିନିକ ଏବଂ ନର୍ସିଂହୋମ‌୍‍ରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ନର୍ସିଂହୋମଗୁଡ଼ିକରେ ବିନା କାରଣରେ ବିଭିନ୍ନ ପରୀକ୍ଷା କରାଇବା ପାଇଁ ପାଥୋଲୋଜି ଏବଂ ଡ଼ାଏଗ୍ନୋଷ୍ଟିକ‌୍‍ ସେଣ୍ଟରଗୁଡ଼ିକରୁ କମିଶନ‌୍‍ ନେଇ ପଠାଉଥିବା ସ୍ଥଳେ ରୋଗୀମାନେ ନୟାନ୍ତ ହେଉଛନ୍ତି। ଚଢ଼ାଉ ସମୟରେ ମଧ୍ୟ ଏମାନଙ୍କ ବେଆଇନ‌୍‍ କାର୍ଯ୍ୟ ସଂପର୍କରେ ଜଣାପଡ଼ୁନାହିଁ। ଏମିତିକି ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏମକେସିଜି ମେଡ଼ିକାଲ‌୍‍ ଗସ୍ତ ସମୟରେ କିଛି ଡ଼ାକ୍ତର ବିନା ସୂଚନାରେ ମେଡ଼ିକାଲ‌୍‍ରେ ଅନୁପସ୍ଥିତ ରହିଥିବା ଜଣାପଡ଼ିଥିଲା। କିନ୍ତୁ ଏମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଜଣାପଡ଼ିଲା ନାହିଁ।

 

ଏସବୁ ଅନିୟମିତତା ଏବଂ ଡ଼ାକ୍ତରମାନଙ୍କ ନର୍ସିଂହୋମ‌୍‍ ଏବଂ କ୍ଲିନିକ‌୍‍ ପ୍ରୀତି ସଂପର୍କରେ ସିଡ଼ିଏମ‌୍‍ଓ ସଂପୂର୍ଣ୍ଣ ଅବଗତ ଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନକୁ ଚଢ଼ାଉ ସମୟରେ ସହଯୋଗ କରୁନଥିବା ଏବଂ ସତ୍ୟ ଲୁଚାଉଥିବା ସ୍ପଷ୍ଟ ହୋଇଛି। ଯାହାଫଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଅନ୍ଧକାର ମଧ୍ୟରେ ରହୁଥିବା ଜଣାପଡ଼ିଛି। ଏଥିରେ ଡ଼ାକ୍ତର ଏବଂ ରୋଗ ନିଦାନ କେନ୍ଦ୍ରଗୁଡ଼ିକ ମାଲାମାଲ‌୍‍ ହେଉଥିବା ବେଳେ ରୋଗୀମାନେ ହନ୍ତସନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ଏହି ବେଆଇନ‌୍‍ ନର୍ସିଂହୋମ‌୍‍ ଏବଂ ରୋଗ ନିଦାନ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରିବା ସହ ଏଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top