ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା

News Story - Posted on 2017-05-27

କେ.ଭି. ଭେଂଙ୍କଟସୁବ୍ରମଣ୍ୟନ‌୍‍

 

ସ୍ୱାସ୍ଥ୍ୟଯତ୍ନ କ୍ଷେତ୍ରରେ ଭାରତର ପ୍ରଗତି ଉଲ୍ଲେଖନୀୟ। ପୂର୍ବ ବର୍ଷଗୁଡିକ ତୁଳନାରେ ଭାରତ ବର୍ତ୍ତମାନ ଏକ ସୁସ୍ଥ ରାଷ୍ଟ୍ର ରୂପେ ଆତ୍ମ ପ୍ରକାଶ କରିଛି। ପୋଲିଓ, ବସନ୍ତ ଏବଂ ଗିନିକୃମି ପରି ଅନେକ ରୋଗକୁ ସଂପୂର୍ଣ୍ଣ ନିରାକରଣ କରାଯାଇ ପାରିଛି। ଏହା ବ୍ୟତୀତ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର କୁ ମଧ୍ୟ ପୂର୍ବ ତୁଳନାରେ ନିୟନ୍ତ୍ରଣ କରାଯାଇ ପାରିଛି। ଏହା ଛଡା ଯକ୍ଷ୍ମା, ମାଲେରିଆ, ଏଚ. ଆଇ.ଭି ସଂକ୍ରମଣ ଏବଂ ଏଡସ‌୍‍ ରୋଗ ଜନିତ ମୃତ୍ୟୁ ହାରକୁ ମଧ୍ୟ ହ୍ରାସ କରାଯାଇ ପାରିଛି।

 

ସ୍ୱାସ୍ଥ୍ୟସେବା ହେଉଛି ଏକ ବିଶାଳ କ୍ଷେତ୍ର। ସରକାରୀ ଓ ଘରୋଇ କ୍ଷେତ୍ରରେ ସ୍ୱାସ୍ଥ୍ୟସେବାର ପରିସର  ବ୍ୟାପକ କରାଯାଇ ଏଥି ନିମନ୍ତେ ବ୍ୟୟବୃଦ୍ଧି କରାଯିବା ଦ୍ୱାରା ଏ କ୍ଷେତ୍ରରେ ଦ୍ରୃତ ଗତିରେ ବିକାଶ ହୋଇ ପାରିଛି। ତେବେ ସାମାଜିକ ପରିବର୍ତନ ଏବଂ ବୃଦ୍ଧି ପାଉଥିବା ସହରୀ କରଣ, ଯୋଗୁଁ ହୃଦ‌୍‍ରୋଗ, ମଧୁମେହ ଓ କର୍କଟ ପରି ଅଣ ସଂକ୍ରାକମ ରୋଗ ବଢିଛି।  ଦେଶରେ ବୟସ୍କଙ୍କ ସଂଖ୍ୟା ବଢିବା ଫଳରେ ୨୦୨୫ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ୧୧ ପ୍ରତିଶତ ବୟସ୍କ ହୋଇଯିବେ। ଯାହା ଫଳରେ ଉଚ୍ଚ ଗୁଣବତ୍ତା ସଂପନ୍ନ ସ୍ୱାସ୍ଥ୍ୟ ସେବାର ଚାହିଦା ବୃଦ୍ଧି ପାଇବ। ତେଣୁ ସ୍ୱାସ୍ଥ୍ୟସେବା କ୍ରମଶଃ ଖର୍ଚ୍ଚ ବହୁଳ ହେଉଥିବା ଅଣୀବୀମାଭୁକ୍ତ ଲୋକେ ଅଧିକ ଖଚ୍ଚାର୍ନ୍ତ ହେବେ।

 

