ପର୍ଯ୍ୟଟନ- ପ୍ରଶାସନର ସାବତ ପୁଅ!

News Story - Posted on 2017-06-03

ହେମାଙ୍ଗ ପ୍ରସାଦ ରାଉଳ

 

ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବା ସହ ଏଥିନିମନ୍ତେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲାରେ ପର୍ଯ୍ୟଟନ ବିଭାଗର କାର୍ଯ୍ୟାଳୟ ପାଇଁ ନିଜସ୍ୱ ଜମି ଖଣ୍ଡିଏ ନଥିବାରୁ ଏହା ଭଡ଼ାଘରେ ଚାଲିଛି। ଦାର୍ଘ ୩୬ ବର୍ଷ ଧରି ଏହି କାର୍ଯ୍ୟାଳୟ ଭଡ଼ାରେ ଚାଲିଥିବା ବେଳେ ୧୯୭୯ ମସିହାରୁ ନିଜସ୍ୱ କାର୍ଯ୍ୟାଳୟ ପାଇଁ ଜମି ଖଣ୍ଡିଏ ଯୋଗାଇଦେବା ପାଇଁ ବାରମ୍ୱାର ପର୍ଯ୍ୟଟନ ବିଭାଗ ପକ୍ଷରୁ ଚିଠି ହୋଇଥିଲେ ସୁଦ୍ଧା ଜମି ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।

 

୨୦୧୦ ମସିହା ଜାନୁୟାରୀ ମାସ ୨୯ ତାରିଖ ଚିଠି ସଂଖ୍ୟା ୧୨୩ ଅନୁଯାୟୀ ଜମି ପାଇଁ ଅବେଦନ କରାଯାଇଥିଲା। ଏହାକୁ ସେ ସମୟରେ ଜିଲ୍ଲାପାଳ ଗ୍ରହଣ କରିଥିବା ୨୦୧୦ ମସିହା ମେ ମାସରେ ନିଜ ଚିଠି ନଂ ୪୫୬୩ ଅନୁଯାୟୀ ଜଣାଇଥିଲେ। ଏସଂପର୍କରେ ଉପ ଜିଳ୍ଲାପାଳ ତହସିଲ‌୍‍ଦାରଙ୍କୁ ୨୦୧୦ ମସିହା ମେ ମାସ ୪ ତାରିଖରେ ଜଣାଇଥିଲେ। ବ୍ରହ୍ମପୁର ନୂଆବସ୍‌ ଷ୍ଟାଣ୍ଡ ରୋଡ଼‌୍‍ ସ୍ଥିତ ଗୋକର୍ଣ୍ଣେଶ୍ବର ମନ୍ଦିର ପଛପଟେ ରହିଥିବା ଜମିରେ ପର୍ଯ୍ୟଟନ କାର୍ଯ୍ୟାଳୟ ପାଇଁ ଚିହ୍ନଟ ହୋଇଥିଲା। ତେବେ ଏହି ଜମିଟି ଜଣେ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ଏବଂ ଏନେଇ କୋର୍ଟରେ କେସ‌୍‍ ଚାଲିଥିବା ଜଣାପଡ଼ିଥିଲା। ୨୦୧୦ ମସିହା ଡ଼ିସେମ୍ୱର‌୍‍ ମାସ ୨୮ ତାରିଖରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା। ସେହିଦିନ ହିଁ ମାନ୍ୟବର ହାଇକୋର୍ଟରୁ ଷ୍ଟେ ଅର୍ଡ଼ର‌୍‍ ଆସିଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଓଟିଡ଼ିସିକୁ ଜଣାଯାଇଥିଲା।

 

