ବ୍ରହ୍ମପୁର- ଶତାବ୍ଦୀର ଶୋଷ

News Story - Posted on 2017-05-20

ହେମାଙ୍ଗ ପ୍ରସାଦ ରାଉଳ

 

ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଥିବା ବେଳେ ଖରାଦିନ ହେଲେ ଏହି ସମସ୍ୟା ଏଠାରେ ଉଗ୍ର ରୂପେ ଧାରଣ କରିଥାଏ। ପାଣି ଟୋପାଏ ପାଇଁ ଲୋକଙ୍କ ମଧ୍ୟରେ ହାହାକାର ପଡ଼ୁଥିବା ବେଳେ ଏଥିପାଇଁ ବହୁ ସମୟରେ ଗଣ୍ଡଗୋଳରୁ ହତ୍ୟା ପର୍ଯ୍ୟନ୍ତ ଘଟଣା ଘଟିଥିବା ନଜିର ରହିଛି। ତେବେ ପି.ଏଚ‌୍‍.ଡ଼ି କାର୍ଯ୍ୟାଳୟକୁ ଲୋକେ ବାରମ୍ୱାର ପାନୀୟ ଜଳ ସମସ୍ୟା ନେଇ ଯାଉଥିବା ବେଳେ ବିଭାଗର କୌଣସି ପଦକ୍ଷେପ ଅନୁପସ୍ଥିତି ଯୋଗୁଁ ଲୋକେ ନୟାନ୍ତ ହୋଇ ଫେରୁଥିବା ଅଭିଯୋଗ ହେଉଛି।

 

ଋଷିକୁଲ୍ୟା, ଦକ୍ଷିଣପୁରରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ କେତେବେଳେ ଛଡ଼ା ଯାଉଛି ତ ପୁଣି କିଛି ଦିନ ଯୋଗାଣ ବନ୍ଦ ରହୁଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ କୌଣସି ପୂର୍ବ ସୂଚନା ଦିଆଯାଉ ନଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିଭଳି ଅଧିକ୍ଷଣ ଯନ୍ତ୍ରୀ ମାସର ଅଧିକାଂଶ ଦିନ ଅନୁପସ୍ଥିତ ରହୁଥିବା ବେଳେ ଏ ସଂପର୍କରେ ବାରମ୍ୱାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନନେବା ପଛରେ ଉଦ୍ଦେଶ୍ୟ କ’ଣ ତାହା ତଦନ୍ତ ସାପେକ୍ଷ। ଏଣେ ସହରରେ ବିଭିନ୍ନ ସ୍ଥାନରେ ନଳକୂପ ପାଇଁ ଗାତ ଖୋଳାଯାଇଛି, ହେଲେ ସେଥିରେ ଆବଶ୍ୟକ ସାମଗ୍ରୀ ସଂଯୋଗ କରାଯାଇନାହିଁ। ଏଥିରେ ନିୟୋଜିତ ଠିକାଦାରମାନେ ସେଠାରେ ଥିବା ଲୋକଙ୍କଠାରୁ ଲାଞ୍ଚ ନେଇ ସଂଯୋଗ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି।

 

ପ୍ରକାଶଥାଉକି, ବ୍ରହ୍ମପୁର ସହରରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ବେଳେ ଗତ ୨୦୦୪-୦୯ ମଧ୍ୟରେ କେନ୍ଦ୍ରରେ ଉପା ସରକାର ଅଧୀନରେ ଚନ୍ଦ୍ରଶେଖର ସାହୁ ମନ୍ତ୍ରୀ ଥିବା ସମୟରେ କେନ୍ଦ୍ରୀୟ ଯୋଜନା ଏ.ୟୁ.ଆଇ.ଡ଼ି.ଏସ‌୍‍.ଏମ‌୍‍.ଟି.ରେ ବ୍ରହ୍ମପୁରକୁ ଅନ୍ତର୍ଭକ୍ତ କରାଯାଇଥିଲା। ଯାହାଫଳରେ ବ୍ରହ୍ମପୁର ସହରରେ ରାସ୍ତାଘାଟ, ଆଲୋକ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଏହି ଯୋଜନା ଅନୁଯାୟୀ କେନ୍ଦ୍ର ୮୦ ଶତକଡ଼ା ଅନୁଦାନ, ରାଜ୍ୟ ୧୦ ଶତକଡ଼ା ଏବଂ ଏନ‌୍‍.ଏ.ସି ତଥା ପୌରପାଳିକା ୧୦ ଶତକଡ଼ା ଅର୍ଥ ବହନ କରିବେ। ଏଥିରେ ପ୍ରଥମ ଦଫାରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ପାଇଁ ୩୦ କୋଟି ଟଙ୍କା ଅନୁଦାନ କେନ୍ଦ୍ରରୁ ଆସିଥିଲା। ଏଥିମଧ୍ୟରୁ ୨୩ କୋଟି ଟଙ୍କାରେ ବ୍ରହ୍ମପୁର ସହର ଏବଂ ଏହାର ଆଖପାଖ ଅଞ୍ଚଳ ତଥା ବିଜିପୁର, ଫାଷ୍ଟଗେଟ‌୍‍, ହରିଡ଼ାଖଣ୍ଡି, ଗୋଷାଣିନୂଆଗାଁ, ଆମ୍ୱମାର୍କେଟ ପ୍ରଭୃତି ଅଞ୍ଚଳରେ ବିଭିନ୍ନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏଥିମଧ୍ୟରୁ କିଛି ପୋଖରୀର  ଭଲ କାମ ହୋଇଥିବା ବେଳେ ଅନ୍ୟ କିଛି ପୋଖରୀର କାର୍ଯ୍ୟ ଅଧପନ୍ତରିଆ ଭାବେ ପଡ଼ିରହିଥିଲା ଏବଂ ଉକ୍ତ ଟଙ୍କାରେ ମଧ୍ୟ ଦୁର୍ନୀତି ହୋଇଥିବା ଶୁଣିବାକୁ ମିଳିଥିଲା।

