ଗୋତି ଖଟୁଛନ୍ତି ବମକେଇ ବୁଣାକାର!

News Story - Posted on 2017-05-23

ଓଡ଼ିଶାରେ ପରିଚୟ ସୃଷ୍ଟି କରିଥିବା ବ୍ରହ୍ମପୁର ପାଟଶାଢ଼ୀ ପାଇଁ ଏହାକୁ ରେଶମ ସହରର ଆଖ୍ୟା ଦିଆଯାଇଥିଲା। ରେଶମ ଶଢ଼ୀ ବିଶେଷତଃ ପାଟଶାଢ଼ୀ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିି କରିଥିବା ବ୍ରହ୍ମପୁର ସହର ପ୍ରଶାସନର ଖାମଖିଆଲି ନୀତି ଏବଂ ବୁଣାକାରମାନଙ୍କ ପ୍ରତି ଅବହେଳାରୁ ଏହାର ମାନ୍ୟତା ହରାଇବାକୁ ମସିଲାଣି।

 

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୂତା ଶାଢ଼ି, ରେଶମ ଶାଢ଼ି ଏବଂ ଟସର ଶାଢ଼ି ବହୁ କାଳରୁ ପିଢ଼ି ପରେ ପିଢ଼ି ଅତିକ୍ରମ କରି ବୁଣାକାରମାନେ ନିଜର କୌଳିକ ବୃତ୍ତିକୁ ବଜାୟ ରଖିବା ସହ ଏହାକୁ ନିଜ ଜିବୀକାର ଏକମାତ୍ର ମାଧ୍ୟମ ଭାବେ ନେଇଛନ୍ତି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ସୋରଡ଼ା, ହିଞ୍ଜିଳିକାଟୁ, ରଙ୍ଗେଇଲୁଣ୍ଡା ଏବଂ ଜଗନ୍ନାଥପ୍ରସାଦ ଆଦି ବିଭିନ୍ନ ଅଞ୍ଚଳର ବୁଣାକାର ମାନେ ଲୁଗାବୁଣା କାର୍ଯ୍ୟ କରୁଥିବା ବୟନଶିଳ୍ପ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲେ ସୁଦ୍ଧା ପ୍ରକୃତ କ୍ଷେତ୍ରରେ ଦେଖିବାକୁ ଗଲେ ଉକ୍ତ ଅଂଚଳମାନଙ୍କରେ ଏହି ବୁଣାକାର୍ଯ୍ୟ ଏକରକମ ବନ୍ଦ ହେବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ।

 

ଏହି ଅଂଚଳଗୁଡ଼ିକର ହସ୍ତତନ୍ତ ବୁଣାକାରମାନଙ୍କ ବୁଣାକାର୍ଯ୍ୟ ହସ୍ତତନ୍ତ ଶିଳ୍ପ ପାଇଁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିଥିଲା। କିନ୍ତୁ ବର୍ତ୍ତମାନ ସରକାରୀ ପ୍ରୋତ୍ସାହନ ମିଳୁଥିଲେ ସୁଦ୍ଧା ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲେ ମଧ୍ୟ ହିତାଧିକାରୀ ଏହିସବୁ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଯାହାଫଳରେ ନିଜର କୌଳିକ ବୃତ୍ତିଛାଡ଼ି ନିଜ ପରିବାରର ଭରଣ ପୋଷଣ ସକାଶେ ବାହାର ରାଜ୍ୟକୁ ଦାଦନ ଖଟିବା, ବିଭିନ୍ନ ହୋଟେଲ‌୍‍ରେ କାମ କରିବା ଦେଖିବାକୁ ମିଳୁଛି। ସେହିଭଳି ବାହାର ରାଜ୍ୟରେ କିଛି ବୁଣାକାର ବୁଣାକାର୍ଯ୍ୟ କରି ନାମ କମାଉଥିବା ସ୍ଥଳେ ଗଂଜାମ ଜିଲ୍ଲାରେ ଏବଂ ବ୍ରହ୍ମପୁର ସହରରେ ବାହାରୁ ବୁଣାଲୁଗା ଆଣି ଷ୍ଟଲ‌୍‍ କରି ବିକ୍ରୀ କରୁଥିବା ଏବଂ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ହଡ଼ପ କରୁଥିବା ଦେଖିବାକୁ ଅଭିଯୋଗ ହେଉଛି। କେନ୍ଦ୍ର ସରକାର କିମ୍ୱା ରାଜ୍ୟ ସରକାର ହସ୍ତତନ୍ତର ବିକାଶ ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିଲେ ସୁଦ୍ଧା କିଛି ଅସାଧୁ ଅଧିକାରୀ ମାନେ ଏ ସବୁକୁ ବାଟମାରଣା କରି ଚାଲିଥିବା ଦେଖିବାକୁ ମିଳୁଛି। ଏଥିପ୍ରତି ଜିଲ୍ଲା କିମ୍ୱା ରାଜ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।

