ଭଲ ଉପନ୍ୟାସ ନାହିଁ

News Story - Posted on 2017-05-29

ମାୟାଧର ନାୟକ

 

‘ପୁଲିଜର’ ପ୍ରାଇଜ ପାଇଁ ଯୋଗ୍ୟ ଉପନ୍ୟାସ ଚୟନ ହୋଇପାରିଲା ନାହିଁ ବୋଲି ଗୋଟିଏ ଚମକପ୍ରଦ ଖବର ପ୍ରକାଶ ପାଇଥିଲା। ଆମେରିକାର ପୁଲିଜର ପ୍ରାଇଜ ବିଶ୍ୱର ମାନ୍ୟତା ହାସଲ କରିଛି। ଯେଉଁମାନେ ‘ପୁଲିଜର’ ପୁରସ୍କାର ପାଇଛନ୍ତି, ସେମାନେ ୧୦,୦୦୦ ମାର୍କିନ‌୍‍ ଡଲାର ସହ ମାନପତ୍ର ପାଆନ୍ତି। ସେମାନଙ୍କ ପୁସ୍ତକ ସାରାବିଶ୍ୱରେ ବିକ୍ରିହୁଏ, ଚର୍ଚ୍ଚା ହୁଏ। ଏଥର କିନ୍ତୁ ବିଶ୍ୱବାସୀ ପୁଲିଜର ପୁରସ୍କାରପ୍ରାପ୍ତ ଉପନ୍ୟାସଟିଏ ପାଇବେ ନାହିଁ। ତା’ହେଲେ ସମଗ୍ର ବିଶ୍ୱରେ ଏବେ ଲେଖକମାନେ ଭଲ ଉପନ୍ୟାସ ଲେଖିପାରୁନାହାଁନ୍ତି ନା ଆଉ ଯୋଗ୍ୟ ଔପନ୍ୟାସିକ ନାହାଁନ୍ତି କି ଚୟନ କ୍ଷେତ୍ରରେ କିଛି ବାମ-ଡାହାଣ ବିଭ୍ରାଟ ରହିଛି - ଏଇ ସବୁ ପ୍ରଶ୍ନ ମନକୁ ଉଂକିମାରିବା ସ୍ୱାଭାବିକ।

 

ଗଳ୍ପ, କାବ୍ୟ, କବିତା, ନାଟକ କ୍ଷୁଦ୍ରଗଳ୍ପ, ଆଧୁନିକଗଳ୍ପ, ବ୍ୟଙ୍ଗ, ରମ୍ୟରଚନା, ପ୍ରବନ୍ଧ, ସବୁ ଲେଖା ହେଉଛି - ସାରାବିଶ୍ୱରେ ଟନଟନ କାଗଜରେ ପୁସ୍ତକଛପା ଚାଲିଛି - ହେଲେ ଭଲ ବହିଟିଏ ଖୋଜି ପାଇବା ସମ୍ଭବ ହେଉନି। ଉପନ୍ୟାସ ଲେଖିବା ଆହୁରି କଷ୍ଟ। ଏଇ ବିଶ୍ୱରେ ଯେତେସବୁ ଭଲ ଉପନ୍ୟାସ ସୃଷ୍ଟି ହୋଇଛି - ସେ ଉପନ୍ୟାସର ଲେଖକ ସମାଜ ଭିତରେ ପଶିଯାଇ ଜୀବନଯନ୍ତ୍ରଣା ଅନୁଭବ କରିଛନ୍ତି। ଯାହା ବି ଲେଖିଛନ୍ତି - ସମାଜର ନିଚ୍ଛକ ଛବି ଏବଂ ସମାଜକୁ ପରିବର୍ତ୍ତନ କରିବାପାଇଁ ଦୃଢ଼ ସଂକଳ୍ପ ନେଇ ଲେଖିଛନ୍ତି। ସେମାନଙ୍କ ଲେଖା କାଳଜୟୀ ହୋଇ ଆଜିବି ଜନମାନସକୁ ଉଦ‌୍‍ବୁଦ୍ଧ କରୁଛି।

 

