ନାଇସର ପାଇଁ ନବୀନଙ୍କ ଚିଠି

News Story - Posted on 2017-06-03

ଭୁବନେଶ୍ୱରର ନ୍ୟାସନାଲ ଇନ‌୍‍ଷ୍ଟିଚ୍ୟୁଟ ଅଫ‌୍‍ ସାଇନ୍ସ ଏଡୁକେସନ ଆଣ୍ଡ ରିସର୍ଚ ବା ନାଇସରକୁ ଇନଷ୍ଟିଚ୍ୟୁଟ‌୍‍ ଅଫ‌୍‍ ନ୍ୟାସନାଲ ଇମ୍ପୋର୍ଟାନ୍ସ ବା ଜାତୀୟ ଗୁରୁତ୍ୱ ଥିବା ପ୍ରତିଷ୍ଠାନର ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ସଂକ୍ରାନ୍ତରେ ସଂସଦରେ ଏକ ଆଇନ ପ୍ରଣୟନ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

 

ସେ ଲେଖିଛନ୍ତି ଯେ ୨୦୦୭ ମସିହାରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନରେ ଆରମ୍ଭ ହୋଇଥିିବା ନାଇସର ଇତିମଧ୍ୟରେ ୩୦୦ ଏକରର ଏକ ବିରାଟ ପରିସରରୁ କାର୍ଯ୍ୟ କରୁଛି। ଏହାର ଗବେଷଣା ଅବଦାନ ଦେଶରେ ପ୍ରଥମ ପାଞ୍ଚଟି ସଂସ୍ଥା ମଧ୍ୟରେ ଆସୁଛି ବୋଲି ସ୍ୱୀକାର କରିଛି ନେଚର ଇଣ୍ଡେକ୍ସ ଇନ୍‌ଷ୍ଟିଚ୍ୟୁସନ ଆଉଟପୁଟ। ୨୦୦୬ ଅଗଷ୍ଟ ୨୮ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ନାଇସର ହେବ ବୋଲି ଘୋଷଣା କରିବା ସମୟରେ ଏହା ଇଣ୍ଡିଆନ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ସାଇନ୍ସ ଏଡୁକେସନ ଆଣ୍ଡ ରିସର୍ଚ ବା ଆଇସର ଭଳି କାର୍ଯ୍ୟ କରିବ ବୋଲି କହିଥିଲେ। ୨୦୧୬ ଫେବୃଆରୀ ୭ ତାରିଖରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବାରୁ ଏହା ଏକ ଜାତୀୟ ସ୍ତରର ଅନୁଷ୍ଠାନ ଭାବେ ପରିଗଣିତ ହେଲା।

 

ତେବେ ଆଇସର ଏକ ଜାତୀୟ ଗୁରୁତ୍ୱ ବହନ କରୁଥିିବା ପ୍ରତିଷ୍ଠାନ ଭାବେ ଘୋଷିତ ହୋଇଥିଲେ ମଧ୍ୟ ନାଇସରର ଛାତ୍ରଛାତ୍ରୀମାନେ ଏବେ ବି ହୋମି ଭାବା ନ୍ୟାସନାଲ ଇନ‌୍‍ଷ୍ଟିଚ୍ୟୁଟ ବା ଏଚବିଏନଆଇରୁ ସାର୍ଟିଫିକେଟ ପାଉଛନ୍ତି। ଏଚବିଏନଆଇ ହେଉଛି ଏକ ଡିମ‌୍‍ଡ ବିଶ୍ୱବିଦ୍ୟାଳୟ। ନାଇସର ବୋର୍ଡ଼ ସ୍ୱାଧୀନ ଭାବେ କୌଣସି ନିଷ୍ପତ୍ତି ନେଇପାରୁ ନାହିଁ। ଏହାକୁ ଜାତୀୟ ଗୁରୁତ୍ୱ ବହନ କରୁଥିିବା ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଚିଠା ବିଲ‌୍‍ ପ୍ରସ୍ତୁତ ହୋଇଛି। ଏହି ଚିଠା ବିଲ‌୍‍ ଆଣବିକ ଶକ୍ତି ବିଭାଗକୁ ପଠାଯାଇଛି। ୨୦୧୨ ଜାନୁଆରୀ ୨୦ ତାରିଖରେ ଏହି ଚିଠା ବିଲ‌୍‍କୁ ଆଣବିକ ଶକ୍ତି କମିଶନ ଅଧ୍ୟକ୍ଷ ଅନୀଲ କାକୋଦକରଙ୍କୁ ଓଡ଼ିଶା ମୁଖ୍ୟ ସଚିବ ଦେଇଥିଲେ।

 

ଏବେ ଏ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଏ ନେଇ ସଂସଦରେ ଏକ ଆଇନ ପ୍ରଣୟନ କରିବାକୁ ସେ ଚିଠି ଜରିଆରେ ଅନୁରୋଧ କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top