ଆଉ ଖବର କ’ଣ?

News Story - Posted on 2017-05-23

ରବି କାନୁନ୍‌ଗୋ

 

Bad news travels at the speed of light; good news travels like molasses.- Tracy

 

ଠଣାରୁ ବିଲେଇ ଡେଇଁଲେ ଧଡ‌୍‍କି ପଡ଼ୁଥିବା ମଣିଷ ଜାତିପାଇଁ ସବୁ ସମ୍ୱାଦ ଚମତ୍କାର। ଭୟାନକଗୁଡ଼ିକ ମଧ୍ୟ ସେମିତି ଭୟାନକଭାବେ ଚମତ୍କାର। ଅନ୍ତତଃ ଆମେ କହିବୁ ଯେ ନିକଟରେ ଘଟିଥିବା ସୁକ‌୍‍ମା (ଛତିଶଗଡ଼) ମାଓବାଦୀ ନାରକୀୟତା ସେହିପରି ଏକ ଭୟାନକ ଓ ଚମତ୍କାର ସମ୍ୱାଦ।

 

କେଉଁ ଖବରରେ ଲୋକେ କେତେ, କେମିତି ଓ କାହିଁକି ଚମକନ୍ତି- ଏହାର ସ୍ଥରୀକୃତ ହିସାବପତ୍ର ଅଛି। ଟିଆର‌୍‍ପି ନିର୍ଦ୍ଧାରଣ ହୁଏ ଏଇଥିରୁ।

 

ଖବର (ଘଟନା) କ’ଣ ଓ ଖବରକାଗଜ (ମିଡିଆ) କ’ଣ? ଖବରକାଗଜ ନଥିବା ସମଷ୍ଟି ମିଳିବେ, ହେଲେ ଘଟନା ନଥିବା ସମାଜଟେ ମିଳିବ କାହୁଁ?

 

ଆମେ ଯେତେକଥା ପଢ଼ିବାକୁ ପାଉ, ସବୁ ପାଇଁ ସାଧାରଣ ପ୍ରତିକ୍ରିୟା- ଏପରି ନ ଘଟିବା ଉଚିତ ଥିଲା। ଯଦି ଘଟିଲା- ଆଇନତଃ ସେଥିପାଇଁ ଯେଉଁମାନେ ଦାୟୀ- ଏମାନେ ଯେତିକି ଦୋଷୀ, ମିଡିଆ ବି ତା’ଠୁଁ ଅଧିକ ଦୋଷୀ। ଏଥିପାଇଁ ମିଡିଆକୁ ଶୋଧିବାକୁ ବଛାବଛା ଶବ୍ଦାର୍ଥ ଓ ବ୍ୟଞ୍ଜନ ନିର୍ମାଣ ସରିଛି। ‘ପ୍ରେଷ୍ଟିଚ୍ୟୁଟ‌୍‍’, ବିକାଉ ... ବଖାଣିଲେ କେତେ କାହିଁ ହେବ। ସମାଜ ଆଶା କରେ, ମିଡିଆ ଇଚ୍ଛା କଲେ କୁଆଡେ଼ ପାପ ନିବାରଣ କରି ପାରିଥା’ନ୍ତା, କଲାନି।

  

ପରକୀୟା କାଳରେ ଡହଳବିକଳ ପ୍ରେମିକ-ପ୍ରେମିକାଙ୍କର ପୃଥିବୀର ସବୁ ଠାକୁର ମନେ ପଡ଼ୁଥିବା ପରି କେଉଁଠି ଗୋଟେ ବଡ଼ ଘଟନା ପରେ ସମସ୍ତଙ୍କର ଧାଡ଼ିଧାଡ଼ି ସମ୍ୱିଧାନ ମନେ ପଡ଼ିବ। ବିରୋଧୀ ଦଳ ପଟୁଆର ନେବେ। ଶୁଣିବାକୁ ସୁଖ ଲାଗୁଥିବା ନାନା କଥା କହିବେ। ନୀତି ନାମକ ଶବ୍ଦକୁ ରାମାନନ୍ଦୀ ଚିତା ବାଟେ ସ୍ୱାହା କରିଥିବା ବାବୁମାନେ ମଧ୍ୟ ନୀତିଦୃଷ୍ଟିରୁ ଅମୁକ ସମୁକ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିବେ। ଶାସକଦଳ ବିରୋଧୀଙ୍କ ଅତୀତ ମନେ ପକେଇବା ଦାୟିତ୍ୱ ନିଶ୍ଚୟ ନେବ। ଏତେକଥା ଶୁଣି ଆମପରି ଲୋକେ ଆମୋଦିତ ତଥା ଆତଙ୍କିତ ହେଉଥିବେ ମଧ୍ୟ। ଏପରି ଯେତେ କଥା ସବୁଗୁଡ଼ିକ ନିତ୍ୟନୈମିତ୍ତିକ ଘଟଣା। ଘଟଣା ଯେତେ ବଡ଼ ସାଜସଜ୍ଜା ସେତେ ବଡ଼। ଭଲ ଦେଖାଯାଏ। ଟିକେ ଲମ୍ୱା ଚାଲେ। ଛୋଟ ହେଲେ, ସୁଉଦୁ ବିବୃତି ବାଟେ ବି କାମ ଚଳିଯାଏ।

