ସ୍ୱାସ୍ଥ୍ୟସେବା ନିମ୍ନମାନର କାହିଁକି?

News Story - Posted on 2017-05-29

ଶରତ କୁମାର ରାଉତ

 

୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ଘୋଷଣା ବେଳେ ଦେଶର ନୀତି ନିର୍ଦ୍ଧାରକମାନେ ଦୁଇ ହଜାର ମସିହା ସୁଦ୍ଧା ଦେଶବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା କରାଯିବାର ଘୋଷଣା କରିଥିଲେ। ଏହା ନିଶ୍ଚୟ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା। ମାତ୍ର ଆଜି ୩୪ ବର୍ଷ ପରେ ସେହି ଘୋଷଣା ଦିବା ସ୍ୱପ୍ନରେ ପରିଣତ ହୋଇଛି। ଆଜି ମଧ୍ୟ ଭାରତ ମ୍ୟାଲେରିଆ, ଡାଇରିଆ, ଡେ଼ଙ୍ଗୁ, ମିଳିମିଳା, ଯକ୍ଷ୍ମା, ଫାଇଲେରିଆ, ପାରାଲିସିସ‌୍‍, ହଇଜା, ଅନାହାର ଆଦି କବ‌୍‍ଜାରେ ରହିଛି। ଏଡ‌୍‍ସର ଆତଙ୍କ ଧୀରେ ଧୀରେ ବଢି ଚାଲିଥିବା ବେଳେ କୁଷ୍ଠରୋଗ ଓ କ୍ୟାନସର ମଧ୍ୟ ନିଜ ନିଜର ଶକ୍ତି ବିସ୍ତାର କରି ଚାଲିଛନ୍ତି।

 

ଭାରତର ୩୨.୮୭ ଲକ୍ଷ ବର୍ଗ କି.ମି. କ୍ଷେତ୍ରଫଳରେ ୭୪.୨୯ ଭାଗ ଗ୍ରାମାଂଚଳ ହୋଇଥିବା ବେଳେ ୭୫ ଭାଗ ଡାକ୍ତର ମାତ୍ର ୨୫ ଭାଗ ସହରାଂଚଳରେ କେନ୍ଦ୍ରୀଭୂତ ଅଛନ୍ତି। ଫଳତଃ ସ୍ୱାଧୀନତାର ୬୯ ବର୍ଷ ପରେ ମଧ୍ୟ ଗ୍ରାମାଂଚଳରେ ନକଲି ଡାକ୍ତରଙ୍କ ଉତ୍ପାତ ବଳବତ୍ତର ରହିଛି। ଏବେ ସବୁ ସ୍ତରରେ କୁହା ଯାଉଛି ଯେ, ସ୍ୱାର୍ଥପର ଡାକ୍ତରମାନେ ଗ୍ରାମାଂଚଳକୁ ଯାଉ ନାହାଁନ୍ତି। ହେଲେ ଏହାର କାରଣ ସଂପର୍କରେ କେହି କେବେ ଭାବି ନାହାଁନ୍ତି। ଆଜି ପର୍ଯ୍ୟନ୍ତ କାହିଁକି ଗ୍ରାମାଂଚଳକୁ ଅତ୍ୟାବଶ୍ୟକ ସଡକ, ବିଜୁଳି, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇନି? ତେବେ କ’ଣ କେବଳ ଡାକ୍ତର ପହଂଚି ଗଲେ ଗ୍ରାମାଂଚଳର ବିକାଶ ହୋଇଯିବ? ବାସ୍ତବତା ଦେଖିଲେ ନିର୍ଦ୍ଦିଷ୍ଟ ମାପଦଣ୍ଡ ଅନୁଯାୟୀ ସହରାଂଚଳରେ ମଧ୍ୟ ଆବଶ୍ୟକ ଡାକ୍ତର ନାହାଁନ୍ତି। ଏଥିରୁ ଗାଁର ସ୍ଥିତି ଅନୁମାନ କରା ଯାଇପାରେ।

 

ଆମ ଦେଶରେ ସ୍ୱାସ୍ଥ୍ୟ କମିଟି ଗଠନ ଓ ଭଙ୍ଗ ପ୍ରାଚୀନ ପରମ୍ପରା ଅଟେ। ସ୍ୱାଧୀନତାଠାରୁ ଆଜିଯାଏ ବହୁ କମିଟି ଆସିଛି ଓ ଯାଇଛି, କିନ୍ତୁ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରିନି। ବିଭିନ୍ନ କମିଟି ଦ୍ୱାରା ଦିଆଯାଇଥିବା ପରାମର୍ଶ ଉପରେ ବିଶ୍ଳେଷଣ କରା ଯାଇଥିଲେ ମଧ୍ୟ ଆମର ରାଜନୈତିକ ଓ ପ୍ରଶାସନିକ ଅପାରଗତା ଯୋଗଁୁ ଆମର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସ୍ୱୟଂ ରୋଗଗ୍ରସ୍ତ ହୋଇ ଚାଲିଛି।

