ତିନ‌୍‍ ତଲାଖ

News Story - Posted on 2017-05-29

ରବି କାନୁନ୍‌ଗୋ

 

ବୃତ୍ତିରୁ ପ୍ରବୃତ୍ତି ଟାଣ- ତହୁଁ ଟାଣ ହେଲେ ପାପ।

 

ଆଜି ପରି ମୁକ୍ତ-ଯୁଗରେ ନାରୀ ଜାତି ପାଇଁ ବର୍ବର ପ୍ରାୟ ଲାଗୁଥିବା ଏ ଧାର୍ମିକ ପରମ୍ପରା ବିରୁଦ୍ଧରେ ଭାରତ ପରି ‘ସେକୁଲାର‌୍‍’ (ଭାଷାନ୍ତରରେ - ଧର୍ମନିରପେକ୍ଷ) ଦେଶରେ ଯେତିକି ଆଲୋଚନା ଓ ବିବାଦ ହେଉଛି ସେପରି କୌଣସି ଇସ‌୍‍ଲାମୀ ଦେଶରେ ମଧ୍ୟ ନାହିଁ। ଧର୍ମର ସିରସ୍ତା ଉପରେ ବିଜୟ ହାସଲ କରିବା ଅତି କଷ୍ଟ। ତେବେ ବି, ପାକିସ୍ଥାନ ସମେତ ୨୨ଟି ଇସ‌୍‍ଲାମୀ ଦେଶରେ ଏ ତିନ‌୍‍ ତଲାଖ ତାମ‌୍‍ସା ଚାଲେନି, ମାନେ ନିଷେଧ।

 

କୋଲକାତାର ‘ହୃଦୟ’ ନାମକ ଅନୁଷ୍ଠାନ- ବିବାହ ଯୋଗୁ ଆଇନ ଅତ୍ୟାଚାରିତ ପାଞ୍ଚ ହଜାରରୁ ଅଧିକ ଏହାର ସଦ୍ୟସ୍ୟ। ସେମାନଙ୍କ ସଂଗଠନ ଗତ ଶନିବାର ଦିନ ରାଣୀ ରାସମଣି ରୋଡ‌୍‍ (କେନ୍ଦ୍ର କଲିକତା)ରେ ସତ୍ୟାଗ୍ରହରେ ବସିଲେ। ଦାବି- ବିବାହକୁ ଦାୟିତ୍ୱମୁକ୍ତ କରିବାକୁ ଇସଲାମ ପରି ‘ତିନ‌୍‍-ତଲାଖ’ ପରି ବ୍ୟବସ୍ଥା ସବୁ ଧର୍ମରେ ଚାଲିବା ଉଚିତ।

 

ସେଦିନ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ମୁସଲମାନଙ୍କୁ ଆହ୍ୱାନ ଦେଲେ ଯେ ‘ତିନ‌୍‍-ତଲାଖ’ କଥାକୁ କେବଳ ଧାର୍ମିକ କହି ସେଥିରେ ରାଜନୀତି ପୂରେଇବା ଠିକ‌୍‍ ନୁହେଁ। ଏହା ଭାରତୀୟ ନାରୀ ସୁରକ୍ଷାର ପ୍ରଶ୍ନ।

 

କେତେ ଲୋକ ବିଶ୍ୱାସ କରନ୍ତି ଯେ ମୋଦୀ ସରକାର ଯାହା କରୁଛି ତହିଁରେ ହିନ୍ଦୁତ୍ୱର ଛୁଙ୍କ ରହୁଛି। ଏହାର କାରଣ ବି ବଳିଷ୍ଠ। ଭାଜପାର ଆବିର୍ଭାବ ହୋଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଆଦର୍ଶ ‘ହିନ୍ଦୁ-ଭାରତ’ର ଜଡ଼କୁ ଧରି। ଭାରତରେ ସ୍ୱାଧୀନ ଭାବେ କାମ କରିବା ପ୍ରଧାନମନ୍ତ୍ରୀ ବୋଧେ ନିକଟରେ ମିଳିବେନି। ଡକ୍ଟର ମନମୋହନ ସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଛାଇ ତଳେ ପ୍ରଧାନମନ୍ତ୍ରୀ ରହିଲେ। ମୋଦୀଙ୍କ ସକାଶେ କୁହାଯାଉଛି ଯେ ସେ ସଙ୍ଘର ପ୍ରରୋଚନା ବା ନିର୍ଦ୍ଦେଶରେ କାମ କରୁଛନ୍ତି।