 

ଏଥିସହ ବଳକା ଟଙ୍କା ମଧ୍ୟରୁ ୫ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ଟ୍ରିଟ‌୍‍ମେଣ୍ଟ ପ୍ଲାନ‌୍‍ କାମ ଏବଂ ୩ କୋଟି ଟଙ୍କା ବ୍ୟୟରେ ଦକ୍ଷିଣପୁର ଜଳ ଭଣ୍ଡାରର କ୍ଷମତା ଦୁଇଗୁଣ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା। ଏହାପରେ ଦ୍ୱିତୀୟ ଦଫାରେ କେନାଲ‌୍‍ ମାଧ୍ୟମରେ ଆସୁଥିବା ପାଣିକୁ ସିଧାସଳଖ ସୋରଡ଼ା ଜାନିବାଲି ଠାରୁ ପାଇପ‌୍‍ ଲାଇନ‌୍‍ ସାହାଯ୍ୟରେ ପାନୀୟ ଜଳ ଯୋଗାଣ ଏବଂ ମାଟି ତଳ ଦେଇ ଯାଇଥିବା ପାଇପ‌୍‍ ଲାଇନ‌୍‍ ଗୁଡ଼ିକ ୫ ଇଞ୍ଚ ରୁ ୨୦ ଇଞ୍ଚ ବଢ଼ାଇବା(ଇଣ୍ଟର‌୍‍ନାଲ‌୍‍ ଡ଼ିଷ୍ଟ୍ରିବ୍ୟୁସନ‌୍‍ ସିଷ୍ଟମ‌୍‍)କୁ ମଜବୁତ‌୍‍ କରିବା ପାଇଁ ସ୍ୱଳ୍ପମିଆଦି ଯୋଜନା ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ ବସିଥିଲା। ଏଥିରେ ପିଏଚ‌୍‍ଡ଼ି ବିଭାଗ ଏବଂ କେନ୍ଦ୍ରରୁ ବିଭାଗୀୟ ଟିମ୍‌ଙ୍କ ଉପସ୍ଥିତିରେ ଏହି ଯୋଜନାକୁ କାର୍ଯ୍ୟକାରୀ ପାଇଁ ଚେଷ୍ଟା ହୋଇଥିଲା। ଏହା ହୋଇଥିଲେ ଆଗାମୀ ୨୦୨୫ ମସିହା ପର୍ଯ୍ୟନ୍ତ ବ୍ରହ୍ମପୁର ପାଣି ସମସ୍ୟାର ସମାଧାନ ହୋଇ ପାରିଥାନ୍ତା। କିନ୍ତୁ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିଲା ନାହିଁ।

 