 

କୌଣସି ରାଷ୍ଟ୍ରର ସ୍ୱାସ୍ଥ୍ୟ ସେବାର ସକ୍ଷମତା ଓ ସଫଳତା ଦେଶର ଶିଶୁ ଓ ମାତୃ ମୃତ୍ୟୁହାରରୁ ସ୍ପଷ୍ଟ ହେଉଥିବା ବେଳେ ଏଥିରେ ଅନ୍ୟ ବିକଶିତ ଦେଶ ଅପେକ୍ଷା ଆମଦେଶ ବହୁ ପଛରେ ରହିଛି। ଏକ ସମୀକ୍ଷାରୁ ଜଣାପଡିଛି ଯେ, ସହରାଂଚଳରେ ୮୦ ଭାଗ ଲୋକେ ଘରୋଇ ଚିକିତ୍ସା ଉପରେ ନିର୍ଭର କରୁଥିବା ବେଳେ ସରକାରୀ ଚିକିତ୍ସାସେବା ଉପରେ ମାତ୍ର ୨୦ ଭାଗ ଲୋକ ନିର୍ଭର କରନ୍ତି। ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ସରାକାରୀ ସ୍ୱାସ୍ଥ୍ୟ ସେବା ମାଗଣାରେ ମିଳୁଥିବା ବେଳେ ଲୋକେ ଖର୍ଚ୍ଚାନ୍ତ ହୋଇ ଘରୋଇ ଚିକିତ୍ସାଳୟକୁ ଯାଆନ୍ତି କାହିଁକି? ମାତ୍ର ଏ ସଂପର୍କରେ କାହାରି ସମୀକ୍ଷା ନାହିଁ। ସତରେ କ’ଣ ଆମ ଦେଶରେ ସରକାରୀ ଚିକିତ୍ସା ସେବା ଅତି ନିମ୍ନମାନର? ଏଠାରେ ଓଡିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସ୍ଥିତି ସଂପର୍କରେ ଆଲୋଚନା କରାଯାଇପାର। ବର୍ତ୍ତମାନ ରାଜ୍ୟବାସୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ୩ଟି ମେଡିକାଲ‌୍‍ କଲେଜ ଓ ହସଁିଟାଲ, ୩୨ଟି ଜିଲ୍ଲା ସ୍ତରୀୟ ହସଁିଟାଲ, ୨୨ଟି ଉପଖଣ୍ଡସ୍ତରୀୟ ଚିକିତ୍ସାକେନ୍ଦ୍ର, ୩୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୧୧୬୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୩୨୮ଟି ପରିବାର କଲ୍ୟାଣ କେନ୍ଦ୍ର, ୬୬୬୮ଟି ଉପ ସ୍ୱାସ୍ଥ୍ୟକେନ୍ଦ୍ର, ୧୧୭ଟି ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ର, ଶହଶହ ଆୟୁର୍ବେଦିକ‌୍‍ ଓ ହୋମିଓପାଥିକ‌୍‍ ଚିକିତ୍ସାକେନ୍ଦ୍ର ତଥା ମେଡ଼ିକାଲ‌୍‍ କଲେଜ ଓ ହସ୍ପିଟାଲ‌୍‍ ଓ ଅନେକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ‌୍‍ ରହିଛି। ମାତ୍ର ଓଡିଶା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡିଛି । ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁହାର ଓଡିଶାରେ ବହୁ ଅଧିକ। କ’ଣ ଏହାର କାରଣ?

 

