ଚାଷୀ ପାଉନି ଉଦ୍ୟାନ କୃଷି ସହାୟତା

News Story - Posted on 2017-05-27

ହେମାଙ୍ଗ ପ୍ରସାଦ ରାଉଳ

 

ସରକାର କୃଷି କ୍ଷେତ୍ର ଏବଂ କୃଷକର ଉନ୍ନତି ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାରଙ୍କ ପକ୍ଷରୁ ହାତକୁ ନିଆଯାଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନାଗୁଡ଼ିକ କିଛି କୃଷି ବିଭାଗ ଏବଂ କିଛି ଉଦ୍ୟାନ କୃଷି ବିଭାଗ ଦ୍ୱାରା କରିଥାନ୍ତି। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଫଳ, ପନିପରିବା, ମସଲା ଜାତୀୟ ଗଛ, ଓୗଷଧୀୟ ବୃକ୍ଷ ପ୍ରଭୃତିର ଉନ୍ନତ କିସମର ଚାରା ବିଭାଗ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଛି। ସେହିଭଳି ଏହି ଚାରାଗୁଡ଼ିକର କିଭଳି ଭାବେ ଯତ୍ନ ନିଆଯିବ ଏବଂ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେ ସଂପର୍କରେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଉତ୍ପାଦିତ ଫଳ ଏବଂ ପନିପରିବାକୁ ଉପଯୁକ୍ତ ବଜାର ଯେଗାଇବା ଏବଂ ଚାଷୀମାନେ ସେମାନଙ୍କ ପରିଶ୍ରମର ପ୍ରକୃତ ମୂଲ୍ୟ କିଭଳି ପାଇପାରିବେ ସେଦିଗରେ ଏମାନଙ୍କୁ ବିଭାଗ ପକ୍ଷରୁ ସହାୟତା ଏବଂ ବ୍ୟବସ୍ଥା କରାଯାଇଥାଏ।

 

ଗଂଜାମ ଜିଲ୍ଲାରେ ଆମ୍ୱ ଓ କାଜୁ ଉତ୍ପାଦନ ଭଲ ହେଉଥିବା ସ୍ଥଳେ ଏଗୁଡ଼ିକ ବାହାରେ ମଧ୍ୟ ଚାହିଦା ରହିଥିବା ଜଣାପଡ଼ିଛି। ତେବେ ଏଠାରେ ସମୁଦ୍ର ନିକଟରେ ରହିଥିବାରୁ ବିଭିନ୍ନ ସମୟରେ ବାତ୍ୟାର ସମ୍ଭବନା ତଥା ପବନ କାରଣରୁ କଦଳି ଚାଷ ବିଶେଷ ଭଲ ହୁଏନାହିଁ। ତେଣୁ ଚାଷୀମାନେ ଏହିଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାଁନ୍ତି। ଯାହାଫଳରେ ବିଭାଗ ପକ୍ଷରୁ ଚାଷୀମାନେ ଛୋଟ କଦଳୀ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯାଉଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ଆମ୍ୱ ଏବଂ କାଜୁ ବିଶ୍ୱ ବଜାରକୁ ଛୁଇଁପାରୁଥିବା ସ୍ଥଳେ ଅନ୍ୟ ଫଳ ମଧ୍ୟରେ ସପୁରୀ, ଡ଼ାଳିମ୍ୱ, ଅମୃତଭଣ୍ଡା, ପିଜୁଳି ପ୍ରଭୃତିର ବଗିଚା ପ୍ରତିଷ୍ଠା ପାଇଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି। ହେକ୍ଟର‌୍‍ ପ୍ରତି ସାଧାରଣ ଆମ୍ୱ ପାଇଁ ୩ ବର୍ଷରେ ୧୨୭୫୦ ଟଙ୍କା, ସଘନ ଆମ୍ୱ ପାଇଁ ୩ ବର୍ଷରେ ୧୬୪୦୦ ଟଙ୍କା, କାଜୁ ପାଇଁ ୩ ବର୍ଷରେ ୨୦୦୦୦ ଟଙ୍କା, ଡ଼ାଳିମ୍ୱ ପାଇଁ ୨୪ ହଜାର ଟଙ୍କା, ସପୁରୀ ପାଇଁ ୨ କିସ୍ତିରେ ୩୫ ହଜାର ଟଙ୍କା, ଅମୃତଭଣ୍ଡା ପାଇଁ ୩ ବର୍ଷରେ ୩୦ ହଜାର ଟଙ୍କା ଏବଂ ପିଜୁଳି (ସଘନ)ପାଇଁ ୨୦୬୬୦ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି। ସରକାରଙ୍କ ପକ୍ଷରୁ ନଡ଼ିଆ ଚାଷର ବିକାଶ ପାଇଁ ନାରିକେଳ ଉନ୍ନୟନ ଯୋଜନା, ରାଜ୍ୟ ଯୋଜନା, ମନରେଗା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପ୍ରଭୃତିରେ ସହାୟତା ବ୍ୟବସ୍ଥା ରହିଛି। ତେବେ ଓଡ଼ିଶାରେ ଚାହିଦା ମୁତାବକ ପନିପରିବା ଏବଂ ଫଳ ଉତ୍ପାଦିତ ହେଉଥିଲେ ସୁଦ୍ଧା ଏଗୁଡ଼ିକୁ ମହଜୁଦ ରଖିବା ପାଇଁ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାରର ବ୍ୟବସ୍ଥା ନାହିଁ।

