ତୃତୀୟ ବର୍ଷ ପାଇଁ ମହିଳା ଟପ୍ପର

News Story - Posted on 2017-06-02

କ୍ରମାଗତ ତୃତୀୟ ବର୍ଷ ପାଇଁ ସିଭିଲ ସର୍ଭିସ ଟପ୍ପର ହୋଇଛନ୍ତି ମହିଳା। ୨୦୧୪-୧୫ ବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ଦିଲ୍ଲୀର ଭିନ୍ନକ୍ଷମ ଈରା ସିଙ୍ଘାଲ ଟପ୍ପର ହୋଇଥିବାବେଳେ ୨୦୧୫-୧୬ ବର୍ଷ ଦିଲ୍ଲୀର ଅନୁସୂଚୀତ ଜାତି ପ୍ରାର୍ଥୀ ଟିନା ଡାଭି ଟପ୍ପର ହୋଇଥିଲେ। ଚଳିତ ବର୍ଷ କର୍ଣ୍ଣାଟକର ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀ ନନ୍ଦିନୀ କେଆର ଟପ୍ପର ହୋଇଛନ୍ତି।

 

ଆଜି ପ୍ରକାଶ ପାଇଛି ୨୦୧୬-୧୭ ବର୍ଷର ସିଭିଲ ସର୍ଭିସ ପରୀକ୍ଷା ଫଳ। ଦେଶର ସବୁଠୁଁ କଷ୍ଟକର ବୃତ୍ତି ପ୍ରବେଶିକା ଭାବେ ଖ୍ୟାତ ଏହି ପରୀକ୍ଷାରେ ଏବର୍ଷ ମୋଟ ୧୦୯୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୪୫ ଜଣ ଆଇଏଫଏସ, ୧୫୦ ଜଣ ଆଇପିଏସ ସେବାରେ ଭର୍ତ୍ତି ହେବେ। ଏମାନଙ୍କ ବ୍ୟତିତ ସେଣ୍ଟ୍ରାଲ ସର୍ଭିସ ‘ଏ’ ଓ ‘ବି’ରେ ଯଥାକ୍ରମେ ୬୦୩ ଓ ୨୩୧ ଜଣ ଭର୍ତ୍ତି ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ବ୍ୟତିତ ୟୁନିଅନ ପବ୍ଲିକ ସର୍ଭିସ କମିଶନ ଅନ୍ୟ ୨୨୦ ଜଣଙ୍କୁ ପରୀକ୍ଷା ଉତ୍ତୀର୍ଣ୍ଣ ଘୋଷଣା କରିଥିଲେ ବି ସେମାନଙ୍କୁ ରିଜର୍ଭ ତାଲିକାରେ ରଖାଯାଇଛି।

 

ପ୍ରକାଶିତ ୧୦୯୯ ଜଣଙ୍କ ତାଲିକାରେ ୫୦୦ ସାଧାରଣ ବର୍ଗର ହୋଇଥିବାବେଳେ ଅନ୍ୟାନ୍ୟ ପଛୁଆ ବର୍ଗର ୩୪୭, ଅନୁସୂଚୀତ ଜାତିର ୧୬୩ ଓ ଅନୁସୂଚୀତ ଉପଜାତି ବର୍ଗର ୮୯ ଜଣ ଅଛନ୍ତି। ତାଲିକାରେ ୮୪୬ ପୁରୁଷ ଓ ୨୫୩ ମହିଳାଙ୍କ ନାମ ରହିଛି।

 

