ଘରୋଇ କଲେଜ‌୍‍ର ଭିତ୍ତିଭୂମି ଅଛି କି?

News Story - Posted on 2017-05-23

ହେମାଙ୍ଗ ପ୍ରସାଦ ରାଉଳ

 

ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଭିତ୍ତିଭୂମି ବିହୀନ ବେସରକାରୀ ଆବାସିକ ମହାବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯିବ ଏବଂ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ପାଇଁ ଅନୁମତି ମିଳିବ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ମାତ୍ର କିଛି ହାତଗଣତି କଲେଜ‌୍‍ ଆବଶ୍ୟକୀୟ ଭିତ୍ତିଭୂମି କାଗଜପତ୍ର ଦାଖଲ କରିଥିବା ସ୍ଥଳେ ଅନ୍ୟ ମହାବିଦ୍ୟାଳୟଗୁଡ଼ିକ କାଗଜପତ୍ର ବିଭାଗ ନିକଟରେ ଦାଖଲ କରିପାରି ନଥିବା ସୂଚନା ଅଧିକାର ଆଇନ‌୍‍ ବଳରେ ମଗାଯାଇଥିବା ସୂଚନାରୁ ଜଣାପଡ଼ିଛି।

 

ସୂଚନା ମଗାଯିବା ପରେ ଏକ ହାଇ ପାୱାର‌୍‍ କିମଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଭିତ୍ତିଭୂମି ବିହୀନ କଲେଜ‌୍‍ଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ୱଲପୁର‌୍‍, ଶ୍ରୀଜଗନ୍ନାଥ ସଂସ୍କୁୃତ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଭୃତିକୁ ଚିଠି ସଂଖ୍ୟା ଏଚ‌୍‍ଇ-ଏଫ‌୍‍ଇ-ଆଇଭି(ଏ)-ପୋଲ‌୍‍- ୦୦୨୪/୨୦୧୫ ୧୧୩୩୦ ଅନୁଯାୟୀ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ବାରମ୍ୱାର ବିଭାଗୀୟ ନିର୍ଦ୍ଦେଶକୁ ଉଲଂଘନ କରି ଉକ୍ତ ଭିତ୍ତିଭୂମି ବିହୀନ କଲେଜ‌୍‍ଗୁଡ଼ିକ ପ୍ରତି ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଛି।

 

ବିଶେଷସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚଳିତ ଶିକ୍ଷାବର୍ଷରେ ପୁଣିଥରେ ଉକ୍ତ ଭିତ୍ତିଭୂମିହୀନ କଲେଜ‌୍‍ଗୁଡ଼ିକୁ ନାମକୁ ମାତ୍ର ସ୍ପଷ୍ଟୀକରଣ ମଗାଯାଇଥିବା ବେଳେ ନାମଲେଖା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିବା ଜଣାପଡ଼ିଛି। ଗତବର୍ଷ ଭିତ୍ତିଭୂମି କାଗଜପତ୍ର ମଗାଯିବାରୁ ଏସ‌୍‍ଏମ‌୍‍ଆଇଟି +୨ ମହାବିଦ୍ୟାଳୟଡ୍ଗ ଏବଂ ମଡ଼ର୍ଣ୍ଣ କଲେଜ‌୍‍ ଫର‌୍‍ ଓମେନ‌୍‍ ଭିତ୍ତିଭୂମି ସୃଷ୍ଟି କରିପାରିବେ ନାହିଁ ବୋଲି ମନା କରିଦେଇଥିବା ସ୍ଥଳେ ବର୍ତ୍ତମାନ ଅନ୍ୟ ଭିତ୍ତିଭୂମି ବିହୀନ କଲେଜ‌୍‍ଗୁଡ଼ିକୁ ପୁଣି ଏକବର୍ଷ ସୁଯୋଗ ପ୍ରଦାନ କରାଯାଇଥିବାରୁ ନାମଲେଖାରୁ ହଟିଯାଇଥିବା ଦୁଇ କଲେଜ‌୍‍ ମଧ୍ୟ ଛାତ୍ରଛାତ୍ରୀ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି। ଯାହାଫଳରେ ନିରୀହ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପୁଣିଥରେ ବେସରକାରୀ ଆବାସିକ ମହାବିଦ୍ୟାଳୟମାନଙ୍କ ଶିକାର ହେବାକୁ ଯାଉଛନ୍ତି। ଏଥିପାଇଁ କଲେଜ‌୍‍ଗୁଡ଼ିକ ପକ୍ଷରୁ ଦଲାଲ‌୍‍ ସକ୍ରିୟ ହୋଇଛନ୍ତି। ଅଭିଭାବକମାନଙ୍କୁ ପ୍ରବର୍ତ୍ତାଇବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରମାଣପତ୍ର ଆଣି ନାମ ଲେଖାଇବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି।

