ତମାଖୁ ଏକ ବିରାଟ ଜନସ୍ୱାସ୍ଥ୍ୟ ସମସ୍ୟା

News Story - Posted on 2017-06-03

ତମାଖୁ ବ୍ୟବହାର ଜନିତ ଶାରୀରିକ ଅସୁସ୍ଥତା ଏକ ବିରାଟ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହା ଆମର ବିକାଶ କ୍ଷେତ୍ରରେ ମଧ୍ୟ ଏକ ବିରାଟ ପ୍ରତିବନ୍ଧକ। ଏଣୁ ତମାଖୁ ବ୍ୟବହାର କମାଇବା ସହିତ ନିକୋଟିନ‌୍‍ ଯୁକ୍ତ ତମାଖୁ ଦ୍ରବ୍ୟର ପ୍ରସ୍ତୁତି ଏବଂ ବିତ୍ରୟ ଉପରେ ଅଙ୍କୁଶ ଲଗାଇବାକୁ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

 

ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ଆଇ.ଏମ‌୍‍.ଏ ହାଉସ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ସମସ୍ତ ଜିଲ୍ଲାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ତମାଖୁ ବ୍ୟବହାର ୩୨ ପ୍ରତିଶତ ହ୍ରାସ ପାଇଛି ବୋଲି ଜାତୀୟ ପରିବାର କଲ୍ୟାଣ ସର୍ବେକ୍ଷଣ ରିପୋର୍ଟ- ୪ରୁ ଜଣାପଡିଛି। ହେଲେ ଏହାକୁ ଯେତେ ଅଧିକ କମାଇ ପାରିବା ସେତିକି ଆମ ସମସ୍ତଙ୍କ ପାଇଁ ଶୁଭଙ୍କର ହେବ। ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତମାଖୁ ବର୍ଜନ କେନ୍ଦ୍ର ଖୋଲାଯାଇଛି। ତେବେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ତମାଖୁ ବ୍ୟବହାରକୁ ରୋକା ଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରି ୪ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ହେଉଥିବା ପଥ-ଉତ୍ସବଟିକୁ ତମାଖୁ ବର୍ଜନ ଉପରେ ଆଧାରିତ କରି କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଆମର ଯୁବ ପିଢୀଙ୍କୁ ତମାଖୁ ଠାରୁ ଦୂରେଇ ରଖିବା ବା ବ୍ୟବହାର ନକରିବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରାଯିବା ନିମନ୍ତେ ନିଷ୍ପତି ହୋଇଛି। କେବଳ ଗୋଟିଏ ଦିନ ନୁହେଁ, ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଏଥି ସହିତ ରାଜ୍ୟରେ ନିକୋଟିନ ଯୁକ୍ତ ତମାଖୁ ବିକ୍ରୟ ଓ ପ୍ରସ୍ତୁତ ଉପରେ ମଧ୍ୟ ରୋକ‌୍‍ ଲଗାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ମାନ୍ୟବର ମୁଖ୍ୟମନ୍ତ୍ରୀ କର୍କଟ ରୋଗର ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛନ୍ତି ଯାହାକି ରାଜ୍ୟର ଗରିବ ଜନସାଧାରଣଙ୍କ ପାଇଁ ଏକ ବିରାଟ ରିହାତି ଏବଂ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି।

 

କ୍ରାଇମ‌୍‍ ବ୍ରାଂଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା ରାଜ୍ୟରେ ତମାଖୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ କରାଯାଇଥିବା କୋଟପା ଆଇନ ୨୦୦୩କୁ କଡାକଡି ଭାବେ ପାଳନ କରାଯିବା ସହିତ ପ୍ରସ୍ତୁତକାରୀ ସଂସ୍ଥା ଏବଂ ବିକ୍ରୟକାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

 

କଟକ-ଭୁବନେଶ୍ୱର ଟୁଇନସିଟି ପୋଲିସ କମିଶନର ୱାଇ.ବି.ଖୁରାନିଆ ତାଙ୍କ ଭାଷଣରେ  ତମାଖୁ ବ୍ୟବହାରକାରୀଙ୍କ ଉପରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଜାରି ରହିବ ଏବଂ ଅଧିକ ଜୋରଦାର କରାଯିବ ବୋଲି ସୂଚନା ଦେଇଥିଲେ। ବିଗତ ବର୍ଷମାନଙ୍କରେ ଏ ନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂପର୍କରେ ସୂଚନା ଦେଇ ଆଇନଭଙ୍ଗକାରୀଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠା ଓ ଜୋରିମାନା ଆଦାୟ ଉପରେ ଆଲୋକପାତ କରିଥିଲେ।

 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ତମାଖୁ ବ୍ୟବହାର ହ୍ରାସ କରି ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ସହିତ ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। କାର୍ଯ୍ୟକାରୀ କରାଯାଉଥିବା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ପରାମର୍ଶ ଦେଇଥିଲେ। ତମାଖୁ ବ୍ୟବହାର ଯୋଗୁଁ ବ୍ୟବହାରକାରୀମାନେ ଆକ୍ରାନ୍ତ ହେଉଥିବା ମାରାତ୍ମକ ରୋଗ ସଂପର୍କରେ ସେମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

 

ଭୁବନେଶ୍ୱର ଆଇ.ଆଇ.ଏମ‌୍‍.ଏସ‌୍‍ ନିର୍ଦ୍ଦେଶିକା ପ୍ରଫେସର ଡାଃ ଗୀତାଞ୍ଜଳୀ ବାଟମାନାବାନେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ତମାଖୁ ଉପିାଦନକାରୀ ସଂସ୍ଥାମାନଙ୍କର ବିଭିନ୍ନ ପ୍ରକାର ତମାଖୁ ବ୍ୟବହାର ନେଇ ଯେଉଁ ନିରବ ଘାତକ ପ୍ରଚାର ପ୍ରଚାର କରାଯାଉଛି ତାହା ଦ୍ୱାରା ଆମର ଯୁବପୀଢି ପ୍ରଭାବିତ ହେଉଛନ୍ତି ଏବଂ ମୃତ୍ୟୁମୁଖକୁ ଟାଣି ହୋଇଯାଉଛନ୍ତି ବୋଲି କହିଥିଲେ। ଏଣୁ ଆମକୁ ସେ ଉପରେ ନଜର ରଖିବା ସହିତ ସେଥିରେ ଯେମିତି ଯୁବପୀଢି ପ୍ରଭାବିତ ନହୁଅନ୍ତି ଦେଖିବା ଜରୁରୀ ବୋଲି କହିଥିଲେ।

 

ଏହି ଅବସରରେ ଅତିଥିମାନେ ତମାଖୁ ବ୍ୟବହାର ଜନିତ କୁପରିଣାମ ସଂପର୍କରେ ସୂଚନା ପତ୍ର ଉନ୍ମୋଚନ କରିଥିଲେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ଜେ.କେ. ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ନୋଡାଲ ଅଫିସର ଡାଃ ପି.କେ.ବି ପଟ୍ଟନାୟକ ରାଜ୍ୟରେ ତମାଖୁ ଜନିତ ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top