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ଅସଂଗତି ଦୂର କରିବା ସହ ଏହାର  ଭିତ୍ତିଭୂମିରେ ଉନ୍ନତ ଆଣିବା ପାଇଁ ସରକାର ନିକଟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ଘୋଷଣା କରିଛନ୍ତି।  ସାର୍ବଭୌମିକ ସ୍ୱାସ୍ଥ୍ୟ ସେବାର ଲକ୍ଷ୍ୟ ହାସଲ କରିବା ହେଉଛି  ଏହାର ଉଦ୍ଦେଶ୍ୟ। ଫଳରେ ସମସ୍ତଙ୍କୁ ଉଚିତ ମୂଲ୍ୟରେ  ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ।

 

ଚିକିତ୍ସାଖର୍ଚ୍ଚ ହ୍ରାସ କରି ଏହାର ମାନ ଓ ଗୁଣବତ୍ତାରେ ଉନ୍ନତି ଆଣି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଁଚାଇବା ହେଉଛି  ଏହି ନୀତିର ଉଦ୍ଦେଶ୍ୟ। ପୂର୍ବ ତୁଳନାରେ ଏହି ନୀତିରେ ଏକ ବଡ ଧରଣର ପରିବର୍ତ୍ତନ ଅଣାଯାଇଛି। ତାହା ହେଲା ସ୍ୱାସ୍ଥ୍ୟସେବାର ପରିସର ବୃଦ୍ଧି କରାଯାଇ ଏ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ସାମିଲ କରିବା। ଏକ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ୟାକେଜ ଉପଲବ୍ଧ କରାଇବା ହେଉଛି ସ୍ୱାସ୍ଥ୍ୟନୀତିର ଲକ୍ଷ୍ୟ। ଯଦ୍ୱାରା ଅଣ ସଂକ୍ରାମକ ରୋଗ, ମାନସିକ ସ୍ୱାସ୍ଥ୍ୟ, ବାର୍ଦ୍ଧକ୍ୟ ଚିକିତ୍ସା, ଅପରେସନ‌୍‍ ଏବଂ ପୁର୍ନବାସ ସେବା ଆଦିକୁ ସାମିଲ କରାଯାଇଛି। 

 

ଏହି ନୂତନ ସ୍ୱାସ୍ଥ୍ୟ ନୀତିରେ ପ୍ରାଥମିକ ସେବା କ୍ଷେତ୍ରରେ ଦୁଇ ତୃତୀୟାଂଶ ସମ୍ୱଳ ଖର୍ଚ୍ଚ କରାଯିବ। ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାରୀ ଖର୍ଚ୍ଚ ଜିଡିପିର ୧.୧୫ ପ୍ରତିଶତ ରହିଛି। ୨୦୨୫ ସୁଦ୍ଧା ଏହାକୁ ୨.୨୫ ପ୍ରତିଶତକୁ ବୃଦ୍ଧି କରାଯିବ। ଏହି ନୂତନ ନୀତିରେ ରୋଗର ବୋଝ ଏବଂ ମାନବ ସମ୍ୱଳର ଉପଲବ୍ଧତା ପାଇଁ ଚ୍ୟାଲେଂଜର  ମୁକାବିଲା ବଧ୍ୟ କରାଯାଇ ପାରିବ। ଗତ ୧୫ ବର୍ଷ ମଧ୍ୟରେ ହ୍ରାସ ପାଇଥିବା ବଡ ଧରଣର ରୋଗ ଏବଂ ରୋଗର ପ୍ରକୃତି ଓ ଲକ୍ଷଣ ଉପରେ ବଡ ପରିବର୍ତ୍ତନ ଆଣିବାକୁ ଏହି ନୀତିରେ ବିଚାର କରାଯାଉଛି। ୨୦୧୭ ସୁଦ୍ଧା କଳାଜ୍ୱର, ୨୦୧୮ ସୁଦ୍ଧା କୁଷ୍ଠ ରୋଗ ଏବଂ ଏକ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଜରିଆରେ ୨୦୨୫ ସୁଦ୍ଧା ଯକ୍ଷ୍ମା ଆଦି କେତେକ ରୋଗର ମୂଳୋତ୍ପାଟନ ନିମନ୍ତେ ଏହି ନୂତନ ସ୍ୱାସ୍ଥ୍ୟନୀତିରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖାଯାଇଛି। ଏହା ଛଡା ୨୦୩୦ ସୁଦ୍ଧା ମାଲେରିଆ ରୋଗର ପ୍ରସାରକୁ ରୋକିବା ପାଇଁ ସରକାର  ବିଚାର କରୁଛନ୍ତି।