ପ୍ରକାଶ ପାଇଥିବା ତାଲିକାରେ କର୍ଣ୍ଣାଟକର ନନ୍ଦିନୀ କେଆର‌୍‍ ଶୀର୍ଷରେ ଅଛନ୍ତି। ସେ ଏବେ ଭାରତୀୟ ରାଜସ୍ୱ ସେବାରେ ତାଲିମ ନେଉଛନ୍ତି। ୨୦୧୪-୧୫ ବର୍ଷ ସେ ଏହି ଯୋଗ୍ୟତା ଅର୍ଜନ କରିଥିଲେ। ଚତୁର୍ଥ ଥର ପାଇଁ ସିଭିଲ ସର୍ଭିସ ପରୀକ୍ଷା ଦେଇ ନନ୍ଦିନୀ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ସଫଳତା ପରେ ସେ କହିଛନ୍ତି ଯେ ସେ ସବୁବେଳେ ଆଇଏଏସ ହେବାକୁ ସ୍ୱପ୍ନ ଦେଖୁଥିଲେ। ଏହା ପାଇଥିବାରୁ ସେ ଖୁସି। ସେ ଜଣେ ସିଭିଲ ଇଂଜିନିଅର ହୋଇଥିଲେ ମଧ୍ୟ ସିଭିଲ ସର୍ଭିସ ପରୀକ୍ଷା ପାଇଁ ସେ କନ୍ନଡ଼ ସାହିତ୍ୟକୁ ପସନ୍ଦର ବିଷୟ ରଖିଥିଲେ।

 

ତାଲିକାର ଦ୍ୱିତୀୟରେ ଅଛନ୍ତି ବିଟ୍ସ ପିଲାନୀର ଗ୍ରାଜୁଏଟ ଅନମୋଲ ଶେର ସିଂହ। ତୃତୀୟରେ ଅଛନ୍ତି ଗୋପାଳକୃଷ୍ଣ ରୋନାଙ୍କି। ପ୍ରକାଶିତ ତାଲିକାର ନବମ ସ୍ଥାନରେ ଓଡ଼ିଶାର ସୁମନ ସୌରଭ ମହାନ୍ତିଙ୍କ ନାମୋଲ୍ଲେଖ ରହିଛି। ସେହିପରି ୯୧ ସ୍ଥାନରେ ଅଭିଶ୍ୟାନ୍ତ ପଣ୍ଡାଙ୍କ ନାମ ଅଛି। ସେ ଓଡ଼ିଆ ଆଇଏଏସ ଅଫିସର ଅରୁଣ ପଣ୍ଡାଙ୍କ ପୁଅ ବୋଲି ଜଣାପଡ଼ିଛି। ସେହିପରି ୨୫୫ ସ୍ଥାନରେ ଶୁଭଙ୍କର ମହାପାତ୍ର ଓ ୨୬୧  ନମ୍ୱର ସ୍ଥାନରେ ସୂଚିସ୍ମିତା କାନୁନଗୋଙ୍କ ନାମ ରହିଛି।

 

ଏମାନଙ୍କ ବ୍ୟତିତ ଆହୁରି କେତେ ଜଣ ଓଡ଼ିଆଙ୍କ ନାମ ସଫଳ ତାଲିକାରେ ରହିଛି। ସେମାନଙ୍କ ମଧ୍ୟରେ କେତେ ଜଣ ହେଲେ ଶାନ୍ତନୁ ବଳ, ସୌରଭ ଦୀକ୍ଷିତ, ଆକାଶ ପୁରୋହିତ, ସୁପ୍ରିୟା ଦାସ, ଦିବାକର ନାଥ, ଆଦିତ୍ୟ ମିଶ୍ର, ଅପରାଜିତା ଦାସ, ଆଶୁତୋଷ କୁମାର ସାହୁ, କୌସ୍ତୁଭ ପାଣି, ସମ୍ୱିତ ମିଶ୍ର, ଅଂଶୁମାନ ତ୍ରିପାଠୀ, ଆଶୁତୋଷ ଦ୍ୱିବେଦୀ, ଦିଲ୍ଲିପ ମିଶ୍ର, ଅବିନାଶ ସାହୁ, ଯଶୋଧାରା ଦାସ, ପ୍ରମୋଦ ନାୟକ, ଶିବୁପ୍ରସାଦ ମିଶ୍ର ଓ ବିପିନ ଦାସ। ଏମାନଙ୍କ ମଧ୍ୟରୁ କେତେ ଜଣ ଅନ୍ୟ ରାଜ୍ୟର ବାସିନ୍ଦା ବୋଲି ଜଣାପଡ଼ିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top