ଊନବିଂଶ, ବିଂଶ ଶତାବ୍ଦୀରେ ଏଇବିଶ୍ୱରେ ଅନେକ ଉତ୍ତମ ଉପନ୍ୟାସ ରଚିତ ହୋଇଛି । ତନ୍ମଧ୍ୟରୁ ଗର୍କିଙ୍କ ମଦର, ଲିଓ ଟଲଷ୍ଟୟଙ୍କ ରିସ‌୍‍ରେକ‌୍‍ସନ, ୱାର ଆଣ୍ଡ ପିସ‌୍‍, ଏମିଲି ଜୋଲାଙ୍କ ଜର୍ମିନାଲ, ଦସ୍ତୋଭସ୍କିଙ୍କ କ୍ରାଇମ ଆଣ୍ଡ ପନିଶ‌୍‍ମେଣ୍ଟ, ମିସେସ‌୍‍ ଷ୍ଟୋ’ଙ୍କ ଅଙ୍କଲ‌୍‍ ଟମ‌୍‍ସ‌୍‍ କେବିନ‌୍‍, ଚାର୍ଲସ‌୍‍ ଡିକେନ୍ସଙ୍କ, ଟେଲସ‌୍‍ ଅଫ ଟୁ ସିଟିଜ‌୍‍, ଶରତଚନ୍ଦ୍ରଙ୍କ ଶ୍ରୀକାନ୍ତ, ପଥର ଦାବୀ, ପ୍ରେମଚନ୍ଦଙ୍କ ଗୋଦାନ, ଫକୀରମୋହନଙ୍କ ଛ’ମାଣ ଆଠଗୁଣ୍ଠ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ମାଟିର ମଣିଷ, ବିମଳ ମିତ୍ରଙ୍କ ସାହେବ ବିବି ଗୋଲାମ ପ୍ରମୁଖ ଅନେକ ଉପନ୍ୟାସ ସମାଜ ପରିବର୍ତ୍ତନର ବହୁ ଉପାଦାନ ଛାଡ଼ି ଯାଇଛନ୍ତି।

 

ପୁଲିଜର ପ୍ରାଇଜ ପାଇଁ ବିଶ୍ୱର ଭଲ ଭଲ ଉପନ୍ୟାସ ଯାଉଛି କି ନାହିଁ ତାହା ମଧ୍ୟ ଠିକ‌୍‍ ଭାବେ କହିବା କଷ୍ଟକର। ଏପରିକି ବିଭିନ୍ନ ଭାଷାର ଭଲ ଉପନ୍ୟାସ ଇଂରାଜୀ ଭାଷାରେ ଅନୁବାଦ ହୋଇଯିବା ମଧ୍ୟ କଷ୍ଟସାଧ୍ୟ। ଏ ବିଦ୍ୟାରେ ଯେଉଁମାନେ ପାରଙ୍ଗମ ସେମାନେ ତାଙ୍କ ଉପନ୍ୟାସକୁ ଅନୁବାଦ କରାଇ ପଠାଇଥାନ୍ତି ଯାହା ଫଳରେ ଭଲ ଉପନ୍ୟାସ ବିବେଚନା କ୍ଷେତ୍ରକୁ ଯାଇପାରେନି। ପୁନଶ୍ଚ ପୁଲିଜର ପ୍ରାଇଜର ଯେଉଁମାନେ ‘ଜୁରୀ’ ସେମାନେ ପ୍ରଚଳିତ ସମାଜ ବ୍ୟବସ୍ଥାକୁ ଟେକି ଧରୁଥିବା ଉପନ୍ୟାସକୁ ପୁରସ୍କାର ଦେବେ ନା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ସୃଷ୍ଟି ହୋଇଥିବା ଉପନ୍ୟାସକୁ ବାଛିବେ - ଏହା ମଧ୍ୟ ପରିଷ୍କାର ନୁହେଁ।

 

