ରେଖା ଚିତ୍ର

News Story - Posted on 2017-05-29

 ଆନଂଦ ଚଂଦ୍ର ପହି

               

ସରପଞ୍ଚ ଆସି କହିଲେ -ନଖିଆ!ଜଣେ ସିନେମା ପ୍ରଯୋଜକ ଆସିଛନ୍ତି। ତୋ ଘର ଆଉ ତୋ ପରିବାର ଉପରେ ଗୋଟେ ସିନେମା କରିବେ। ସେମାନେ ତାଙ୍କ ସାଙ୍ଗରେ କ୍ୟାମେରା ଆଣିଚନ୍ତି।

 

ନଖିଆ ସରପଞ୍ଚଙ୍କ କଥାରୁ କିଛି ବୋଲି କିଛି ବୁଝି ପାରିଲା ନାହିଁ। ତାଙ୍କ ମୁହଁକୁ ବୋକାଙ୍କ ପରି ଅନେଇଁକି ଠିଆହେଲା। ସରପଞ୍ଚ ନଖିଆକୁ ବୁଝାଇଲେ-ତୁ ଏଥିରେ ଖୁସିହେବା କଥା। ଏମିତି ବୋକାଙ୍କ ପରି ଅନେଇଁଚୁ କ’ଣ? ସେମାନେ ଆମ ଗାଆଁ କ୍ଳବଘରେ ଅଛନ୍ତି। ମୁଁ ତାଙ୍କୁ କହିଛି ସିଏ ତତେ ପାଞ୍ଚଶହ ଟଙ୍କା ଦେବେ। ତୁ ଆଜି ଆଉ କାହାର କାମକୁ ନଯାଇ ଘରେଥିବୁ।

 

ନଖିଆ ଭିତରେ କିଛିଟା ସନ୍ଦେହ ଓ କିଛିଟା ଆଶଙ୍କାର ଦଉଡ ଚାଲିଥିଲା।

 

ସରପଞ୍ଚ ପୁଣି କହିଲେ-ବୁଝିଲୁ ନଖିଆ! ତତେ କିଛି ହେଲେ କରିବାକୁ ପଡ଼ିବ ନାହିଁ। ତୁ ବସିବୁ। ସେମାନେ ତୋ ଘର, ତୋ ପରିବାର ଆଉ ତୋର ଫଟୋ ନେବେ। ସେମାନେ ତତେ ଯାହା ପଚାରିବେ ଜମା ନଡ଼ରିକି ଉତ୍ତର ଦେବୁ। ବାସ‌୍‍ ସେତିକି। ତା#ପରେ ଦେଖିବୁ ଦିନେ ଟିଭିରେ ଏସବୁ ସିନେମା ହେଇକି ବାହାରିବ। ଆମ ଗାଆଁ ଆଉ ଆମ ରାଜ୍ୟସାରା ଲୋକ ତତେ ସିନେମାରେ ଦେଖି ଜାଣି ଯିବେ, ଚିହ୍ନି ଯିବେ।

 

ନଖିଆ ତଥାପି କିଛି ବୁଝି ନପାରି ଠିଆ ହେଲା। ସରପଞ୍ଚ କହିଲେ- ମୁଁ ଯାଉଚି। ସିନେମାବାଲାଙ୍କୁ ଧରି ଆଉ ଦି’ଘଣ୍ଟା ପରେ ଆସିବି। ତୁ, ତୋ ସ୍ତ୍ରୀ ମନ୍ଦି ଆଉ ତୋ ପୁଅ, ଝିଅ ସମସ୍ତେ ଘରେ ଥିବ।

 

ସରପଞ୍ଚ ଚାଲିଯିବା ପରେ ମନ୍ଦି ଘର ଭିତରୁ ବାହାରି ଆସି ପଚାରିଲା-ସରପଞ୍ଚ କ’ଣ କହୁଥିଲେକି?

 

-ଆମ ଗାଆଁକୁ ସିନେମାବାଲା ଆଇଚନ୍ତି। ସେମାନେ ତୋର, ମୋର, ଆମ ଘରର ଆଉ ଆମ ଛୁଆଙ୍କ ଫଅଟ ଉଠେଇବେ। ସେମାନେ ସିନେମା କରିକି ଟିଭିରେ ଦେଖେଇବେ। ତୁ ଛୁଆଙ୍କୁ ନିଦରୁ ଉଠା। ସେମାନେ ଦାନ୍ତପତର ଘଷି ପକାନ୍ତୁ। ତୁ ମୁଣ୍ଡଫୁଣ୍ଡ କୁଣ୍ଡା। ସେମାନେ ଆଉ ଦିଘଡ଼ି ପରେ ଫଅଟ ଉଠେଇବାକୁ ଆସିବେ।

 

ମନ୍ଦି ମନାକଲା-ନାଇଁ, ମୁଁ ମୋର ଫଅଟ ଉଠେଇବି ନେଇଁ। ଏମିତି ସାତସିଆଁ ଚିରାନୁଗା ପିନ୍ଧିକି ମୁଁ କି ମୋ ଛୁଆ କେହି ଫଅଟ ଉଠେଇବୁ ନେଇଁ।

 

-ବେଶି ଛଇ ଦେଖାନା। ମୁଁ ଏଇଲେ ତମ ପେଇଁ ନୂଆନୁଗା କୋଉଠୁ ଆଣିବି?

 

-ନୂଆନୁଗା କଥା ମୁଁ କ’ଣ ତୁମକୁ କହୁଚି?

 

-ଆଉ ତାହେଲେ କ’ଣ କହୁଚୁ?

 

-ତମେ ଯା’ ନିଧିଆ ଦୋକାନରୁ ସୋଢ଼ା ଟଙ୍କାକର ଆଣିବ। ମୁଁ ଆମ ନୁଗା ଆଉ ଛୁଆଙ୍କ ପେଣ୍ଟ ଜାମା ସଫା କରିଦେବି। ସେଇଆକୁ ପିନ୍ଧି ଆମେ ଫଅଟ ଉଠେଇବା।

 

ନଖିଆ କହିଲା- ଆଲୋ ହୁଣ୍ଡି ! ସେମାନେ ପରା ଆଉ ଘଡ଼ିକ ପରେ ଆସିବେ। ତୁ ନୁଗା ସଫା କରିବୁ କେତେବେଳେ ଆଉ ସିଏ ଶୁଖିବ କେତେବେଳେ ?