 

ସାର୍ବଜନୀନ ଟୀକାକରଣ, ମିଶନ ଇନ୍ଦ୍ରଧନୁଷ, ଲାଭାର୍ଥୀଙ୍କ ସଂଖ୍ୟା, ଟୀକାର ଗୁଣବତ୍ତା ଏବଂ ଟୀକାକରଣର ସଂଖ୍ୟା, ଭୌଗୋଳିତ ବିସ୍ତାର ଏବଂ ବିଭିନ୍ନ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ହେଉଛି ସରକାରଙ୍କ ଏକ ବଡ କାର୍ଯ୍ୟକ୍ରମ। ଏହି ସଂପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମରୁ ଏପରିକି ଦୁର୍ଗମ ଅଂଚଳର କୌଣସୀ ଶିଶୁ ଯେପରି ବାଦ ନପଡନ୍ତି। ତାହା ହେଉଛି ୨୦୧୪ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଛ’ଟି ଟୀକା ପ୍ରଦାନ ସହ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କୁ ୧୧ଟି ମାରାତ୍ମକ ରୋଗ କବଳରୁ ରକ୍ଷା କରିପାରୁଛି। ଯେପରି  ରୋଟୋଭାଇରସ ଡାଇରିଆରୁ ବଂଚାଇବା ପାଇଁ ନୂଆ ଟୀକା, ହେମୋଫିଲସ ଏନ‌୍‍ଫ୍ଲ୍ୟୁଏଂଜା ଟାଇପ ବି  ଏଚଆଇବି ନିମୋନିଆ ଏବଂ ମେନିନଜାଇଟିସ  ଏବଂ ନ୍ୟୁମୋକୋବିଲ କଂଜ୍ୟୁଗେଟ ଟୀକା ଆଦି ଅନ୍ତର୍ଭୁକ୍ତ।

 

କାର୍ଯ୍ୟକ୍ରମ ଆରମ୍ଭରୁ ଏ ପର୍ଯ୍ୟନ୍ତ ୨.୧୪ କୋଟି ଶିଶୁ ଓ ପାଖାପାଖି ୫ ଲକ୍ଷ ୬୦ ହଜାର ଗର୍ଭବତୀ ମହିଳାଙ୍କୁ ଟୀକା ଦିଆଯାଇ ପାରିଛି। ଗତ ଦୁଇ ବର୍ଷ ମଧ୍ୟରେ ନିୟମିତ ଟୀକା କରଣର ହାର ବାର୍ଷୀକ ୫.୭ ପ୍ରତିଶତ ବୃଦ୍ଧି ହୋଇ ପାରିଛି। ଯାହାକି ଗତ ଏକ ଦଶଦ୍ଧି ମଧ୍ୟରେ ମାତ୍ର ୧ ପ୍ରତିଶତ ଥିଲା।

 

ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ‌୍‍ ଏଚ‌୍‍ ଏମ‌୍‍) ଜରିଆରେ ମହିଳା, ନବଜାତ ଶିଶୁ ଏବଂ କିଶୋର କିଶୋରୀମାନଙ୍କ  ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ନେବା  ଫଳରେ ପ୍ରସବ କେନ୍ଦ୍ରଗୁଡିକରେ ଜନ୍ମ ନେଉଥିବା ପିଲାଙ୍କ ସଂଖ୍ୟା ଗତ ଏକ ଦଶନ୍ଧି ତୁଳନାରେ ୪୦.୨ ପ୍ରତିଶତ ବୃଦ୍ଧି ପାଇଛି।

 