ଗଳ୍ପ ଓ ଉପନ୍ୟାସ ସାହିତ୍ୟ ଅଙ୍ଗାଙ୍ଗୀଭାବେ ଜଡ଼ିତ। ଉପନ୍ୟାସ ସାହିତ୍ୟରେ ଅନେକ ଅନେକ ଗଳ୍ପାଂଶ ଭରପୂର। ଅନେକ ଚରିତ୍ର ଘଟଣା, ସ୍ଥାନର ସମାରୋହ। ଗୋଟିଏ ମଟର ଗାଡ଼ିରେ ଯେଭଳି ବିଭିନ୍ନ ଯନ୍ତ୍ରାଂଶ ଖଂଜା ଯାଇଥାଏ, ପୁଣି ସବୁ ଯନ୍ତ୍ର ଠିକ‌୍‍ ଭାବେ କାମ କରୁଥାଏ, ତା’ହେଲେ ଗାଡ଼ି ଦଉଡେ଼ ସେଇଭଳି ଉପନ୍ୟାସରେ ଅନେକ ପାତ୍ରପାତ୍ରୀ ଘଟଣା ଦୁର୍ଘଟଣା, ଅଘଟଣା, ହସକାନ୍ଦ, ଭଲମନ୍ଦ, ପାପପୁଣ୍ୟ ଆନନ୍ଦ ନିରାନନ୍ଦ, ଆଶା ହତାଶା, ସ୍ୱପ୍ନ ଦୁଃସ୍ୱପ୍ନ, ପ୍ରଗତିଶୀଳ, ପ୍ରତିକ୍ରିୟାଶୀଳ, ପ୍ରାଚୀନ, ଆଧୁନିକ, ଯୁଦ୍ଧଶାନ୍ତି, ଆରମ୍ଭ ଓ ଶେଷ ବହୁ ବିଭାଗ ବହୁ ସ୍ୱଧର୍ମରେ ବଳିୟାନ ଜୀବନ୍ତଠାରୁ ନିର୍ଜୀବ ଯନ୍ତ୍ରାଂଶର ସମାହାରରେ ଉପନ୍ୟାସ ଋଦ୍ଧିମନ୍ତ ହୁଏ।

 

ଏଇ ବିଶ୍ୱରେ ଦୁଇ ଦୁଇଟି ବିଶ୍ୱଯୁଦ୍ଧ, ଶିଳ୍ପବିପ୍ଳବ - ଅନେକ ପ୍ରକାର ବିପ୍ଳବ ହେତୁ ଇତିହାସର ଗତିପଥରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଦେଇଛି ଏବଂ ଦେଉଛି। ଯେଉଁମାନେ ଉପନ୍ୟାସ ଲେଖନ୍ତି - ସେମାନଙ୍କ ଜୀବନରେ ସମୟଛାପ ପଡିଥାଏ, ସେମାନେ ସମୟ ସଂଗେ ତାଳଦେଇ ଦୌଡ଼ନ୍ତି - ସମୟ ମଧ୍ୟ ସେମାନଙ୍କୁ ଦୌଡ଼ାଏ। ସେଇ ଔପନ୍ୟାସିକଙ୍କ କଲମମୁନରୁ ସୃଷ୍ଟି ହୁଏ ନୂଆ ଜୀବନ। ସେ ଜୀବନକୁ ପାଣିପବନ ଖାଦ୍ୟଦେଇ ହୃଷ୍ଟପୃଷ୍ଟ କରିଥିଲେ ତାହା ବଂଚିରହେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ।

 