 

ମନ୍ଦି ଦଣ୍ଡେ ଚୁପ‌୍‍ ରହି କ’ଣ ଭାବିଲା ଆଉ ତା’ପରେ କହିଲା- ତମେ ତାହେଲେ ଆଉ ଗୋଟେ କାମକର। ଗାଆଁ ଭିତରୁକୁ ଯା’। ତମ ପେଇଁ ନବଘନର ଭଲ ଧୋତି କୁରୁତା ମାଗି ଆଣିବ। ମୁଁ ମରୁଆର ପେଡ଼ି ଶାଢ଼ୀଟା ମାଗି ଆଣିବି। ଆମ ସେବ ଆଉ ଟିମା ଗାଆଁ ଭିତରୁ ତାଙ୍କ ସାଙ୍ଗଠୁ ଭଲ ପେଣ୍ଟ ଜାମା ମାଗି ଆଣିବେ। ଫଅଟ ଉଠା ସଇଲେ ନେଇକି ଫେରେଇ ଦେବା।

 

ନଖିଆ ଖୁସି ହୋଇ କହିଲା-ଠିକ‌୍‍ ଅଛି। ଆମେ ସେଇଆ କରିବା। ମୁଁ ଯାଉଛି ନବଘନ ଘରକୁ। ତୁ ମରୁଆ ଘରକୁ ଯା’। ଛୁଆଙ୍କୁ କହିଦେ ସେମାନେ ତାଙ୍କ ସାଙ୍ଗ ଘରକୁ ଯାଆନ୍ତୁ। ଚଞ୍ଚଳ ମାଗିଆଣି ପିନ୍ଧି ପକେଇବା।

 

ଠିକ‌୍‍ ଦିନ ଦଶଟା ବେଳକୁ ଗୋଟିଏ କାର‌୍‍ ଆସି ପହଞ୍ଚିଲା ନଖିଆ ଘର ଆଗରେ। କାର‌୍‍ ପଛେ ପଛେ ଧୂଳିରେ ଗାଧେଇ ଦଳେ ଲଙ୍ଗଳା ପିଲା ଧାଇଁଛନ୍ତି। ଅଳ୍ପ ସମୟ ଭିତରେ ଭିଡ଼ ଜମିଗଲା। ଗାଆଁର ପିଲା ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ ସମସ୍ତେ ସିନେମା ସୁଟିଙ୍ଗ ଦେଖିବା ପାଇଁ ବେଢ଼ିଗଲେ ଗୁଡ଼କୁ ଜନ୍ଦା, ପିମ୍ପୁଡ଼ି ବେଢ଼ିବା ପରି।

 

ନଖିଆ ତା’ ଚାଳଘର ଭିତରୁ ବାହାରି ଆସିଲା। ତା ପଛକୁ ତା’ ସ୍ତ୍ରୀ ମନ୍ଦି, ଦଶ ବର୍ଷର ଝିଅ ସେବ ଆଉ ସବା ପଛରେ ଆଠ ବରଷର ପୁଅ ଟିମା। ସମସ୍ତେ ଆବାକାବା।

 

ଲୋକ ଗହଳି ସଫା କରି ଆଗେଇ ଆସିଲେ ପ୍ରଯୋଜକ, ନିର୍ଦ୍ଦେର୍ଶକ, କ୍ୟାମେରାମ୍ୟାନ‌୍‍, ମେକଅପ‌୍‍ ମ୍ୟାନ‌୍‍ ଆଉ ସରପଞ୍ଚ। ପ୍ରଯୋଜକ ନଖିଆ ଓ ତାର ପରିବାର ଲୋକମାନଙ୍କୁ ନିରେଖି ଦେଖିଲେ। ତାପରେ ସରପଞ୍ଚଙ୍କୁ ଗୋଟେ ପାଖକୁ ଡାକିନେଇ ପଚାରିଲେ-ଆମେ ଆଜି ସକାଳେ ଯୋଉ ଘରକୁ ଆସି ସବୁଠୁ ଗରିବ ଲୋକର ଘର ବୋଲି ଚିହ୍ନଟ କରିକି ଯାଇଥିଲେ, ଏଇଟା କ’ଣ ସେଇ ଘର? ଏଇ ଯେଉଁଲୋକ ଆଉ ତାର ପରିବାର ଠିଆ ହୋଇଛନ୍ତି ସେମାନେ କ’ଣ ନଖିଆ ଆଉ ତା’ ପରିବାର? ଏମାନଙ୍କ ବେଶ ପୋଷାକରୁ ତ ସେମିତି ଗରିବ ବୋଲି ଜଣା ଯାଉନାହିଁ।

 

ସରପଞ୍ଚ କହିଲେ-ବିଶ୍ୱାସ କରନ୍ତୁ ଆଜ୍ଞା ଇଏ ଆମ ଅଞ୍ଚଳର ସବୁଠୁ ଗରିବ ଲୋକ। ଏ ବେଶ ପୋଷାକ ତାର ନୁହଁ। ସିଏ ଫଟ ଉଠେଇବା ପାଇଁ କାହାଠୁ ମାଗିଆଣି ପିନ୍ଧିଚି। ହଉ ଆପଣ ଠିଆ ହୁଅନ୍ତୁ, ମୁଁ ତାକୁ ପଚାରୁଚି।

 

ସରପଞ୍ଚ ଯାଇ ନଖିଆକୁ ପଚାରିଲେ। ନଖିଆ ହସି, ହସି କାନ କୁଣ୍ଡେଇ କହିଲା-ନାଇଁ ହଜୁର, ଛୁଆଏ ସାଇ ଭିତରୁ ମାଗିଆଣି ପିନ୍ଧିଚନ୍ତି। ଫଅଟ ଉଠିବ ତ, ସେଇଥିପେଇଁ।

 

ନିର୍ଦ୍ଦେଶକ ଓ ପ୍ରଯୋଜକ ଘୋର ଆପତ୍ତି ଉଠାଇଲେ। ନା, ଏମିତି ଭଲ ପୋଷାକ ପିନ୍ଧିଲେ ମୋଟେ ହେବନାହିଁ। ନଖିଆ, ମନ୍ଦି ଆଉ ତା’ ପିଲାମାନେ ଏ ଭଲ ପୋଷାକ ଓହ୍ଲାଇ ତାଙ୍କର ନିତି ଦିନିଆଁ ଚିରା ମଇଳା ପୋଷାକ ନପିନ୍ଧିଲେ ସିନେମା ସୁଟିଙ୍ଗ ହେବନାହିଁ।

 

ନଖିଆ ଆଉ ମନ୍ଦି ଅଡି ବସିଲେ-ସେମିତି କେମିତି ହବ? ଏ ମସିଆ, କୋତରା, ଚିରା ନୁଗାରେ ଫଅଟ ଭଲ ଉଠିବ ନେଇଁ। ସମସ୍ତେ ଫଅଟ ଉଠିବା ବେଳେ ସଫା ନୁଗା ପିନ୍ଧନ୍ତି।

 

ଶେଷରେ ପ୍ରଯୋଜକ ନଖିଆକୁ ପ୍ରଲୋଭନ ଦେଖାଇଲେ ଯେ ସିଏ ଆଉ ତାର ସ୍ତ୍ରୀ, ପିଲା ଯଦି ଏ ସଫା ପୋଷାକ ଉତାରି ଦେଇ ତାଙ୍କ ଚିରାଫଟା ପୋଷାକ ପିନ୍ଧନ୍ତି ତାହେଲେ ତାକୁ ଆଉ ପାଞ୍ଚ ଶହ ଟଙ୍କା ଦିଆଯିବ। ଏଥିରେ ନଖିଆ ରାଜିହେଲା। ମାଗିଆଣି ପିନ୍ଧିଥିବା ପୋଷାକ ଦେହରୁ ଓହ୍ଲାଇ ପକାଇ ପୁଣି ତା’ର ନିତି ଦିନିଆଁ ଚିରା, କୋତରା ପୋଷାକ ସିଏ  ପିନ୍ଧିଲା ଓ ତା’ ପରିବାରର ଅନ୍ୟ ସମସ୍ତେ ତାଙ୍କର ନିତି ଦିନିଆଁ ପୋଷାକ ପିନ୍ଧିଲେ।