ଉକ୍ତ କାମ ବେସରକାରୀ ସଂସ୍ଥା ଦ୍ୱାରା କରାଯିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଉକ୍ତ କାମପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିବା ପାଇଁ ୨/୩ ବର୍ଷ ନେଇଥିଲେ। ଶେଷ ମୁହୂର୍ତ୍ତରେ ୩୨ କୋଟି ଟଙ୍କା ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ପୁଣି ୨୩ କୋଟି ଟଙ୍କାର ରିପୋର୍ଟ ଦେଲେ। ଯାହାଫଳରେ ଏହି କାମ ସ୍ଥଗିତ ରହିଥିଲା। ନିର୍ବାଚନ ପରେ ଏହାର ବ୍ୟୟବରାଦ ବୃଦ୍ଧି ଘଟିଥିଲା। ଯାହାକି ୫୬ କୋଟି ଏବଂ ପରବର୍ତ୍ତି ସମୟରେ ୬୫ କୋଟିରେ ପହଞ୍ଚିଥିଲା। ସରକାରଙ୍କ ଠାରୁ କିଛି ଟଙ୍କା ମଧ୍ୟ ମିଳିଥିଲା। ଯେଉଁ ଟଙ୍କାରେ ସହରରେ କିଛି ଓଭର‌୍‍ହେଡ଼‌୍‍ ଟ୍ୟାଙ୍କ ଏବଂ ଜଳ ସଂରକ୍ଷିତ ରଖିବା ପାଇଁ ରିଜର୍ଭୟର‌୍‍, ଉତ୍କଳ ଆଶ୍ରମ ରୋଡ଼‌୍‍ ପର୍ଯ୍ୟନ୍ତ ପାଇପ‌୍‍ ଲାଇନ‌୍‍ ପ୍ରଭୃତି କାମ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରକାରଙ୍କ ଆନ୍ତରିକତା ଅଭାବ ଏବଂ ବ୍ରହ୍ମପୁର ସହର ପ୍ରତି ଉଦାସୀନତା ଏହା ବ୍ରହ୍ମପୁର ଜଳସମସ୍ୟା ଶତାଦ୍ଦିର ଶୋଷ ପାଲଟିଛି।

 

ଇତିମଧ୍ୟରେ ୫ ଥର ବିଧାୟକ ହୋଇ ସୁଦ୍ଧା ବ୍ରହ୍ମପୁର ବିଧାୟକ ବ୍ରହ୍ମପୁର ସହରର ପାଣି ସମସ୍ୟାର ଏକ ସ୍ଥାୟୀ ବାଟ କାଢ଼ିପାରିଲେ ନାହିଁ। ସେହିଭଳି ୨ ଥର ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର କେବଳ ନିର୍ବାଚନ ସମୟରେ ତାଙ୍କ ଏଜେଣ୍ଡାର ମୁଖ୍ୟଥିଲା ବ୍ରହ୍ମପୁର ପାଣି ସମସ୍ୟା। କିନ୍ତୁ ଏହାମଧ୍ୟ ତାଙ୍କ ପ୍ରତିଶ୍ରୁତି ପାଣିର ଗାର ଭଳି ଉଭେଇଗଲା। ପ୍ରତ୍ୟେକ ବର୍ଷ ଖରା ପାଖେଇ ଆସିଲେ ବିଭିନ୍ନ ସଭାସମିତି କରି ଜିଲ୍ଲା ପ୍ରଶାସନ ସହରବାସୀଙ୍କୁ ଭୂଆଁ ବୁଲାଉଥିବା ଦେଖିବାକୁ ମିଳିଛି। ନା ଅଛି ଜିଲ୍ଲା ପ୍ରଶାସନର ତତ୍ପରତା ନା ରାଜ୍ୟ ସରକାରଙ୍କ ଏଥିପ୍ରତି ଗୁରୁତ୍ୱ। ସରକାରୀ ଅଧିକାରୀମାନଙ୍କ ହାତବାରିସି ଭାବେ କାମ କରୁଛନ୍ତି ଲେକ ପ୍ରତିନିଧି। କୌଣସି ଅଧିକାରୀ ଏହି ସମସ୍ୟା ଦିଗରେ ଦୃଷ୍ଟିଦେବା ତ ଦୂରର କଥା ଲୋକ ପ୍ରତିନିଧି ତଥା ସହରବାସୀଙ୍କୁ ଅନ୍ଧକାରରେ ରଖି ଫାଇଲ‌୍‍ ଚାଷ କରିବାରେ ବ୍ୟସ୍ତ। ଖରା ୩ ମାସ କେବଳ କାଗଜ କଲମ ଏବଂ ସଭାରେ ସିମୀତ ରଖି ଏହି ୩ ମାସକୁ ପାର କରିଦିଅନ୍ତି। ତେଣୁ ପାଣିକୁ ନେଇ ରାଜନୀତି ନକରି ସର୍ବଦଳୀୟ ବୈଠକ ମାଧ୍ୟମରେ ଏହାର ସମାଧାନ ଦିଗରେ ଧ୍ୟାନ ଦେବାପାଇଁ ଦାବୀ ହେଉଛି।


ପ୍ରତିକ୍ରିୟା

Raja Kishore - Email: rajhatubadi@gmail.com - Posted on 2017-05-20 17:55:32

Good article & true

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top