 

ମାତ୍ର ଏ ଅଭିଯୋଗ ଠିକ‌୍‍ ହୋଇ ନପାରେ। କାରଣ ମାମଲା ସୁପ୍ରିମ‌୍‍କୋର୍ଟରେ ଫେବ୍ରୁଆରି ୨୯, ୨୦୧୬ରେ ବିଚାରାଧୀନ ରହି ତାହା ଆଗାମୀ ୧୧ରୁ ୧୬ ତାରିଖ ଭିତରେ ପାଞ୍ଚ ଜଜ‌୍‍ ବିଶିଷ୍ଟ ସାମ୍ୱିଧାନିକ ବେଞ୍ଚ ଦ୍ୱାରା ଶୁଣାଣି ସମାପ୍ତ ହୋଇ ରାୟ ପ୍ରକାଶ ପାଇବ ବୋଲି ଧାର୍ଯ୍ୟ ହୋଇଛି। ସରକାରକୁ କ୍ରିୟା ପ୍ରତିକ୍ରିୟା କୋର୍ଟରେ ବ୍ୟକ୍ତ କରିବାକୁ ହେବ।

 

ଭାରତ ସମ୍ୱିଧାନ ‘ସେକୁଲାର’ ଏବଂ ଜନସଂଖ୍ୟା ‘ହିନ୍ଦୁ’-ପ୍ରଧାନ। ଗଣତାନ୍ତ୍ରିକ ସିଦ୍ଧାନ୍ତରେ ଗଠିତ ହେଉଥିବା ବହୁବାଦୀ ସମାଜର ନିର୍ମାଣ-ଶୈଳୀ କଠିଣ। ଭାଇ ଅପେକ୍ଷା ଭଗାରି ବୁଦ୍ଧି ଅଧିକ ପଶେ। କ୍ୟାଥୋଲିକ ପ୍ରଚାରକ ଲେଖକ ଫାଦର ଜନ‌୍‍.ଏ. ହର୍ଡସନ (୧୮,୬.୧୯୧୪ - ୩୦,୧୨.୨୦୦୦)ଙ୍କ ମତରେ, ହିନ୍ଦୁଙ୍କ ପରି ଉଦାର ସମଷ୍ଟି ଅନ୍ୟତ୍ର ମିଳିବା ସମ୍ଭବ ନୁହେଁ। ସେମାନେ ସଂଖ୍ୟାରେ ଅଧିକ ହେଲେ ବି ନୂଆଭାବେ ଗଢ଼ିଥିବା ଦେଶକୁ ସେକୁଲାର କରିଛନ୍ତି। (‘ରେଲିଜିଅନ‌୍‍ସ ଅଫ‌୍‍ ଦି ୱାର୍ଲଡ’) ଏପରି ପ୍ରଶଂସା ଶୁଣି ବିମୋହିତ ହେବାଠାରୁ ବାସ୍ତବତାର କାରୁଣ୍ୟ ଦେଶବାସୀଙ୍କ ରାଜନୀତିକ ଧାରଣାଗୁଡ଼ିକୁ ଇତସ୍ତତଃ କରିବାରେ ଲାଗିଛି।

 

 ‘ଧର୍ମ କ’ଣ?’ ଏ ଜିଜ୍ଞାସାରୁ ଖୁବ ଦୂରକୁ ଯାଇ ନଥିବା ଭାରତୀୟଙ୍କୁ ଆଜି ଶିଖିବାକୁ ବାଧ୍ୟ ହେଉଛି- ‘ହିନ୍ଦୁ କିଏ?’ ଧର୍ମ ନାଁରେ ମେରିଖୁଣ୍ଟ ପୋତି ପାଇଁ ଏଥିପାଇଁ ସଂଘବଦ୍ଧ ରାଜନୈତିକ ଅଭିଯାନ ବି ଚାଲିଛି। ‘ଏପରି କରିବା ଠିକ ନୁହେଁ’- ଏହାକୁ ସେକୁଲାର ମତ ବୋଲି କୁହାଯାଉଛି। କାରଣ ରୂପେ କୁହାଯାଉଛି ଯେ ଏହା ସମ୍ୱିଧାନର ବିରୋଧାଚରଣ କରେ।