 

ନିର୍ଦ୍ଦେଶକଙ୍କ କହିବା ଅନୁସାରେ କ୍ୟାମେରାମ୍ୟାନ ନଖିଆର ଘରକୁ ଆଉ ଟିକେ ଗରିବର ଘର କରିବାକୁ ତା’ଚାଳରୁ ଦୁଇ ତିନିଟା ଜାଗାରୁ କିଛି ନଡ଼ା ଓଲାରି ଆଣିଲେ। ନଖିଆ ଆପତ୍ତି କରିବାରୁ ତାକୁ ନିର୍ଦ୍ଦେଶକ ସାନ୍ତ୍ବନା ଦେଲେ ଯେ ଏବାବଦକୁ ତାକୁ ଆଉ ଦୁଇ ଶହ ଟଙ୍କା ଦିଆଯିବ। ସୁଟିଙ୍ଗ ସରିଲେ ତା’ ଚାଳର ନଡ଼ା ପୁଣି ଯଥାସ୍ଥାନରେ ରଖି ଦିଆଯିବ।

 

ସୁଟିଙ୍ଗ ଆରମ୍ଭ ହେଲା। ପ୍ରଥମେ ଗାଆଁର ଧୂଳିଦାଣ୍ଡ, ତାପରେ ନଖିଆର ମାଟି ଝାଟିର ଚାଳଘର ଉପରେ କ୍ୟାମେରା ବୁଲିଲା। କାନ୍ଥର ଅନେକ ସ୍ଥାନରୁ ମାଟି ଖସି ପଡିଛି। ଚାଳର ନଡା କେତେ ଜାଗାରୁ ଉଡି ଯାଇଛି। ଚାଳର କଣା ଦେଇ ଘର ଭିତରକୁ ଖରା ପଶି ଆସିଚି। ଘରର ତଳଟି ମାଟି ଗୋବରରେ ଲିପା ଯାଇଛି। ଘରର ଗୋଟିଏ କ’ଣକୁ ଖଣ୍ଡେ ଦଉଡି ଟଣା ଯାଇଛି। ତା’ ଉପରେ ପଡିଛି କେତେ ଖଣ୍ଡ ମଇଳା କୋତରା ଲୁଗା। କାନ୍ଥ କଡକୁ ଥୁଆ ହୋଇଛି ଗୋଟିଏ ଟିଣବାକ୍ସ। ଘରର ଆଉ ଗୋଟିଏ କୋଣକୁ ଗୋଟିଏ ହେଂସ ଡେରା ହୋଇଛି।

 

ଏଥର କ୍ୟାମେରା ବୁଲିଲା ନଖିଆର ରୋଷେଇ ଘରକୁ। ସେମିତି ମାଟି ଝାଟିର କାନ୍ଥ। ଗୋଟିଏ କଡକୁ ମାଟିରେ ତିଆରି ରୋଷେଇଘର ପିଣ୍ଡି। ତା ଉପରେ ଥୁଆ ହୋଇଛି ମାଟି ହାଣ୍ଡି ଦୁଇଟି, ଚେପା ନେପା ରସ କଡେଇଟିଏ। ମାଟି କାନ୍ଥରେ ଟଙ୍ଗା ଯାଇଛି ବାଉଁଶ ପାତିଆର କୁଲା ପଟେ। ଚାଳରୁ ଝୁଲୁଛି କିଆ ଦଉଡିର କଳା କିଟିକିଟି ଶିକା ପଟେ। ଚାଳର ରୁଅ ରୋଷେଇ ଧୂଆଁରେ କଳା ପଡି ଯାଇଛି। ଚାଳରୁ ଓହଳିଛି ମେଞ୍ଛା ମେଞ୍ଛା ଅଳନ୍ଧୁ। ରୋଷେଇ ଘରେ କବାଟ ନାହିଁ। ଲାଗିଛି ଆତୁଣ୍ଡି ଲଟାର ତାଟି ଖଣ୍ଡେ।ଗୋଟେ କ’ଣକୁ ରସଥାଳି ପଟେ, ରସଗିନା ତାଟିଆ ଦୁଇ ତିନୋଟି।

 

ନିର୍ଦ୍ଦେଶକ ହଠାତ‌୍‍ ନଖିଆର ଲୁଙ୍ଗିରେ ଆଙ୍ଗୁଠି ଗଳାଇ ଫଡ଼ା ଫଡା କରି ଦୁଇ ପୁଳା ଚିରି ଦେଲେ ଓ ତା’ ଗାମୁଛାଟାକୁ କେତେଟା ଜାଗାରେ ଚିରି ଦେଲେ। ତା’ ଲୁଙ୍ଗି, ଗାମୁଛା ଚିରି ଦିଆ ଯିବାବେଳେ ସିଏ ପ୍ରତିବାଦ କରିବାରୁ ନଖିଆକୁ ପ୍ରଯୋଜକ କହିଲେ- ତୁମେ ମୋଟେ ବ୍ୟସ୍ତ ହୁଅନା ଲକ୍ଷ୍ମୀଧର! ତୁମେ ନୂଆ ଲୁଙ୍ଗି, ଗାମୁଛା କିଣିବ। ସେଥି ପାଇଁ ତୁମକୁ ଆଉ ଦୁଇ ଶହ ଟଙ୍କା ଦିଆ ଯିବ। ତୁମେ ଧୀର ସ୍ଥିର ହୋଇ ବସ। ଆମକୁ ସୁଟିଙ୍ଗରେ ସହଯୋଗ କର। ସୁଟିଙ୍ଗ ସରିଲେ ଆମେ ଯାହା ଯାହା କହିଚୁ ସବୁ ଦେବୁ।

 

ନଖିଆ ପଇସା ପାଇବା ଲୋଭରେ ଚୁପ‌୍‍ ହୋଇ ବସିଲା।

 

ଏଥର ନିର୍ଦ୍ଦେଶକଙ୍କ ଦୃଷ୍ଟି ପଡ଼ିଲା ନଖିଆର ହାଡୁଆ ଦେହ ଉପରେ। ତାକୁ ଅଧିକ ହାଡୁଆ ଓ ଶିରାଳ କରିବା ପାଇଁ ମେକ‌୍‍ଅପ‌୍‍ ମ୍ୟାନକୁ ଡକାଇ ତାକୁ କହିଲେ-ୟା ଦେହରେ ମେକଅପ‌୍‍ ମାରି ୟାକୁ ଅଧିକ ହାଡୁଆ ଓ ଶିରାଳ କର।

 