ବେଳେବେଳେ ଉପନ୍ୟାସରେ ଶ୍ଳୀଳ, ଅଶ୍ଳୀଳ କଥା ଉଠେ। ଯେଉଁମାନେ କେବଳ ଶ୍ଳୀଳ ଖୋଜନ୍ତି କିନ୍ତୁ ସେମାନେ ମନେମନେ ଅଶ୍ଳୀଳତାକୁ ଖୋଜିଖୋଜି ନୟାନ୍ତ ହୁଅନ୍ତି। ଉପନ୍ୟାସର ରସ ଉପଭୋଗ କରିପାରନ୍ତି ନାହିଁ। ଆଉ ଯେଉଁମାନେ ଅଶ୍ଳୀଳତା ଭିତରେ ବୁଡିରହନ୍ତି ସେମାନେ ମଧ୍ୟ ଶ୍ଳୀଳ ଖୋଜିଖୋଜି ବେଦମ ହୋଇଯାଆନ୍ତି। ପଜିଟିଭ ନେଗେଟିଭ ଭଳି ଶ୍ଳୀଳ, ଅଶ୍ଳୀଳ ଯୋଡ଼ିହୋଇଥାଆନ୍ତି। ଏଠି ଶ୍ଳୀଳ ଭଦ୍ର ଅଶ୍ଳୀଳ ଅଭଦ୍ର ବୋଲି ପ୍ରାୟ ଏଇ ସମାଜରେ ଧରି ନିଆଯାଇଛି। ଶ୍ଳୀଳରେ କିଛି ଅସୁବିଧା ନାହିଁ; କିନ୍ତୁ ଅଶ୍ଳୀଳରେ ମଧ୍ୟ ଆନନ୍ଦ ଅଛି। ସେ ଆନନ୍ଦ ଅନ୍ତଃନିହିତ। ଯାହା କହିହୁଏନା କି ଦେଖେଇ ହୁଏନା। ବେଳେବେଳେ ‘ଲଜ୍ଜା’ ନାମକ ଏକ ଶବ୍ଦ ଯୋଡ଼ି ହୋଇଯାଏ।

 

ଲଜ୍ଜା କାହିଁକି? ଯାହା ଚିରନ୍ତନ, ପ୍ରକୃତିଦତ୍ତ ସମସ୍ତଙ୍କଠାରେ ବିଦ୍ୟମାନ, ସେ ସବୁ କଥାକୁ ଶବ୍ଦରେ ପ୍ରକାଶ କଲେ ଲଜ୍ଜା କାହିଁକି? ହଁ ଲଜ୍ଜା ବି କରାଯାଏ, ଲୁଚା ବି ଯାଏ, ଯଦି କିଛି ଉଦ୍ଭଟତା ଥାଏ। ଉପନ୍ୟାସରେ ଶ୍ଳୀଳ ଯେପରି ଥାଏ, ଅଶ୍ଳୀଳ ବି ଶବ୍ଦର କୁହୁକରେ ଥାଏ। ତେଣୁ ଉପନ୍ୟାସ ପଢ଼ି ମଣିଷ ଆନନ୍ଦ ପାଏ।

 

ଆମର ବିଷୟବସ୍ତୁ ଉପନ୍ୟାସ। ତେଣୁ ସାହିତ୍ୟର ଅନ୍ୟାନ୍ୟ ବିଭାଗକୁ ପ୍ରବେଶ ନିଷେଧ। ଉପନ୍ୟାସ ଯେତେବେଳେ ଧରାପୃଷ୍ଠରେ ଉଭା ହେଲା, ସେତେବେଳେ ଚହଳ ପଡିଗଲା, ସାହିତ୍ୟର ବନ୍ଧ୍ୟାଦୋଷ କଟିଗଲା। ସାହିତ୍ୟର ଅନ୍ତରାମିାରୁ ଫୁଟି ଉଠିଲା ଖାଲି ଫୁଲ ଆଉ ଫୁଲ। କାହିଁ କେତେ କେଉଁଠି ପୁଷ୍ପ ପ୍ରସ୍ପୁଟିତ ହୋଇଛି ତା’ର କଳନା ନାହିଁ। ଅନ୍ଧମୁହାଣିରୁ ଜୀବନ ସୂର୍ଯ୍ୟୋଦୟର ସୁଡଙ୍ଗ ଆଡକୁ ମୁହାଁଇଲା।

 

