ସେକ୍ସି!

News Story - Posted on 2017-06-02

ରବି କାନୁନ୍‌ଗୋ

 

ଜହ୍ନ ତରଳା ମନ : ‘ସେକ୍ସି’ ଅର୍ଥ ପ୍ରଶଂସା ନିନ୍ଦା ନା ହର‌୍‍କତ?

 

ମଲାବେଳକୁ ଯେମିତି ଜନ୍ମଦିନ ବେଶି ମନେପଡେ଼ ସେମିତି ଲୋକେ ତରକିଲେ, ଜାତକ ଦେଖାନ୍ତି। ଜାତକ-ଜଉତିଷ ଇତ୍ୟାଦି ଜ୍ଞାନ ଆମର ନାହିଁ। ଏହା ବିଜ୍ଞାନ ନା ବିଶ୍ୱାସ- ତାହା ବି ଆମେ ଜାଣୁନା। ଗ୍ରହ ନକ୍ଷତ୍ରମାନଙ୍କ ସହିତ ଆମ ସାଧାରଣ ଲୋକଙ୍କ ସଂପର୍କ ଜଣେ ନିଷ୍ଠାହୀନ ପ୍ରେମିକ ପରି। ପୁଅର ପରୀକ୍ଷା ବା ଝିଅର ବାହାଘର ନ ଆଇଲେ ଦି’ନ‌୍‍ ମଙ୍ଗଳ କି ବୃହସ୍ପତି ଖୋଜିବା ଜଣେ ସଂସାରୀ ପକ୍ଷରେ କି ଦରକାର?

 

ଏ ବିଦ୍ୟା ଆଜି ପପୁଲାର। ଟିଭି ଡାଇରେକ୍ଟ‌୍‍। ଲ୍ୟାପ‌୍‍ଟପ‌୍‍ରେ ହିସାବ କରି ସାଙ୍ଗେସାଙ୍ଗେ ପ୍ରତିକାର କହି ଦେଉଛନ୍ତି ଜ୍ୟୋତିଷ ମହାରାଜ। ତେଣୁ, ଧରି ନେବା ଯେ ଗ୍ରହ ନକ୍ଷତ୍ରମାନେ ଆଗେ ଲୋକଙ୍କର ଯେତେ କ୍ଷତି କରୁଥିବେ, ଏବେ ପାରୁ ନ ଥିବେ! ଏ ବିଦ୍ୟାର ଉପକାର ସଂପର୍କରେ ପଦେ ପ୍ରଶଂସା। ନହେଲେ, ଏତେ ହତାଶିଆଙ୍କୁ ନେଇ ଏ ପୃଥିବୀଟା ବଞ୍ଚନ୍ତା କେମିତି? ଏ ବିଦ୍ୟା ଜଗି ଦିଏ ଆଶା ଓ ନିରାଶାର ଅନିର୍ଣ୍ଣିତ ସୀମାକୁ। ଠିକ‌୍‍ ଅଛି, ଆର ମାସକୁ ତ ବୃହସ୍ପତି ଚଳନ, ଦେଖିବା। ସେତିକି ଯର୍ପ୍ୟନ୍ତ ଅନ୍ତତଃ ସୁଇସାଇଡ‌୍‍ ନ କରାଯାଉ!

 

ଆଗ କାଳର କଥା। ଦିନେ ରାଜା ଜଉତିଷଙ୍କୁ ଡାକିଲେ। ଚୁପ‌୍‍ କରି କହିଲେ- ମୋ ଜାତକ ଦେଖ। ସମୟ ମାଗି ଜଉତିଷ ନିଜ ଆସନକୁ ଫେରି ଆସିଲେ। କାନ ଡେରି ଯତ୍କିଞ୍ଚିତ‌୍‍ ଶୁଣିଥିବା ମନ୍ତ୍ରୀ ପାରିଷଦଙ୍କ ଭିତରେ ଚହଳ ପଡ଼ିଲା। କେମିତି ବା ନହେବ? ସମସ୍ତେ ଯେ ରାଜାଙ୍କ ଆଶ୍ରିତ। ତାଙ୍କ ଗ୍ରହ ଚଳନରେ ବିଭ୍ରାଟ ହେଲେ ଆମ ବୁଧ ବୃହସ୍ପତି ଶିମିଳି ତୁଳା ପରି ଉଡ଼ିଯିବେ। ପ୍ରଭୁତ୍ୱର ଶେଷ ସୀମା ଛୁଇଁଥିବା ଏବଂ କୀର୍ତ୍ତିର ଶେଷ କିରଣ ପରି ତ ଆମ ରାଜା। ତାଙ୍କର ଏ ଅବେଳରେ ଗ୍ରହ ନକ୍ଷତ୍ର କାହିଁକି ଦରକାର ହେଲେ?