 

ଧର୍ମ ମଣିଷ ଭିତରେ ବିଶ୍ୱାସ ସୃଷ୍ଟି କରିପାରେ। ତାକୁ ଧରିଲେ ସେ ନିଜେ ବଞ୍ଚି ରହେ ବୋଲି ଧାରଣା ଯୋଗୁ ଧର୍ମକୁ ବେଞ୍ଚଇ ରଖିବା ତା’ର ଦାୟିତ୍ୱ ହୋଇ ପଡେ଼। କେବେ କେମିତି ତା ବିଶ୍ୱାସ ଏତେ ଦୃଢ଼ ହୋଇଯାଏ ଯେ ତାକୁ ପଥର ଠାକୁର ପରି ଲାଗନ୍ତି ଓ ରେଡ‌୍‍ ଅକ‌୍‍ସାଇଡ‌୍‍ ସିନ୍ଦୂର ପରି ଲଗେ। ଏମିତିକା ଲୋକ ଯେ ବ୍ୟକ୍ତିଗତଭାବେ ଶୁଚିଶୀଳ, ସାଧୁ କି ନୀତିବାନ ତାହା ଦାବି କରି ହେବ ନାହିଁ। ଜଣେ ନାସ୍ତିକ ମଧ୍ୟ ସେତିକି ନୀତିବାନ ବା ନୀତିହୀନ ହୋଇପାରେ ଆଉ ଜଣେ ଧାର୍ମିକ ପରି। 

 

 ‘ଧର୍ମସଂକଟ’ ବୋଲି ଯେଉଁ ଅବସ୍ଥାକୁ କୁହାଯାଏ, ଭାରତ ଏବେ ସତକୁ ସତ ସେଥିରେ ପଡ଼ିଯାଇଛି। ଜନସଂଖ୍ୟାର ସଂଖ୍ୟାଧିକ ହିନ୍ଦୁ - ୮୦.୪%, ମୁସଲମାନ - ୧୩.୪%, ଖ୍ରୀଷ୍ଟିଆନ - ୨.୩%।

 

ଇଂରେଜଙ୍କର ପ୍ରାୟ ଦୁଇଶହ ବର୍ଷ ଶାସନ କାଳରେ ବା ତା ପୂର୍ବରୁ ଭାରତରେ ଏସବୁ ଧର୍ମ ଥିଲେ। ସ୍ୱାଧୀନତା ପରେ ରାଜନୀତିର ପ୍ରତ୍ୟକ୍ଷ ସହଯୋଗରେ ସବୁଗୁଡ଼ିକ ସାଂପ୍ରଦାୟିକତା ଭିତରକୁ ପଶିଗଲେ ଏବଂ ସମସ୍ତଙ୍କ ହାତରେ ସେଥିପାଇଁ ରହିଥିଲା ସମ୍ୱିଧାନ ନାମକ ଗୋଟିଏ ଦଣ୍ଡା।

 

ଇଂଲିଶ ଶାସନ ଅପେକ୍ଷା ଦେଶ ସ୍ୱାଧୀନ ହେବା ପରେ କେତେ ଅଧିକ ସାଂପ୍ରଦାୟିକ ଦଙ୍ଗା ହୋଇଛି, ଏହା ଲକ୍ଷ୍ୟ କଲେ ତାରତମ୍ୟ ବାରି ହୋଇପାରେ। ରାଜନୈତିକ ଦଳଗୁଡ଼ିକର ପ୍ରତ୍ୟକ୍ଷ ବା ପରୋକ୍ଷ ସହଯୋଗ ବିନା ଏହା ଅସମ୍ଭବ ବୋଲି ଲୋକଙ୍କ ଧାରଣା ଦୃଢ଼ୀଭୂତ ହେବାକୁ ଲାଗଛି। ତେବେ ବି ଆଶା ରଖିବା ଯେ ଭାଜପା ଏ ଦିଗରେ ନିଶ୍ଚୟ ଦୃଢ଼ ପଦକ୍ଷେପ ନେବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top