ଓଡ଼ିଶାରେ କିଛିଲୋକ ବ୍ୟବସାୟ ବାଣିଜ୍ୟରେ ବେଶ‌୍‍ ଦି’ପଇସା ରୋଜଗାର କରି ହାତ ଚିକ‌୍‍କଣ କରିସାରିଲା ପରେ ସିନେମା, ଯାତ୍ରାରେ ପଶିଗଲେ। ଓଡ଼ିଆଭାଷାକୁ ବଂଚେଇବାର ‘ନାରା’କୁ ଧରି ଇତିହାସ ବନିଯିବାକୁ ବୃଥା ଆସ୍ଫାଳନ କରିବାର ଦେଖାଯାଏ। ଆମ ପିଲାଙ୍କୁ ଖାଲି ମାତୃଭାଷାର ଶ୍ରୁତଲିଖନ ଶିଖାଇ ଭାଷାକୁ ବଂଚେଇ ରଖିହେବନି - ବରଂ ଉପନ୍ୟାସ ଗଳ୍ପ, କବିତା ଭଳି ଅମୂଲ୍ୟ ସଂପଦକୁ ଜନମାନସରେ ପହଁଚେଇବା ପାଇଁ ଅନୁବାଦ କରି ସାରା ବିଶ୍ୱବାସୀଙ୍କୁ ଭେଟି ଦେଇପାରିଲେ ଭାଷାର ଗାରିମା ବଢ଼ିବ।

 

ଏଠାରେ କେବଳ ଓଡ଼ିଆ ଉପନ୍ୟାସର ଇତିହାସ କଥା ବର୍ଣ୍ଣନା କରୁନି - ଆମକୁ ବିଶ୍ୱର ବିଭିନ୍ନ ପ୍ରାନ୍ତ, ଭାଷାରେ ଉପନ୍ୟାସର ଇତିହାସ ଖୋଜିବାକୁ ଗଲେ ଅନେକ ଗଭୀର ଭିତରକୁ ଯିବାକୁ ହେବ। ସେଦିନର ଉପନ୍ୟାସ ଆଜିର ଉପନ୍ୟାସ ମଧ୍ୟରେ ଅନେକ ତଫାତ‌୍‍। କେବଳ ଗୋଟାଏ ଦୁଇଟା ଉଦାହରଣ ଦିଆଯାଇପାରେ। ରୁଷ‌୍‍ବିପ୍ଳବ ସମୟରେ ଗର୍କିଙ୍କ ମଦର ଉପନ୍ୟାସଟିକୁ ଲେନିନ‌୍‍ ପ୍ରତ୍ୟେକ ବିପ୍ଳବୀକୁ ପଢ଼ିବାକୁ ପରାମର୍ଶ ଦେଲେ। ବିପ୍ଳବକୁ ତ୍ୱରାନ୍ୱିତ କରିବାରେ ‘ମଦର’ର ଯୋଗଦାନ ଅବର୍ଣ୍ଣନୀୟ। ସେହିପରି ଟଲଷ୍ଟୟଙ୍କ ରିସ‌୍‍ରେକ‌୍‍ସନ (ପୁନର୍ଜୀବନ) ପଢ଼ି ମହାତ୍ମା ଗାନ୍ଧୀଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି ହେଲା ଏବଂ ସେ ସତ୍ୟାନୁସନ୍ଧାନରେ ଆଗେଇଗଲେ। ଏପରିକି ଶରତଚନ୍ଦ୍ରଙ୍କ ‘ପଥର ଦାବୀ’ ଉପନ୍ୟାସଟି ସେ ସମୟର ବିପ୍ଳବୀମାନଙ୍କୁ ବେଶ‌୍‍ ଖୋରାକ‌୍‍ ଯୋଗାଇଥିଲା।

 

ଉପନ୍ୟାସରେ ଔପନ୍ୟାସିକଙ୍କ ନିଃଶ୍ୱାସ, ପ୍ରଶ୍ୱାସ ଅନ୍ୟମାନଙ୍କ ମଧ୍ୟରେ ଝଣଝଣ ହୋଇ ବାଜେ। କିଏ ଆନନ୍ଦ ପାଆନ୍ତି ତ ଆଉ କିଏ ଯନ୍ତ୍ରଣା। ଅନେକ ମଧ୍ୟ ଜୀବନର ଗତିପଥକୁ ବଦଳାଇଦେଇ ଆଗକୁ ଆଗକୁ ଖୁବ‌୍‍ ଆଗକୁ ମାଡ଼ିଯାଆନ୍ତି। ଜୀବନ ତାଙ୍କର ଧନ୍ୟ ହୁଏ। ଉପନ୍ୟାସର ଚରିତ୍ର, ବୈଚିତ୍ର୍ୟ ଚିତ୍ତାକର୍ଷକ ହୋଇଥିଲେ ତାହା ଜୀବନର ଶେଷ ଅଧ୍ୟାୟ ପର୍ଯ୍ୟନ୍ତ ବସା ବାନ୍ଧି ରହିଥାଏ।

