ଗାନ୍ଧିଜୀଙ୍କୁ କଳାପତାକା ପ୍ରଦର୍ଶନ

News Story - Posted on 2017-05-23

ପ୍ରହ୍ଲାଦ କୁମାର ସିହ୍ନା

 

୮୩ ବର୍ଷ ତଳେ ଠିକ୍ ମେ ୧୬ ତାରିଖରେ କଟକ ମହାନଗରୀରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଳାପତାକା ପ୍ରଦର୍ଶନକାରୀମାନଙ୍କୁ ଗାନ୍ଧିଜୀ ସଭାମଞ୍ଚକୁ ଆମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସେମାନେ ତାଙ୍କୁ କାହିଁକି ବିରୋଧ ସହ କଳାପତାକା ପ୍ରଦର୍ଶନ କରୁଛନ୍ତି ସେ ସଂକ୍ରାନ୍ତରେ ବକ୍ତବ୍ୟ ରଖିବାକୁ ମଧ୍ୟ ସୁଯୋଗ ଦେଇଥିଲେ ଇତିହାସରେ ଏହି ବିରଳ ଘଟଣା ଘଟିଥିଲା ୧୯୩୪ ମଇ ମାସ ୧୬ ତାରିଖରେ।

 

ଅସ୍ଫୃଶ୍ୟତା ହିନ୍ଦୁ ଧର୍ମର କଳଙ୍କ ବୋଲି ଉଲ୍ଲେଖ କରି ଏହାର ନିବାରଣ ଲାଗି ମହାତ୍ମାଗାନ୍ଧୀ ସାରା ଦେଶ ବୁଲି କାମ କରୁଥିବା ବେଳେ ଛୁଅଁାଛୁତି ଦୂର ହେଲେ ହିନ୍ଦୁଧର୍ମର ଅବକ୍ଷୟ ହେବ ଏବଂ ଅସ୍ଫୃଶ୍ୟମାନେ ମନ୍ଦିରରେ ପ୍ରବେଶ କଲେ ମନ୍ଦିର ଓ ବିଗ୍ରହ ମାରା ହୋଇଯିବ ବୋଲି ଆରୋପ କରି ନିଜକୁ ସନାତନୀ ବୋଲି ଦାବି କରୁଥିବା କିଛି ବ୍ୟକ୍ତି ଗାନ୍ଧିଜୀଙ୍କୁ ବିରୋଧ କରୁଥିଲେ। ଗାନ୍ଧିଜୀ ୧୯୩୪ ମଇ ୯ ତାରିଖରେ ପୁରୀରୁ ହରିଜନ ପଦଯାତ୍ରା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ବନାରସରୁ ଆସିଥିବା ଗୈରିକ ବସନ ପରିହିତ ଲାଲନାଥ ଓ ତାଙ୍କର ୫ ଜଣ ସହଯୋଗୀ ଗାନ୍ଧିଜୀଙ୍କୁ କଳାପତାକା ପ୍ରଦର୍ଶନ କରିବା ପାଇଁ ବୀରହରେକୃଷ୍ଣପୁରଠାରୁ ଉଦ୍ୟମ କରିଥିଲେ ମଧ୍ୟ ଲୋକଙ୍କ ମାଡ଼ ଭୟରେ କଳାପତାକା ଦେଖାଇ ପାରିନଥିଲେ।

 

ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ଜ୍ଞାନମଣ୍ଡଳରେ ମହଜୁଦ ଥିବା ଏ ସମ୍ପର୍କିତ ଐତିହାସିକ ତଥ୍ୟ ଅନୁଯାୟୀ ଗାନ୍ଧିଜୀଙ୍କ ପଦଯାତ୍ରା କଟକ ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ଓ କାଜିପାଟଣାରେ ପହଞ୍ଚିବା ବେଳେ ଲାଲନାଥ ଗାନ୍ଧିଜୀଙ୍କୁ ଭେଟି କଳାପତାକା ପ୍ରଦର୍ଶନ କରିବାର ଇଚ୍ଛାବ୍ୟକ୍ତ କରିଥିଲେ ଏବଂ ପ୍ରତିପକ୍ଷଙ୍କ ମତ ଓ ବିରୋଧକୁ ସମ୍ମାନ ଦେଇଆସୁଥିବା ଗାନ୍ଧିଜୀ ଏଥିପାଇଁ ମଧ୍ୟ ରାଜି ହୋଇଥିଲେ। ତଦନୁଯାୟୀ ୧୯୩୪ ମଇ ୧୬ ତାରିଖରେ ଗାନ୍ଧିଜୀ କଟକ କାଠଯୋଡ଼ି ବାଲିରେ ସଭା କରିିଥିଲେ ଓ ଏହି ସଭାକ୍ଷେତ୍ରରେ ଲାଲନାଥ ଓ ତାଙ୍କ ସନାତନୀ ସହଯୋଗୀମାନେ ଗାନ୍ଧିଜୀଙ୍କୁ କଳାପତାକା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଏହି କଳାପତାକା ପ୍ରଦର୍ଶନକାରୀମାନଙ୍କୁ ବିରୋଧ ନ କରିବା ପାଇଁ ଗାନ୍ଧିଜୀ ସଭାରେ ନିବେଦନ କରିବା ସହିତ ସ୍ବେଚ୍ଛାସେବକମାନେ ସସମ୍ମାନେ ଏହି ପ୍ରତିରୋଧକାରୀମାନଙ୍କୁ ସଭା ମଞ୍ଚକୁ ପାଛୋଟି ଆଣିବା ଲାଗି କହିଥିଲେ। ଏହି ସଭାରେ କଳାପତାକା ସହିତ ଲାଲନାଥ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ।