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ତଥା ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ଆନ୍ତର୍ଜାତୀୟ ଓ ଜାତୀୟ ସଂସ୍ଥାରୁ କୋଟି ଟଙ୍କାର ଅନୁଦାନ ଆସୁଛି। ଏହାଛଡ଼ା ୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁ ସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ରେ ଶିଶୁ ମୃତ୍ୟୁହାର ହ୍ରାସ ମିସନ‌୍‍, ୨୦୦୨-୦୩ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ‌୍‍-୧୦, ୨୦୦୫ରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ‌୍‍, ୨୦୦୭ରୁ ନରେୱ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ (ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର ୧୯ରୁ ମମତା ଯୋଜନା ଆଦି କାର୍ଯ୍ୟକାରୀ ହୋଇ ଆସୁଛି। ମାତ୍ର ସବୁ ଯୋଜନା ଫେଲ‌୍‍ ମାରିଛି। ଏଥିରୁ ବିଶେଷ ସୁଫଳ ମିଳି ନାହିଁ। କୋଟିକୋଟି ଟଙ୍କା ଅଧିକାରୀ ଓ ନେତାଙ୍କ ଭିତରେ ଭାଗବଂଟା ହେଉଛି। ସମ୍ୱିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ଓ ସ୍ୱାସ୍ଥ୍ୟସେବା ଯୋଗାଣ ଜନିତ ତୃଟି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ବାସୀ ଓ ସରକାରଙ୍କ ପାଖରେ ଉତ୍ତରଦାୟୀ। ବିଭାଗରେ କିଛି ବର୍ଷ ତଳୁ ଅରାଜକତା ଲାଗି ରହିଛି। ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ‌୍‍ ବଦଳି ତଥା ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଚରମ ସୀମା ପାର କରିଛି। ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କେବଳ ଯୋଜନା ପ୍ରସ୍ତୁତ କରି ବା ନୂଆ ପଦକ୍ଷେପ ଘୋଷଣା କରି ସରକାର ନିଜ କର୍ତ୍ତବ୍ୟ ଶେଷ ହେଲା ବୋଲି ଭାବୁଛନ୍ତି। ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଂଚିଲା କି ନାହିଁ, ତାହାର ସନ୍ତୋଷ ଜନକ ସମୀକ୍ଷା ହେଉନାହିଁ। ଯୋଜନାଗୁଡିକ ମୁଖ୍ୟତଃ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ବାସ୍ତବତା ହେଲା, ସ୍ୱାସ୍ଥ୍ୟ ବିଭାଗରେ ଆଇନ ପ୍ରଣୟନ ହେବା ଓ କାର୍ଯ୍ୟକାରୀ ହେବା ମଧ୍ୟରେ ଆକାଶ-ପାତାଳ ଫରକ‌୍‍। ଯୁଗ୍ମ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟ ହାତରେ କୌଣସି କ୍ଷମତା ନାହିଁ କି ସେମାନେ କୌଣସି ନୀତି ନିର୍ଦ୍ଧାରଣ କରନ୍ତି ନାହିଁ। ସବୁ କ୍ଷମତା ଥାଏ ଅମଲା ମାନଙ୍କ ହାତରେ। ମନ୍ତ୍ରୀ ଓ ବିଧାୟକମାନଙ୍କ ଫୋନ‌୍‍ ଦ୍ୱାରା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଭାଗ୍ୟ ନିର୍ଦ୍ଧାରଣ କରାଯାଏ। ଡ଼ାକ୍ତର, କର୍ମଚାରୀ ଓ ରୋଗୀ ମାନଙ୍କ ପାଇଁ ସଚିବାଳୟ ସ୍ଥିତ ସ୍ୱାସ୍ଥ୍ୟ ବିଭାଗର କୌଣସି ସହାନୁଭୁତି ନଥାଏ।

 

ବେତନ, ବଦଳି ଓ ଉଦ୍ଦେଶ୍ୟମଳକ କାର୍ଯ୍ୟାନୁଷ୍ଠାନ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଠିକ‌୍‍ ସମୟରେ ବେତନ ନମିଳିଲେ, ବେଆଇନ‌୍‍ ବଦଳି ହେଲେ ଓ ଉଦ୍ଦେଶ୍ୟମୂଳକ ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କର୍ମଚାରୀଙ୍କ ପାଇଁ ଅଭିଶାପ ହୋଇଥାଏ। ସରକାରୀ କର୍ମଚାରୀ ନିଜର ମାନସିକ ଭାରସାମ୍ୟ ହରାଇଥାଏ ଓ ନିଜର କର୍ତ୍ତବ୍ୟ କରିବାକୁ ସକ୍ଷମ ହୋଇନଥାଏ। ତେବେ ବିଭାଗରେ ଏଇଭଳି ବେଆଇନ‌୍‍ କାର୍ଯ୍ୟ ଚାଲି ଆସୁଥିବାରୁ ରାଜ୍ୟର ଅଧିକାଂଶ ଡ଼ାକ୍ତର ଓ କର୍ମଚାରୀ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି ଓ ପରିଣତି ସ୍ୱରୂପ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ହୋଇ ପାରୁନାହିଁ। ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଓ ଯୁଗ୍ମ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟରେ ପ୍ରଶାସନିକ ନିଷ୍କ୍ରିୟତା ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶରେ ବ୍ୟାଘାତ ସୃଷ୍ଟି କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହେଉଛି।