 

ଊନବିଂଶ ଶତକରେ ଏଇ ବିଶ୍ୱରେ ଅନେକ ଉପନ୍ୟାସ ମଧ୍ୟରୁ ମାତ୍ର ହାତଗଣତି କେତେଖଣ୍ଡ ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା। ବିଂଶ ଶତାବ୍ଦୀରେ ଅନେକ ଉପନ୍ୟାସର ଜନ୍ମ। ଏକବିଂଶ ଶତାବ୍ଦୀରେ ଉପନ୍ୟାସର ରୂପରେଖା ବୃଦ୍ଧି ହେବାରେ ଲାଗିଲା। ଜଣଜଣଙ୍କର ଜୀବନ ଯନ୍ତ୍ରଣାକୁ ଉପନ୍ୟାସରେ ରୂପଦେଲାବେଳେ ଅନ୍ୟଜଣଙ୍କ ସଂଗେ ଖାପ ଖାଇ ଯାଉଥିଲା। ଜୀବନ ଯନ୍ତ୍ରଣାକୁ ନେଇ ଯେଉଁ ସବୁ ଉପନ୍ୟାସ ସୃଷ୍ଟି ହେଲା - ସେ ସବୁ ଉପନ୍ୟାସ ସାଧାରଣ ଭାବେ ଗଣା ହେଲା। ଜୀବନ ଖୋଜି ବୁଲିଲା - ଅସାଧାରଣ ଉପନ୍ୟାସ। ମଣିଷ ଯେତେବେଳେ ସାଧାରଣରୁ ଅସାଧାରଣ ଆଡକୁ ଅଗ୍ରସର ହେବାରେ ବାଧା ସୃଷ୍ଟି ହେଲା, ଉପନ୍ୟାସ ମଧ୍ୟ ସାଧାରଣରୁ ଅସାଧାରଣ ସ୍ତରକୁ ଉନ୍ନୀତ ହୋଇ ପାରିଲା ନାହିଁ। ଯଦିଓ ରାଓଲିଂଗଙ୍କ ଯାଦୁକାରୀ ଉପନ୍ୟାସ ହାରୀପୋର୍ଟର ବିଶ୍ୱ ଇତିହାସରେ ବିକ୍ରୟରେ ରେକର୍ଡ ସୃଷ୍ଟି କଲା, ପିଲାମାନେ ପଢ଼ିବାକୁ ପାଗଳ ହୋଇଗଲେ କିନ୍ତୁ ପିଲାଙ୍କ ଜୀବନ ଗଢ଼ିବାରେ କୌଣସି ସାହାଯ୍ୟ କଲାନାହିଁ। କେଉଁ ଉପନ୍ୟାସ କେତେ ବିକ୍ରି ହେଲା କି କେତେ ଲୋକଙ୍କ ବୈଠକଖାନା, ପାଠାଗାରରେ ଶୋଭା ପାଇଲା, ଏସବୁ ଯେମିତି ବଡ଼ କଥା ନୁହେଁ, ସେଇଭଳି କମ‌୍‍ ବିକ୍ରି, ଅଳ୍ପ ଲୋକଙ୍କ ପାଖରେ ଜୀବନ୍ତ ଉପନ୍ୟାସ ଖଣ୍ଡେ ଥିଲେ ବାରୁଦଗଦାରେ ସାମାନ୍ୟ ଡିଆସିଲ କାଠି ଜଳାଇ ଫିଙ୍ଗି ଦେଲାଭଳି ବିଲ୍ଫୋରଣ ହେବ ହିଁ ହେବ।

 