ନଖିଆ ଆପତ୍ତି କଲା ସେ ଦେହରେ କଳା ବୋଳିହେବ ନାହିଁ। କିନ୍ତୁ ତାକୁ ନିର୍ଦ୍ଦେଶକ ବୁଝାଇଲେ ଯେ ସିନେମାରେ ଅଭିନୟ କରିବାକୁ ହେଲେ ମେକଅପ‌୍‍ ନେବାକୁ ପଡିବ। ତଥାପି ସେ ଦେହରେ ମେକଅପ‌୍‍ ନେବାକୁ ମନାକରିବାରୁ ତାକୁ ଆଉ ଦୁଇ ଶହ ଟଙ୍କାର ପ୍ରଲୋଭନ ଦେଖାଇ ତା’ ପାଟି ଚୁପ‌୍‍କରି ଦିଆଗଲା। ଆହୁରି ମଧ୍ୟ ତାକୁ ପ୍ରତିଶ୍ରୁତି ଦିଆଗଲା ସୁଟିଙ୍ଗ ସରିଲେ ସିଏ ଓ ତାର ପରିବାର ସମସ୍ତେ ପୁଣି ଥରେ ସଫା ପୋଷାକ ପିନ୍ଧିବେ ଏବଂ ତାଙ୍କର ଭଲ ଷ୍ଟିଲଫଟ କ୍ୟାମେରାରେ ଉଠାଯାଇ ତାକୁ ଦିଆଯିବ।

 

କ୍ୟାମେରା ଏଥର ମୁହାଁଇଲା ନଖିଆ ଉପରକୁ। ନଖିଆ ଦେହର ରଙ୍ଗ କସରିଆ ଗୋରା। ଦୁର୍ବଳ ଦେହ। ପିଠିର ପଞ୍ଜରା ଓ ହାଡ, ଗୋଡର ଶିରା ସବୁ ଗୋଟି ଗୋଟିକି ଗଣି ହୋଇ ଦିଶୁଛି। ତାକୁ ଅଧିକ ଦୁର୍ବଳ ଓ ଶିରାଳ କରିବାକୁ ତା ଦେହ ସାରା କଳାରଙ୍ଗ ବୋଳା ଯାଇଛି।

 

ନିର୍ଦ୍ଦେଶକ ନଖିଆକୁ ପ୍ରଶ୍ନକଲେ-ଆଛା, ତୁମର ଜମିବାଡି କେତେ?

 

ନଖିଆ ପ୍ରଥମେ ଥତମତ‌୍‍ ହେଲା। ତାପରେ ତଣ୍ଟି ପାଖକୁ ଉଠିଆସୁଥିବା ଛେପକୁ ପେଟ ଭିତରୁ ଢ଼ୋକିନେଇ ମୁଣ୍ଡ ହଲାଇ ନାହିଁକଲା।

 

-ତମେ ତାହେଲେ କେମିତି ଚଳୁଚ?

 

ନଖିଆ ଏକଡ ସେକଡକୁ ଚାହିଁ ଉତ୍ତର ଦେଲା-କାମକରି।

 

-କି କାମ କରୁଛ? ବିଲ ବାଡି କାମ?

 

-ହଁ।

 

-ତୁମକୁ କ’ଣ ସବୁ ଦିନ ବିଲବାଡି କାମ ମିଳେ?

 

ନଖିଆ ଲାଜ ଲାଜ କଣ୍ଠରେ କହିଲା- ଚାଷବେଳେ ବିଲବାଡି କାମ ମିଳେ। ବିଲରୁ ଧାନକଟା ସରିଲେ ଆଉ କାମ ମିଳେନେଇଁ।

 

ନିଦ୍ଦେର୍ଶକ ଏଥର ଅଧିକ ଉତ୍ସାହିତ ହୋଇ ପଚାରିଲେ-ତୁମ ନିଜର ବିଲବାଡି ନାହିଁ। ଅନ୍ୟମାନଙ୍କ ବିଲରେ କାମ କରିବାକୁ କ’ଣ ତୁମ ମନରେ ଆଗ୍ରହ ଆସେ? ନା କେବଳ ପଇସା ପାଇଁ ନିଜ ଇଚ୍ଛା ବିରୁଦ୍ଧରେ କାମକର?

 

-ହଁ ହଜୁର! କେବଳ ପଇସା ପାଇଁ କାମକରେ।

 

ନଖିଆର ପୁଅ ଟିମା ହଠାତ‌୍‍ ପିଣ୍ଡା ଉପରକୁ ଉଠିଆସିଲା। ନିର୍ଦ୍ଦେଶକ ଟିମାକୁ ନଖିଆର ବାଆଁ ପାଖରେ ବସାଇଲେ। ଟିମା ଖଣ୍ଡେ କଳା ହାଫପ୍ୟାଣ୍ଟ ପିନ୍ଧିଚି। ପ୍ୟାଣ୍ଟରେ ବୋତାମ ନାହିଁ। ସିଏ  ଗୋଟେ ହାତରେ ତା’ ପ୍ୟାଣ୍ଟକୁ ଅଣ୍ଟା ପାଖରେ ସମ୍ଭାଳିଛି।

 

ନିର୍ଦ୍ଦେଶକ ପଚାରିଲେ-ଲକ୍ଷ୍ମୀଧର! ତୁମ ପୁଅ, ଝିଅ ପାଠ ପଢ଼ୁଛନ୍ତି ନା, ନାହିଁ।

 

ନଖିଆ ମୁଣ୍ଡ ହଲାଇ  ମନାକଲା।

 

-ଏବେ ପଢ଼ୁ ନାହାଁନ୍ତି ନା ଆଦୌ ସ୍କୁଲ ଦେଖି ନାହାଁନ୍ତି?

 

ନଖିଆ କିଛି ଉତ୍ତର ଦେବା ଆଗରୁ ଟିମା କହିଲା-ମୁଁ ଇସିକୁଲୁ ଦେଖିଚି। ମୋ ଦେଇ ଦେଖିଚି। ଆମ ଗାଆଁ ବରଗଛ ମୂଳେ ଇସିକୁଲୁ ଅଛି। ତମେ ଦେଖିନ କି?

 

ନିର୍ଦ୍ଦେଶକ ମୁରୁକି ହସି ପଚାରିଲେ-ତୁମେ ସେ ସ୍କୁଲକୁ ଯାଇଚ? ସେ ସ୍କୁଲ ଭିତର ଦେଖିଚ?

 

ଟିମା ମୁଣ୍ଡ ହଲାଇ ନାହିଁ କଲା।

 

- ସ୍କୁଲ ଭିତର ଦେଖିବାକୁ ତୁମର ଇଚ୍ଛା ହୁଏ ନାହିଁ?

 

ଟିମା ସଙ୍ଗେ ସଙ୍ଗେ ଉତ୍ତର ଦେଲା-ନାଇଁ।

 

-କାଇଁକି ଇଚ୍ଛା ହୁଏନାହିଁ?

 

-ମାଷ୍ଟର ତା ଭିତରେ ବାଡାନ୍ତି।

 

-ନା, ମାଷ୍ଟର ସବୁ ପିଲାଙ୍କୁ ବାଡାନ୍ତି ନାହିଁ। ଯିଏ ଦୁଷ୍ଟ ହୁଏ, କଥା ମାନେନା କି ପାଠ ପଢ଼େ ନାହିଁ , ତାକୁ ମାଷ୍ଟର ବାଡାନ୍ତି। ଯିଏ ଶାନ୍ତ, ଶିଷ୍ଟ ତାକୁ କାହିଁକି ବାଡେଇବେ? ତୁମେ ଦୁଷ୍ଟ କି?