ଏହି କାର୍ଯ୍ୟକ୍ରମରେ ଜନନୀ ସୁରକ୍ଷା ଯୋଜନା (ଜେଏସ‌୍‍ୱାଇ)କୁ ଅନ୍ତଭୁର୍କ୍ତ କରାଯାଇଛି। ଯେଉଁଥିରେ କି ନଗତ ଅର୍ଥର ସିଧା ଅନ୍ତରଣକୁ ସାମିଲ କରାଯାଇଛି। ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ (ଜେଏସ‌୍‍ଏସ‌୍‍କେ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଜରିଆରେ ପ୍ରସବ ପରବର୍ତ୍ତୀ ସେବା ଯୋଗାଇ ଦିଆଯାଉଛି। ଜେଏସ‌୍‍ଏସକେ କାର୍ଯ୍ୟକ୍ରମ ଜରିଆରେ ଯେ କୌଣସି ସରକରୀ ପ୍ରସବ କେନ୍ଦ୍ରରେ ଜନ୍ମ ଦେଉଥିବା ପ୍ରତ୍ୟେକ ମହିଳାଙ୍କୁ ମାଗଣା  ଏବଂ ନଗତ ବିହୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ନବଜାତ ଶିଶୁମାନଙ୍କୁ ଲଗାତର ସେବା ଯୋଗାଇ ଦେବା  ଉପରେ ଗୁରୁତ୍ୱ ଦିଆଯାଉଛି।

 

ହସପିଟାଲଗୁଡିକରେ ଶସ୍ତା ଔଷଧ ଉପଲବ୍ଧ କରାଇବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଖୁବ‌୍‍ ଶୀଘ୍ର ଏକ ଆଇନଗତ ଢାଂଚା ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି। ଏହି ନିୟମ ବଳରେ ଚିକିତ୍ସକ ମାନେ ନିୟମିତ ଭାବେ ଏପରି ଓୗଷଧ ସୁପାରିସ କରିବେ, ଯାହାକି ଅନ୍ୟ ବ୍ରାଣ୍ଡେଡ‌୍‍ ଓୗଷଧ ତୁଳନାରେ ଶସ୍ତା ହୋଇଥିଲା।

 

ପ୍ରଥମ ପର୍ଯ୍ୟାୟରେ ଏହି ପରି ୭୦୦ ଓୗଷଧର ସର୍ବୋଚ୍ଚ ଦର ନିର୍ଦ୍ଧାରଣ କରାଯାଇଛି। ଗରୀବ ଶ୍ରେଣୀର ଲୋକେ ଗମ୍ଭୀର ରୋଗରୁ ବର୍ତ୍ତିବା ପାଇଁ ଏହି ଓୗଷଧ ପାଇ ପାରିବେ। ଏହି ନିୟମ ଅନୁସାରେ ବଜାରରେ ଯେଉଁ ଓୗଷଧର ଦାମ ୧,୨୦୦  ଟଙ୍କା ତାହା ମାତ୍ର ୭୦ ରୁ ୮୦ ଟଙ୍କା ମଧ୍ୟରେ ମିଳିପାରିବ। ହୃଦ‌୍‍ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ଷ୍ଟେନ୍ଟର ସର୍ବାଧିକ ମୂଲ୍ୟ ସରକାର ସ୍ଥିର କରିଛନ୍ତି।

 

ନିକଟରେ ସରକାର ଏଚଆଇଭିର ପରୀକ୍ଷା ଏବଂ ଚିକିତ୍ସା ପାଇଁ ଏକ ନୀତି ପ୍ରଣୟନ କରିଛନ୍ତି। ଏହି ପରୀକ୍ଷା ଦ୍ୱାରା ଯେଉଁ ବ୍ୟକ୍ତି  ଏଚଆଇଭି-ଏଡସ‌୍‍ ରୋଗ ଗ୍ରସ୍ତ  ବୋଲି ଜଣାପଡିବ ତାକୁ ଆଂଟି ରେଟ୍ରୋଭାଇଗଲ ଚିକିତ୍ସା ଯୋଗାଇ ଦିଆଯିବ। ଏହା ଦ୍ୱାରା ଏହି ଧରଣର ରୋଗୀ ବିଶେଷ କରି ଯକ୍ଷ୍ମାରୋଗୀଙ୍କୁ  ଉତ୍ତମ ଜୀବନ ଯାପନ ଏବଂ ସଂକ୍ରମଣରୁ ରକ୍ଷା କରିବା ପାଇଁ ସହଯୋଗ ମିଳି ପାରିବ।