ସଂପ୍ରତି ସାହିତ୍ୟର ସୃଜନଶୀଳତା ନଷ୍ଟ ହୋଇଯାଇଛି। ଆଜି ବିଶେଷଭାବେ ସାହିତ୍ୟର ସ୍ରୋତ ବାଧାପ୍ରାପ୍ତ ହୋଇଛି ପୁରସ୍କାର ସଂବର୍ଦ୍ଧନାର ପ୍ରତ୍ୟାଶାବାଦ ପାଇଁ। ଏହି ପ୍ରକ୍ରିୟା ସୃଜନଶୀଳତାକୁ ଅନ୍ତଃମୁଖୀ ନକରି ବର୍ହିମୁଖୀ କରିଦେଇଛି।

 

ଶାସକଶ୍ରେଣୀଙ୍କର ଡିଆସିଲ କାଠିକୁ ଭରି ଭୟ। ସେମାନେ ଲେଖକମାନଙ୍କ ଚିନ୍ତା, ଚେତନାକୁ ବିଷାକ୍ତ କରିଦିଅନ୍ତି। ଯେଭଳି ଇଂରେଜମାନେ ଭାରତରେ ରୋଇଦେଇଗଲେ ବିଷବୃକ୍ଷର କାଳକୂଟ ଚେର - ସେ ଚେର ଚରିଗଲା, ପ୍ରବେଶ କଲା ଏ ମହାଜାତିର ଚିନ୍ତାଚୈତନ୍ୟରେ। ବାସ‌୍‍ ! ଆଜି ବି ସେ ବିଷବୃକ୍ଷ ସଂପୂର୍ଣ୍ଣ ନିମୂର୍ଳି ହୋଇନି। କେବଳ କ’ଣ ଇଂରେଜ ସରକାର - ଯେତେସବୁ ଦୁରାଚାରୀ, ପାପାଚାର, ଶୋଷକ ଶାସକ ସମସ୍ତେ ସେଇ ଏକା ନାଉର ମଂଜି। ତେଣୁ ଭଲ ଉପନ୍ୟାସ ନ ମିଳିବା ସ୍ୱାଭାବିକ।

 

ଭଲ ଉପନ୍ୟାସ ନାହିଁ - ଏହି ସାହିତ୍ୟକ୍ଷେତ୍ରରେ ଯେତିକି ଦୁଃସମ୍ୱାଦ; ସମାଜକ୍ଷେତ୍ରରେ ତା’ଠାରୁ ଆହୁରି ଅଧିକଗୁଣ ଦୁଃସମ୍ୱାଦ ହେଉଛି - ଭଲ ମଣିଷଟିଏ ନାହିଁ। ହୁଏତ ସେଇଦିନ ଆସିବ ଭଲ ଉପନ୍ୟାସ ସୃଷ୍ଟିହେବାର ସମୟ, ଯେଉଁଦିନ ସାହିତ୍ୟ ଖୋଜିବ ଭାବୀ ସମାଜ ପାଇଁ ଭଲ ମଣିଷଟିଏ - ଯିଏ କେବଳ ନାୟକ ନୁହେଁ, ଆମ ସାମାଜିକ ବିପ୍ଳବର ହେବ ଅଧିନାୟକ। ପାରମ୍ପରିକ ପ୍ରେମ, ପ୍ରବୃତ୍ତି ବା ଆଧୁନିକ ଆସ୍ଫାଳନଧର୍ମିତାର କ୍ଷୁଦ୍ରଚୌହଦି ଛାଡ଼ି ଭଲ ଉପନ୍ୟାସର ଲେଖକ ହୁଏତ ମୁହାଁଇବ କ୍ଷେତ - ଖଳା - ଖଣି - ଖାଦାନ ଆଉ ହଜିଯାଇଥିବା ଆଦିବାସୀ ଅନ୍ଧାରିମୁଲକର ନୂଆ ରାସ୍ତା ଆଡେ଼ !

 

ଯାଜପୁର ରୋଡ‌୍‍, ଯାଜପୁର

ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

Rabi Kanungo - Email: rabikanungo@gmail.com - Posted on 2017-05-31 19:41:21

Most awards and prizes (except quiz, game and sports) are of abrasive substances. The writer is right in his view.

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top