 

ଟିମା ଏଥର ଲାଜରେ ତା’ ବାପା କୋଳରେ ମୁହଁ ଲୁଚେଇଲା। ନିଦ୍ଦେର୍ଶକ ଏଥର ନଖିଆକୁ ପଚାରିଲେ-ଲକ୍ଷ୍ମୀଧର! ତୁମେ ପ୍ରତି ଦିନ ଦି’ବେଳା ପେଟପୂରା ଖାଇବାକୁ ପାଅନା , ଦିନେ ଦିନେ ଉପାସ ରହିବାକୁ ପଡେ?

 

ନଖିଆ ଉତ୍ତର ଦେଲା- ଯୋଉ ଦିନ କାମ ନମିଳେ ସେ ଦିନ ଆମେ ସମସ୍ତେ ଭୋକରେ ରହୁ।

 

-ତୁମ ପିଲାମାନେ କ’ଣ ଭୋକରେ ରୁହନ୍ତି?

 

-ପେଜ ତୋରାଣି ଯାହା ମିଳେ ସେତକ ଛୁଆଙ୍କୁ ଦେଇ ଆମେ ପାଣି ପିଇ ଚଳେଇ ନେଉ।

 

-ବର୍ଷକୁ ଏମିତି କେତେ ଦିନ ତୁମକୁ ଉପାସ ରହିବାକୁ ପଡେ?

 

ନଖିଆ କିଛି ସମୟ ଅଟକିଗଲା। ବୋଧ ହୁଏ ମନେ ମନେ କିଛି ହିସାବ କରିବାକୁ ଲାଗିଲା। ତାପରେ ଛେପଢ଼ୋକି କହିଲା-କିଛି ଠିକ‌୍‍ ନାହିଁ ବାବୁ।

 

-ତେବେ ବର୍ଷକୁ ପଚିଶ, ତିରିଶ ଦିନରୁ ବେଶି ନା କମ‌୍‍ ଦିନ ଏମିତି ଉପାସ ରହିବାକୁ ପଡେ?

 

-ତାଠୁ ବେଶି।

 

-ତମେ କିଛି ବ୍ୟବସାୟ କରୁନା? ଆଜି କାଲି ସମସ୍ତଙ୍କୁ ବ୍ୟାଙ୍କ ଲୋନ‌୍‍ ଦେଉଛି।

 

-ଆମର ଜମିବାଡି କିଛି ନାହିଁ କି ଉପରେ ଆମର ଚିହ୍ନା ଜଣା କେହି ନାହଁନ୍ତି। ଆମକୁ କିଏ ଲୁନ‌୍‍ ଦବ?

 

ନିର୍ଦ୍ଦେଶକ ଏଥର ପ୍ରସଙ୍ଗ ବଦଳାଇ ପଚାରିଲେ-ଆଚ୍ଛା, ତୁମ ଜୀବନର ସ୍ୱପ୍ନ କ’ଣ?

 

ନଖିଆ ଉତ୍ତର ଦେଲା-ନାଇଁ ମୁଁ କେବେ ସପନ ଦେଖିନେଇଁ। ମୁଁ ଦିନଯାକ ହାଡଭଙ୍ଗା ଖଟଣି ଖଟି ଖଟି ସଂଜରେ ହାଲିଆ ହେଇ ଆସି ଶୋଇପଡେ। ଏକା କରକେ ରାତି ପାହିଯାଏ। ଉଠିଲା ବେଳକୁ ଖରା ପଡିଯାଇଥାଏ। ମୋତେ ନିଦ ପାଇଁ ରାତି ନିଅଣ୍ଟ ହୁଏ; ସପନ ପାଇଁ ରାତି ଆସିବ କୋଉଠୁ? ମୁଁ ପିଲା ଦିନେ କ’ଣ କ’ଣ ସପନ ଦେଖିଥିଲି ସେଗୁରା ମୋର ଆଉ ମନେ ନାହିଁ।

 

-ନା, ନା, ମୁଁ ସେ ସ୍ପପ୍ନ କଥା କହୁନାହିଁ। ମୁଁ ପଚାରୁଛି ଜୀବନରେ କ’ଣ କ’ଣ କରିବାକୁ ତୁମର ଆଶା ଅଛି? ଏଇ ଯେମିତି ଭଲ ଘର ତୋଳିବା, ଜମିବାଡି କିଣିବା, ସ୍ତ୍ରୀ ପାଇଁ ସୁନା ଗହଣା କିଣିବା, ପୁଅ ଝିଅଙ୍କୁ ମଣିଷ କରିବା ଇତ୍ୟାଦି..

 

ନଖିଆର ପେଟ ଭିତରୁ ହାବୁକାଏ କୋହ ଉଠିଆସୁଥିଲା। ସେ କୋହଟା ତା’ ନାହି ମୁଣ୍ଡାରୁ ଉଠୁଥିଲା। ତାକୁ ପେଟ ଭିତରେ ମାଡିବସି କହିଲା-ପେଟ ନିଆଁରେ ଆମର ସବୁ ଆଶା ଆଉ ସପନ ପୋଡି ପାଉଁଶ ହେଇ ଯାଉଚି। ଆମ ଆଖିରେ ସବୁବେଳେ ଗୋଟିଏ ସପନ-କାଲି ଆମ ପିଲାଏ କ’ଣ ଖାଇବେ? କୋଉଠୁ ଆଣିବି ଚାଉଳ, ତେଲ, ଲୁଣ , ଜିରା, ହଳଦୀ?

 

କ୍ୟାମେରାର ମୁହଁ ଏଥର ବୁଲିଲା ନଖିଆର ସ୍ତ୍ରୀ ମନ୍ଦି ଉପରକୁ। ତା’ ପାଖରେ ଠିଆ ହେଇଚି ତାର ଦଶ ବର୍ଷର ଝିଅ ସେବତୀ। ମନ୍ଦି ପିନ୍ଧିଚି ଶସ୍ତା, ମଇଳା, ଚିରା ବେଢ଼ାଣ ଖଣ୍ଡେ। ଦେହରେ ଶାୟା, ବ୍ଲାଉଜ କି ବ୍ରେସିୟର କିଛି ନାହିଁ। ଦେହରେ, ନାକରେ, କାନରେ, ବେକରେ କେଉଁଠି ହେଲେ କିଛି ଗହଣା ନାହିଁ। ଦୁଇ ହାତରେ କେବଳ ନାଲି ରଙ୍ଗର ପାଣି ଚୁଡି ଚାରି ପଟ। ତା’ ଉପରେ ଘର ଲିପା ମାଟିର ଗୋଟେ ପରସ୍ତ ବସିଯାଇଛି। ନାକ ଓ କାନର କ’ଣା ବନ୍ଦ ହୋଇଯିବା ଆଶଙ୍କାରେ ସେ କଣାରେ ଶୁଖିଲା ନିମ୍ୱକାଠି ଗଳା ଯାଇଛି।

 

ସେବତୀ ପିନ୍ଧିଛି ଚିରା, ମଇଳା ଫ୍ରକ ଖଣ୍ଡେ। ଦୁଇ ତିନି ଜାଗାରେ ଚିରି ଯାଇ ବୁଢ଼ିସିଆଁ କରାଯାଇଛି ମୋଟା ସୁତା, ଛୁଞ୍ଚିରେ।