ଏହାପରେ ଡ଼ିସେମ୍ୱର ମାସ ୩୦ ତାରିଖରେ ଅକ୍ତିଆରରେ ରଖିଥିବା ବ୍ୟକ୍ତିଙ୍କ ପକ୍ଷରୁ ଶୁଭଖୁଣ୍ଟକୁ ଭାଙ୍ଗିଦିଆ ଯାଇଥିଲା। ଏହି ମାମଲା ସୁପ୍ରିମ‌୍‍କୋର୍ଟରେ ବିଚାରାଧୀନ ରହିଥିବା ସ୍ଥଳେ ୨୦୧୩ ମସିହା ଜାନୁୟାରୀ ମାସ ୮ ତାରିଖରେ ଉପଜିଳ୍ଲାପାଳ ତହସିଲଦାରଙ୍କୁ ଅନ୍ୟ କୌଣସି ଜମି ଦେଖିବା ପାଇଁ ଚିଠିଦ୍ୱାରା ଜଣାଇଥିଲେ। ୨୦୧୩ ମସିହା ଅଗଷ୍ଟ ମାସ ୫ ତାରିଖରେ ନୂଆ ପର୍ଯ୍ୟଯନ ବିଭାଗ ଅଧିକାରୀ ବ୍ରହ୍ମପୁରରେ ଯୋଗ ଦେଇଥିଲେ। ସେ କାର୍ଯ୍ୟରେ ଯୋଗ ଦେବାପରେ ତୁରନ୍ତ ଜମିପାଇଁ ଚିଠି କରିଥିଲେ। ଏହାର ଜବାବ‌୍‍ରେ ଉପଜିଲ୍ଲାପାଳ ୨୦୧୩ ମସିହା ଅଗଷ୍ଟ ମାସ ୨୦ ତାରିଖରେ ପୁଣିଥରେ ଅନ୍ୟ ଜମି ଦେଖିବା ପାଇଁ ଦୋହରାଇଥିଲେ। ତେବେ ଜମି ଆଜିସୁଦ୍ଧା ମିଳିନଥିବା ବ୍ରହ୍ମପୁର ଓଟିଡ଼ିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। 

 

ଏହାପରେ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଏହି ବାବଦରେ ବିଭାଗ ତରଫରୁ ଏବଂ ବ୍ରହ୍ମପୁର ବିଧାୟକ ଡ଼ାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ପ୍ରେମ‌୍‍ ଚନ୍ଦ୍ର ଚୌଧୁରୀ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ନିକ୍ଷେପ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀଙ୍କ ଜଣାଇଥିଲେ। ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ଏକ ପର୍ଯ୍ୟଟନ ଜିଲ୍ଲାଭାବେ ବେଶ‌୍‍ ସୁନାମ ଅର୍ଜନ କରିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରର ଅଣଦେଖାର ଶିକାର ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ପର୍ଯ୍ୟଟନ କାର୍ଯ୍ୟାଳୟକୁ ଖୋଜି ପାଇବା କଷ୍ଟକର ହୋଇପଡ଼ୁଛି।

 

ଦୀର୍ଘ ୩୮ବର୍ଷ ହେଲା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଭଡ଼ାଘରେ ଚାଲିଛି। ଇତିମଧ୍ୟରେ ବିଭିନ୍ନ ସ୍ଥାନ ତଥା ପ୍ରଥମେ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଏହାପରେ ଶଶିଭୂଷଣ ମହିଳା ମହାବିଦ୍ୟାଳୟ ପଛପଟେ, ଷ୍ଟେସନ୍‌ ନିକଟରେ, ପୁଣି ନୂଆ ବସ୍‌ଷ୍ଟାଣ୍ଡ ଏବଂ ବର୍ତ୍ତମାନ ହିଲ‌୍‍ପାଟଣା ସ୍ଥିତ ଏକ ଅଣଓସାରିଆ ଗଳି ଭିତରେ ବନ୍ଧା ହୋଇ ପଡ଼ିଛି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ। ସରକାରଙ୍କ ତରଫରୁ ୩୮ ବର୍ଷ ହେଲା ଭଡ଼ା ଦିଆଯାଉଛି। ଗଞ୍ଜାମ ଜିଲ୍ଲାରେ ୨୨ ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ଏଗୁଡ଼ିକର ବିଶେଷ ଉନ୍ନତି ପରିଲକ୍ଷିତ ହେଉନାହିଁ। ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ନେଇ ଡିମଡିମ ପିଟୁଥିବା ବେଳେ ଏବଂ ଜିଲ୍ଲାରୁ ୪ଟି ମନ୍ତ୍ରୀଙ୍କ ସମେତ ଖୋଦ‌୍‍ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରତିନିଧିତ୍ୱ କରୁଥିଲେ ସୁଦ୍ଧା କେବଳ ତାରାତାରିଣୀ ଏବଂ ତପ୍ତପାଣିକୁ ବାଦ୍‌ଦେଲେ ଅନ୍ୟ କୌଣସି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।

 

ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ବିଭାଗକୁ ରାଜ୍ୟ ସରକାର ସାବତ ପୁଅ ଭାବେ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ଏହି କାର୍ଯ୍ୟାଳୟକୁ ହିଲ‌୍‍ପାଟଣାରେ ନିର୍ମାଣ ଚାଲିଥିବା ସଂସ୍କୁୃତି ଭବନ ନିକଟରେ ସ୍ଥାୟୀ ଘର ଯୋଗାଇ ସ୍ଥାନାନ୍ତର କରିବା ପାଇଁ ଡ଼ିସିଓଙ୍କୁ ଚିଠି କରାଯାଇଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଚିଠି ନଂ ୩୧୪/୨୬.୦୬.୨୦୧୫ରୁ ଜଜଣାପଡ଼ିଛି। କିନ୍ତୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ଦାୟିତ୍ୱହୀନତା ଯୋଗୁଁ ମଧ୍ୟ ସରକାରଙ୍କ ଠାରୁ ଆସୁଥିବା ବିଭିନ୍ନ ସାଂସ୍କୁୃତିକ କାର୍ଯ୍ୟକ୍ରମଗୁଡ଼ିକ ଗଣମାଧ୍ୟମକୁ ନଜଣାଇ ସିମୀତ ପରିଧି ମଧ୍ୟରେ କେବଳ କାଗଜ କଲମରେ ଚାଲିଛି। ଏଠାରେ ପ୍ରକାଶଥାଉକି, ଜିଲ୍ଲାର ପ୍ରମୁଖ ୨୨ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ୭ଟି ପର୍ଯ୍ୟଟନସ୍ଥଳୀ ତଥା ସୋରଡ଼ା ନିକଟସ୍ଥ ପଞ୍ଚଲିଙ୍ଗେଶ୍ୱର, ଖୁଣ୍ଟେଶ୍ୱରୀ, ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଜଲବାଡ଼ି ସ୍ଥିତ ଇଗ୍ନେଶ୍ୱରୀ ଏବଂ ଯଜ୍ଞେଶ୍ୱର, ବୁଗୁଡ଼ା ସ୍ଥିତ ସଙ୍କୁଳେଇ, ଶେରଗଡ଼ ସ୍ଥିତ କରଣ୍ଢେଇ, ଭଞ୍ଜନଗର ନିକଟସ୍ଥ ନୂଆଗାଁ , ସିଂହାସିନି, ହିଞ୍ଜିଳି ନିକଟସ୍ଥ ସାଉଁଳାଇ, ତାରାତାରିଣୀ, ରମ୍ଭା ପାନ୍ଥ ନିବାସ  ପ୍ରଭୃତି ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ ସରକାରଙ୍କ ଠାରୁ ଟଙ୍କା ଆସିଥିବା ସ୍ଥଳେ କିଛି ସ୍ଥାନରେ କାମ ଚାଲଇଥିବା ବେଳେ ଆଉକିଛି ଅବହେଳିତ ହୋଇ ପଡ଼ିରହିଛି।

 

ସେହିଭଳି ତପ୍ତପାଣିର ରକ୍ଷଣାବେକ୍ଷଣର ଅଭାବ ଦେଖିବାକୁ ମିଳୁଛି। ବ୍ରହ୍ମପୁର ସ୍ଥିତ ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରାୟ ୧ କୋଟରୁ ଉର୍ଦ୍ଧ୍ୱ ଟଙ୍କା ଆସିଥିବା ବେଳେ ଓଟିଡ଼ିସି ଏହି କାମ କରିବ ବୋଲି ଜଣାପଡ଼ିଛି। କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ସମୟ ସାପେକ୍ଷ। ତେଣୁ ଜିଲ୍ଲା ପ୍ରଶାସନ ଯଦି ଏହି ବିଭାଗ ପ୍ରତି ଗୁରୁତର ସହ ନେଇଥାନ୍ତା ତେବେ ଜିଲ୍ଲା ପର୍ଯ୍ୟଟନର ଉନ୍ନତି ହୋଇପାରିଥାନ୍ତା ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାଳୟ ପାଇଁ ଘର ଖଣ୍ଡିଏ ମିଳିପାରିଥାନ୍ତା। ଯାହାକି ଜିଲ୍ଲା ପ୍ରଶାସନର ଏକରକମ ଅବହେଳା ଯୋଗୁଁ ଏହି କାର୍ଯ୍ୟାଳୟର କର୍ମଚାରୀ ମଧ୍ୟ ଲଗାମ୍‌ ବିହୀନ ହୋଇ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ବିଭାଗକୁ ଭିଜିଲାନ୍ସ ତଦନ୍ତଭୂକ୍ତ କଲେ ବହୁ ତଥ୍ୟ ପଦାକୁ ଆସିପାରନ୍ତା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top