ଡ଼ାକ୍ତର ଦଲାଲ‌୍‍, ରୋଗୀ ଜଳକା

News Story - Posted on 2017-05-23

ସମସ୍ୟା ଏବଂ ବିବାଦ ଏମ‌୍‍କେସିଜି ମେଡ଼ିକାଲ‌୍‍ର ପିଛା ଛାଡ଼ୁନାହିଁ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ତଥା ଏକମାତ୍ର ସରକାରୀ ବଡ଼ ମେଡ଼ିକାଲ‌୍‍ ଏମ‌୍‍.କେ.ସି.ଜି ମେଡ଼ିକାଲ। କିନ୍ତୁ ବହୁବିଧ ସମସ୍ୟା ଦେଇ ଗତି କରୁଛି ଏହି ସରକାରୀ ବଡ଼ ମେଡ଼ିକାଲ‌୍‍।  ଡ଼ାକ୍ତରମାନେ ଏଠାରେ ଦଲାଲ‌୍‍ ସାଜିଥିବା ବେଳେ ପିଜି ଛାତ୍ରମାନେ ରୋଗୀମାନଙ୍କ ଚିକିତ୍ସାରେ ଲାଗିଛନ୍ତି। ପିଜି ଛାତ୍ରମାନେ ରୋଗୀମାନଙ୍କୁ ଅବହେଳା ପ୍ରଦର୍ଶନ କରିବା ସହ ସଂପର୍କୀୟମାନଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରିବାର ଅନେକ ନଜିର ରହିଛି।

 

ବ୍ରହ୍ମପୁର ବଡ଼ ମେଡ଼ିକାଲ‌୍‍ ଉପରେ କେବଳ ବ୍ରହ୍ମପୁର ସହର ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶାର ଲୋକେ ନିର୍ଭର କରନ୍ତି। ଏହି ମେଡ଼ିକାଲ‌୍‍ରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ମେଡ଼ିକାଲ‌୍‍ ମଧ୍ୟରେ ସମସ୍ତ କାର୍ଯ୍ୟରେ ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳୁଛି। ଗୁରୁତର ରୋଗୀ ଆଶୁଚିକିତ୍ସା ପାଇଁ ଏମର‌୍‍ଜେନ‌୍‍ସି କେନ୍ଦ୍ରକୁ ଗଲେ ସେଠାରେ ପିଜି ଛାତ୍ରମାନେ ରୋଗୀଙ୍କ ରୋଗ ସଂପର୍କରେ ଜାଣିବା ପାଇଁ ବହୁ ସମୟ ନେଉଛନ୍ତି। ଜଣେ ପିଜି ଛାତ୍ର ଜାଣି ନପାରିଲେ ଅନ୍ୟ ସାଥୀମାନଙ୍କୁ ଡ଼ାକୁଛନ୍ତି। ସେହିଭଳି ପିଜି ଛାତ୍ରମାନେ ରୋଗୀ ଉପରେ କେବଳ ପରୀକ୍ଷା ନିରୀକ୍ଷା କରିବାରେ ଲାଗୁଛନ୍ତି, କିନ୍ତୁ ସଠିକ‌୍‍ ଚିକିତ୍ସା ଯୋଗାଇ ପାରୁନାହାଁନ୍ତି। ଏଣେ ବରିଷ୍ଠ ଡ଼ାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଛାତ୍ରମାନେ ଡ଼ାକ୍ତରଙ୍କୁ ଫୋନ‌୍‍ ମାଧ୍ୟମରେ ପରାମର୍ଶ ନେଉଥିବା ପରିଲକ୍ଷିତ ହେଉଛି। ରୋଗୀଙ୍କ ସଂପର୍କୀୟମାନେ ଏମାନଙ୍କ ଭରଷାରେ ରୋଗୀଙ୍କୁ ଛାଡ଼ିବା ଛଡ଼ା ଅନ୍ୟ ଉପାୟ ନଥାଏ। ଏସଂପର୍କରେ ଅଭିଯୋଗ କଲେ ତାଙ୍କୁ ପିଜି ଛାତ୍ରମାନେ ଦୁର୍ବ୍ୟବହାର ସହ ମାଡ଼ ମାରୁଥିବା ମଧ୍ୟ ନଜିର‌୍‍ ରହିଛି।

 

ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଗଲେ ମେଡ଼ିକାଲ‌୍‍ ଛାତ୍ରମାନେ ସେମାନଙ୍କୁ ମଧ୍ୟ ମାଡ଼ ମାରିବା ଏବଂ ମେଡ଼ିକାଲ‌୍‍ରେ ପ୍ରବେଶ ମନା ବୋଲି ମଧ୍ୟ ବାହାରେ ଲେଖାଯାଉଥିବା ନିକଟ ଅତୀତରେ ଦେଖିବାକୁ ମିଳିଛି। ସେହିଭଳି ମେଡ଼ିକାଲ‌୍‍ ରକ୍ତଭଣ୍ଡାରରେ ରକ୍ତର ବ୍ୟାପକ କଳା କାରବାର ହେଉଥିବା ଅଭିଯୋଗ ହେଉଛି। ବାରମ୍ୱାର ଆନ୍ଦୋଳନ ସହ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଠିକଣା ସମୟରେ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ମିଳିପାରୁନାହିଁ। ବିଭିନ୍ନ ସମୟରେ ଏହାକୁ କେନ୍ଦ୍ରକରି ଗଣ୍ଡଗୋଳ ହେଉଥିବା ନଜିର‌୍‍ ରହିଛି। ନିର୍ଦ୍ଦିଷ୍ଟ କିଛି ଗ୍ରୁପ‌୍‍ର ରକ୍ତ ରକ୍ତଭଣ୍ଡାରରେ ନଥିବା ରକ୍ତ ଭଣ୍ଡାର ବାହାରେ ଉଲ୍ଲେଖ ଥିବା ଦେଖିବାକୁ ମିଳୁଥିବା ସ୍ଥଳେ ବେସରକାରୀ ନର୍ସିଂହୋମ‌୍‍କୁ, ଭିଆଇପିମାନଙ୍କ ସୁପାରିଶ‌୍‍, ପରିଚିତ ବ୍ୟକ୍ତିଙ୍କ ଅନୁରୋଧରେ ରକ୍ତ ମିଳୁଥିବା ଦେଖିବାକୁ ମିଳୁଛି। ସହଜରେ ମିଳୁନଥିବା କିଛି ନିର୍ଦ୍ଦିଷ୍ଟ ଗ୍ରୁପ‌୍‍ର ରକ୍ତ ରକ୍ତଭଣ୍ଡାରରେ ମହଜୁଦ‌୍‍ ଥିଲେ ସୁଦ୍ଧା ମହଜୁଦ‌୍‍ ନଥିବା ବାହାରେ ଉଲ୍ଲେଖ କରାଯାଉଛି ଏବଂ ଗରୀବ ରୋଗୀଟି କାକୁତି ମିନତି ହୋଇ ଅନୁରୋଧ କଲେ ମଧ୍ୟ ରକ୍ତ ମିଳୁନାହିଁ। ରକ୍ତ ବିକ୍ରୀ ହୁଏନାହିଁ ବୋଲି ଉଲ୍ଲେଖ ରହିଥିଲେ ସୁଦ୍ଧା ବ୍ରହ୍ମପୁର‌୍‍ ବଡ଼ ମେଡ଼ିକାଲ‌୍‍ ରକ୍ତଭଣ୍ଡାରରେ ବର୍ଷବର୍ଷ ଧରି ଚଢ଼ାଦରରେ ରକ୍ତର କଳାବଜାରୀ ହେଉଥିବା ଅଭିଯୋଗ ହୋଇ ଆସୁଛି।

 

ପ୍ରତିଦିନ ବିଭିନ୍ନ େସ୍ୱଚ୍ଛାସେବୀ ସଂସ୍ଥାଙ୍କ ଦ୍ୱାରା ଏବଂ ବ୍ୟକ୍ତିଗତ ଭାବେ ରକ୍ତଦାନ କରାଯାଇଥିବା ସ୍ଥଳେ ଉକ୍ତ ରକ୍ତ ଯାଉଛି କୁଆଡେ଼ ତାହା ଏକ ବିରାଟ ପ୍ରଶ୍ନବାଚୀ। ସେହିଭଳି ଏମ‌୍‍କେସିଜି ମେଡ଼ିକାଲ‌୍‍ରେ ରାଜନୀତି ମଧ୍ୟ କିଛି କମ‌୍‍ ନୁହେଁ। ନୂଆ ବସ‌୍‍ଷ୍ଟାଣ୍ଡ ନିକଟସ୍ଥ ମେଡ଼ିକାଲ‌୍‍ ଗେଟ‌୍‍ଟି ଦୀର୍ଘଦିନ ଧରି ବନ୍ଦ ରହିଥିବା ସ୍ଥଳେ ରୋଗୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆମ୍ୱୁଲାନ୍ସ କିମ୍ୱା ଗାଡ଼ିରେ ଗୁରୁତର ଅବସ୍ଥାରେ ମେଡ଼ିକାଲ‌୍‍ ମୁଖ୍ୟ ଗେଟ‌୍‍ ଦେଇ ଯିବା ପାଇଁ ଯଥେଷ୍ଟ ଅଧିକ ସମୟ ଲାଗିଥାଏ। ଯାହାଫଳରେ ବହୁ ଗୁରୁତର ରୋଗୀ ରାସ୍ତାରେ ହିଁ ପ୍ରାଣ ହରାଉଛନ୍ତି। କିନ୍ତୁ ରୋଗୀମାନଙ୍କ ସ୍ୱାର୍ଥକୁ ବଳି ଦେଇ ଏଠାରେ ରାଜନୀତି କରଯାଉଛି। ଏ ସଂପର୍କରେ ବାରମ୍ୱାର ଖୋଦ‌୍‍ ବ୍ରହ୍ମପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ।