 

ସେହିଭଳି ଫୁଲ ମଧ୍ୟରେ ପୂର୍ବରୁ ଏଠାରେ ଗେଣ୍ଡୁ ଫୁଲ ଚାଷ ଭଲ ହେଉଥିବା ବେଳେ ବର୍ତ୍ତମାନ ଆଧୁନିକ ଜ୍ଞାନକୌଶଳର ପ୍ରଶିକ୍ଷଣ ଦେବା ସହ ବହୂ ନୂତନ ତଥା ଆଧୁନିକ ସମାଜରେ ରାଜ୍ୟ, ରାଜ୍ୟ ବାହାରେ ଏବଂ ବିଦେଶରେ ମଧ୍ୟ ଚାହିଦା ରହିଥିବା ଫୁଲ ତଥା ଅର୍କିଟ‌୍‍, ଆନ୍ଥୋରିୟମ‌୍‍, ଗ୍ଲାଡ଼ିଓଲି, ରଜନୀଗନ୍ଧା, ଝୁରା ଫୁଲ, ଉତ୍କୃଷ୍ଟ ଧରଣର ଗୋଲାପ ପ୍ରଭୃତି ଚାଷ ହେବାସହ ବାହାର ଦେଶରେ ଏହି ଫୁଲ ଗୁଡ଼ିକୁ ପଠାଯାଉଛି। ବିଦେଶରେ ଚାହିଦାକୁ ଦୃଷ୍ଟିରେ ରଖି ଚାଷୀ ମାନେ ମଧ୍ୟ ଫୁଲଗୁଡ଼ିକର ଗୁଣମାନ ଉପରେ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଯାହାଫଳରେ ଚାଷୀମାନଙ୍କୁ ମାଗଣାରେ ବିଭିନ୍ନ ଚାରା ଯୋଗାଇବା ସହ ସବ‌୍‍ସିଡ଼ିରେ ନର୍ସରୀ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ୦.୧ ହେକ୍ଟର‌୍‍ ପିଛା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ପାଇଁ ଗୋଲାପ ବଗିଚା ପ୍ରତିଷ୍ଠା ପାଇଁ ୪୦୦୦ ଟଙ୍କା ଏବଂ ଅନ୍ୟଚାଷୀ ମାନଙ୍କ ପାଇଁ ୨୫୦୦ ଟଙ୍କା, ଗ୍ଲାଡ଼ିଲିଓ ଏବଂ ରଜନୀଗନ୍ଧା ପାଇଁ କ୍ଷୁଦ୍ରଚାଷୀ ଏବଂ ନାମମାତ୍ର ଚାଷୀଙ୍କ ପାଇଁ ୬୦୦୦ ଟଙ୍କା ଏବଂ ଅନ୍ୟ ଚାଷୀମାନଙ୍କ ପାଇଁ ୩୭୫୦ ଟଙ୍କା, ଝୁରାଫୁଲ ବଗିଚା ସକାଶେ କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ପାଇଁ ୧୬୦୦ ଟଙ୍କା ଏବଂ ଅନ୍ୟଚାଷୀମାନଙ୍କ ପାଇଁ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କିନ୍ତୁ ସରକାରଙ୍କର ଏସବୁ ଯୋଜନା ସହାୟତା ଚାଷୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି।

 