 

ବ୍ରହ୍ମପୁର ସ୍ଥିତ ବୟନଶିଳ୍ପ କାର୍ଯ୍ୟାଳୟକୁ ଯଦି ଭିଜିଲାନ୍ସ ତଦନ୍ତ କରାଯାଇଥାନ୍ତା ତେବେ କୋଟିକୋଟି ଟଙ୍କାର ଦୁର୍ନୀତି ପଦାକୁ ଆସପାରନ୍ତା ଏବଂ ବୁଣାକାରମାନଙ୍କ ମାନସିକ ଏବଂ ଆର୍ଥିକ କ୍ଷେତ୍ରରେ ବିକାଶ ହୋଇପାରନ୍ତା। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିପାରିଲେ ଏହି ବୁଣାକାରମାନେ ନିଜର କୌଳିକ ବୃତ୍ତି ଦ୍ୱାରା ଲୁଗା ବୁଣିବା ସହ ଅତୀତରେ ପ୍ରସିଦ୍ଧି ଲାଭ କରିଥିବା ରେଶମୀ ଲୁଗା, ବମକେଇ ପାଟର ଚାହିଦା ପୁଣିଥରେ ଫେରି ଆସିପାରିଥାନ୍ତା। ବ୍ରହ୍ମପୁର ସହରରେ ମୁଖ୍ୟତଃ ଚନ୍ଦ୍ରମା ସାହିରେ କିଛି ପରିବାର ଏହି ବୁଣାକାର୍ଯ୍ୟ ଚଳାଇଥିବା ବେଳେ ଆର୍ଥିକ ଏବଂ ସରକାରଙ୍କ ଅନୁଦାନ ନପାଇବା ଯୋଗୁଁ ସେମାନଙ୍କ ମନୋବଳ ମଧ୍ୟ ଭାଙ୍ଗିବାକୁ ବସିଲାଣି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ‌୍‍ ଅନ୍ତର୍ଗତ ପିତଳ, ପାତ୍ରପୁର ବ୍ଲକ‌୍‍ ଅନ୍ତର୍ଗତ ବମକେଇ ଆଦି ଗ୍ରାମରେ ହସ୍ତତନ୍ତ ବୁଣାକାରଙ୍କ ସଂଖ୍ୟା ଅଧିକ ରହିଥିବା ସ୍ଥଳେ ସରକାରୀ ୠଣ ଏବଂ ସବ‌୍‍ସିଡ଼ି ଅଭାବରୁ ବୁଣାକାରମାନେ ଏହି ବୃତ୍ତିକୁ ଛାଡ଼ିବାକୁ ବସିଲେଣି। ବମକେଇ ଗ୍ରାମର ସରକାରଙ୍କ ତରଫରୁ ପୁରସ୍କାର ପ୍ରାପ୍ତ ବୁଣାକାର ରହିଥିବା ବେଳେ ବାର୍ଦ୍ଧକ୍ୟ ଅବସ୍ଥାରେ ରୋଗର ଚିକିତ୍ସା ପାଇଁ ସେମାନଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି।

 