 

ଏଡସ‌୍‍ ନିରାକରଣ ପାଇଁ ସରକାର ଖୁବ ଶୀଘ୍ର ଆସନ୍ତା ସାତ ବର୍ଷ ମଧ୍ୟରେ ଏଚଆଇଭି ନିମନ୍ତେ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏଡସ‌୍‍ ସହ ଲାଗି ରହିଥିବା ବଦନାମ ଓ ଭେଦ ଭାବକୁ ସମାପ୍ତ କରିବା ନିମନ୍ତେ ସରକାର ନିକଟରେ ଏଚ ଆଇ ଭି/ ଏଡ୍ସ ଆଇନ ଗୃହୀତ କରାଇଛନ୍ତି। ଏହା  ଏକ ଏୗତିହାସିକ ପଦକ୍ଷେପ। କାରଣ ଏଚଆଇଭି ରୋଗଗ୍ରସ୍ତ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ କେତେକ ନିର୍ଦ୍ଦିଷ୍ଟ ଦେଶରେ ଏପରି ଆଇନ ରହିଛି।

 

ସ୍ୱାସ୍ଥ୍ୟ ନୀତିରେ ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ଫଳରେ ଏହାକୁ ଗ୍ରହଣ କରୁଥିବା ଲୋକଙ୍କୁ ଯେପରି ହସପିଟାଲ ଦୌଡ଼ିବାକୁ ପଡିବ ନାହିଁ। ରୋଗରୁ ବର୍ତ୍ତିବା ହେଉଛି ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ। କାରଣ ଦୂଷିତ ପରିବେଶରେ ରହୁଥିବା ଲୋକ ଅଧିକ ମାତ୍ରାରେ ରୋଗ ଗ୍ରସ୍ତ ହୋଇଥାନ୍ତି। ପରିଚ୍ଛନ୍ନତାକୁ ଅଭ୍ୟାସରେ ପରିଣତ କରିବା ହେଉଛି ଉଦ୍ଦେଶ୍ୟ। ଏହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ହେବା ସହ ରୋଗ ନିୟନ୍ତ୍ରଣ କରିବା ସମ୍ଭବ ହେବ। ଦୂଷିତ ପାଣି, ଦୂଷିତ ପରିବେଶ ଯୋଗୁଁ ବିଶ୍ୱରେ ପ୍ରତିବର୍ଷ ୧୭ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ଏମାନଙ୍କ ମଧ୍ୟରେ ୬ ଲକ୍ଷ ହେଉଛନ୍ତି ଭାରତୀୟ ଭାରତ ପାଇଁ ସ୍ୱଚ୍ଛ ଭାରତ ଅଭିଯାନର ଯଥେଷ୍ଟ ମହତ୍ୱ ରହିଛି। ଏହା ଦ୍ୱାରା ଦୂଷିତ ପରିବେଶ ଜନିତ ମୃତ୍ୟୁକୁ ରୋକାଯାଇ ପାରିବ।

 

ସାର୍ବଜନୀନ ସଫାଇ ଲକ୍ଷ୍ୟ ହାସଲ ପାଇଁ ୨୦୧୪ ଅକ୍ଟୋବର ୨ ଠାରୁ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ଉଦ୍ଦେଶ୍ୟ ୨୦୧୯ ସୁଦ୍ଧା ଭାରତୀୟ ସହରଗୁଡିକୁ ଖୋଲା ଶୌଚମୁକ୍ତ ବେଶରେ ପରିଣତ କରିବା। ଏଥିସହ ଦେଶର ୪,୦୪୧ ପୌର ପାଳିକାରେ ଆବର୍ଜନାକୁ ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ମୁକାବିଲା କରିବା। ପରିସ୍କାର- ପରିଚ୍ଛନ୍ନତା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top