ମସଲା ଚାଷ ତଥା ହଳଦୀ ଓ ଅଦା ୟୁନିଟ‌୍‍ ହେକ୍ଟର‌୍‍ ପ୍ରତି ୧୨ ହଜାର ଟଙ୍କା ମୂଲ୍ୟର ବିହନ ଯୋଗାଣ, ସବୁଦିନିଆ ମସଲା ଚାଷପାଇଁ ହେକ୍ଟର‌୍‍ ପ୍ରତି ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ। ସେହିଭଳି ଫଳଚାରା ନର୍ସରୀ ଉନ୍ନତିକରଣ, ସମନ୍ୱିତ ରୋଗପୋକ ନିୟନ୍ତ୍ରଣ/ସମନ୍ୱିତ ଖାଦ୍ୟସାର ପରିଚାଳନା, ପୁରୁଣା ବଗିଚା ପୁନରୁଦ୍ଧାର ପ୍ରଭୃତି ପାଇଁ ମଧ୍ୟ ଆର୍ଥିକ ସହାୟତା ବିଭାଗ ପ୍ରକ୍ଷରୁ ଯୋଗାଇ ଦିଆଯାଉଛି। ଛତୁଚାଷ ପାଇଁ ମଞ୍ଜି ଉତ୍ପାଦନ ପାଇଁ ୟୁନିଟ‌୍‍ ପ୍ରତି ଖର୍ଚ୍ଚ ୧୫ ଲକ୍ଷ ଟଙ୍କାରେ ୪୦ ପ୍ରତିଶତ ରିହାତି ପ୍ରଦାନ, ଛତୁ ଉତ୍ପାଦନ ପାଇଁ ୨୦ ଲକ୍ଷ ଟଙ୍କା ଅଟକଳରେ ୪୦ ପ୍ରତିଶତ ରିହାତି ଏବଂ କମ୍ପୋଷ୍ଟ ଉତ୍ପାଦନ ପାଇଁ ମଧ୍ୟ ୨୦ ଲକ୍ଷ ଟଙ୍କାରେ ୪୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିସହ ବିଭାଗ ପକ୍ଷରୁ ଓୗଷଧୀୟ ବୃକ୍ଷ ନର୍ସରୀ ପ୍ରତିଷ୍ଠା, ଅମଳ ପରବର୍ତ୍ତି ଯତ୍ନ, ଚାଷୀମାନଙ୍କ ଶିକ୍ଷାମୂଳକ ଗସ୍ତ ଏବଂ ପ୍ରଶିକ୍ଷଣ, ଉଦ୍ୟାନ କୃଷି ଯନ୍ତ୍ରପାତି କ୍ରୟ ପାଇଁ ୫୦ ପ୍ରତିଶତ ରିହାତିରେ ଅନୁଦାନର ସୁବିଧା ମଧ୍ୟ ରହିଥିବା ଜଣାପଡ଼ିଛି। ସ୍ଥୀର ଏବଂ ଭ୍ରାମ୍ୟମାଣ ଗାଡ଼ି ସହ ସବୁଜଗୃହ ପ୍ରଭୃତି କ୍ଷେତ୍ରରେ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ରହିଛି। ଯାହାଫଳରେ ଜଣେ ଚାଷୀ ସ୍ୱାବଲମ୍ୱୀ ହେବା ସହ ଅଧିକ ଦୁଇପଇସା ରୋଜଗାର ମଧ୍ୟ କରିପାରିବ। ସେହିଭଳି ରାଜ୍ୟର କୃଷି ଉତ୍ପାଦନ ତଥା ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରିବ।

 

ଚାଷ ପାଇଁ ଜଳସେଚନ ମୁଖ୍ୟ ହୋଇଥିବା ସ୍ଥଳେ ବର୍ଷା ଅଭାବ ସମୟରେ ଚାଷୀମାନେ ବିଶେଷକରି ଫଳଚାଷ ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଚାଷୀମାନଙ୍କୁ ପାଣିର ଅଭାବ ସମୟରେ ବୁନ୍ଦା ଜଳସେଚନ ସୁବିଧା ବ୍ୟବହାର ପାଇଁ ଚାଷୀମାନଙ୍କୁ ବୁଝାଇବା ବିଭାଗର କାମ ହୋଇଥିବା ସ୍ଥଳେ ଗଂଜାମ ଜିଲ୍ଲାରେ ଗତ ୨୦୧୪ ମସିହାରେ ଗୋଟିଏ ମଧ୍ୟ ଡ଼୍ରିପ‌୍‍ ପ୍ରତିଷ୍ଠା ହୋଇନଥିବା ବିଭାଗ ସୂତ୍ରରୁ ପ୍ରକାଶ। ଓଡ଼ିଶାକୁ ଭଲ ଡ଼୍ରିପ‌୍‍ କମ୍ପାନୀ ଆସୁନଥିବା ପ୍ରକାଶ କରିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିର ଉତ୍ପାଦନ ନିମନ୍ତେ ସମସ୍ତ ପ୍ରକାର ସହାୟତା ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିବା ସ୍ଥଳେ ଜିଲ୍ଲାରେ ବିଭିନ୍ନ କାରଣ ଯାହାମଧ୍ୟ ହେଉ ଏହି ଯୋଜନା ପ୍ରକୃତ ହକ‌୍‍ଦାର‌୍‍ ଚାଷୀ ନିକଟରେ ପହଞ୍ଚି ପାରୁନାହିଁ। ଜିଲ୍ଲାରେ ଉତ୍ପାଦନ ଭଲ ହେଲେ ମଧ୍ୟ ସେମାନଙ୍କୁ ବିଭିନ୍ନ ସ୍ଥଳେ ଉତ୍ପାଦିତ ଫଳ ଏବଂ ପନିପରିବା ମହଜୁଦ ରଖିବା ଏବଂ  ବଜାର ତଥା ଉତ୍ପାଦିତ ସାମଗ୍ରୀକୁ ବିକ୍ରୀ କ୍ଷେତ୍ରରେ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ରହିଥିଲେ ସୁଦ୍ଧା ଏଗୁଡ଼ିକ ସଠିକ‌୍‍ ଭାବେ ହୋଇପାରୁନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ମଧ୍ୟ ଅଭିଯୋଗ ହେଉଛି।  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top