 

ନିର୍ଦ୍ଦେଶକ ମେକ‌୍‍ଅପ‌୍‍ ମ୍ୟାନକୁ ଡାକି କହିଲେ ଏବେ ମନ୍ଦିକୁ ମେକ‌୍‍ଅପ‌୍‍‌୍‍ କରି ତା’ ଦେହ ମୁହଁକୁ ଅଧିକ ଦୁର୍ବଳ ଓ ଶିରାଳ କରିବା ପାଇଁ। କିନ୍ତୁ ମନ୍ଦି ସେଥିରେ ବାଧା ଦେଲା। ସିଏ ଦୃଢ଼ଭାବେ ପ୍ରତିବାଦ କଲାଯେ ସେ ତା’ ଦେହ ଓ ମୁହଁରେ କଳା ମାରିବ ନାହିଁ। ତାକୁ ମେକ‌୍‍ଅପ‌୍‍ ମ୍ୟାନ ଜବରଦସ୍ତ ମେକ‌୍‍ ଅପ‌୍‍ କରିବାକୁ ଯିବାବେଳେ ଦର୍ଶକମାନଙ୍କ ଭିତରୁ ହଠାତ‌୍‍ ଜଣେ ଯୁବକ ମେକ‌୍‍ଅପ‌୍‍ ମ୍ୟାନ ଆଡକୁ ମାଡି ଆସିଲା। ଯୁବକ ଜଣକ ଉଚ୍ଚ ଶିକ୍ଷିତ। ତାର ପୋଷାକ ପତ୍ର ଆଧୁନିକ ରୁଚିର। ସମସ୍ତଙ୍କୁ ବିସ୍ମିତ କରି ସେ ଯୁବକ ମେକ‌୍‍ଅପ‌୍‍ ମ୍ୟାନ ହାତରୁ ମେକଅପ‌୍‍ ସାମଗ୍ରୀ ଓ କ୍ୟାମେରା ମ୍ୟାନ ହାତରୁ କ୍ୟାମେରା ଛଡାଇ ନେଲା। ନିର୍ଦ୍ଦେଶକ ଓ ପ୍ରଯୋଜକ ଆତଙ୍କିତ ହେଲେ। ଅଧାରୁ ସୁଟିଙ୍ଗ ବନ୍ଦ‌୍‍ ହୋଇଗଲା।

 

ସିନେମା ସୁଟିଙ୍ଗ ଦେଖିବାକୁ ରୁଣ୍ଡହୋଇଥିବା ଗାଆଁ ଲୋକମାନେ କୌତୁହଳି ହୋଇ ପରବର୍ତ୍ତୀ ଦୃଶ୍ୟକୁ  ଉତ୍କଣ୍ଠିତ ହୋଇ ଅପେକ୍ଷାକଲେ। ଏବେ ସିନେମାରେ ଖଳନାୟକର ଆବିର୍ଭାବ ଘଟିଛି। ସିନେମା ଏଥର ଜମିବ।

 

ସରପଞ୍ଚ ପାଟିକରି ଉଠିଲେ-ଏ କ’ଣ ହେଉଛି ଶୁଭେନ୍ଦୁ! ଆରେ ତୁ ଇଏ କ’ଣ କରୁଛୁ? ଏମାନେ ସବୁ ଭଦ୍ରଲୋକ। ଆମ ଗାଆଁର ଆଉ ଆମ ଏ ଅଞ୍ଚଳର ଅତିଥି। ସେମାନଙ୍କ ସାଙ୍ଗରେ ଏମିତି କଳିଗୋଳ କରିବା ଭଲ କଥା ନୁହଁ।

 

ଶୁଭେନ୍ଦୁ ଗର୍ଜନ କଲା-ମୁଁ ପଚାରୁଚି ଇଏ କ’ଣ ହେଉଛି? ଏ ସବୁର ଫଟୋ ଉଠାଇବା ପାଇଁ ଏମାନଙ୍କୁ କିଏ ଅନୁମତି ଦେଲା?

 

-ତୁ ପିଲାଲୋକ କିଛି ବୁଝି ପାରିବୁ ନାହିଁ। ଏସବୁ ହେଉଛି ଆମ ଭଲ ପାଇଁ, ଆମ ଅଞ୍ଚଳର ଉନ୍ନତି ପାଇଁ।

 

-ହଁ, ହଁ, ମୁଁ ବେଶ‌୍‍ ଭଲଭାବରେ ଜାଣିଛି, ଏମାନେ ସବୁ ମତଲବୀ ସୌଦାଗର। ଦରିଆ ପାରି ବେପାର ଏମାନଙ୍କର।

 

ସରପଞ୍ଚ ଶୁଭେନ୍ଦୁ ପାଖକୁ ଲାଗିଆସି ତା’ କାନ ପାଖରେ ଫୁସଫୁସ‌୍‍ କଣ୍ଠରେ କହିଲେ-ଏମାନେ ତୁମ କ୍ଳବକୁ ପାଞ୍ଚ ହଜାର ଟଙ୍କା ଦେଇଛନ୍ତି।

 

ଶୁଭେନ୍ଦୁ ଅଧିକ ଉତ୍ତ୍ୟକ୍ତ ହୋଇ କହିଲା-ସେ ଟାଉଟରୀ କଥା ମୋ ଆଗରେ କୁହନା। ଏସବୁ ତୁମର ଫନ୍ଦି। ତୁମେ ନିଜେ କେତେ ହଜାର ଟଙ୍କା ପକେଇ ଓକିଲାତି କରୁଛ? ମନେରଖ, ତୁମ ଜାଲରେ ଗୋଡ ଗଳାଇବା ଲୋକ ମୁଁ ନୁହଁ।

 

ପ୍ରଯୋଜକ ଏଥର ଶୁଭେନ୍ଦୁକୁ ବୁଝାଇବାକୁ ଚେଷ୍ଟାକଲେ-ଆପଣ ଅମକୁ ଭୁଲ‌୍‍ ବୁଝନ୍ତୁ ନାହିଁ। ଆପଣଙ୍କ ଅଞ୍ଚଳର ଦାରିଦ୍ର୍ୟର ଫଟୋ ଉଠାଇ ଆମେ ଗୋଟିଏ ଡକୁମେଣ୍ଟାରୀ ସିନେମା କରିବୁ। ଏହି ସିନେମା ଜରିଆରେ ଆପଣଙ୍କ ଅଞ୍ଚଳର ଦାରିଦ୍ର୍ୟ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବୁ। ଫଳରେ ଏ ଅଞ୍ଚଳରୁ ଦାରିଦ୍ର୍ୟ ହଟାଇ ଏ ଅଞ୍ଚଳର ଉନ୍ନତି କରିବା ନିମନ୍ତେ ସରକାର ଯୋଜନା କରିବେ।

 

ଶୁଭେନ୍ଦୁ ଯୁକ୍ତି ବାଢ଼ିଲା-ଏ ସବୁ ଡାହାମିଛ, ସୁଦୁ ପ୍ରତାରଣା। ଆମ ଅଞ୍ଚଳକୁ କେତେ ମନ୍ତ୍ରୀ, କେତେ ପ୍ରଧାନମନ୍ତ୍ରୀ ଆଗରୁ ଆସିଛନ୍ତି। ଆମର ଅଭାବ ଅସୁବିଧା କଥା ପଚାରି ବୁଝିଛନ୍ତି। ଆମେ ସାହାଯ୍ୟ ପାଇବା ଆଶାରେ ଓ ଆମ ଅଞ୍ଚଳର ଉନ୍ନତି ଆଶାରେ ଆମ ଦେହର, ଆମ ଘରର ଚିରା ଫଟା ଜାଗାମାନ ଆମେ ସେମାନଙ୍କୁ ବାରମ୍ୱାର ଦେଖାଇଛୁ। କିନ୍ତୁ କି ଉନ୍ନତି ହୋଇଛି ଆମର? କିଏ ଆମ ପାଇଁ କ’ଣ କରିଛି?