 

କୌଣସି ଘଟନା ସଂପର୍କରେ ରାଜନୈତିକ ଦଳମାନଙ୍କ ଗଣତାନ୍ତ୍ରିକ ଜାଗତିଆର ୟା’ଠାରୁ ଦୂରକୁ ଯାଇଛି ବୋଲି ଆମର ବିଶ୍ୱାସ ହୁଏ ନାହିଁ। ସୁକ‌୍‍ମା ଘଟଣାର ରୂପ ବଡ଼, ମାତ୍ର ସାରାଂାଶ ନୂଆ ନୁହେଁ।

 

ଯେକୌଣସି କୋର୍ଟ ଇଲାକାକୁ ଗଲେ ଗୋଟିଏ ଚିତ୍ର ବାରି ହୋଇପଡେ଼। ଦଫା ନିର୍ବିଶେଷରେ, ଯଦି କଏଦୀ ଜଣେ ଆଦିବାସୀ, ତା’ହେଲେ ତା ହାତରେ ହାଣ୍ଡ-କପ‌୍‍ ଥିବ। ନିରପେକ୍ଷ ମନ ନେଇ ଏତିକିର ଉତ୍ତର ଖୋଜିଲେ ଗଣତନ୍ତ୍ରରେ ହୁଏତ ବିଷମଞ୍ଜିର ସନ୍ଧାନ ମିଳନ୍ତା।

 

କାହିଁକି? ଆଦିବାସୀ ବି ସମାନ ମଣିଷ, ଅଥଚ ସମାନ ଆଇନରେ ଏ ତାରତମ୍ୟ କଲା କିଏ? ଏକଥା କିଏ କହିବ? ରାଜନୀତିକି ପଚାରି କିଛି ମୂଲ୍ୟ ନାହିଁ। ‘ଆଗ ବୀଜ କି ଆଗ ବୃକ୍ଷ’ ପରି ତଷୁକୁଟା ଉତ୍ତରଗୁଡ଼ିଏ ଶୁଣିବାକୁ ମିଳିବ। ଅଭିଯୋଗ ଆଖିରେ ଦେଖିଲେ ବି ଯେଉଁ ଶାସନ ଇଂଲିଶ‌୍‍ ଆଇନ ବାଟେ ତାହାକୁ ନପରଖିଲେ କିଛି କରି ପାରେ ନାହିଁ, ଏଡେ଼ ବଡ଼ କଥାର ଉତ୍ତର ଆମେ କ’ଣ ତାହାଠାରୁ ଆଶା କରିବା କି?

 

ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ଆଇନର ବ୍ୟାଖ୍ୟା କରି ନିର୍ଦେଶ ଦେଇ ସାରିଛନ୍ତି। ହାଣ୍ଡକପ‌୍‍ ବ୍ୟକ୍ତିର ସାମ୍ୱିଧାନିକ ଅଧିକାର ଉଲ୍ଲଙ୍ଘନ କରେ। ତେଣୁ ବର୍ଜନୀୟ। ୧୯୮୦ର ଏହି ନିଷଁତ୍ତି ଭାରତୀୟ ଆଇନ ପରିଚାଳନାରେ ଏକ ମାଇଲଖୁଣ୍ଟ। ଏ ସଂପର୍କରେ ନ୍ୟାୟମୂର୍ତ୍ତି କୃଷ୍ଣା ଆୟରଙ୍କ ପ୍ରଜ୍ଞାମୟ ବକ୍ତବ୍ୟରୁ କିଛି ଅଂଶ: ଆମ ସମ୍ୱିଧାନିକ ସଂସ୍କୃତିର ଅଂଶଭାବେ ରହିଛି ବ୍ୟକ୍ତି-ମର୍ଯ୍ୟାଦାର ଗ୍ୟାରେଣ୍ଟି। ହାଣ୍ଡ-କପ‌୍‍ ପକେଇ ସବାଆଗେ ଲୋକଟିକୁ ବେଇଜ୍ଜତ କରାଯାଏ। ତା’ର ମଣିଷପଦକୁ ଅବମାନିତ କରିବା ପାଇଁ ଭୟଙ୍କର ଓ ସୁରକ୍ଷା ପରି ମୁଖାଗୁଡ଼ିଏ ପିନ୍ଧାଯାଏ।

 

ଖବର ସବୁବେଳେ ମିଳୁଥିବ ହେଲେ ଏ ପ୍ରଶ୍ନର ଉତ୍ତର କାହାଠାରୁ ମିଳିବ?

 

ସୁପ୍ରମକୋର୍ଟ? ସମ୍ଭବ ଲାଗୁନି। ବାହାରେ ସମାଧାନ କର କହି ବାବ୍ରୀ ବିବାଦ କ୍ଲୋଜ‌୍‍ କରିଥିବା ଏ କୋର୍ଟ ପୁଣି ଖୋଜିଲାଣି ଆଡ଼ଭାନୀଙ୍କୁ ଦଣ୍ଡିବାକୁ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top