 

ସେ ସମୟରେ ଗାନ୍ଧିଜୀଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ସ୍ଥାନରେ ଲାଲନାଥ ଓ ତାଙ୍କ ସହଯୋଗୀମାନେ ବିରୋଧ ପ୍ରଦର୍ଶନ କରୁଥିଲେ ଏମିତିକି ଲାଲନାଥଙ୍କ ମାର୍ଗଦର୍ଶକ ବାବା କାଳଭୈରବ ମଧ୍ୟ ଗାନ୍ଧୀଙ୍କୁ ଗିରଫ କରିବା ଓ ତାଙ୍କ ଫଟୋ ପୋଡ଼ିବା ଲାଗି ମଧ୍ୟ ଫତୁଆ ଜାରି କରିଥିଲେ। ୧୯୩୪ ଜୁଲାଇ ୫ ତାରିଖରେ ଗାନ୍ଧିଜୀ ରାଜସ୍ଥାନର ଆଜମେର୍ ଗସ୍ତରେ ଥିବା ବେଳେ ଲାଲନାଥ ଓ ତାଙ୍କ ସହଯୋଗୀମାନେ ଲୋକଙ୍କ ଉପରେ ହମ୍ଲା କରିଥିଲେ। ଏଥିରେ ଲାଲନାଥ ଆହତ ହେବାରୁ ଗାନ୍ଧିଜୀ ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପରଦିନ କରାଚୀ ଯିବା ବାଟରେ ରେଳଗାଡ଼ିରେ ଲାଲନାଥଙ୍କ ସହ ମଧ୍ୟ ଆଲୋଚନା କରି ତାଙ୍କ ଆରୋଗ୍ୟ କାମନା କରିଥିଲେ।

 

ଲାଲନାଥଙ୍କୁ ମାଡ଼ ଘଟଣା ହିଂସାର ପ୍ରତିରୂପ ହୋଇଥିବାରୁ ଗାନ୍ଧିଜୀ ଅଗଷ୍ଟ ୭ ତାରିଖରୁ ସାତଦିନିଆ ଅନଶନ କରିବାକୁ ୧୯୩୪ ଜୁଲାଇ ୧୦ ତାରିଖରେ କରାଚୀଠାରେ ଘୋଷଣା କରିଥିଲେ। ତଦନୁଯାୟୀ ୱାର୍ଦ୍ଧାରେ ଗାନ୍ଧିଜୀ ୧୯୩୪ ଅଗଷ୍ଟ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନଶନ କରିବା ସଙ୍ଗେ ସଙ୍ଗେ ପ୍ରତିପକ୍ଷଙ୍କ ମତକୁ ସମ୍ମାନ ଦେବା ଓ ସେମାନଙ୍କ ପ୍ରତି କୌଣସି ପ୍ରକାର ହିଂସାଚାରଣ ନ କରିବା ଲାଗି ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଯେଉଁ ସନ୍ଥ ଲାଲନାଥଙ୍କୁ କଳାପତାକା ପ୍ରଦର୍ଶନ ଓ ବିରୋଧ ମତ ଉପସ୍ଥାପନ ଲାଗି କଟକରେ ଗାନ୍ଧିଜୀ ସୁଯୋଗ ଦେଇଥିଲେ ତାଙ୍କ ଉପରେ ଅନ୍ୟ ସ୍ଥାନରେ ଲୋକଙ୍କ ସ୍ବତଃସ୍ଫୃତ ଆକ୍ରମଣକୁ ନିନ୍ଦା କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଆହ୍ବାନ ଦେଇ ପ୍ରକୃତ ଗଣତନ୍ତ୍ରରେ ବିରୋଧୀ ମତକୁ ସହିଷ୍ଣୁତାର ସହ ସମ୍ମାନ ଦେବା ଓ ସତ୍ୟାଗ୍ରହୀ କାୟ, ମନ, ବାକ୍ୟରେ ହିଂସାଚରଣ ନ କରିବା ପାଇଁ ଏହି ଅନଶନ ମାଧ୍ୟମରେ ବାର୍ତ୍ତା ଦେଇଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top