 

ପ୍ରଯୋଜକ ଶୁଭେନ୍ଦୁକୁ କହିଲେ-ଆପଣ ଏତେଟା ଭାବପ୍ରବଣ ହୁଅନ୍ତୁ ନାହିଁ। କୌଣସି ଜାଗାରେ ରାତାରାତି ପରିବର୍ତ୍ତନ ହୋଇଯାଏ ନାହିଁ। ସବୁ ଧୀରେ,ଧୀରେ ହେବ। ହାଭ‌୍‍ ପେସେନ୍ସ।

 

-ମୁଁ ଆପଣମାଙ୍କ ମତଲବ ଜାଣିଛି। ଆମର ଭଙ୍ଗାରୁଜା ମାଟିଝାଟିର ଘର, ଶିରାଳ ଓ ଲୋଚାକୋଚା ଦୁର୍ବଳ ଶରୀର ସମ୍ୱଳିତ ଦାରିଦ୍ର୍ୟର ଚିତ୍ର ବିଦେଶରେ ବିକ୍ରିକରି  ଆପଣ କୋଟି, କୋଟି ଟଙ୍କାର ମୁନାଫା ନେବେ। ଆମେ ଗୋଟିଏ ଦରିଦ୍ର ଜାତି ବୋଲି ଦେଶ, ବିଦେଶରେ ପରିଚିତ ହେବୁ। ପ୍ରାଚୁଯ୍ର୍ୟରେ ଭାସୁଥିବା ଦେଶର ଲୋକମାନେ ଦୁଃଖ ଓ ଦାରିଦ୍ର୍ୟ କ’ଣ ଚିହ୍ନିବା ପାଇଁ ଏଇ ସିନେମା ଦେଖିବେ ଆଉ ଉପଭୋଗ କରିବେ।

 

ପ୍ରଯୋଜକ ଏଥର ଶୁଭେନ୍ଦୁକୁ ଚଢ଼ାଗଳାରେ କହିଲେ-ମୁଁ ଭାବଛି କୌଣସି ରାଜନୀତିବାଲା ଆପଣଙ୍କୁ ବିଭ୍ରାନ୍ତ କରିଛି। ରାଜନୀତିବାଲାଙ୍କ ଘୋଷା ଡାଇଲଗ ଆପଣ ଏଠି ଝାଡୁଛନ୍ତି।

 

ଶୁଭେନ୍ଦୁ ଉତ୍ତର ଦେଲା-ରାଜନୀତିବାଲାଙ୍କ କଥା କହି ଏହାକୁ ଆପଣ ରାଜନୈତିକ ରଙ୍ଗ ଦେବାକୁ  ଚେଷ୍ଟା କରୁଛନ୍ତି। ମୁଁ ଏଠି ଏ ସିନେମା ସୁଟିଙ୍ଗ କରାଇ ଦେବି ନାହିଁ।

 

ଏମିତି ଗଣ୍ଡଗୋଳ ଚାଲିଥିବା ବେଳେ ନଖିଆ ଆସି ପ୍ରଯୋଜକଙ୍କୁ କହିଲା-ମତେ ମୋ ଟଙ୍କା ଦିଅନ୍ତୁ ହଜୁର।

 

ପ୍ରଯୋଜକ ନଖିଆକୁ ବୁଝାଇଲେ- ତମେତ ଦେଖୁଚ ଗଣ୍ଡଗୋଳ ହେଲା। ସୁଟିଙ୍ଗ ଅଧାରେ ଅଟକି ଗଲା। ଏମିତି ଅଧାରୁ ବନ୍ଦ‌୍‍ ହେଲେ ଆମର ସବୁ କାମ ବେକାର ହୋଇଯିବ। ତମକୁ ମୁଁ କେମିତି ଟଙ୍କା ଦେବି?

 

ନଖିଆ କାନ୍ଦିଲା। ଟଙ୍କା ନଦେଲେ ତା ଛୁଆ,ପିଲା ଆଜି କ’ଣ ଖାଇବେ?

 

ଶୁଭେନ୍ଦୁ ନଖିଆ ଉପରେ ବିରକ୍ତ ହେଲା-ଏମାନଙ୍କ ପାଖରେ ପେଟ ଦେଖାଇଲେ ତୋ ପେଟ ପୂରିବ ନାହିଁ ନଖିଆ। ତୁ ଏମାନଙ୍କୁ ଚିହ୍ନି ନାହଁୁ। ଏମାନେ ତୋଠୁ ଆହୁରି ଅଧିକ ଭୋକିଲା। ଏମାନଙ୍କ ପେଟରେ ସର୍ବଗ୍ରାସୀ ଭୋକର ନିଆଁ ଜଳୁଛି। ଏମାନେ ଜାଲ ବିଛାଇଛନ୍ତି ଏଦେଶ ସାରା। ଆମେ ନିରାପଦରେ ପାଦ ଥାପିବାକୁ ଏଠି ତିଳାର୍ଦ୍ଧ ସ୍ଥାନ ନାହିଁ। ଏଠି, ସେଠି ସବୁଠି ଏମାନଙ୍କର ଜାଲର ଫାନ୍ଦ ଆଁ କରି ରହିଛି। ଏମାନେ ସାରା ଦେଶକୁ ଖାଇସାରି ଏବେ ଅଣ୍ଟି ପାତିଛନ୍ତି ବିଦେଶ ଭୂଇଁରେ।

 

ପ୍ରଯୋଜକ ଅତି ଉତ‌୍‍କ୍ଷିପ୍ତ ହୋଇ ଶୁଭେନ୍ଦୁକୁ ଆକ୍ରମଣ କଲେ-ଏ ସବୁ ବାଜେକଥା ବନ୍ଦ‌୍‍କର। ତୁମେ କିଏ? ଆମେ ଲକ୍ଷ୍ମୀଧର ଆଉ ତା’ଘରର ଫଟୋ ଉଠାଇବୁ। ତମର ସେଥିରେ କ’ଣ ଯାଏ ଆସେ? ସିଏ ଟଙ୍କା ନେବ ଆଉ ଆମ ଫିଲ୍ମରେ କାମ କରିବ। ସିଏ ରାଜି ହୋଇଛି ବୋଲି ଆମେ ତା’ ଦୁଆରକୁ ଆସିଛୁ। ତମେ ବାଧା ଦେବାକୁ କିଏ?

