ତିନ‌୍‍ ତଲାକ‌୍‍ ପ୍ରଥା ପାପ!

News Story - Posted on 2017-05-23

ତିନ‌୍‍ ତଲାକ‌୍‍ ବ୍ୟବସ୍ଥାରୁ ଦୂରେଇଯିବେ ଭାରତର ମୁସଲମାନ। ଏଭଳି ଏକ ସଂକେତ ଦେଇଛି ଅଲ‌୍‍ ଇଣ୍ଡିଆ ମୁସ‌୍‍ଲିମ ପର୍ସନାଲ ଲ ବୋର୍ଡ଼ ବା ଏଆଇଏମପିଏଲବି। ମେ ୨୨ ତାରିଖରେ ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଏଆଇଏମପିଏଲବି କହିଛି ଯେ ତିନ‌୍‍ ତଲାକ ବ୍ୟବସ୍ଥା ବ୍ୟବହାର ନକରିବାକୁ ମୁସଲିମ ବରମାନଙ୍କୁ ଉପଦେଶ ଦେବାକୁ କାଜିମାନଙ୍କୁ ପରାମର୍ଶ ଦିଆଯିବ।

 

ମୁସଲିମ ପର୍ସନାଲ ଲ ବୋର୍ଡ଼ ଏହି ସତ୍ୟପାଠରେ କହିଛି ଯେ ଶରିୟାତ ଅଧୀନରେ ତିନ‌୍‍ ତଲାକ ବ୍ୟବସ୍ଥା ଏକ ଅଦରକାରୀ ପରମ୍ପରା। ନିକାହନାମାରେ ତିନ‌୍‍ ତଲାକ ପ୍ରଥା ନେଇ କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ। ଏ ନେଇ ଏଆଇଏମପିଏଲବିର େୱବସାଇଟରେ ସମସ୍ତ କାଜୀଙ୍କ ପାଇଁ ପରାମର୍ଶ ଅପଲୋଡ଼ କରାଯିବ। ମୁଦ୍ରିତ ପୁସ୍ତିକା ଓ ଅନ୍ୟ ପ୍ରଚାରପତ୍ର ଜରିଆରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯିବ। କାଜୀମାନଙ୍କୁ କୁହାଯିବ ଯେ ସେମାନେ ନିକାହନାମା ପ୍ରସ୍ତୁତ କରିବା ସମୟରେ ଶରିୟାତ ଅଧୀନରେ ଅଦରକାରୀ ଘୋଷିତ ତିନ‌୍‍ ତଲାକ ପ୍ରଥାକୁ ସେଥିରୁ ବାଦଦେବେ ଓ ବରମାନଙ୍କୁ ଏହି ପ୍ରଥା ଉପଯୋଗ ନକରିବାକୁ କହିବେ। ଲ ବୋର୍ଡ଼ର ସଂପାଦକ ମହମ୍ମଦ ଫଜଲୁର ରହିମ କହିଛନ୍ତି ଯେ ନିକାହନାମା ସଂପାଦିତ ହେଲାବେଳେ ବରମାନଙ୍କୁ କୁହାଯିବ ଯେ ଯଦି ତଲାକ‌୍‍ ବା ଛାଡ଼ପତ୍ର ଦେବା ଭଳି ପରିସ୍ଥିତି ଉପୁଜେ ତେବେ ସେମାନେ ଏକା ଥରକେ ତିନି ଥର ତଲାକ ଉଚ୍ଚାରଣ କରିବେ ନାହିଁ। ଯେଉଁମାନେ ତିନ‌୍‍ ତଲାକ ପ୍ରଥା ଅନୁସରଣ କରି ପତ୍ନୀମାନଙ୍କୁ ଛାଡ଼ପତ୍ର ଦେବେ ସେମାନଙ୍କୁ ସାମାଜିକ ଭାବେ ବାସନ୍ଦ କରିବା ପାଇଁ ମଧ୍ୟ ଲ ବୋର୍ଡ଼ ମୁସଲିମ ସମାଜକୁ ପରାମର୍ଶ ଦେଇଛନ୍ତି।

 