 

ଘରେ ଶାସ୍ତ୍ର ଖୋଜି ରାଶି ଗ୍ରହ ନକ୍ଷତ୍ରଙ୍କ ଚଳନ ପ୍ରତ୍ୟାବର୍ତ୍ତନ ଗମନ ଅନୁଗମନ ସବୁ ହିସାବ କରି ଜ୍ୟୋତିଷ ମହାଶୟ ତା’ପର ଦିନ ମହାରାଜାଙ୍କୁ ଏକାନ୍ତରେ କହିଲେ- ହଜୁର, ନୋ ଫିଅର‌୍‍। ଗ୍ରହ ପୋଜିସନ ଐସାକୁ ତୈସା। ହଜୁରଙ୍କୁ କେହି ହଲେଇ ପାରିବେନି। ଜ୍ଞାତିକୁଟୁମ୍ୱ ସମସ୍ତେ ମରିବା ପର୍ଯ୍ୟନ୍ତ ହଜୁର ବଞ୍ଚି ରହିବେ।

 

ମୁଁ କ’ଣ ଧ୍ରୁତରାଷ୍ଟ୍ର? ରାଜା ରାଗିଗଲେ। ଜ୍ୟୋତିଷଙ୍କୁ ଜେଲ‌୍‍ରେ ଠୁଙ୍କି ଦେଲେ।

 

କଥା ରାଷ୍ଟ୍ର ହେଲା। ମନ୍ତ୍ରୀଙ୍କୁ କହିଲେ, ଏ କାମ ପାଇଁ ଆଉ ଜଣକ ଡାକ। ଜଣେ ଅବଧାନ ଆହୁରି ହୁସିଆରିରେ ରାଜାଙ୍କ ଜାତକ ଗଣନା କଲେ। ଜାଣିଲେ ଯେ ରାଜଜ୍ୟୋତିଷ ଯାହା କହିଥିଲେ ସବୁ ତ ଠିକ‌୍‍, ମୁଁ ଆଉ କହିବି କ’ଣ? ଅକଲ ତାଙ୍କୁ ବୁଦ୍ଧି ଶିଖେଇଲା। ସେ କହିଲେ, ମହାରାଜ ଆପଣ ଦୀର୍ଘାୟୁ। ଆପଣଙ୍କ ପରିବାର ଏତେ ଶୁଭ ଗ୍ରହ ସଂଯୋଗ ଆଉ କାହା ଭାଗ୍ୟରେ ନାହିଁ।

 

ଅର୍ଥ ଏକା। ଏଣିକି ରାଜାଙ୍କ ଆଦେଶରେ ଅବଧାନ ହେଲେ ରାଜଜ୍ୟୋତିଷ ଏବଂ ଜ୍ୟୋତିଷ ମହାଶୟଙ୍କ ଜେଲ‌୍‍ ଦଣ୍ଡ ହୋଲ‌୍‍ ଲାଇଫ‌୍‍ରେ ପରିଣତ ହୋଇଗଲା।

 

‘ସତ୍ୟମ‌୍‍ ବ୍ରୁୟାତ‌୍‍ ପ୍ରିୟମ‌୍‍ ବ୍ରୁୟାତ‌୍‍ ମା ବ୍ରୁୟାତ‌୍‍ ସତ୍ୟମପ୍ରିୟମ’- ତେଣୁ ଏକ ଯୋଗସିଦ୍ଧ ବାଣୀରେ ପରିଣତ ହୋଇଛି। ମାନିବା ବା ନ ମାନିବା ଅପ‌୍‍ସନାଲ‌୍‍। ନ ମାନିଲେ କିଛି ରିସ୍କ‌୍‍ ବି ଅଛି।

ସବୁ ସତ କୁହାଯାଏନି। ଏ ଗୁରୁଜ୍ଞାନ ଯିଏ ହୁଡ଼ିଚି ସେ ଗାତରେ ପଡ଼ିଛି। ଥରେ ଜାତୀୟ ମହିଳା କମିସନ ଅଧ୍ୟକ୍ଷା ମମତା ଶର୍ମା କହୁ କହୁ ସତ କହିଦେଲେ- ‘ସେକ୍ସି’ ଶୁଣିଲେ, ଖୁସି ହୁଅ। ମଜା କର। ରାଗୁଚ କାହିଁ?