 

ବାରମ୍ୱାର ବିଭାଗୀୟ ନିର୍ଦ୍ଦେଶ ସତ୍ତ୍ବେ ଭିତ୍ତିଭୂମି ବିହୀନ ମହାବିଦ୍ୟାଳୟମାନଙ୍କୁ ପୁଣି ବର୍ଷେ ସୁଯୋଗ ପ୍ରଦାନ କରିବା ପଛରେ କାହାର ହାତ ରହିଛି ଏବଂ କାହା ଛତ୍ରଛାୟା ତଳେ ଏହି ମହାବିଦ୍ୟାଳୟଗୁଡ଼ିକ ରହିଛନ୍ତି ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବେସରକାରୀ ମହାବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କ ଠାରୁ ମୋଟାଅଙ୍କରେ ଫିସ‌୍‍ ନେଇ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ସେହିଭଳି ଛାତ୍ରଛାତ୍ରୀ ବିଭିନ୍ନ ପ୍ରଲୋଭନର ଶିକାର ହେଉଥିବା ବେଳେ ସରକାରୀ କଲେଜ‌୍‍ ଗୁଡ଼ିକର ମାନ୍ୟତା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେଣୁ ଏଭଳି ଏକ ଗୁରୁତର ଘଟଣାର ଭିଜିଲାନ୍ସ ତଦନ୍ତ କରି ଶିକ୍ଷା ନାମରେ ବ୍ୟବସାୟ ପଛରେ ମୁଖ୍ୟ ଖଳନାୟକ ଏବଂ କଲେଜ‌୍‍ ଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଶୀତତାପ ନିୟନ୍ତ୍ରିତ କୋଠରୀରେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଥିବା ସ୍ଥଳେ ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବା ଦୁର୍ଭାଗ୍ୟଜନକ ବିଷୟ।

 

ଏଠାରେ ପ୍ରକାଶଥାଉକି, ଗତ ୨୦୧୪ ମସିହା ଡ଼ିସେମ୍ୱର ମାସ ୨୩ ତାରିଖରେ ଉଚ୍ଚ ଶିକ୍ଷା ବିଭାଗ ଏ କ୍ଷେତ୍ରରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ରାଜ୍ୟର ସମସ୍ତ ରେସିଡେ଼ନ୍ସିଆଲ‌୍‍ ଏବଂ ସେଲ୍ଫ ଫାଇନାନ୍ସ କଲେଜ‌୍‍ଗୁଡ଼ିକର ଭିତ୍ତିଭୂମି ଯାଞ୍ଚ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ। ଏଥି ନିମନ୍ତେ ୨୦୧୫ ମସିହା ଜାନୁୟାରୀ ମାସ ୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ ପାଇଁ ସମୟ ଦିଆଯାଇଥିଲା। ଭିତ୍ତିଭୂମି ମଧ୍ୟରେ କଲେଜ‌୍‍ଗୁଡ଼ିକର ବର୍ତ୍ତମାନର ସ୍ଥିତି, ପାଠ୍ୟକ୍ରମ, ପାଠାଗାର, କମନ‌୍‍ରୁମ‌୍‍, ପାଇଖାନା ଏବଂ ନାମଲେଖା ଫିସ‌୍‍ ଆଦି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ହୋଇଥିଲା। ସେହିଭଳି କଲେଜ‌୍‍ କୋଠା ନିଜସ୍ୱ ଜମିରେ ପ୍ରତିଷ୍ଠା ହୋଇଛି କି ନାହିଁ, କେତେଜଣ ଶିକ୍ଷକ ଏବଂ ଅଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ସେମାନେ ସ୍ଥାୟୀ କର୍ମଚାରୀ କିମ୍ୱା ଅସ୍ଥାୟୀ ଏବଂ କଲେଜ‌୍‍କୁ କେବେଠାରୁ ସ୍ୱୀକୃତି ମିଳିଛି ପ୍ରଭୃତି ତଥ୍ୟ ପ୍ରଦାନ ପାଇଁ ଉଚ୍ଚଶିକ୍ଷା ବିଭାଗ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top