ସତ୍ୟପାଠରେ ଲ ବୋର୍ଡ଼ ଛାଡ଼ପତ୍ର ନେଇ କେତେକ ବିକଳ୍ପ ପ୍ରସ୍ତାବ ଦେଇଛନ୍ତି। ଯଦି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେଲା ତେବେ ସେମାନେ ଆଗେ ନିଜନିଜ ଭିତରେ ଆଲୋଚନା କରି ତାହାର ସମାଧାନ କରିବେ। ସେଥିରେ ବିଫଳ ହେଲେ ଉଭୟ ପକ୍ଷର ମୁରବୀମାନେ ତାହାର ସମାଧାନ କରିବାକ‌୍‍ୁ ଚେଷ୍ଟା କରିବେ। ତାହା ବିଫଳ ହେଲେ ଉଭୟ ପକ୍ଷ ଜଣେ ଆର୍ବିଟ୍ରେଟର ବା ଜଣିକିଆ ମୁରବୀ ନିଯୁକ୍ତ କରିବେ ଯିଏ ଉଭୟ ପକ୍ଷ ମଧ୍ୟରେ ମଧ୍ୟସ୍ଥତା କରି ଛାଡ଼ପତ୍ର ରୋକିବାକୁ ଚେଷ୍ଟା କରିବେ। ଏସବୁ ବ୍ୟବସ୍ଥା ବିଫଳ ହେଲେ ସ୍ୱାମୀ ପ୍ରଥମ ତଲାକ ଉଚ୍ଚାରଣ କରିବ। ଏହାର ମାସକ ପରେ ଦ୍ୱିତୀୟ ଓ ତାହାର ମାସକ ପରେ ତୃତୀୟ ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେବ। କୌଣସି ପରିସ୍ଥିତିରେ ବି ସ୍ୱାମୀ ଏକାଥରକେ ତିନି ଥର ତଲାକ ଉଚ୍ଚାରଣ କରିବେ ନାହିଁ।

 

ସୁପ୍ରିମ କୋର୍ଟ ଏହି ସତ୍ୟପାଠର ଅନୁଶୀଳନ କରିବେ। ମେ ୧୮ ତାରିଖରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ଶେଷ କରି ପ୍ରଧାନ ବିଚାରପତି ଜେଏସ ଖେହାରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟଙ୍କ ଗ୍ରୀଷ୍ମକାଳୀନ ଛୁଟି ଅବସରରେ ଲଗାତାର ଛଅ ଦିନ ପାଇଁ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ଏଆଇଏମପିଏଲବି ଓ ଅଲ‌୍‍ ଇଣ୍ଡିଆ ମୁସଲିମ ୱିମେନ୍ସ ପର୍ସନାଲ ଲ ବୋର୍ଡ଼ ଆଦି କର୍ତ୍ତୃପକ୍ଷଙ୍କ ତରଫରୁ ତିନ‌୍‍ ତଲାକ ବ୍ୟବସ୍ଥାର ସାମ୍ୱିଧାନିକତା ନେଇ ସପକ୍ଷ ଓ ବିପକ୍ଷରେ ବିଭିନ୍ନ ଯୁକ୍ତି ଶୁଣିଥିଲେ। ଶୁଣାଣି ସମୟରେ ସୁପ୍ରିମ କୋର୍ଟ ଏଆଇଏମପିଏଲବିକୁ ପ୍ରଶ୍ନ କରିଥିଲେ ଯେ ପ୍ରତିଦିନ ମୁସଲମାନମାନେ ଯେଉଁ ପ୍ରାର୍ଥନା କରୁଛନ୍ତି ସେଥିରେ ତିନ‌୍‍ ତଲାକ‌୍‍ ପ୍ରଥାକୁ ଧର୍ମଶାସ୍ତ୍ର ଅନୁସାରେ ଖରାପ ଓ ପାପ ବୋଲି କହୁଥିବାବେଳେ ଏହାର ପ୍ରଚଳନକୁ ସ୍ୱୀକୃତି ଦେଇଛନ୍ତି କାହିଁକି?

 

କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ଅସାମ୍ୱିଧାନିକ ଓ ମୁସଲିମ ମହିଳା ବିରୋଧୀ ବୋଲି ଯୁକ୍ତି କରି ଆସୁଛନ୍ତି। ଏହା ଦ୍ୱାରା ସେମାନଙ୍କର ସମାନତା ଅଧିକାର କ୍ଷୁର୍ଣ୍ଣ ହେଉଛି ଏବଂ ଏହା ଏକ ଅତ୍ୟାଚାରରେ ପରିଣତ ହୋଇଛି ବୋଲି କେନ୍ଦ୍ର ତରଫରୁ ଯୁକ୍ତି କରାଯାଇଛି। ସେହିପରି କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଭେଗ୍ଧେୟାହ ନାଇଡ଼ୁ କହିଛନ୍ତି ଯେ ଯଦି ସୁପ୍ରିମ କୋର୍ଟ ତିନ ତଲାକକୁ ନିଷଦ୍ଧ ନକରନ୍ତି ତେବେ କେନ୍ଦ୍ର ସରକାର ଏନେଇ ହସ୍ତକ୍ଷେପ କରିବେ। ହିନ୍ଦୁମାନଙ୍କ ପରି ମୁସଲମାନମାନେ ମଧ୍ୟ ଅନେକ ଏଭଳି କୁପ୍ରଥା ତ୍ୟାଗ କରିସାରିଛନ୍ତି। ଏବେ ସେମାନେ ନିଜନିଜ ଭିତରେ ଆଲୋଚନା କରି ତିନ‌୍‍ ତଲାକ‌୍‍ ଭଳି ଏକ କ‌୍‍ୁପ୍ରଥାକୁ ସବୁଦିନ ପାଇଁ ତ୍ୟାଗ କରି ସମାଜକୁ ଆଗେଇନେବା ଉଚିତ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top