 

କଥା ବୁଲେଇବା, କ୍ଷମା ମାଗି ଶ୍ରୀମତୀ ଶର୍ମା ନିଜ ପଦ ତୁଲେଇଥିଲେ। ଆମେ ତାଙ୍କୁ ସମର୍ଥନ କରିଥିଲୁ।

  

ସମାଜର ଅସଲ ଚିତ୍ର କ’ଣ? ଦିନକୁ ଅସଂଖ୍ୟ ହିରୋଇନା ଲଙ୍ଗଳା ହେବାକୁ ଆଗ୍ରହୀ ଏବଂ ସେମାନେ ଏତେ ଫେମସ‌୍‍ ଯେ ଲୁଗାପିନ୍ଧା ହିରୋଇନ ଆଉ ଭଲ ଲାଗୁ ନାହାଁନ୍ତି। ‘ସେକ୍ସି’ ଶବ୍ଦ ପ୍ରଚଳନ ପାଇଁ ସମାଜର ଯେଉଁ ବ୍ୟଗ୍ରତା ଜାରି ରହିଛି, ଶ୍ରୀମତୀ ଶର୍ମା କହିଥିଲେ ବା ନ କହିଥିଲେ ସେଥିରେ କିଛି ଫରକ ପଡ଼ି ନ ଥା’ନ୍ତା। ‘ଏନସିଡବ୍ଲୁ’ଙ୍କ ଏ ମତ ବିରୁଦ୍ଧରେ ଅନେକ ଅଭିଯୋଗ। ଆଇନ ତମକୁ କରିବାକୁ କହିଲା କ’ଣ (ନାରୀ-ସୁରକ୍ଷା), ସେତିକି ନ କରି ଏତେଆଡେ଼ କାହିଁ ଧାଉଁଚ? ଜାଣୁ ଯେ କମିସନର ‘ଭାରତୀୟତା’ ଜଗିବା ପରି କିଛି ଦାୟିତ୍ୱ ନାହିଁ।

 

ନଗ୍ନତା ଏବେ ବ୍ୟକ୍ତ ହେବାକୁ ବ୍ୟଗ୍ର। କାର‌୍‍ କି ଟଏଲେଟ‌୍‍ ‘ସେକ୍ସି’ ଦେଖା ନ ଗଲେ ପୁଅ ବାପାକୁ କହୁଚି- ଏଇଟା କିଣିବାନି। ‘ସେକ୍ସି’ ମାନେ କ’ଣ? ‘ସେନ‌୍‍ସର-ବୋର୍ଡ’ଠୁଁ ବିଶ୍ୱ ହିନ୍ଦୁ ପରିଷଦ ଏମିତି ନାନା ମୁନିଙ୍କର ନାନା ମତ। ଥୋକେ ଏ ଶବ୍ଦକୁ ଯୌନତାଠାରୁ ଦୂରଛଡ଼ା ବୋଲି ଭାବନ୍ତିନି। ସେମାନେ ଅପବିତ୍ର ଅପବିତ୍ର ବୋଲି ହୁରି କରନ୍ତି ଯେତିକି ତା’ଠୁଁ ଅଧିକ ଆଗ୍ରହରେ ଶୁଣିବାକୁ ଭଲ ପାଆନ୍ତି ଯୁବତୀ ସୁନ୍ଦରୀ ସନ୍ୟାସିନୀଙ୍କ ଟିଭି ପ୍ରବଚନ। କାରଣ, ସେ ‘ସେକ୍ସି’ ଦେଖା ଯାଉଥା’ନ୍ତି। ଆଉ କେତେକ ଭାବନ୍ତି, ଯାହା ଆକର୍ଷଣୀୟ ତାହା ‘ସେକ୍ସି’। ମା, ମାଇପ, ମଟରଗାଡ଼ ଲ୍କ ସବୁ କିଛି!

 

ସମସ୍ତଙ୍କ ସହଯୋଗରେ ଶବ୍ଦର ଅର୍ଥ ବଦଳେ। ଜିମ‌୍‍ ଓ ବିଉଟି ଆଜି ଇଣ୍ଡଷ୍ଟ୍ରି। ଫିଟ‌୍‍ ଦେଖାଯିବା ସମସ୍ତଙ୍କ ଅଭ୍ୟାସ ଓ ଅଧିକାର।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top