 

ଏହିଭଳି ବିଭିନ୍ନ ସମସ୍ୟା ମେଡ଼ିକାଲ‌୍‍ରେ ଲାଗିରହିଥିବା ସ୍ଥଳେ ଡ଼ାକ୍ତରମାନେ ମେଡ଼ିକାଲ‌୍‍ରେ କମ‌୍‍ କ୍ଲିନିକ‌୍‍ ଏବଂ ନର୍ସିଂହୋମ‌୍‍ରେ ଅଧିକ ସମୟ ଦେବା ଅନ୍ୟ ଏକ ମୁଖ୍ୟ ସମସ୍ୟା। ମୋଟା ଅଙ୍କରେ ସର‌୍‍କାରଙ୍କଠାରୁ ଦରମା ପାଉଥିବା ବେଳେ ଡ଼ାକ୍ତରୀ ବିଦ୍ୟାକୁ ଏମାନେ ସେବା ମନୋବୃତ୍ତି ଭୁଲି ବ୍ୟବସାୟିକ ଭିତ୍ତିରେ ଉପଯୋଗ କରୁଛନ୍ତି। ଡ଼ାକ୍ତର ଏବଂ ପ୍ରଫେସର‌୍‍ମାନେ ମେଡ଼ିକାଲ‌୍‍କୁ ଆସୁଥିବା ରୋଗୀମାନଙ୍କୁ ଶୋଷଣ କରୁଥିବା ବର୍ଷବର୍ଷ ଧରି ଅଭିଯୋଗ ହୋଇଆସୁଛି। ଏହି ମେଡ଼ିକାଲ‌୍‍ରେ ରୋଗୀମାନଙ୍କୁ ସେବା ପରିବର୍ତ୍ତେ ଦୁର୍ବ୍ୟବହାର ଦେଖାଉଥିବାରୁ ଧୀରେଧୀରେ ରୋଗୀସଂଖ୍ୟା କମିବାରେ ଲାଗିଛନ୍ତି। ପଇସା ଥିଲାବାଲା ମେଡ଼ିକାଲ‌୍‍ ଭୁଲି ନର୍ସିଂହୋମ‌୍‍ ଏବଂ କ୍ଲିନିକ‌୍‍କୁ ଯାଉଥିବା ବେଳେ ସରକାରୀ ମେଡ଼ିକାଲ‌୍‍କୁ କେବଳ ଗରୀବ ରୋଗୀମାନେ କୌଣସି ଉପାୟ ନପାଇ ଆସିଥାନ୍ତି। ତେବେ ଡ଼ାକ୍ତରମାନେ ଦୂରଦୂରାନ୍ତରୁ ଆସୁଥିବା ଗରୀବ ରୋଗୀମାନଙ୍କୁ ନିଜ କ୍ଲିନିକ‌୍‍ ଏବଂ ନର୍ସିଂହୋମ‌୍‍କୁ ପଠାଇବା ସହ ବାହାରୁ ଔଷଧ କିଣି ଆଣିବାକୁ ପଠାଉଛନ୍ତି। ସଂପୃକ୍ତ ଡ଼ାକ୍ତରମାନଙ୍କୁ ଦଣ୍ଡିତ କରାଗଲେ ରୋଗୀମାନଙ୍କୁ ନେଇ ଚାଲିଥିବା ବ୍ୟବସାୟକୁ ରୋକାଯାଇପାରନ୍ତା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top