 

ଶୁଭେନ୍ଦୁ ପ୍ରତିଆକ୍ରମଣ କଲା-ଠିକ‌୍‍ ଅଛି। ମୁଁ ଆପଣଙ୍କ କଥା ମାନିଲି। ଲକ୍ଷ୍ମୀଧର ଆପଣଙ୍କ ଫିଲ୍ମରେ କାମ କରୁଛି। ସିଏ ଆପଣଙ୍କ ଫିଲ୍ମର ହିରୋ ଆଉ ତା ସ୍ତ୍ରୀ ମନ୍ଦାକିନୀ ହିରୋଇନ। ସେମାନଙ୍କ ପ୍ରାପ୍ୟ କ’ଣ ଜମା ହଜାରେ, ବାରଶ ଟଙ୍କା? ଦେଉ ନାହାଁନ୍ତି ତାକୁ ୪୦ ହଜାର କି ୫୦ ହଜାର ଟଙ୍କା?

 

ସରପଞ୍ଚ ଯୁକ୍ତି କଲେ- ତୋର ସେଥିରେ କ’ଣ ଅଛି? ତୁ କ’ଣ ଏ ଗାଆଁର ମାଲିକ? ତୁ କାଇଁକି ଏତେ କଥାରେ ମୁଣ୍ଡ ପୂରାଉଛୁ? ସାର‌୍‍ ! ଏ ଶୁଭେନ୍ଦୁ କଥାରୁ କ’ଣ ପାଇବେ ? ନ଼ଖିଆ ରାଜି। ସୁଟିଙ୍ଗ ପୁଣି ଚାଲୁ କରନ୍ତୁ।

 

ପୁଣି ଥରେ ସୁଟିଙ୍ଗ କରିବା ପାଇଁ ନିର୍ଦ୍ଦେଶକ ଓ କ୍ୟାମେରାମ୍ୟାନ ସଜବାଜ ହେଲା ବେଳେ ଶୁଭେନ୍ଦୁ ଠେଙ୍ଗାଟାଏ  ଧରି ସେମାନଙ୍କୁ ଗୋଡେଇଲା-କିଏ ଆସୁଚ ଆସ। ଯିଏ ସୁଟିଙ୍ଗ କରିବ ତାକୁ ଏ ଠେଙ୍ଗାରେ ପିଟି ପିଟି ତା’ ମୁଣ୍ଡ ଛତୁ କରି ଦେବି।

 

ନିର୍ଦ୍ଦେଶକ, ପ୍ରଯୋଜକ, କ୍ୟାମେରା ମ୍ୟାନ, ମେକ‌୍‍ଅପ‌୍‍ ମ୍ୟାନ ଓ ସରପଞ୍ଚ ସମସ୍ତେ ପ୍ରାଣ ଭୟରେ ପଳାଇ ଗଲେ। ଠେଙ୍ଗାଟା ଧରି ଶୁଭେନ୍ଦୁ ଗର୍ଜ୍ଜ୍ଜନ କରୁଥାଏ।

 

ନଖିଆ କାନ୍ଦି କାନ୍ଦି ଶୁଭେନ୍ଦୁକୁ ପଚାରିଲା-ତମେତ ସେମାନଙ୍କୁ ତଡିଦେଲ, ମୋ ଟଙ୍କା କିଏ ଦେବ? ମୋ ପିଲାଛୁଆ ଆଜି କ’ଣ ଖାଇବେ? ଦେଇ ପାରିବ ହଜାରେ ଟଙ୍କା? ପାଞ୍ଚ ଶହ ଟଙ୍କା? ତିନି ଶହ ଟଙ୍କା?

 

ଶୁଭେନ୍ଦୁ ମୁହଁ ତଳକୁ କରି ଠିଆ ହୋଇଥିଲା। ଉତ୍ତେଜନାରେ ତା’ ଦେହ ଥରୁଥିଲା। ନଖିଆ ତାକୁ ଛିଗୁଲେଇ କି କହୁଥିଲା-ତମେ କିଛି ଦେଇ ପାରିବ ନାହିଁ, ଖାଲି ବଡ ବଡ କଥା କହିବ। ଦେଶ ବିଦେଶ କଥାରୁ ମୁଁ ମୁରୁଖ ଲୋକ କ’ଣ ବୁଝିବି? କ’ଣ ପାଇବି? ମୋର ଟଙ୍କା ଦରକାର। ମୋ ଘରେ ଦିଇ ଦିନ ହେଲା ଚୁଲି ଜଳିନେଇଁ। ମୋ ପିଲାଙ୍କ ପେଟକୁ ଦାନା ଦେବାପାଇଁ ଆଉ ପିଠିକି କନା ଦେବା ପାଇଁ ମୋର ଟଙ୍କା ଦରକାର। ମୋ ପାଖରେ ଦେଶର ଡାକଠୁ ପେଟର ଡାକ ବଡ। ମୁଁ କେତେ ଆଶା କରିଥିଲି ଶହେ ଦୁଇ ଶହ ନୁହଁ ଦେଢ଼ ହଜାର ଟଙ୍କା ପାଇବି। ମୋ ଛୁଆଙ୍କ ପାଇଁ ନୂଆ ଜାମା ପେଣ୍ଟ କିଣିବି। ମୋ ତିରିଲା ପାଇଁ ନୂଆ ବେଢ଼ାଣ କିଣିବି। ସବୁ ଯେମିତି ହାତରେ ଧରାଦେଇ ହାତରୁ ଖସିଗଲା। ତମେ କାଇଁକି ଏମିତି କଲ କୁହ ବାବୁ?

 

ନଖିଆ, ମନ୍ଦି ଓ ତାର ପିଲାମାନେ ଏକ ସ୍ୱରରେ ବଡ଼ ପାଟିରେ କାନ୍ଦି ଉଠିଲେ। ଶୁଭେନ୍ଦୁ ହାତରୁ ଠେଙ୍ଗାଟା ତଳେ ପକାଇ ଦେଇ ପାଦ ଘୋଷାରି ଘୋଷାରି ଧୀରେ ଧୀରେ ଗାଆଁ ଭିତରକୁ ଫେରି ଯାଉଥିଲା। ସିଏ ସ୍ଥିର କରି ପାରୁନଥିଲା ସିଏ ଯାହା କଲା ଠିକ‌୍‍ କଲା ନା ଭୁଲ‌୍‍ କଲା। ନଖିଆ, ତା’ ସ୍ତ୍ରୀ ମନ୍ଦି ଏବଂ ତା’ଛୋଟ ପିଲା ଦୁଇଟିଙ୍କର ବିକଳ କାନ୍ଦଣା ତା’କାନରେ ପିଟି ହେଉଥିଲା।

 

ପ୍ଲଟ ନଂ: ଜି.ଏ-୧୯୬, ଆନନ୍ଦ ଭବନ,

ଜି.ଏ. କଲୋନୀ ଭରତପୁର, ପୋ: ମହାଲକ୍ଷ୍ମୀ ବିହାର, ଭୁବନେଶ୍ୱର-୭୫୧୦୨୯,

ମୋବାଇଲ ଫୋନ ନଂ-୯୪୩୭୧୦୬୮୯୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top