ଧର୍ମେନ୍ଦ୍ରଙ୍କୁ ବିଜୟ ବାଣ!

News Story - Posted on 2017-06-03

ପାରାଦୀପ ତୈଳ ବିଶୋଧନାଗାରରେ ସ୍ଥାନୀୟ ବେକାର ଯୁବକଙ୍କୁ ଆବଶ୍ୟକ ନିଯୁକ୍ତି ମିଳୁ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଭରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର। ଏ ସଂକ୍ରାନ୍ତରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ ପାରାଦୀପ ତୈଳ ବିଶୋଧନାଗାରରେ ଅନ୍ୟ ରାଜ୍ୟର ଲୋକମାନଙ୍କୁ ନିଯୁକ୍ତି ଓ ଠିକା ଦିଆଯାଉଥିବାରୁ ସ୍ଥାନୀୟ ବେକାର ହତାଶ ହୋଇଛନ୍ତି।

 

ମେ ୩୧ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଏକ ଚିଠିରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ପାରାଦୀପ ତୈଳ ବିଶୋଧନାଗାର ହେଉଛି ଏହି ଅଂଚଳ ସମେତ ସମଗ୍ର ଓଡ଼ିଶାର ଏକ ଗର୍ବ ଓ ଗୌରବର ବିଷୟ। ସମୁଦାୟ ୪୦ ହଜାର କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ବହୁସଂଖ୍ୟାରେ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା। ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ଅଂଚଳର ବହୁବିଧ ବିକାଶ ହେବ ବୋଲି ମଧ୍ୟ ପ୍ରଚାର କରାଯାଇଥିଲା। ଏଥିରେ ଉଦବୁଧ ହୋଇ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପଡ଼ୋଶୀ ଜିଲ୍ଲାର ଯୁବକମାନେ ଅତିମାତ୍ରାରେ ଆଶାବାଦୀ ହୋଇପଡ଼ିଥିଲେ। ସେମାନଙ୍କର ଆଶା ଥିଲା ତୈଳ ବିଶୋଧନାଗାରରେ ସ୍ଥାନୀୟ ଅଂଚଳର ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଓ ଠିକା ସୁଯୋଗ ମିଳିବ। କିନ୍ତୁ ତାହା ହୋଇନାହିଁ।

 

ବିଜୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସ୍ଥାନୀୟ ଯୁବକଙ୍କ ନିଯୁକ୍ତି, ପାନୀୟ ଜଳ ସମସ୍ୟା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ନେଇ ସେ ଧର୍ମେନ୍ଦ୍ରଙ୍କ ସହିତ ଓଡ଼ିଶା ଓ ଦିଲ୍ଲୀରେ ଅନେକ ଥର ଆଲୋଚନା କରିଛନ୍ତି। ସବୁ ଥର ସେ ସବୁ କାମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏବେ ସ୍ଥାନୀୟ ଅଂଚଳରେ ସ୍ଲୋଗାନ ଶୁଭୁଛି ଯେ ୪୦ ହଜାର ପ୍ରକଳ୍ପରେ ୪୦ ଚାକିରି ନାହିଁ। ଏପରିକି ତୈଳ ବିଶୋଧନାଗାରର ଠିକା ମଧ୍ୟ ବାହାର ରାଜ୍ୟର କମ୍ପାନୀକୁ ଦିଆଯାଉଛି। ନାଗାଲାଣ୍ଡର ଗୋଟିଏ କମ୍ପାନୀକୁ ଆଇଓସିଏଲରୁ ଗ୍ୟାସ ପରିବହନ ଠିକା ଦିଆଯାଇଥିବା କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ବିଶୋଧନାଗାରର ନାନାଦି ଠିକା କାମ, ଶ୍ରମିକ ଓ କର୍ମଚାରୀ ନିଯୁକ୍ତି, ସାମଗ୍ରୀ ପରିବହନ ଇତ୍ୟାଦି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଧାନ୍ୟ ଦିଆ ନଯାଇ ବାହାର ରାଜ୍ୟର ଲୋକ ଓ କମ୍ପାନୀଙ୍କୁ ଦିଆଯାଉଛି। ଏହା ବିଜେପି କର୍ମୀଙ୍କ ସମେତ ରାଜ୍ୟର ଯୁବପିଢ଼ିଙ୍କୁ ହତାଶ କରିଛି, ସେମାନଙ୍କର ମୋହଭଙ୍ଗ ଘଟିଛି।

 

ଏହି ପରିପ୍ରେକ୍ଷୀରେ ସେ ଧମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି, ଆପଣ କ’ଣ ସତରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ ନେଇ ଆଗ୍ରହୀ? ଲୋକେ ପଚାରୁଛନ୍ତି ଆପଣ କ’ଣ ପ୍ରକୃତରେ ଓଡ଼ିଶା ପାଇଁ କାମ କରୁଛନ୍ତି? 


ପ୍ରତିକ୍ରିୟା

B Nayak - Email: bibekanandanayak3@gmail.com - Posted on 2017-06-03 11:45:30

A politically tactical letter. Nothing to read more.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top