 

ସେହିପରି ଅନ୍ୟ ସରକାରୀ ନିଦ୍ଦେର୍ଶାଳୟ ଭଳି ଯୁଗ୍ମ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟରେ ପ୍ରଶାସନିକ ସେବା ଅଧିକାରୀ ପଦବୀ ନାହିଁ। ଯୁଗ୍ମ ନିର୍ଦ୍ଦେଶାଳୟର ୮ଜଣ ନିର୍ଦେଶକ ହେଉଛନ୍ତି ଡାକ୍ତର ପାହ୍ୟାର। ଦ୍ୱିତୀୟ ଇଶ୍ୱର ବୋଲି ଖ୍ୟାତ ଡାକ୍ତରମାନେ ପ୍ରଶାସନିକ ଜ୍ଞାନରେ ଅଜ୍ଞ ବୋଲି ସାଧାରଣରେ ମନେ କରାଯାଏ। ଡାକ୍ତରମାନେ ନିଜ ଚାକିରୀ ଜୀବନର ପ୍ରଥମ ୨୦/୨୫ ବର୍ଷ ନିର୍ଦ୍ଦେଶାଳୟକୁ ଆସି ଅଧିକାରୀ ଓ କର୍ମଚାରୀଙ୍କ ପାଖରେ ଗୋଡଭାଙ୍ଗି ଛିଡା ହୋଇ ନିଜ କାର୍ଯ୍ୟ ବା ନିଜ ନିୟନ୍ତ୍ରଣାଧୀନ ମେଡିକାଲର କାର୍ଯ୍ୟ କରାଇ ନେଇଥାନ୍ତି। ଆଉ ସେହି ଡାକ୍ତର ଯେତେବେଳେ ନିର୍ଦ୍ଦେଶକ ଆସନରେ ବସନ୍ତି, ଗୋବର ଗଣେଷ ଭଳି ହୋଇଯିବା ସ୍ୱାଭାବିକ। ଏଇ ଅବସ୍ଥାରେ ଯୁଗ୍ମ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳର ଶାସନତନ୍ତ୍ରକୁ ସୁଦୃଢ ଓ ନିର୍ମଳ କରାଯିବାର ଆବଶ୍ୟକତା ରହିଛି। ଅତି କମ‌୍‍ରେ ଯୁଗ୍ମ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟରେ ଗୋଟିଏ ଆଇଏଏସ‌୍‍ ପଦବୀ ସୃଷ୍ଟି କରାଯିବା ଉଚିତ‌୍‍। ଅନ୍ୟାନ୍ୟ ଅନୁଷଙ୍ଗିକ ବ୍ୟବସ୍ଥାର ପରିବର୍ତନ କରାଯିବା ଉଚିତ‌୍‍।

 

ଏସବୁ ନିର୍ଭର କରୁଛି ବିଭାଗୀୟ ମନ୍ତ୍ରୀ ଓ ଶାସନ ସଚିବଙ୍କ ପ୍ରସାଶନିକ ଦକ୍ଷତା ଉପରେ। କିଛି ବର୍ଷ ତଳୁ ବିଭାଗରେ ଜଣେ ସୁଦକ୍ଷ ମନ୍ତ୍ରୀଙ୍କୁ ଦେଖିବାକୁ ମିଳୁନାହିଁ। କିନ୍ତୁ ବର୍ତ୍ତମାନର ମନ୍ତ୍ରୀ ପ୍ରତାପ ଜେନା ଜଣେ ବିଚକ୍ଷଣ ରାଜନୀତିଜ୍ଞ ତଥା ନିଷ୍ଠାପର ବ୍ୟକ୍ତିତ୍ୱ। ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ପ୍ରକୃତରେ ଆନ୍ତରିକତାର ଅଭାବ ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ଯୁଗ୍ମ ସ୍ୱାସ୍ଥ୍ୟ ନିଦ୍ଦେର୍ଶାଳୟର ପ୍ରଶାସନକୁ ନିର୍ମଳ ଓ ସକ୍ରିୟ କରାଇବା ମନ୍ତ୍ରୀ ଶ୍ରୀ ଜେନାଙ୍କର ପ୍ରଥମ ଓ ପ୍ରଧାନ କର୍ତବ୍ୟ ହେବା ଉଚିତ‌୍‍ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟଥା ଓଡିଶାରେ ସ୍ୱାସ୍ଥ୍ୟ ସେବାର ବିକାଶ ଆଶା ସ୍ୱପ୍ନରେ ରହିଯିବ।

 

ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top