ଏଠାରେ ସୂଚନାଥାଉକି, ବମକେଇ ଗ୍ରାମରେ ବର୍ତ୍ତମାନ ୩ରୁ ୪ ଟି ପରିବାରକୁ ଛାଡ଼ିଦେଲେ ଏହି କୌଳିକ ବୃତ୍ତିକୁ ସମସ୍ତେ ଛାଡ଼ି ନିଜ ପେଟପାଟଣା ପାଇଁ ଅନ୍ୟ ବ୍ୟବସାୟ ଆରମ୍ଭ କରିବା ସହ ବାହାର ରାଜ୍ୟକୁ ଦାଦନ ଖଟିବାକୁ ମଧ୍ୟ ଯାଉଥିବା ଜଣାପଡ଼ିଛି। ଏହି ଅଞ୍ଚଳର କେବଳ ଜଣେ ମାତ୍ର ବୁଣାକାର ବମକେଇ ପାଟ ବୁଣୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ସରକାରଙ୍କ ବୁଣାକାରମାନଙ୍କ ପ୍ରତି ବୈମାତୃକତା କହିଲେ ଭୁଲ ହେବନାହିଁ। ସରକାର କେବଳ ନିୟମିତ ଭାବେ ବିଭିନ୍ନ ପ୍ରଦଶନୀ ମାନ କରୁଥିବା ଦେଖିବାକୁ ମିଳୁଛି କିନ୍ତୁ କୌଣସି ସରକାରୀ ଅଧିକାରୀ, ନେତା, ମନ୍ତ୍ରୀମାନଙ୍କ ଏହି ବୁଣାକାରମାନଙ୍କୁ ସହାୟତା ପାଇଁ ଏବଂ ଜିଲ୍ଲା ତଥା ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆନ୍ତରିକତା ନାହିଁ। ଏମାନେ ବାହାରୁ ଜିନିଷ ଗୁଡ଼ିକ ଆଣି ଷ୍ଟଲ‌୍‍ ତିଆରି କରି ଲେକ ଦେଖାଣିଆ ଏବଂ ସରକାରଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି।

 

ଅନୁସନ୍ଧାନରୁ ଜଣାପଡ଼ିଛି, ଏହି ବୁଣାକାରମାନେ କୌଣସି ପ୍ରଦର୍ଶନୀକୁ ନଯିବା ସ୍ୱିକାର କରିବା ସହ ନିଜ ପରିବାର ଭରଣ ପୋଷଣ ପାଇଁ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ସ୍ଥଳେ ବର୍ଷକୁ ୩ରୁ୪ ଟି ଲୁଗା ବିକ୍ରୀ କରୁଥିବା ଜଣାପଡ଼ିଛି। ଏହି ସମସ୍ୟାମାନଙ୍କୁ ନେଇ ବ୍ରହ୍ମପୁର ବୟନଶିଳ୍ପ କାର୍ଯ୍ୟାଳୟ ସହ ଯୋଗଯୋଗ କରିବା ପରେ ଜଣାପଡ଼ିଛି ଯେ, ପିତଳରେ ଳୁଗା ବ୍ୟବସାୟୀମାନେ ଆଉ ଲୁଗା ବୁଣିବାକୁ ଚାହୁଁନଥିବା ଏବଂ ଦଳୀୟ ରାଜନୀତି କାରଣରୁ ବୃତ୍ତି ଛାଡ଼ୁଥିବା ପ୍ରକାଶ କରିଛନ୍ତି। ପିତଳରେ ସରକାରୀ ଟଙ୍କାର ଏକ ବିରାଟ ମହାଦୁର୍ନୀତିକୁ ଚପାଇ ଦିଆଯାଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ବମକେଇଠାରେ ଥିବା ସମବାୟ ସମିତି ବନ୍ଦର କାରଣ ସଂପର୍କରେ ସେ କୌଣସି ସଠିକ‌୍‍ ତଥ୍ୟ ଏବଂ କାରଣ ପ୍ରକାଶ କରିପାରିନାହାଁନ୍ତି।

 

ପ୍ରକୃତରେ ଦେଖିବାକୁ ଗଲେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଏହି ହସ୍ତଶିଳ୍ପକୁ ପ୍ରାଧାନ୍ୟ ଦେଉଥିବା ସ୍ଥଳେ ପ୍ରକୃତପକ୍ଷେ ବୟନ ଏବଂ ହସ୍ତତନ୍ତ କାର୍ଯ୍ୟାଳୟ ଦୁର୍ନୀତିରେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳିଥିବା ସ୍ଥଳେ ବର୍ଷକୁ ବର୍ଷ ପ୍ରଦର୍ଶନୀ ଆଳରେ ଷ୍ଟଲ‌୍‍ ମାନ ଖୋଲି ମିଥ୍ୟାବିଲ‌୍‍ ପୈଠକରି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ପ୍ରକୃତ ହିତାଧିକାରୀ ସରକାରୀ ଅନୁଦାନରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନାର ସଚେତନତା। ତେଣୁ ଏଥିନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇ ବ୍ରହ୍ମପୁର ସହରରେ ଥିବା ହସ୍ତତନ୍ତ ଏବଂ ବୟନଶିଳ୍ପ କାର୍ଯ୍ୟାଳୟକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିଥାନ୍ତେ ତେବେ ପ୍ରକୃତ ଘଟଣା ପଦାକୁ ଆସନ୍ତା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top